ମୋନାଲିସା ପରିଡ଼ା

ପ୍ରାଚୀନ ପୁରାଣ ଓ କାବ୍ୟକବିତାରେ ପଦ୍ମ ପ୍ରସଙ୍ଗ ଉଲ୍ଲେଖ ରହିଛି। କିନ୍ତୁ କତିପୟ ଗବେଷକ ଦାବି କରନ୍ତି, ଏସବୁ ରଚନା ହେବା ବହୁ ବର୍ଷ ଆଗରୁ ପଦ୍ମଫୁଲ ଭାରତୀୟ ଭୂଖଣ୍ଡରେ ଥିଲା। ଅତି ପ୍ରାଚୀନ ଜୀବାଶ୍ମରୁ ହିଁ ଏହାର ଅସ୍ତିତ୍ବ ସଂପର୍କରେ ସୂଚନା ମିଳିଥିଲା। ପୁଣି ଉତ୍କଳୀୟ ଆଧ୍ୟାତ୍ମିକ ସଂସ୍କୃତି ସହ ବି ରହିଛି ପଦ୍ମଫୁଲର ସଂପୃକ୍ତି। ମାଘ ଅମାବାସ୍ୟା ପରେ ଏବଂ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ପଦ୍ମବେଶ ହୋଇଥାଏ। ପଦ୍ମ ଦେବତାମାନଙ୍କର ପୁଷ୍ପ। ତେଣୁ ପଦ୍ମଫୁଲକୁ ‘ପଦ୍ମାବତାର’ ବି କୁହାଯାଏ। ସାଧାରଣ ଭାବେ ପଦ୍ମ ପାଞ୍ଚ ରଙ୍ଗର (ଧଳା, ଗୋଲାପୀ, ହଳଦିଆ, ଲାଲ୍‌ ଓ ନୀଳ) ବୋଲି କୁହାଯାଏ। କିନ୍ତୁ ଅସଲରେ ନୀଳପଦ୍ମକୁ ଅନେକ କଇଁ ଆଖ୍ୟା ଦେଇଥାଆନ୍ତି। ତେବେ ଗୋଲାପୀ ଓ ଧଳାରଙ୍ଗ ମିଶ୍ରିତ ପଦ୍ମ ସବୁଠାରୁ ଲୋକପ୍ରିୟ ଏବଂ ଏହାର ଉତ୍ପତ୍ତି ଭାରତରେ ‌ବୋଲି ଗ୍ରହଣୀୟ ପ୍ରମାଣ ରହିଛି। 

Advertisment

ଭାରତରେ ଉପଲବ୍ଧ ପଦ୍ମଗୁଡ଼ିକ ଦେଖିବାକୁ ସିନା ଏକାଭଳି, କିନ୍ତୁ ଏହି ଫୁଲର ପ୍ରଜାତି ଅନେକ। ପ୍ରକୃତରେ ପଦ୍ମର କେତେ ପ୍ରଜାତି ରହିଛି ତାହା ଏଯାବତ୍‌ ଆକଳିତ ହୋଇ ନଥିବା ବେଳେ ଓଡ଼ିଶାରେ ୧୯ ପ୍ରଜାତିର ପଦ୍ମ ଖୋଜି ପାଇଛନ୍ତି ବିଶିଷ୍ଟ ଉଦ୍ୟାନବିତ୍‌ ପ୍ରଫେସର ଶଶିକଳା ବେଉରା ଏବଂ ମାଷ୍ଟର୍‌ ସେଫ୍ ଇଣ୍ଡିଆକୁ ଯାଇ ଲୋକପ୍ରିୟତା ହାସଲ କରିଥିବା ଗବେଷକ ଅବିନାଶ ପଟ୍ଟନାୟକ। ଦିବ୍ୟ ଚେତନାର ପ୍ରତୀକ ପଦ୍ମଫୁଲ ସଂପର୍କରେ ଓଡ଼ିଶାରେ ପୂର୍ବରୁ କୌଣସି ଗବେଷଣା ହୋଇ ନଥିବା ବେଳେ ଏହି ଗୁରୁଶିଷ୍ୟ ଯୋଡ଼ି ନୂଆ ରାସ୍ତା ଦେଖାଇଛନ୍ତି। ପିଲାଦିନୁ ପଦ୍ମଫୁଲ ପ୍ରତି ବିଶେଷ ଆକର୍ଷଣ ହେତୁ ଫ୍ଲୋରିକଲ୍‌ଚର୍‌ ବାୟୋଟେକ୍‌ନୋଲଜିରେ ପିଏଚ୍‌ଡି ପରେ ଚାକିରିଜୀବନ ଆରମ୍ଭ କରିଥିବା ଶଶିକଳା ବେଉରା ପଦ୍ମ ବିଷୟରେ ଅଧିକ ଜାଣିବା ଲାଗି ଅନୁସନ୍ଧାନ ଆରମ୍ଭ କରିଥିଲେ। ୨୦୦୨ରେ ତାଙ୍କ ପଦ୍ମ ଅଭିସାରର ମୂଳଦୁଆ ପଡ଼ିଥିଲା। ସେ ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ସେଠାରୁ ପଦ୍ମ ଆଣି ନିଜ ଘରେ ଲଗାଉଥିଲେ। ହେଲେ ନାଡ଼ ଶୁଖିଯାଉଥିବାରୁ ପଦ୍ମ ବଞ୍ଚିପାରୁ ନଥି‌ଲା। ଅନେକ ବିଫଳତା ପରେ ୨୦୧୪ରେ ସେ ଭୁବନେଶ୍ବରରେ ଥିବା ଓୟୁଏଟିର ଟିସୁ କଲ୍‌ଚର୍‌ ସେଣ୍ଟର୍‌ରେ ୩ଟି ପୋଖରୀ ଖୋଳି ସେଠାରେ ପଦ୍ମ ଲଗାଇଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୮ ପ୍ରକାରର ପଦ୍ମ ଆଣି ଗବେଷଣା ଆରମ୍ଭ କଲେ। ହେଲେ ପ୍ରକୃଷ୍ଟ ସହଯୋଗୀ ଅଭାବରୁ ଏହା ଆଗକୁ ବଢ଼ିପାରିଲା ନାହିଁ।  କିନ୍ତୁ ୨୦୨୦ରେ ଯେତେବେଳେ ସେ ନିଜ ପୁରୁଣା ଛାତ୍ର ଅବିନାଶଙ୍କୁ ଭେଟିଲେ, ଶଶିକଳାଙ୍କ ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହେଲା। ସରକାରୀ ଚାକିରି ଛାଡ଼ି ପିଏଚ୍‌ଡି କରିବା ପାଇଁ ଆସିଥିବା ଅବିନାଶ ଓୟୁଏଟିରେ ଶଶିକଳାଙ୍କ ଅଧୀନରେ ଓଡ଼ିଶାରେ ମିଳୁଥିବା ପଦ୍ମ ପ୍ରଜାତି ଉପରେ ଗବେଷଣା କରିବାକୁ ରାଜି ହୋଇଗଲେ। କୋରାପୁଟ, ଝାରସୁଗୁଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ସୋନପୁର, ବଲାଙ୍ଗୀର, ଜଗତ୍‌ସିଂହପୁର, ଢେଙ୍କାନାଳ, ଯାଜପୁର, କଟକ, ବାଲେଶ୍ବର ଓ ନୂଆପଡ଼ା ଆଦି ୧୪ଟି ଜିଲ୍ଲାରୁ ୨୮ ପ୍ରକାରର ପଦ୍ମ ସଂଗ୍ରହ କରି ଦୁହେଁ ଗବେଷଣାର ମୂଳଦୁଆ ପକାଇଲେ। ବହୁ ଅନୁସନ୍ଧାନ ପରେ ଓଡ଼ିଶାରେ ୧୯ ପ୍ରକାରର ପଦ୍ମ ମିଳିଥିବା ସୁନିଶ୍ଚିତ କରିଛନ୍ତି ଶଶିକଳା ଓ ଅବିନାଶ। ଏଭଳି ଅନୁସନ୍ଧାନ ଓଡ଼ିଶାରେ ପ୍ରଥମ ବୋଲି ଦୁହେଁ ଦାବି କରିଛନ୍ତି।

ଏହି ସଫଳତାକୁ ନେଇ ଡକ୍ଟର ଶଶିକଳା କହନ୍ତି, ‘‘୨୦୦୨ରୁ ୨୦୨୦ ପର୍ଯ୍ୟନ୍ତ ମୁଁ ବହୁ ପିଲାଙ୍କୁ ପଦ୍ମ ଉପରେ ଗବେଷଣା କରିବାକୁ କହିଥିଲି, କିନ୍ତୁ କେହି ଆଗ୍ରହ ଦେଖାଇ ନଥିଲେ। ହେଲେ ଅବିନାଶ ପିଏଚ୍‌ଡି କରିବାକୁ ଆସିବା ପରେ ମୋର ଭାଙ୍ଗିଯାଇଥିବା ସ୍ବପ୍ନରେ ଡେଣା ଲାଗିଗଲା। ସେ ପଦ୍ମ ଉପ‌େର ଗବେଷଣା ଲାଗି ରାଜି ହୋଇ କାମରେ ଲାଗି ପଡ଼ିଲା। ଦୀର୍ଘ ୪ବର୍ଷର କଷ୍ଟସାଧ୍ୟ ଅନୁସନ୍ଧାନ ପରେ ଆମେ ୧୯ ପ୍ରକାରର ପଦ୍ମ ଓଡ଼ିଶାରେ ଖୋଜି ପାଇଛୁ। ଏ ମଧ୍ୟରୁ  ଆମର ଓଏଲ୍-୧୦ ନାମକ ପଦ୍ମଟି ବହୁତ ଅଧିକ ଫୁଟୁଥିବା ଆମେ ଦେଖିବାକୁ ପାଇଛୁ।’’ ଅନ୍ୟପକ୍ଷରେ ଅବିନାଶ କହନ୍ତି, ‘‘୨୦୧୦ରେ ମୁଁ ଓୟୁଏଟିରେ କୃଷିବିଜ୍ଞାନରେ ସ୍ନାତକ ଶେଷ କରିଥିଲି। ଏହି ସମୟରେ ମୋର ଶଶିକଳା ମ୍ୟାଡାମ୍‌ଙ୍କ ସହ ପରିଚୟ ହୋଇଥିଲା। ପରେ ମୁଁ ପିଜି କରିବା ପାଇଁ ତାମିଲନାଡୁ ଚାଲିଗଲି। ୨୦୧୩ରେ ଓଡ଼ିଶା ଆସି ଆସିଷ୍ଟାଣ୍ଟ୍‌ ଏଗ୍ରିକଲ୍‌ଚର୍‌ ଅଫିସର୍‌ ଚାକିରିରେ ଯୋଗଦେଲି। ହେଲେ ପିଏଚ୍‌ଡି କରିବାର ଇଚ୍ଛା ଥିଲା। ୫ ବର୍ଷ ପରେ ଚାକିରି ସହ ପିଏଚ୍‌ଡି କରିବି ବୋଲି ଭାବିଥିଲି। କିନ୍ତୁ ତାହା ସମ୍ଭବ ହେଲାନାହିଁ। ଶେଷରେ ୨୦୧୯ରେ ଚାକିରି ଛାଡ଼ି ୨୦୨୦ରେ ପିଏଚ୍‌ଡି କରିବାକୁ ଓୟୁଏଟିରେ ଆଡ୍‌ମିସନ୍ ନେଲି। ସୌଭାଗ୍ୟବଶତଃ ମୋତେ ଶଶିକଳା ମ୍ୟାଡାମ୍‌ଙ୍କ ଅଧୀନରେ ଗବେଷଣା ସୁଯୋଗ ମିଳିଲା। ତାଙ୍କ ମାର୍ଗଦର୍ଶନରେ ପଦ୍ମ ଉପରେ କାମ କଲି। ୪ ବର୍ଷରେ ଗବେଷଣା ସାରିବା ସହଜ ନଥିଲା। ଅନେକ ବାଧାବିଘ୍ନ ଆସିଥିଲେ ବି ମୁଁ ଓ ମ୍ୟାଡାମ୍‌ ଓଡ଼ିଶାରେ ପଦ୍ମ ସଂପର୍କରେ ପ୍ରଥମ ବିଧିବଦ୍ଧ ଅଧ୍ୟୟନ କରିବାରେ ସଫଳ ହୋଇଛୁ।’’