ପଦ୍ମଫୁଲ ସୌନ୍ଦର୍ଯ୍ୟ, ପବିତ୍ରତା ତଥା କମନୀୟତାର ମୂଲ୍ୟବୋଧକୁ ନାରୀର ରୂପଲାବଣ୍ୟର ପ୍ରତୀକ ଭାବରେ ଗ୍ରହଣ କରାଯାଏ। ଏହି ପୁଷ୍ପ କୋମଳ ସୌନ୍ଦର୍ଯ୍ୟ ‘ମଧୁର ବାସ୍ନା’ ଭିତରେ ଏକ ବିରଳ ଐଶ୍ବରିକ ଅଭିବ୍ୟକ୍ତି ଥାଏ। ୧୯୫୦ ମସିହା ଜାନୁଆରି ୨୬ ତାରିଖରେ ଭାରତୀୟ ସମ୍ବିଧାନ ସଭାରେ ପଦ୍ମକୁ ଜାତୀୟ ଫୁଲ ଭାବେ ସ୍ବୀକୃତି ଦିଆଯାଇଛି। ଦେବୀ ଦୁର୍ଗାଙ୍କୁ ରାମଚନ୍ଦ୍ର ଲକ୍ଷାଧିକ ପଦ୍ମ ଫୁଲରେ ପୂଜା କରି ଯୁଦ୍ଧ ଅଭିଯାନ ଆରମ୍ଭ କରିଥିଲେ। ମହାଲକ୍ଷ୍ମୀଙ୍କୁ ‘କମଳିନୀ’ ବୋଲି କୁହାଯାଏ ସେ ପଦ୍ମ ଉପରେ ବିରାଜମାନ କରନ୍ତି। ମାଣବସା ଗୁରୁବାରରେ ଉତ୍କଳୀୟ ନାରୀମାନେ ପଦ୍ମଫୁଲରେ ମହାଲକ୍ଷ୍ମୀଙ୍କର ପୂଜା କରିବା ସହିତ ଅମାର, ଅଗଣା ଓ ପୂଜାଘରେ ଲକ୍ଷ୍ମୀପାଦ ସହ ପଦ୍ମର ଚିତା ପକେଇଥାନ୍ତି ଏବଂ ବିଦ୍ୟାଦାତ୍ରୀ ସରସ୍ବତୀଙ୍କ ହାତରେ ପଦ୍ମଫୁଲ ଶୋଭା ପାଉଥାଏ। ମାଆ ଦୁର୍ଗାଙ୍କ ବେକରେ ମଧ୍ୟ ପଦ୍ମଫୁଲର ମାଳା ଶୋଭାପାଏ। ନାରୀ ଜୀବନରେ ପବିତ୍ରତାର ପରିପୂରକ ତଥା ସମର୍ପିତ ସ୍ୱରୂପ ଭାବେ ପଦ୍ମ ଉଭା ହୋଇଥାଏ। ନାରୀ ତନୁର ପ୍ରତୀକାତ୍ମକ ପ୍ରତୀକ ଭାବେ ମଧ୍ୟ ପଦ୍ମ ପ୍ରତିଫଳିତ ହୋଇଥାଏ। କେତେକ ଶାସ୍ତ୍ରାନୁସାରେ, ସ୍ବଭାବ ଅନୁସାରେ ନାରୀଙ୍କୁ ଚାରିଟି ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି। ପଦ୍ମିନୀ, ଶଙ୍ଖିନୀ, ହଂସିନୀ  ଓ ଚିତ୍ରିଣୀ ନାରୀଙ୍କ ମଧ୍ୟରେ ପଦ୍ମିନୀ ନାରୀମାନେ ସବୁଠୁ ଉତ୍ତମ ନାରୀ ଭାବରେ ଗଣା ହୁଅନ୍ତି।

Advertisment

ଉଦ୍ଭିଦବିଜ୍ଞାନୀମାନେ ପଦ୍ମଫୁଲକୁ ‘ନେଲୁମ୍ବୋ ନ୍ୟୁସିଫେରା’ ନାମରେ ନାମିତ କରିଛନ୍ତି। ପଦ୍ମଫୁଲର ସମୃଦ୍ଧ ଇତିହାସ ଭାରତୀୟ ସଂସ୍କୃତି, ଐତିହ୍ୟ, ପରମ୍ପରା ସମେତ ଗଭୀର ଭାବେ ଜଡ଼ିତ। ଭାରତୀୟ ପୁରାଣ ଓ କିଂବଦନ୍ତିର ପୃଷ୍ଠଭୂମିରେ ମଧ୍ୟ ପଦ୍ମଫୁଲ ହଜାର ହଜାର ବର୍ଷ ଧରି ଆଧ୍ୟାତ୍ମିକ ଅଭିବୃଦ୍ଧି, ସମୃଦ୍ଧି ଓ ସୌନ୍ଦର୍ଯ୍ୟର ପ୍ରତୀକ ହୋଇ ରହିଆସିଛି। ତେବେ ପ୍ରଶ୍ନ ଉଠେ କାହିଁକି ଓ କେଉଁ ବିଶେଷତ୍ୱ ପାଇଁ ପଦ୍ମ ଭାରତର ଜାତୀୟ ଫୁଲ ଭାବରେ ମାନ୍ୟତାପ୍ରାପ୍ତ? ଆସନ୍ତୁ ଜାଣିବା ଏହାର ସମୃଦ୍ଧ ଇତିହାସ ଓ ମହତ୍ତ୍ବ ବିଷୟରେ...

ପ୍ରାଚୀନ ତତ୍ତ୍ୱ ଓ ପ୍ରତୀକବାଦ
ହିନ୍ଦୁ ପୁରାଣରେ ପଦ୍ମକୁ ସୃଷ୍ଟି ଓ ବ୍ରହ୍ମାଣ୍ଡର ଉତ୍ପତ୍ତି ସହ ଯୋଡ଼ାଯାଇଛି। କିଂବଦନ୍ତି ଅନୁସାରେ, ଦେବୀ ଲକ୍ଷ୍ମୀ ବିଷ୍ଣୁଙ୍କ ନାଭିରୁ ପଦ୍ମଫୁଲରେ ଉପବେଶନ କରି ବାହାରିଥିଲେ। ଏହା ଲକ୍ଷ୍ମୀଦେବୀଙ୍କ ସୌନ୍ଦର୍ଯ୍ୟ, ପବିତ୍ରତା ଓ ସମୃଦ୍ଧିର ପ୍ରତୀକ ଭାବେ ତାଙ୍କର ଭୂମିକାକୁ ସୂଚାଇଥାଏ। ପଦ୍ମ ମଧ୍ୟ ଜୀବନଯାତ୍ରାର ପ୍ରତିନିଧିତ୍ୱ କରେ। ପଦ୍ମର ଉତ୍ପତ୍ତି ଗଭୀର ପଙ୍କ କାଦୁଅରୁ ହୋଇଥାଏ। କିନ୍ତୁ ପଦ୍ମଫୁଲ ଜଳର ପୃଷ୍ଠ ଉପରେ ଅତି ସୁନ୍ଦର ଓ ସୁବାସିତ ରୁପରେ ପ୍ରସ୍ଫୁଟିତ ହେବା ସହିତ ଏହା ଆଧ୍ୟାତ୍ମିକ ବୁଦ୍ଧି ଓ ଜ୍ଞାନର ମାନ୍ୟତା ପାଇଥାଏ। ନାରୀ ମାତୃତ୍ବ ମହତ୍ତ୍ବର ଆଧାର ଭାବେ ପଦ୍ମ ସମସ୍ତଙ୍କ ନିକଟରେ ଉଜ୍ଜୀବିତ ହୁଏ। ‘ପଦ୍ମ’ ଏହି ଗୂଢ଼ ତତ୍ତ୍ୱକୁ ସମସ୍ତେ ଜାଣିପାରିନ’ଥାନ୍ତି। ପଦ୍ମ ଜୀବଜଗତର ଦାର୍ଶନିକ ଚିନ୍ତା ଚେତନା ତଥା ସୌନ୍ଦର୍ଯ୍ୟର ସମନ୍ବୟକୁ ଦର୍ଶାଇଥାଏ।

ଭାରତୀୟ ସଂସ୍କୃତିରେ ପଦ୍ମ ହେଉଛି ଧାର୍ମିକ ସୀମାକୁ ଅତିକ୍ରମ କରୁଥିବା ଏକ ପବିତ୍ର ପ୍ରତୀକ। ସେଥିପାଇଁ ଏହା ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା, ଗୁରୁଦ୍ବାରା ଓ ଜୈନ ସ୍ମାରକୀ ଆଦିରେ ଏକମାତ୍ର ଫୁଲ ଭାବେ ପଦ୍ମ-ଅନୁପ୍ରାଣିତ ସ୍ଥାପତ୍ୟ କଳା ଦେଖିବାକୁ ମିଳେ। ଭାରତର ଜାତୀୟ ଚିହ୍ନ ଅଶୋକ ଚକ୍ରରେ ପଦ୍ମର ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ଅନେକେ ହୁଏତ ଜାଣିନାହାନ୍ତି। ନାରୀମାନଙ୍କର ଏକାଧିକ ଶାରୀରିକ ସମସ୍ୟାରେ ପଦ୍ମଫୁଲର ବିଭିନ୍ନ ଅଂଶରୁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ ହୋଇ ବ୍ୟବହାର କରାଯାଏ। ପଦ୍ମଫୁଲରେ ଅନେକ ଔଷଧୀୟ ଗୁଣ ରହିଥିବାରୁ ଏହାକୁ ପାରମ୍ପରିକ ଭାରତୀୟ ଔଷଧରେ ବ୍ୟବହାର କରାଯାଏ।