ପଦ୍ମନାଭଙ୍କର ଆୟୁଧ ପଦ୍ମ

ପଦ୍ମପଳାଶ-ଲୋଚନ ଶ୍ରୀବିଷ୍ଣୁଙ୍କର ପଦ୍ମ ସହିତ ରହିଛି ଘନିଷ୍ଠ ସଂପର୍କ। ‘ବିଷ୍ଣୁସହସ୍ରନାମ’ରେ ତାଙ୍କର କେତୋଟି ନାମ ପଦ୍ମ ସହିତ ଜଡ଼ିତ, ଯେପରି- ପୁଷ୍କରାକ୍ଷ, ରାଜୀବଲୋଚନ, ପଦ୍ମନାଭ, ପୁଣ୍ଡରୀକାକ୍ଷ, ପଦ୍ମନିଭେକ୍ଷଣ, ପଦ୍ମୀ, ପଦ୍ମଗର୍ଭ, ପଦ୍ମପତ୍ରାକ୍ଷ ଇତ୍ୟାଦି। ଏପରିକି ଶ୍ରୀବିଷ୍ଣୁଙ୍କର ପତ୍ନୀଙ୍କର ଅନ୍ୟନାମ ପଦ୍ମା, ପଦ୍ମାଳୟା ଓ ପଦ୍ମିନୀ ଇତ୍ୟାଦି। ପୁରାଣମାନଙ୍କରେ ଥିବା ବର୍ଣ୍ଣନା ଅନୁସାରେ, ପରମପୁରୁଷ ଶ୍ରୀଭଗବାନ ନିଜ ନାଭି ମଧ୍ୟରୁ ସୂର୍ଯ୍ୟସମ ଉଜ୍ଜ୍ୱଳ, ତେଜସ୍କ୍ରିୟ, ସହସ୍ରଦଳଯୁକ୍ତ ଏକ ପଦ୍ମପୁଷ୍ପକୁ ଜାତ କଲେ। ଏହି ପୁଷ୍ପ ସଂସାରର ସମସ୍ତ ସୌନ୍ଦର୍ଯ୍ୟର ପ୍ରତୀକ ଭାବରେ ଉଦ୍‌ଭାସିତ ହେଲା ଏବଂ ସେଥିରୁ ପ୍ରଜାପତି ବ୍ରହ୍ମା ଆବିର୍ଭୂତ ହୋଇ ସଂସାରକୁ ନିର୍ମାଣ କଲେ। ‘ବିଷ୍ଣୁ ପୁରାଣ’ର ବର୍ଣ୍ଣନା ଅନୁସାରେ- ଭଗବାନ ବିଷ୍ଣୁଙ୍କର ଯେଉଁ ମୂର୍ତ୍ତରୂପ ଜଳ, ସେଥିରୁ ପର୍ବତ ଓ ସମୁଦ୍ର ଆଦି ସହିତ କମଳ ସମାନ ଆକାରର ପୃଥିବୀ ଉତ୍ପନ୍ନ ହୋଇଛି। ତାହାର ଅନ୍ୟ ନାମ ରସା। ତାହାର ଉପରିଭାଗ ପର୍ବତ ଓ ନଦୀ ଶୋଭିତ ହୋଇ ଋଷିମାନଙ୍କର ନିବାସ ହେଲା ଏବଂ ନିମ୍ନଦେଶରେ ଦୈତ୍ୟ, ନାଗ ଓ ରାକ୍ଷସମାନେ ନିବାସ କଲେ। ବୃକ୍ଷଲତା ଶୋଭିତ ହୋଇ ଏ ପୃଥିବୀ ସଂପନ୍ନ ହେଲା। ଏହାର ପ୍ରତୀକ ସ୍ୱରୂପ ସ୍ୱୟଂ ନାରାୟଣ ଏହାକୁ ହସ୍ତରେ ଧାରଣ କରିଛନ୍ତି କି? ଏହା କ’ଣ ତାଙ୍କର ଆୟୁଧ କି?
ଆୟୁଧ ସର୍ବଦା କୌଣସି ଏକ କ୍ରିୟା ବା ପ୍ରତିକ୍ରିୟା ପାଇଁ ଧାରଣ କରାଯାଏ। ଚକ୍ର, ଗଦା ଓ ଶଙ୍ଖକୁ ଭଗବାନ ବିଭିନ୍ନ କର୍ମରେ ପ୍ରୟୋଗ କରିଛନ୍ତି। କିନ୍ତୁ ପଦ୍ମ ଧାରଣ ସଂପର୍କରେ ସୂଚନା ମିଳେ, ଯେ ପଦ୍ମ ଏକ ସାଧାରଣ ପୁଷ୍ପ ନୁହେଁ। ଏହା ଏକାଧାରରେ ପ୍ରେମ, ପବିତ୍ରତା, ଉତ୍କର୍ଷ ଓ ଉର୍ବରତାର ପ୍ରତୀକ। କାରଣ, ପଙ୍କରୁ ଏହାର ଜନ୍ମ, ଜଳରେ ବିହାର; ଅଥଚ ପଦ୍ମ ସହିତ ଜଳ କି ପଙ୍କ କେହି ସଂଲଗ୍ନ ହୋଇପାରନ୍ତି ନାହିଁ।

ମନୁଷ୍ୟ ଜୀବନ ସର୍ବଦା ନିମ୍ନାଭିମୁଖୀ ବାସନାରେ ନିମଗ୍ନ; ଅବିଦ୍ୟା ଅନ୍ଧକାରରେ ଆଚ୍ଛାଦିତ- ଠିକ୍ ପଙ୍କ ମଧ୍ୟରେ ଥିବା ପଦ୍ମ ପରି। କିନ୍ତୁ ପଦ୍ମ ଯେପରି ପଙ୍କ ମଧ୍ୟରୁ ବାହାରି ଜଳ ଉପରେ ବିକଶିତ ହୁଏ, ସେଥିରେ ଜଳ କି ପଙ୍କ ନଥାଏ; ଠିକ୍ ସେହିପରି, ମନୁଷ୍ୟ ଶରୀର ମଧ୍ୟରେ ଦିବ୍ୟଜ୍ଞାନ ଆଚ୍ଛନ୍ନ ହୋଇ ରହିଥାଏ। ସାଧନା କଲେ ମନୁଷ୍ୟ ମାୟାବନ୍ଧନ କାଟି ଦିବ୍ୟଜ୍ଞାନ ପାଏ। ତାହା ଫଳରେ ଅନନ୍ତ ମୁକ୍ତି ଓ ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରେ। ଏଣୁ ଆତ୍ମଜ୍ଞାନର ଉତ୍ତରଣର ସଂଦେଶ ଦେବାକୁ ପ୍ରଭୁ ସ୍ୱହସ୍ତରେ ପଦ୍ମଧାରଣ କରିଛନ୍ତି।
-ଡକ୍ଟର ତୁଳସୀ ଓଝା।

ସମ୍ବନ୍ଧିତ ଖବର