ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାବସାନ ସହ ଏକ ଉଚ୍ଚ ମୂଲ୍ୟବୋଧର ସବୁଦିନ ପାଇଁ ବିଲୟ ଘଟିଲା ବୋଲି କୁହାଯାଇପାରେ ଆଜିର ନୂତନ ପିଢି ହୁଏତ ଭବାନୀ ପଟ୍ଟନାୟକଙ୍କ ସଂପର୍କରେ ବିଶେଷ ପରିଚିତ ନ’ଥିବେ କିନ୍ତୁ ଆମ ସମୟରେ ସେ ଥିଲେ ଏକ ଉଚ୍ଚ ଆଦର୍ଶର ବହ୍ନିଶିଖା ତାଙ୍କର ସମଗ୍ର ଜୀବନ ଥିଲା ତ୍ୟାଗ ଓ ତିତିକ୍ଷାରେ ପରିପୂର୍ଣ୍ଣ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମଇ ମାସ ୧୧ ତାରିଖରେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅଣ୍ଡିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ତାଙ୍କୁ ଯେତେବେଳେ ମାତ୍ର ୨୦ ବର୍ଷ ବୟସ, ସେତିକି ବେଳେ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ ଦେଶ ମାତୃକାର ସେବା କରିବା ପାଇଁ ସେ ଥରେ ଘରୁ ଗୋଡ କାଢ଼ି ବାହାରି ଆସିବା ପରେ ସାରା ଜୀବନ ସେହି ଲକ୍ଷ୍ୟରେ ଅଟଳ, ଅଚଳ ରହିଥିଲେ।
୧୯୪୨ ମସିହାରେ କଂଗ୍ରେସର ଅସହଯୋଗ ଆନ୍ଦୋଳନ ବେଳେ ସେ ନିମାପଡ଼ା ଥାନା ପୋଡ଼ିରେ ସଂପୃକ୍ତ ଥିଲେ ଭବାନୀ ବାବୁ ସେତେବେଳକୁ ସ୍କୁଲର ଛାତ୍ର ବହିବସ୍ତାନୀ ଫୋପାଡି ଦେଇ ହାତରେ ତ୍ରିରଙ୍ଗା ଧରି ସେ ଇଂରେଜ ଫୌଜ ବିରୁଦ୍ଧରେ ସଂଗ୍ରାମ କରିବାକୁ ବାହାରି ପଡ଼ିଥିଲେ। ସତ୍ୟାଗ୍ରହୀଙ୍କ ଉପରେ ପୁଲିସର ଗୁଳି ଚାଳନା ହେଲା ଭବାନୀବାବୁଙ୍କ ଆଖି ସାମ୍ନାରେ ଉତ୍ସବ ମଲ୍ଲିକ ମୃତ୍ୟୁବରଣ କଲେ। ଭବାନୀବାବୁ ଅଳ୍ପକେ ବଂଚିଗଲେ କିନ୍ତୁ ବ୍ରିଟିସ ପୁଲିସ ତାଙ୍କୁ ବନ୍ଦୀ କରି ଜେଲ୍ ପଠାଇଦେଲେ ଏହି ଘଟଣା ସହ ଭବାନୀବାବୁଙ୍କ ସ୍ବାଧୀନତା ସଂଗ୍ରାମର ଦୀର୍ଘ ଇତିହାସ ଆରମ୍ଭ ହେଲା। ତାଙ୍କୁ ପୁରୀ ଜେଲରୁ କଟକ ଜେଲ୍କୁ ସ୍ଥାନାନ୍ତର କରାଗଲା। ସେହି ଜେଲ୍ରେ ଥିବାବେଳେ ହିଁ ତାଙ୍କର ପରିଚୟ ହେଲା ବିଜୁବାବୁଙ୍କ ସହ। ଏହି ପରିଚୟ ନିବିଡ଼ ବନ୍ଧୁତାରେ ପରିବର୍ତିତ ହେଲା। ପରବର୍ତୀ ସମୟରେ ବିଜୁବାବୁଙ୍କୁ ପି.ସି.ସି ସଭାପତି କରିବା ସହ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ କରିବାରେ ଭବାନୀ ବାବୁଙ୍କର ଯଥେଷ୍ଟ ଭୂମିକା ଥିଲା। ଭବାନୀବାବୁଙ୍କ ଜୀବନର ଏକ ସ୍ମରଣୀୟ ଘଟଣା ହେଉଛି, ତାଙ୍କର ବିଭାଘର ଥିଲା ୧୯୪୮ ମସିହା ଜାନୁଆରୀ ମାସ ୩୦ ତାରିଖ। ସେହିଦିନ ହିଁ ଆତତାୟୀ ନାଥୁରାମ୍ ଗଡ୍ସେର ଗୁଳିରେ ପ୍ରାଣ ହରାଇଥିଲେ ମହାତ୍ମା ଗାନ୍ଧୀ। ଭବାନୀବାବୁ ବିବାହ ପାଇଁ ପାଲିଙ୍କିରେ ଯାଉଥିବା ସମୟରେ ହିଁ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ସମ୍ବାଦ ପାଇଲେ। ଏହି ଦୁଃସମ୍ବାଦ ପାଇବା ପରେ ସେ ବ୍ୟଥିତ ହୋଇ ପାଲିଙ୍କିରୁ ଡେଇଁ ପଡି କୁଆଡେ ଚାଲିଗଲେ। ବହୁ ଖୋଜାଖୋଜି ପରେ ୩ ଦିନ ପରେ ସେ ମିଳିଥିଲେ ଓ ତାଙ୍କର ବିବାହ ସଂପନ୍ନ ହୋଇଥିଲା
ଏହି ଆଦର୍ଶ ପୁରୁଷ କଂଗ୍ରେସ ଦଳର ଜଣେ ପ୍ରତିଷ୍ଠିତ ନେତା ଥିଲେ। ବହୁଦିନ ଧରି ସେବାଦଳର ପରିଚାଳକ ଭାବରେ ସେ ସେବାଦଳକୁ ସୁସଂଗଠିତ କରିଥିଲେ। ପରବର୍ତୀ ସମୟରେ ସେ ପି.ସି.ସିର ସାଧାରଣ ସଂପାଦକ ହେବା ସହ କଂଗ୍ରେସର ବହୁ ଗୁରତ୍ୱପୂର୍ଣ୍ଣ ପଦରେ ଅଧିଷ୍ଠିତ ହୋଇଥିଲେ। ଜଣେ ରାଜନୈତିକ ବ୍ୟକ୍ତି ଭାବେ ସେ ସର୍ବଦା ଉଚ୍ଚ ଆଦର୍ଶ ଓ ମୂଲ୍ୟବୋଧକୁ ସମ୍ମାନ ଦେଉଥିଲେ। ସେ ଥିଲେ ଅତ୍ୟନ୍ତ ସରଳ, ସ୍ବାଭିମାନ ଓ ପରୋପକାରୀ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ସେ ନିଜ ଜୀବନର ପରମ କର୍ତବ୍ୟ ବୋଲି ଭାବୁଥିଲେ ୧୯୬୧, ୧୯୬୬, ୧୯୭୮ ମସିହାରେ ୩ଥର ସେ ରାଜ୍ୟସଭାକୁ ସାଂସଦ ଭାବେ ମନୋନୀତ ହୋଇଥିଲେ। ତାଙ୍କୁ କେନ୍ଦ୍ରମନ୍ତ୍ରୀ କରିବାକୁ ପ୍ରସ୍ତାବ ଆସିଥିଲେ ମଧ୍ୟ ସେ ନମ୍ରତାର ସହ ତାହାକୁ ପ୍ରତ୍ୟାଖାନ କରିଥିଲେ। ମୁଁ ନିଜ ଆଖିରେ ଦେଖିଛି, ରାଜ୍ୟସଭା ସାଂସଦ ଥିବାବେଳେ ତାଙ୍କ ଦିଲ୍ଲୀ ବାସସ୍ଥଳୀଟି ଥିଲା ଓଡିଆମାନଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ରହଣୀ ସ୍ଥାନ। ଚିହ୍ନନ୍ତୁ, ନ’ଚିହ୍ନନ୍ତୁ, ଓଡିଶାରୁ ଯିଏ ଯେତେବେଳେ ଗଲା, ତା ପାଇଁ ତାଙ୍କ ବାସସ୍ଥଳୀର ଦୁଆର ଖୋଲା। ସେ ନିଜେ ଖଣ୍ଡେ ସୋଫା ଉପରେ ଶୋଇବେ, ଅତିଥିମାନେ ବିଭିନ୍ନ ରୁମ୍ରେ ଶୋଇବେ। ହାତରୁ ପଇସା ଖର୍ଚ୍ଚ କରି ସେ ଲୋକଙ୍କ ଖିଆପିଆ କଥା ବୁଝିବେ ଓ ସାଧ୍ୟମତେ ଯିବା ଆସିବା କଥା ମଧ୍ୟ ବୁଝିବେ। ରାଜନୈତିକ ଆଦର୍ଶ ଯୋଗୁ ସେ ଏକ ନିର୍ଦ୍ଦିଷ୍ଟ ଦଳରେ ଥିଲେ ମଧ୍ୟ ତାଙ୍କ ପାଖରେ ଦଳୀୟ ବିଚାରରେ ଜନତାଙ୍କୁ ବ୍ୟବହାର କରିବାର ସଂକୀର୍ଣ୍ଣତା ନଥିଲା। ସାରା ଜୀବନ ସର୍ବସ୍ବ ଦାନ କରି ଶେଷରେ ସେ ନିଜର ଶେଷ ଜନ୍ମଦିନରେ ଶରୀର ଦାନ କରିବାକୁ ଘୋଷଣା କରିଥିଲେ। ପ୍ରତ୍ୟକ୍ଷ ରାଜନୀତିରୁ ବିଦାୟ ନେବାପରେ ମଧ୍ୟ ସେ ସାଧାରଣ ଜୀବନରେ ବେଶ୍ ସକ୍ରିୟ ଥିଲେ। ବିଭିନ୍ନ ସଂଗଠନ ସହ ସାମିଲ୍ ହୋଇ ସେ ସକାରାତ୍ମକ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରିଥିଲେ। ଏପରି ଜଣେ ତୁଙ୍ଗ କଂଗ୍ରେସ ନେତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତ ମୋ ପାଇଁ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି। ସେ ଅନେକ କ୍ଷେତ୍ରରେ ଆମକୁ ପ୍ରେରଣା ଦେଉଥିଲେ ଓ ମାର୍ଗ ପ୍ରଦର୍ଶନ କରୁଥିଲେ। ତାଙ୍କ ବିୟୋଗ ସହ ମୁଁ ଜଣେ ପଥ ପ୍ରଦର୍ଶକଙ୍କୁ ସବୁଦିନ ପାଇଁ ହରାଇଛି।