ସ୍ନାନ ଓ ଗୁଣ୍ଡିଚା ଯାତ୍ରାରେ ଶ୍ରୀଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେରେ ରତ୍ନସିଂହାସନ ବାହାରକୁ ଆସିଥାନ୍ତି। ଏହି ଦୁଇ ଯାତ୍ରା ଅବସରରେ ତାଙ୍କର ଛଅ ଥର ପହଣ୍ଡି ବିଜେ ହୋଇଥାଏ। ରତ୍ନସିଂହାସନରୁ ଅବତରଣ କରି ରଥକୁ ବା ସ୍ନାନମଣ୍ଡପକୁ ଗଲାବେଳେ ଓ ଫେରିବାବେଳେ ଚତୁର୍ଦ୍ଧା ମୂର୍ତ୍ତି ଏକ ବିଚିତ୍ର ଢଙ୍ଗ(ପହଣ୍ଡି)ରେ ଯାତ୍ରା କରନ୍ତି। ପହଣ୍ଡି ବିଜେ ରଥଯାତ୍ରାକାଳୀନ ଏକ ଅପୂର୍ବ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟଲୀଳା ଓ ଉପଭୋଗ୍ୟ ଦୃଶ୍ୟ। ଅଷ୍ଟମ ଶତାବ୍ଦୀ ପରବର୍ତ୍ତୀ କାଳରେ ପହଣ୍ଡି ବିଜେ ପ୍ରବର୍ତ୍ତିତ ହୋଇଥିବାର ଅନୁମାନ କରାଯାଏ। ଶ୍ରୀଗୁଣ୍ଡିଚା ଯାତ୍ରାରେ କରା ଯାଉଥିବା ଶ୍ରୀଜିଉମାନଙ୍କର ମହାପହଣ୍ଡି ରଥଯାତ୍ରାର ପ୍ରଥମ ଲୀଳା। ଏହାର ମାହାତ୍ମ୍ୟ ସର୍ବାଧିକ। ପ୍ରତ୍ୟୁଷରୁ ଅଣସର ଘରେ ଖେଚେଡ଼ି ଭୋଗ ଓ ଛେନାପଟା ଆଦି ନୀତିକାନ୍ତି ସମ୍ପାଦିତ ହୁଏ। ଚତୁର୍ଦ୍ଧା ମୂତ୍ତି ପହଣ୍ଡି ବିଜେରେ ବାହାରନ୍ତି। ବାହାରେ ଚଉଦବ୍ରହ୍ମାଣ୍ଡ ରୁଣ୍ଡ ହୋଇଥାନ୍ତି ଏହି ଦୁର୍ଲଭ ବିରଳ ଦୃଶ୍ୟ ନୟନଭରି ଦେଖିବା ପାଇଁ। ରାଜକବି ଶ୍ୟାମସୁନ୍ଦରଙ୍କ ପହଣ୍ଡି ବର୍ଣ୍ଣନା ଆଖି ଆଗରେ ଭାସି ଉଠେ:
ସଜନୀ ଚାଲ୍ ଦେଖିବା
ପହଣ୍ଡି ବିଜୟେ ବଳିୟାର ଭୁଜ ହେବେଣି
ସୁରଙ୍ଗ ଅଧର ଶୋଭା ଦିଶୁଥିବ ସଜନୀ।
‘ପାଦହୁଣ୍ଡନ’ରୁ ପହଣ୍ଡି ଶବ୍ଦ। ପାଦହୁଣ୍ଡନ ଅର୍ଥ ଧୀରେ ଧୀରେ ପଦ ବିନ୍ନ୍ୟାସ। ସୁତରାଂ ପହଣ୍ଡି ବିଜୟ ବା ପହଣ୍ଡି ବିଜେ ଅର୍ଥ ଧୀରେ ଧୀରେ ପଦକ୍ଷେପ ପୂର୍ବକ ଗମନ କରିବା। ‘ପାହୁଣ୍ଡ’ଏହାର ଅପଭ୍ରଂଶ। ରଥକୁ ଜଗନ୍ନାଥ ଓ ବଳଭଦ୍ରଙ୍କ ଗୁରୁ ଦାରୁ ବିଗ୍ରହକୁ ଧୀର ମନ୍ଥର ଭାବରେ ଡିଆଁଇ ଡିଆଁଇ ଆଗକୁ ନେବାର ରୀତି ହିଁ ପହଣ୍ଡି ବିଜେ। ଏହି ପର୍ବଟି ଅତି ଚିତ୍ତାକର୍ଷକ ହୋଇଥିବାରୁ ଭକ୍ତ, ସାଧକ ସମସ୍ତେ ଅପଲକ ନୟନରେ ଏହି ଦର୍ଶନୀୟ ଦୃଶ୍ୟକୁ ଉପଭୋଗ କରିଥାନ୍ତି। ପହଣ୍ଡି ମନ ଇଚ୍ଛା କରା ନଯାଇ ନିର୍ଦ୍ଦିଷ୍ଟ ନୀତି ନିୟମରେ ପରିଚାଳିତ ହୋଇଥାଏ। ରତ୍ନସିଂହାସନରୁ ରଥ ଉପରକୁ ଗଲାବେଳେ ଶ୍ରୀଜିଉମାନେ ଧାଡ଼ି ପହଣ୍ଡିରେ ଯାତ୍ରା କରିଥା’ନ୍ତି। ଧାଡ଼ି ପହଣ୍ଡିରେ ଗୋଟିଏ ବିଗ୍ରହ ରତ୍ନସିଂହାସନରୁ ଅଳ୍ପ ବାଟ ଆସିବା ପରେ ଅନ୍ୟ ବିଗ୍ରହକୁ ପହଣ୍ଡି କରାଯାଏ। ଅର୍ଥାତ୍ ଶ୍ରୀମନ୍ଦିରରୁ ରଥ ପର୍ଯ୍ୟନ୍ତ ବାଟରେ ତିନି ଠାକୁର ପହଣ୍ଡି ବିଜୟ ଅବସ୍ଥାରେ ଥା’ନ୍ତି। ଧାଡ଼ି ପହଣ୍ଡି ଆଧ୍ୟାତ୍ମିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଶ୍ରୀଜିଉମାନେ ହେଉଛନ୍ତି ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କ ପ୍ରତୀକ। ସେମାନେ ଧାଡ଼ି ପହଣ୍ଡିରେ ଗମନ କଲାବେଳେ ସେମାନଙ୍କ ଠାରୁ ସତ୍ୱ, ରଜ ଓ ତମ- ଏହି ତିନିଗୁଣର ଜ୍ୟୋତି ବିଚ୍ଛୁରିତ ହୋଇଥାଏ।
ସ୍ନାନମଣ୍ଡପରୁ ବା ରଥରୁ ପ୍ରତ୍ୟାବର୍ତ୍ତନ କଲାବେଳେ ବିଗ୍ରହମାନେ ଗୋଟି ପହଣ୍ଡିରେ ଯାତ୍ରା କରିଥା’ନ୍ତି। ଏ ପ୍ରକାର ପହଣ୍ଡିରେ ଗୋଟିଏ ବିଗ୍ରହକୁ ରତ୍ନବେଦିରେ ପହଞ୍ଚାଇ ଆସିବା ପରେ ଅନ୍ୟ ବିଗ୍ରହକୁ ପହଣ୍ଡି କରାଯାଏ। ଦୀର୍ଘ ସମୟ ସାପେକ୍ଷ ଏହି ପହଣ୍ଡିରେ କାୟମନୋବାକ୍ୟରେ ପ୍ରତ୍ୟେକ ବିଗ୍ରହକୁ ରତ୍ନବେଦିରେ ସ୍ଥିତପ୍ରଜ୍ଞ ଭାବ ଅବସ୍ଥାକୁ ଅଣାଯାଇଥାଏ। ଏହା ଶାସ୍ତ୍ର ଓ ମନୋବିଜ୍ଞାନ ସମ୍ମତ ଅଟେ। ଶୁଭ ଶଙ୍ଖଧ୍ୱନି ଓ କାହାଳି ବାଜିବା ପରେ ପହଣ୍ଡି ବିଜେ ଆରମ୍ଭ ହୋଇଥାଏ। ଦାରୁବିଗ୍ରହଙ୍କ ପହଣ୍ଡି କେଉଁ କ୍ରମରେ ହେବ ତାହା ‘ନୀଳାଦ୍ରିମହୋଦୟ’ ଗ୍ରନ୍ଥରେ ଉଲ୍ଲେଖ ରହିଛି: ସୁଦର୍ଶନଂ ପୁରସ୍କୃତ୍ୟ ବଳଭଦ୍ରଂ ତତଃ ପରମ୍ ସୁଭଦ୍ରାଂ ଚ ତତଃ ନୀତ୍ୱା ଜଗଦୀଶଂ ସୁରେଶ୍ୱରମ୍ ।।
ବୌଦ୍ଧ ସହଜଯାନର ପ୍ରଭାବରେ ସହଜ ସାଧନା କ୍ଷେତ୍ରରେ ଲିଙ୍ଗର ପ୍ରଥମ ଗତି। ଲିଙ୍ଗ ଚାଳନାରେ ବିନ୍ଦୁସ୍ଫୁରଣ ଅବଶ୍ୟମ୍ଭାବୀ। ସ୍ଫୁରିତ ବିନ୍ଦୁ ଶକ୍ତି ସହିତ ସମ୍ମିଶ୍ରିତ ହେଲେ ଜଗତର ସୃଷ୍ଟି ସମ୍ଭବ ହୋଇଥାଏ। ତେଣୁ ଶକ୍ତି ସ୍ୱରୂପିଣୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଲିଙ୍ଗରୂପୀ ସୁଦର୍ଶନଙ୍କୁ ବିଜେ କରାଯାଏ। ସୃଷ୍ଟି ନିମିତ୍ତ ଶକ୍ତି ସ୍ୱରୂପା ସୁଭଦ୍ରାଙ୍କ ସହିତ ସୁଦର୍ଶନ(ବଜ୍ର)ଯୁକ୍ତ ହୁଅନ୍ତି। ରଥ ଯାତ୍ରାରେ ଶ୍ରୀଜଗନ୍ନାଥ ଲକ୍ଷ୍ମୀହୀନ ହେଉଥିବାରୁ ସର୍ବଶକ୍ତିମାନ୍ ସୁଦର୍ଶନ ତାଙ୍କ ଠାରୁ ବିଚ୍ଛିନ୍ନ ହୋଇ ଶକ୍ତି ସ୍ୱରୂପା ସୁଭଦ୍ରାଙ୍କ ରଥରେ ଆସୀନ ହୋଇଥା’ନ୍ତି।
ସୁଦର୍ଶନ ଜଗନ୍ନାଥଙ୍କ କ୍ରିୟା ଶକ୍ତି ତଥା ଲୀଳାର ପ୍ରତୀକ। କୋଟି ସୂର୍ଯ୍ୟର ସମ୍ମିଳିତ ପ୍ରଭା ପରି ମହୋଜ୍ୱଳ, ଜ୍ୟୋତିର୍ମୟ। ସେ ପଥରୁ ଅନ୍ଧକାର ଦୂର କରି ଯାତ୍ରାବିଘ୍ନ ବିନାଶ କରିଥା’ନ୍ତି। ସେ ଅଜ୍ଞାନନାଶକ ଆର୍ତ୍ତିଭଞ୍ଜନ। ସେ କାଳ ଚକ୍ରର ପ୍ରତୀକ। କାଳର ଗତି ଅବାରିତ। କାହାକୁ ଅପେକ୍ଷା କରେ ନାହିଁ। ଗତିର ସଙ୍କେତ ଶ୍ରୀସୁଦର୍ଶନ ଦ୍ରୁତଗାମୀ। ତେଣୁ ଦୁଇଜଣ ଦଇତା ଗଗନୋପମ ଶୂନ୍ୟଲଘୁ ସୁଦର୍ଶନଙ୍କୁ କାନ୍ଧରେ ରଖି ତୀବ୍ର ଗତିରେ ନେଇ ଶକ୍ତିରଥରେ ଆରୂଢ କରିଥା’ନ୍ତି। କାମ୍ପିଲ୍ୟବାସିନୀ ହରିଦ୍ରବର୍ଣ୍ଣା ଜଗଜ୍ଜନନୀ ବସୁନ୍ଧରା ମାତା ସୁଭଦ୍ରା। ନିଜର ଅପରୂପ ଶୋଭା ସମ୍ପଦରେ ଚତୁର୍ଦିଗ ବିମୋହିତ କରି ଚତୁର୍ବର୍ଗ ପ୍ରଦାୟିନୀ ଐଶ୍ୱର୍ଯ୍ୟ ଦାତ୍ରୀ ମହାମାୟା ସୁଭଦ୍ରା ନିଜର ଅପେକ୍ଷିତ ରଥରେ ବିଜେ କରନ୍ତି। ହସ୍ତପଦ ରହିତ ସେ ସର୍ବଦା ଊର୍ଦ୍ଧ୍ୱମୁଖୀ। ସେ କେତେଜଣ ଦୟିତାଙ୍କ କାନ୍ଧରେ ଊର୍ଦ୍ଧ୍ୱମୁଖା ହୋଇ ବିଜେ କରନ୍ତି। ପ୍ରତ୍ୟେକ ଦେବବିଗ୍ରହ ପହଣ୍ଡିରେ ବିଜେ କଲାବେଳେ ପଶୁପାଳକ, ଖଣ୍ଡା ଫାରେକ, ସବାରଖ, ବାଜପେୟୀ, ମୁଦିରଥ, ପଣ୍ଡା, ପ୍ରତିହାରୀ, ସୁଆର, ମେକାପ ଓ ଅନ୍ୟାନ୍ୟ ସେବକଗଣ ଆନୁଷଙ୍ଗିିକ କାର୍ଯ୍ୟରେ ନିମଗ୍ନ ଥିଲେ ହେଁ ଦଇତାମାନେ ପହଣ୍ଡି ବିଜେ କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥା’ନ୍ତି। ସେମାନଙ୍କର ନିମ୍ନତମ ଯୋଗ୍ୟତା ହେଉଛି ବ୍ରତୋପନୟନ। ସେମାନେ ବଡ଼ ନିଷ୍ଠାରେ ରହି ଅସୀମ କଷ୍ଟ ସହନ୍ତି। କିନ୍ତୁ ପ୍ରଭୁଙ୍କର ଶ୍ରୀଅଙ୍ଗ ସ୍ପର୍ଶ କରି ଠେଲାପେଲା ଓ ଛେଚାକଚାରେ ପ୍ରଚୁର ଆତ୍ମତୃପ୍ତି ଲାଭ କରିଥାନ୍ତି।
ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ବିଜେ ଚାତୁରୀ ଅବର୍ଣ୍ଣନୀୟ। ସଂଗ୍ରାମେ ଚପଳ ଶଶାଙ୍କ ଧବଳ କାଦମ୍ବରୀ ଚଞ୍ଚଳ ସେ ଢଳି ଢଳି ଯା’ନ୍ତି। ସେ ତୁରିତେ ଝମକି ଯାଇ ପୁଣି ଝୁଲନ୍ତି। ଦଇତାପତି ତାଙ୍କୁ ଘେରି କିଏ ଚରଣରେ, କିଏ ଶ୍ରୀଭୁଜରେ କିଏ ଆଗରେ ପାଟଡୋର ଧରି ଧୀରେ ଧୀରେ ତାଳଧ୍ୱଜ ରଥରେ ବିଜୟ କରାନ୍ତି। ଲାଗେ, ସତେ କି ଶଙ୍କର କୈଳାସକୁ ବିଜେ କରୁଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେରେ ବୃହଦାକାର ମୂର୍ତ୍ତିର ଓଜନ ପିଠିରେ ବୋହି ଚାଲିଥାନ୍ତି ଦଇତାପତିମାନେ। ଆଗରୁ ଶୁଭୁଥାଏ ‘ସମ୍ଭାଳ ପିଠିଆ, ଚାଲ ପିଠିଆ’। ମହାପ୍ରଭୁଙ୍କ ପିଠି ଦଇତାପତିମାନଙ୍କ ପିଠିରେ ଯୋଡ଼ି ହୋଇ ରହିଥାଏ। ଠାକୁରେ ଝୁଲୁଥାନ୍ତି। କେତେବେଳେ ତଳକୁ ମାଡ଼ି ଯାଉଥିବେ ତ କେତେବେଳେ ଉଠି ଯାଉଥିବେ। ସେ ଯେମିତି ତଳେ ଶୋଇ ନଯିବେ, ମହାପ୍ରଭୁଙ୍କ ପିଠି ଓ ଶ୍ରୀମସ୍ତକ ଯେପରି ତଳେ ନଲାଗିବ ସେଥିପାଇଁ ସେବକମାନେ ପିଠିରେ ଭରା ଦେଇ ଅଟକାଇଥାନ୍ତି। ଦାରୁବ୍ରହ୍ମ ଥରେ ତଳକୁ ଆସିଲେ ସେମାନଙ୍କ ହାଡ଼ଗୋଡ଼ ଭାଙ୍ଗିବା ଭଳି ଲାଗୁଥାଏ। ନାକ ଆଣ୍ଠୁରେ ଲାଗିଯାଏ। ତଥାପି ମହାପ୍ରଭୁ କେବେ ତଳେ ଲାଗି ନାହାଁନ୍ତି କି ସେକମାନଙ୍କର କିଛି କ୍ଷତି ହୋଇ ନାହିଁ। ବରଂ ତାଙ୍କ ପିଠିରେ ପିଠି ଲାଗିବା ଦ୍ୱାରା ସେମାନଙ୍କ ଶରୀରର ସବୁ କଷ୍ଟ ଦୂର ହୋଇଯାଏ ବୋଲି ସେମାନଙ୍କ ମତ। ଦଇତାପତିମାନେ ନାନା ପ୍ରକାର ଅଙ୍ଗଭଙ୍ଗୀ କରି ବିଭିନ୍ନ ସ୍ୱରରେ ଜୟ ଜଗନ୍ନାଥ, ଅଚଳ ମହାମେରୁ, ପତିତପାବନ, ଅରକ୍ଷଣରକ୍ଷଣ ଶରଣବତ୍ସଳ ଦୀନବନ୍ଧୁ ଚକାଡୋଳା, ବଳିୟାରଭୁଜ ଆଦି ଡାକ ଦିଅନ୍ତି। ମହାପ୍ରଭୁଙ୍କ ଗଳଦେଶ, କଟିଦେଶ, ପେଟ ଓ ମସ୍ତକ ଉପରୁ ପାଟ ଦଉଡ଼ିମାନ କଷି ବନ୍ଧାଯାଇଥାଏ। ପାଟ ଦଉଡ଼ିଗୁଡ଼ିକ ବେଣୀ ସଦୃଶ ଲମ୍ବିଯାଇଥାଏ। କବିଙ୍କ ବର୍ଣ୍ଣନା ଅତି ମଞ୍ଜୁଳ:
ଶ୍ରୀଅଙ୍ଗରେ ପାଟରସି ବାନ୍ଧିଛନ୍ତି କଷି କଷି
ବଶ୍ୱାବସୁ ଅବତଂଶୀ ଦଇତାପତି
ଆସୁଛନ୍ତି ବସି ବସି ଧରାତଳ ଧସି ଧସି
ଭାବଭକ୍ତି କଷି କଷି ଜଗତପତି ।।
ପହଣ୍ଡି ବିଜେର କୋଳାହଳ ଓ ବିବିଧ ବାଦ୍ୟନାଦର ମାଦକତାରେ ଭକ୍ତବୃନ୍ଦ ଝୁମି ଯାଆନ୍ତି। ଛାମୁଁ ଖୁଣ୍ଟିଆଙ୍କ ‘ମଣିମା ମହାବାହୁ ହେ! ବିଜେ କରିବା ହେଉ’ ଆତ୍ମୀୟତା ଭରା ଭକ୍ତିପୂର୍ଣ୍ଣ ସ୍ୱାଗତ ଜଗନ୍ନାଥପ୍ରେମୀଙ୍କ ହୃଦୟରେ ଏକ ଭାବତରଙ୍ଗ ଖେଳାଇଦିଏ। ଘଣ୍ଟ, ଘଣ୍ଟା, ମର୍ଦ୍ଦଳ, ପଖଉଜ, କାହାଳୀ, ଦୋସରି, ଶିଙ୍ଗା, ବେଣୁ, ଢୋଲ, ଟମକ, ଖୋଳ, କରତାଳ, ଭେରୀ, ତୁରୀ, ଝଂଜାଳ, କଂସାଳ, ଝାଞ୍ଜ, ଗିନି ପ୍ରଭୃତି ଦେବବାଦ୍ୟର ତାଳେ ତାଳେ ଅପୂର୍ବ ଢଙ୍ଗରେ ସତେ ଯେମିତି ପାଗଳା ହାତୀ ଝୁଲିଝଲି ହଲିହଲି ଗମନ କରୁଛି: ଆସୁଥିବେ ପ୍ରଭୁ ରଙ୍ଗ କରି ଢାଳି ଚାହାଁଣି। ବାଜୁଥିବ ବେଣୁ ବୀଣା ତାଳି ତାଳ ଖଞ୍ଜଣି।।
ଦର୍ଶକମାନଙ୍କର ହର୍ଷୋଚ୍ଛ୍ୱାସ ଭରା ହରିବୋଲ ହୁଳହୁଳି ମଙ୍ଗଳଧ୍ୱନି ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ। ସଂଗୀତଜ୍ଞମାନଙ୍କର ଭାବମୟ ଗୀତ ଓ ଗୋଟିପୁଅମାନଙ୍କର ଛନ୍ଦୋମୟ ନୃତ୍ୟରେ ସଂପୂର୍ଣ୍ଣ ପହଣ୍ଡି ଅଞ୍ଚଳଟି ସଂଗୀତର ମଧୁର ମୂର୍ଚ୍ଛନାରେ ଶିହରିତ ହୋଇ ଉଠେ। ଭକ୍ତମାନେ ଦେବଦୁର୍ଳ୍ଲଭ ଏହି ବିରଳ ଦୃଶ୍ୟ ଦେଖି ବେପଥୁ ରୋମାଞ୍ଚ ଆଦି ଅଷ୍ଟ ସାତ୍ତ୍ୱିକ ଭାବରେ ବିହ୍ୱଳିତ ହୋଇ ପଡ଼ନ୍ତି। ପହଣ୍ଡିରତ ଶ୍ରୀଜଗନ୍ନାଥଙ୍କର ଗଳାରେ ଲମ୍ବି ଯାଇଥିବା ହାର, କଟିରେ ବନ୍ଧାଯାଇଥିବା କିଙ୍କିଣୀ, ପାଦରେ ଛନ୍ଦାଯାଇ ଥିବା ନୂପୁର ଆଦି ଅଳଙ୍କାର ଜନିତ ରୁଣଝୁଣ ଶବ୍ଦ ଓ ମୃଦଙ୍ଗ, ତୁରୀଭେରୀ ଓ ଶଙ୍ଖଧ୍ୱନିର ତାଳେ ତାଳେ ପ୍ରଭୁ ପାଟ ମୁଚୁଳା ଉପରକୁ ଡେଇଁ ଡେଇଁ ପହଣ୍ଡି କରିବାର ଦୃଶ୍ୟବର୍ଣ୍ଣନା ଅତ୍ୟନ୍ତ ମନୋହରୀ। ପ୍ରଭୁଙ୍କ କଟିର ତଳ ଭାଗରେ ଖୁବ୍ ମୋଟା ପିତଳ ଥାଳି ବନ୍ଧା ଯାଇଥାଏ। ତା’ଦ୍ୱାରା ଅଚଳ ମହାମେରୁଙ୍କୁ ଏକ ସ୍ଥାନରୁ ଅନ୍ୟସ୍ଥାନକୁ ଘୁଞ୍ଚାଇବା ସହଜ ହୋଇଥାଏ। ଖଟଣି ସେବକମାନେ ପଥ ପରିଷ୍କାର ପୂର୍ବକ ପାହାଡ଼ା ତୂଳି ପକାଉଥାନ୍ତି। ଶ୍ରୀଜୀଉଙ୍କୁ ପାଟ ଦଉଡ଼ିରେ ହଲେଇ ଝୁଲେଇ ହଠାତ୍ ଗୋଟିଏ ପାଟ ମୁଚୁଳି ଉପରୁ ପରବର୍ତ୍ତୀ ପାଟ ମୁଚୁଳି ଉପରକୁ ଭିଡ଼ି ନିଆଯାଏ। ଗୋବିନ୍ଦ ଧୀରେ ଧୀରେ ଢଳି ଢଳି ହଠାତ୍ ସେହି ପାଟମୁଚୁଳି ଉପରକୁ ଦୁଲୁକି ପଡ଼ନ୍ତି।
ରାଜକୀୟ ଠାଣିରେ ପହଣ୍ଡି ବିଜେ ଜଗନ୍ନାଥଙ୍କର ଏକ ଐଶ୍ୱର୍ଯ୍ୟଲୀଳା। ଆଲଟ ଚାମର ବ୍ୟଜନ ସେବାରେ ମହାପ୍ରଭୁଙ୍କ ଗ୍ରୀଷ୍ମତାପ ଦଗ୍ଧ ଶରୀର ଶୀତଳ ହେଉଥାଏ। ଆଉ କେହି ଛତି, ତରାସ, ଚାନ୍ଦୁଆ ଦ୍ୱାରା ପ୍ରଭୁଙ୍କୁ ପ୍ରଚଣ୍ଡ ସୂର୍ଯ୍ୟ କିରରଣରୁ ରକ୍ଷା କରି କ୍ଳାନ୍ତି ଦୂର କରୁଥାନ୍ତି। ଅଗୁରୁ-ଚନ୍ଦନ-କର୍ପୂର ସୁବାସିତ ଜଳ ସିଞ୍ଚନ କରିବା ଦ୍ୱାରା ସଂପୂର୍ଣ୍ଣ ପରିବେଶ ଅପୂର୍ବ ମହକରେ ଫାଟି ପଡୁଥାଏ। ଜଗା ବଳିଆ ପହଣ୍ଡିରେ ଆସି ସାତ ପାହାଚରେ ପହଞ୍ଚିଲା ବେଳେ ତାଙ୍କ ଠାରେ ଆକଷର୍ଣୀୟ ଟାହିଆ ରୁନ୍ଧା ହୋଇଥାଏ। ଏହା ସୋଲ ଓ ଫୁଲର କାରୁକାର୍ଯ୍ୟ ଖଚିତ ରୋମାଞ୍ଚକର ଶାବରୀୟ ମୁକୁଟ। ଏଥିରେ ବିଶୋଭିତ ହେଉଥାଏ ତୁଳସୀ ଓ ଦୟଣାର ସବୁଜ ପତ୍ର। ଦିଅଁମାନେ ପହଣ୍ଡିରେ ହଲୁଥିବା ବେଳେ ଦୋଳାୟମାନ ଅପରୂପ ମନୋହର ଟାହିଆ ଶତ ରୋମାଞ୍ଚ ସୃଷ୍ଟି କରେ। ଆଗକୁ ଦୋହଲି ବ୍ରହ୍ମ ସତ୍ୟ ଓ ପଛକୁ ଝୁଙ୍କି ଜଗତ ମିଥ୍ୟା ବୋଲି ସୂଚନା ଦିଏ:
ଝୁଲି ଝୁଲି ଆସ ହେ ଭକତି ରଙ୍କା ଭକତ ମେଳେ
ଟାହିଆ ହଲେଇ ମନକୁ ଭୁଲେଇ ଆସ ହେ ମର୍ଦ୍ଦଳ ତାଳେ।
ପହଣ୍ଡି ବିଜେରେ ନବଧା ଭକ୍ତିର ପ୍ଲାବନ ଘଟେ। ପ୍ରୀତିଝୁଲି ଧରି ସତେ ଯେପରି ପ୍ରୀତି ପରଷୁଛନ୍ତି ଆନନ୍ଦକନ୍ଦ। ସତେ ଅବା ମତ୍ତ ହାତୀଟି ଫିଟି ଆସି ଚାରି ଦଉଡ଼ି କାଟି ବୁଲୁଛି। ପାପ ସାଗରକୁ ମନ୍ଥି ଭକ୍ତମାନଙ୍କୁ ଛାତିରେ ଭିଡ଼ି ଧରୁଛି। ଯିଏ ଭକ୍ତ ସେ ହାତୀକୁ ସହଜରେ ବାନ୍ଧି ଦେବଗତି ପାଇପାରିବ। ମହାମେରୁ ଶ୍ରୀଜିଉଙ୍କ ମୂର୍ତ୍ତିର ଭାରାରେ ଧରଣୀକୁ କଷ୍ଟ ହେବ ବୋଲି ପହଣ୍ଡି ଧୀରେ ଧୀରେ କରାଯିବାର ବିଧି ରହିଛି। ସର୍ବୋପରି ସେ ଇଚ୍ଛାବିହାରୀ। ମନ ଇଚ୍ଛା ଏପଟ ସେପଟ ଢଳି, ଆକାଶକୁ ଅନାଇ, ସେବାୟତମାନଙ୍କୁ ଭୀଷଣ ଦହଗଞ୍ଜ ଦେଇ ବିହାର କରିଥା’ନ୍ତି। ରଥ ଉପରକୁ ଆରୋହଣ କରିବା ବିଳମ୍ବ ଦେଖିଲେ କବି ଗୌରଚରଣ ଅଧିକାରୀ ଆଉ ସମ୍ଭାଳି ରହି ପାରନ୍ତି ନାହିଁ:
କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି
ବରଷକେ ଥରେ ବିଜୟ ରଥରେ ପତିତ ତାରିବା ପାଇଁକି।।
ପହଣ୍ଡି ବିଜେ ଶ୍ରୀକୃଷ୍ଣଙ୍କ ଏକ ରାସଲୀଳା। ଶ୍ରୀଗୁଣ୍ଡିଚାମନ୍ଦିର ରାହାସବେଦି ସେବକମାନେ ରାସସଙ୍ଗୀ ଅଟନ୍ତି। କବି ଗୌରଚରଣ ଅଧିକାରୀ ଜଗତର ଭକ୍ତମାନଙ୍କୁ ଗୋକୁଳର ଧେନୁ ସହିତ ତୁଳନା କରି ସେ ଜଗନ୍ନାଥଙ୍କୁ ବଂଶୀଧରା ଗୋପାଳ ସହିତ ତୁଳନା କରିଛନ୍ତି। ଏଥିରେ ଐଶ୍ୱର୍ଯ୍ୟ, ଔଦାର୍ଯ୍ୟ ତଥା ମାଧୁର୍ଯ୍ୟ- ଏହି ଲୀଳାତ୍ରୟ ପ୍ରକାଶିତ ହେବା ସହିତ ନବଧା ଭକ୍ତିର ସମସ୍ତ ଚରଣ ସନ୍ନିହିତ। ପହଣ୍ଡି ବିଜେର ତ୍ରିବିଧ ଲୀଳାରେ ପାପ ଦୂରେଇ ଯାଏ।
ପହଣ୍ଡି ଛଳରେ ନିଜେ କ୍ଳେଶ ସହି ଜଗା ଦିଏ ଉପଦେଶ,
ଜନହିତ ଲାଗି ଯାତନା ବରଣ ଅଟେ ନର ପଉରୁଷ।
ତେଣୁ ଭକ୍ତ ମନଲୋଭା ଅପୂର୍ବ ସୁନ୍ଦର ବେଶରେ ସୁସଜ୍ଜିତ ଦୁର୍ଲ୍ଲଭ ବିରଳ ଠାଣିରେ ପହଣ୍ଡି ବିଜୟର ଦୃଶ୍ୟକୁ ଅପଲକ ନେତ୍ରରେ ଚାହିଁବାର ସୁଯୋଗକୁ ହାତ ଛଡ଼ା କରିବା ନାହିଁ।
ମୋ: ୭୦୦୮୪୭୫୪୪୨