ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକର ଦ୍ବିତୀୟ ବର୍ଷର ଛାତ୍ର। ହଠାତ୍ ଯେତେବେଳେ ନିର୍ଦ୍ଦେଶନା କଥା ଚିନ୍ତାକଲି ମୋତେ ବିଶ୍ବଜିତ ଦାସଙ୍କ ନାଟକ ‘ସୋ’ ପାଇଁ ଅଫର୍ ଆସିଲା। ଏହାର ଅର୍ଥ ଥିଲା ଝିଅମାନେ ନିଜକୁ କେମିତି ଦେଖେଇ ହୁଅନ୍ତି। ନାଟକରେ ଏହା ପ୍ରତିଫଳିତ ହେଇଥିଲା। ଏଥିରେ କେବଳ ନାରୀ ଚରିତ୍ରମାନେ ଥିଲେ। ସେତେବେଳେ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗରେ ଜଣେ ମାତ୍ର ଛାତ୍ରୀ ଥିେଲ, ସେ କିନ୍ତୁ କ୍ଲାସ୍ କରିବାକୁ ଆସୁ ନ ଥିଲେ। ତେଣୁ ଓଡ଼ିଶୀ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତରେ ପାଠ ପଢୁଥିବା ବିଦୁ, ଅଞ୍ଜନା, କାଞ୍ଚନ ପ୍ରଭୃତି ସାତ ଜଣ ଝିଅଙ୍କୁ ନେଇ ମୁଁ ନାଟକ ପ୍ରସ୍ତୁତି ଆରମ୍ଭ କଲି। ଏହା ମୋ ପାଇଁ ଏକ ଅଜବ ଆହ୍ବାନ ଥିଲା, କାହା ପରେ କିଏ ମଞ୍ଚକୁ ଆସିବେ, କେମିତି ସଂଳାପ କହିବେ, ମୁଁ ଭାରି ବିଚଳିତ ଥିଲି। ରିହର୍ସାଲ ଚାଲିଲା, ଛାତି ଧଡ଼ପଡ଼ ହେଉଥାଏ। ଶିକ୍ଷକ, ଅଧ୍ୟାପକ ଓ ବହୁ ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ବଙ୍କ ସାମ୍ନାରେ ମୁଁ ମାତ୍ର ଛାତ୍ରଟିଏ। କ’ଣ ହେବ ମୋ ନାଟକର ରୂପରେଖ? ଏମିତି ଅନେକ ଦ୍ବନ୍ଦ୍ବ ଓ ଆନନ୍ଦକୁ ନେଇ ମୁଁ ଆଗକୁ ଆଗକୁ ପାଦ ବଢ଼ାଉଥାଏ। ମହାବିଦ୍ୟାଳୟ ମିନି ଅଡିଟୋରିୟମ୍ରେ ନାଟକଟି ମଞ୍ଚସ୍ଥ ହେଲା। ଉତ୍ସାହ ଆନନ୍ଦରେ ଦର୍ଶକ ଏତେ ଅଧୀର ହେଲେ ଯେ ସେମାନଙ୍କ କରତାଳିରେ ମଞ୍ଚ ସାମ୍ନା ଫାଟିପଡ଼ିଲା। ମୁଁ ମଧ୍ୟ ଆତ୍ମବିଭୋର ହେଇଗଲି, ଆତ୍ମସନ୍ତୋଷରେ ମୋ ଆଖିରୁ ଆନନ୍ଦାଶ୍ରୁ ଝରିପଡ଼ିଲା। ସେଦିନ ମୋତେ ଅନୁଭବ ହେଲା ଯେ ହଁ ମୁଁ ଜଣେ ନିର୍ଦ୍ଦେଶକ ହେଇଗଲି।
ମୁଁ ଖୋର୍ଦ୍ଧା ମହାବିଦ୍ୟାଳୟରେ ପାଠ ପଢୁଥିଲି। ସ୍ନାତକର ଛାତ୍ର ଥିବାବେଳେ ମୋତେ ସରକାରୀ ଚାକିରି ମିଳିଲା। ଏହା କିନ୍ତୁ ଇଣ୍ଟର୍ମିଡିଏଟ୍ ଯୋଗ୍ୟତାକୁ ନେଇ ମିଳିଥିଲା। କୃଷି ବିଭାଗରେ ପ୍ରାଇମେରି ଇନ୍ଭେଷ୍ଟିଗେଟର୍ ଭାବେ ନିଯୁକ୍ତି ମିଳିଲା। ମୋର ପୋଷ୍ଟିଙ୍ଗ୍ ହେଲା ସୁନ୍ଦରଗଡ଼ରେ। ଚାକିରିରେ ଯୋଗ ଦେବାପରେ ମୋ ନାଟକ ଜୀବନରେ ଡୋରି ବନ୍ଧାହେଲା। ସେଠାରେ ଥାଇ ମୁଁ ଶୁଣୁଥାଏ ହର ପଟ୍ଟନାୟକ ନାଟକ କରୁଛନ୍ତି। ମୁଁ ଭାରି ଉଦ୍ବେଳିତ ହେଉଥାଏ। ଏକଦା ଭୁବନେଶ୍ବର ଆସି କୃଷ୍ଣ ସିଂହଙ୍କୁ ସାଥିରେ ସୁନ୍ଦରଗଡ଼ ନେଇଗଲି। ସେଠାରେ ତାଙ୍କ ନିର୍ଦ୍ଦେଶନାରେ ନାଟକ ‘ସମାଧି’ ମଞ୍ଚସ୍ଥ ହେଲା। ଏଥିରେ ମୁଁ ଜଣେ ପାଗଳ ଭୂମିକାରେ ଅଭିନୟ କଲି। ମୋ ଅଭିନୟ ଦେଖି ଦର୍ଶକ କହିଲେ- ଏଇଟା ସତରେ ପାଗଳଟାଏ। ସେଥିରେ ମୁଁ ବେଶ୍ ଅନୁପ୍ରାଣୀତ ହେଲି। ଜଣେ ନାଟ୍ୟକାରଙ୍କୁ ଧରି ଗୋଟେ ସୁନ୍ଦରଗଡ଼ୀ ଭାଷାର ନାଟକ ରଚନା କରେଇଲି। ଏହାର ଶୀର୍ଷକ ଥିଲା ‘ପାର୍ଲି’। ‘ପାର୍ଲି’ର ଅର୍ଥ ମୁଁ ପାରିଲି (I could)। ଏହି ନାଟକଟି ଦେଶର ବିଭିନ୍ନ ନାଟ୍ୟଉତ୍ସବରେ ମଞ୍ଚସ୍ଥ ହେଇ ପ୍ରଶଂସିତ ହେଲା। ସୁନ୍ଦରଗଡ଼ରୁ ବେଲପାହାଡ଼ ଲଖନପୁରକୁ ମୋର ବଦଳି ହେଇଥାଏ। ସେତେବେଳକୁ ମୁଁ ନାଟକ ରିହର୍ସାଲରେ ବ୍ୟସ୍ତ ରହି ଆଠଦିନ କାଳ ଅଫିସ୍କୁ ଯାଇ ନ ଥାଏ। ଉଚ୍ଚ ପଦାଧିକାରୀମାନେ ଆସି ମୋ ପାଇଁ ଲେଖିଦେଇଗଲେ ‘ଇଓର ଜବ୍ ଇଜ୍ ନୋ ମୋର୍।’ ବାପା କହିଲେ ଆରେ ତୋର ସିପିଏଫ୍ ଡ୍ର ହେଲାଣି, ତୋ ଚାକିରି ଅଛି ନା ନାହିଁ। ମୁଁ ନିରବ ରହିଲି। ଏପରିକି ନାଟକରୁ କିଛି ପଇସା ରୋଜଗାର କରି ଘରେ ନେଇ ଦେଉଥିଲି। ସେମାନେ ଜାଣୁଥିଲେ ମୋ ଚାକିରି ଅଛି, ହେଲେ ମୋର ଚାକିରି ନ ଥିଲା। ଆଠ ବର୍ଷ ପରେ ପୁଣି େଫରିଆସିଲି ସଙ୍ଗୀତ ମହାବିଦ୍ୟାଳୟ ଏବଂ ନାଟକରେ ଡିଗ୍ରୀ କୋର୍ସ କଲି। ପଢ଼ା ସରିବା ପରେ ଆମେ କେତେଜଣ (ଅଶ୍ରୁମୋଚନ, ରାଇମୋହନ, ଅନ୍ତର୍ଯ୍ୟାମୀ, ଚୌଧୁରୀ ବିକାଶ, କିଶୋର ଖଣ୍ଡୁଆଳ ପ୍ରମୁଖ) ଚିନ୍ତା କଲୁ। ଶେଷରେ ଗୋଟିଏ ନାଟ୍ୟ ଅନୁଷ୍ଠାନ ତିଆରି କଲୁ, ତାର ନାଁ ରଖିଲୁ ‘ଆମେ ସୃଷ୍ଟି’। ରାଉରକେଲା ଲୋକ ମହୋତ୍ସବ ପାଇଁ ଗୋଟେ ନାଟକ ମଧ୍ୟ ପ୍ରସ୍ତୁତ ହେଇଥିଲା, ଯାହାର ଶୀର୍ଷକ ଥିଲା ‘ନାଟୁଆ’। ଏଥିରେ ଆମ ନାଟକ ଶ୍ରେଷ୍ଠ ବିେବଚିତ ହେବା ସହିତ ପ୍ରାୟ ଆଠଟି ପୁରସ୍କାର ପାଇଥିଲା। ଏହା ବ୍ୟତୀତ ‘ରକ୍ଷକ ହେଲେ ଭକ୍ଷକ’ ନାଟକଟି ମଧ୍ୟ ବେଶ୍ ଚର୍ଚ୍ଚିତ ହେଇଥିଲା।
ମଞ୍ଚନାଟକରୁ ମୁଁ ଅପେରା ନାଟକକୁ ଗଲି। ହରଣ ଗୁଣନ ମିଶାଣ ଫେଡ଼ାଣ, ପାକିସ୍ତାନ ଝିଅ ଭାରତ ବୋହୂ, ବଣ ମଣିଷ, ଦିଅଁ ପୂଜିବାକୁ ଦେଉଳ ମନା, ଅର୍ଡର ଦେଇଛି ମର୍ଡର ପାଇଁ ଆଦି ଅନେକ ନାଟକ ଦର୍ଶକାଦୃତ ହେଇଛି। ମହାମାରୀ କରୋନାର ମୁଁ ମଧ୍ୟ ଶିକାର ହେଲି। ପ୍ରାୟ ଦଶଦିନ କାଳ ହସ୍ପିଟାଲ୍ରେ ରହି ଚିକିତ୍ସିତ ହେଲି। ହସ୍ପିଟାଲ୍ରେ ଏକା ଥିବାବେଳେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁମରଣା କରୁଥିଲି। ପ୍ରଭୁ ଯଦି ବଞ୍ଚେଇଦବ ତେବେ ତୁମରି ସେବାରେ ଲାଗିବି। ସତକୁ ସତ ମୁଁ ନବଜୀବନ ନେଇ ଫେରିବା ପରେ ସମ୍ବାଦ ପରିବାର ମୋତେ ‘ଆହେ ନୀଳଶଇଳ’ ନାଟକରେ ନିର୍ଦ୍ଦେଶନା ଦେବାପାଇଁ ସୁଯୋଗ ଦେଲେ। ରବୀନ୍ଦ୍ର ମଣ୍ଡପରେ ଚାରିଦିନ କାଳ ଏଇ ନାଟକ ମଞ୍ଚସ୍ଥ ହେଲା। ଦର୍ଶକଙ୍କ ଭାବପ୍ରବଣ ଗ୍ରହଣୀୟତା ମୋତେ କୃତାର୍ଥ କରିଦେଲା। ନାଟୁଆର ସିନା ଚାକିରି ଚାଲିଗଲା, ହେଲେ ଜଗନ୍ନାଥ ମୋତେ ନବଜୀବନ ଦେଲେ।