ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ଭାଗ ନେଇ ବିଜୟୀ ହୋଇଥିବା କେତେଜଣ ରାଜନେତ୍ରୀଙ୍କ ଅନୁଭବକୁ ନେଇ ଏଥରର ପହିଲି ପୁଲକ...
ମା’ ବହୁତ ଖୁସି; ଦିନେ ସେ ଯେଉଁଠାରୁ ସାଂସଦ ଥିଲା ଆଜି ତା’ ଝିଅ ସେଠାରୁ ସାଂସଦ: ଅନିତା ଶୁଭଦର୍ଶିନୀ
ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକ ଓ ମା’ କୁମୁଦିନୀ ପଟ୍ଟନାୟକଙ୍କ କନ୍ୟା ଅନିତା ଶୁଭଦର୍ଶିନୀ ଆସ୍କା ସଂସଦୀୟ ନିର୍ବାଚନମଣ୍ଡଳୀର ଏଥର ସାଂସଦ ଭାବେ ବିଜୟୀ ହୋଇଛନ୍ତି। ଏହା ତାଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ଏଇଥିପାଇଁ ଯେ, ତାଙ୍କ ପିତାମାତାଙ୍କୁ ଏକ ପ୍ରତିହିଂସାପରାୟଣ ରାଜନୀତିରେ ବଳି ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଯେଉଁ ନେତାମାନେ ଏକଦା ବିଜେଡି ଦଳ ଗଠନ କରି ଏହାକୁ ଶକ୍ତିଶାଳୀ କରିଥିଲେ ସେମାନଙ୍କୁ ଯେଭଳି ଭାବରେ ଅପମାନିତ କରି ବହିଷ୍କାର କରାଯାଇଥିଲା ଏବଂ ବରିଷ୍ଠ ନେତାମାନଙ୍କୁ ବଳପୂର୍ବକ ଭାବେ ଦଳରେ କୋଣଠେସା କରାଯାଇଥିଲା ସେଇ ମାନସିକ ବେଦନାକୁ ମନେ ପକାଇ ଅନିତା କହନ୍ତି ଯେ, ଗୋଟିଏ ସୁସ୍ଥ ଗଣତନ୍ତ୍ରରେ ସମାଲୋଚନା ନିଶ୍ଚିତ ଆବଶ୍ୟକ। ସମାଲୋଚନା ନଥିଲେ ଗଣତନ୍ତ୍ର ଏକଛାତ୍ରବାଦ ହୋଇଯିବ। ମୁଁ ଭାବୁଛି ନବୀନ ପଟ୍ଟନାୟକ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି ନାହିଁ। ଏଥିପାଇଁ ଦ୍ବିତୀୟ କ୍ଷମତାକେନ୍ଦ୍ର କରିଦେଇ ନିଜ ଦୋଷ ସେ ଅନ୍ୟ ଉପରେ ଲଦି ଦେଇପାରିବେ ନାହିଁ। ପରୀ, କୁନ୍ଦୁଲି ଓ ମମିତା ମେହେର ଭଳି ଆମାନୁଷିକ ନାରୀ ଅପରାଧ ପ୍ରସଙ୍ଗରେ ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର କିଏ ଦେବ?
କାଶୀପୁର ମାଈମାଞ୍ଚରୁ ନେଇ କଳିଙ୍ଗନଗର ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ସରଳ ଆଦିବାସୀଙ୍କ ବିଧବା ମା’ ଓ ସେମାନଙ୍କ ଝିଅ ତଥା ଭଉଣୀମାନେ କିଛି ଭୁଲି ନାହାନ୍ତି। ନଗଡ଼ା ଅପପୃଷ୍ଟି ଓ ଦାରିଙ୍ଗବାଡ଼ି ଭୁତେଡ଼ି ଅନାହାର କିମ୍ବା କାଶୀପୁର ଆମ୍ବ ଟାକୁଆ ଅଖାଦ୍ୟଜନିତ ମୃତ୍ୟୁ ଓ ହଇଜାର ତାଣ୍ଡବ ପ୍ରସଙ୍ଗକୁ ସବୁବେଳେ ଲୋକମାନେ ରଖିଥିଲେ ଓ ରଖିଛନ୍ତି। ହୁଏତ ଏହାକୁ ଅଭିଯୋଗ ବୋଲି କୁହାଯାଇପାରେ ମାତ୍ର ଲୋକମାନେ ଏହାକୁ ଅଭିଯୋଗ ଭାବେ ଗ୍ରହଣ କରିନଥିଲେ। ଏସବୁ ସତ୍ତ୍ବେ ଲୋକମାନେ ନବୀନଙ୍କୁ ବିଶ୍ୱାସ କରୁଥିଲେ ଏବଂ ତାଙ୍କ ପ୍ରତି ଅତୁଟ ସ୍ନେହ ଶ୍ରଦ୍ଧା ଭରି ଦେଇଥିଲେ। କିନ୍ତୁ ଲୋକମାନଙ୍କର ବିଶ୍ୱାସ ସେ ଭାଙ୍ଗି ଦେଇଛନ୍ତି। ତେଣୁ ଗୋଟିଏ ନିର୍ଦିଷ୍ଟ ସମୟ ପରେ ସେ ଜନସାଧାରଣଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିଲେ ନାହିଁ। ମୋ ମା’ ବିଜୟର ଖବର ଯେତେବେଳେ ପ୍ରଥମେ ଶୁଣିଲା ସେ ବହୁତ ଖୁସି ହୋଇଗଲା। ମା’ ହିସାବରେ ସେ ଆଜି ବହୁତ ଖୁସି, କାରଣ ଯେଉଁ ନିର୍ବାଚନମଣ୍ଡଳୀରୁ ସେ ନିର୍ବାଚିତ ହୋଇଥିଲା ଆଜି ସେଠାରୁ ତା’ର ଝିଅ ନିର୍ବାଚିତ ହୋଇଛି। ମୋ ବାପା ସ୍ବର୍ଗରେ ଥାଇ ମଧ୍ୟ ମୋତେ ଆଶୀର୍ବାଦ ପ୍ରଦାନ କରୁଥିବେ। ମୁଁ ଯେତେବେଳେ ପ୍ରଥମେ ମୋ ମା’କୁ ଭେଟିଲି ମୋ ପାଇଁ ତା’ର ପ୍ରଥମ ବାକ୍ୟ ଥିଲା, “ଲୋକଙ୍କ ପାଇଁ ସବୁବେଳେ କାମ କରିବୁ ଏବଂ ନାରୀଜାତିର ସମ୍ମାନ ଆଗକୁ ନେବୁ”। ସଂସଦରେ ସର୍ବପ୍ରଥମେ ମୋ ମାଆ ବାପାଙ୍କର ଦୀର୍ଘ ବର୍ଷର ସ୍ବପ୍ନ ଏବଂ ଜନସାଧାରଣଙ୍କ ଆଶାକୁ ପୂରଣ କରିବାର ଆଶୀର୍ବାଦ ଭଗବାନଙ୍କ ନିକଟରେ କାମନା କରିବି।
ନାରୀ ସଶକ୍ତୀକରଣ ଓ ସୁରକ୍ଷା ହେଉଛି ମୋର ପ୍ରାଥମିକତା: ସୁବାସିନୀ ଜେନା
ଚଳିତ ନିର୍ବାଚନରେ ବାଲେଶ୍ୱର ସଂସଦୀୟ ନିର୍ବାଚନମଣ୍ଡଳୀର ବସ୍ତା ବିଧାନସଭା ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥୀ ସୁବାସିନୀ ଜେନା। ସାହିତ୍ୟରେ ରୁଚି ରଖିଥିବା ସୁବାସିନୀ ସମ୍ପାଦନା କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିବା ପରେ ରାଜନୀତିରେ ପାଦ ରଖିଥିଲେ। ତାଙ୍କର ବାପା ଶ୍ୟାମସୁନ୍ଦର ପରିଡ଼ା ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ଆଗଧାଡ଼ିର ସମାଜସେବୀ ରୂପେ ପରିଚିତ। ପିଲାଟିଦିନରୁ ସୁବାସିନୀ ଜେନା ସମାଜସେବାରେ ଆଗ୍ରହୀ ଏବଂ ଏ ଦିଗରେ ସେ ସବୁବେଳେ ଆଗଭର ହୋଇ ନିଜ ବାପାଙ୍କ ସହିତ ଆଗକୁ ବାହାରି ପଡ଼ନ୍ତି।
‘ସମାଜସେବାରୁ ସାହିତ୍ୟ ଏବଂ ପୁଣି ରାଜନୀତିରେ ପାଦ ରଖିବାର ଅନୁଭୂତିକୁ ନେଇ କ’ଣ କହିବେ’ ପ୍ରଶ୍ନର ଉତ୍ତରରେ ସେ କହନ୍ତି, ମୋ ଜୀବନରେ ଅତି ପିଲାଦିନରୁ ମୋ ବାପାଙ୍କ ସମାଜସେବା ମୋ ମନକୁ ଛୁଇଁଥିଲା ଏବଂ ଏହାର ପ୍ରଭାବ ମୋ ଉପରେ ପଡ଼ିଥିଲା। ଠିକ୍ ସେହିପରି ରାଜନୀତି ସମାଜସେବା ସହିତ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ମୋ ମତରେ ସମାଜସେବା ହିଁ ରାଜନୀତିର ମନ୍ତ୍ର ଅଟେ। ମୋର ବିବାହ ପରେ ଯେତେବେଳେ ମୁଁ ମୋ ଶାଶୁ ଘରକୁ ଆସିଲି ସେତେବେଳେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହେବାକୁ ସୁଯୋଗ ମିଳିଲା। ଆମ ବଡ଼ବାପା ଚିନ୍ତାମଣି ଜେନା ଦୁଇଥର ସାଂସଦ ଓ ତିନିଥର ବିଧାୟକ ହୋଇଛନ୍ତି। ମୋର ସ୍ୱାମୀ ରବୀନ୍ଦ୍ର କୁମାର ଜେନା ମଧ୍ୟ ସାଂସଦ ଥିଲେ। ୨୦୦୮-୦୯ର ପ୍ରଳୟଙ୍କାରୀ ବନ୍ୟା ଏବଂ ୨୦୧୯ର ଫନି ବାତ୍ୟା ବେଳେ ମୁଁ ସିଧାସଳଖ ଲୋକଙ୍କ ସେବାରେ ରହିଥିଲି। ଏହା ମୋତେ ସମାଜର ତୃଣମୂଳସ୍ତରର ବାସ୍ତବ ସମସ୍ୟାକୁ ଜାଣିବାରେ ସାହାଯ୍ୟ କଲା। ମୁଁ ଅନୁଭବ କଲି ରାଜନୀତିରେ ଯୋଗଦେଲେ ଏସବୁ ସମସ୍ୟାର ସମାଧାନ କରିବା ସହଜ ହେବ। ବିଶେଷତଃ ରାଜ୍ୟ ରାଜନୀତିରେ ରହିଲେ ସମାଜସେବା ଅଧିକ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିହେବ। ରବୀନ୍ଦ୍ର ଜେନା ସାଂସଦ ଥିବା ସମୟରେ ମୁଁ ଦେଖିଛି ସଂସଦୀୟ ନିର୍ବାଚନମଣ୍ଡଳୀ ଏକ ବୃହତ୍ ସ୍ଥାନ। ଏତେବଡ଼ ଅଞ୍ଚଳରେ ପ୍ରଥମରୁ ମୋର କାର୍ଯ୍ୟକ୍ରମ ଆରମ୍ଭ କରିବା ଅପେକ୍ଷା ବିଧାନସଭା ଅଞ୍ଚଳରେ ପ୍ରଥମେ କାର୍ଯ୍ୟ ଜାରି ରଖି ଲୋକମାନଙ୍କର ସେବା କରି ସେମାନଙ୍କୁ ପ୍ରକୃତ ବିକାଶର ମାର୍ଗରେ ଛିଡ଼ା କରିବି। ତେଣୁ ସାଂସଦ ଭାବେ ମୁଁ ନିର୍ବାଚନରେ ଅଂଶଗ୍ରହଣ ନକରି ବିଧାୟିକା ଭାବେ ନିର୍ବାଚନ ଲଢ଼ିବାକୁ ମନସ୍ଥିରେ କଲି। ଯେହେତୁ ଆମ ବଡ଼ବାପା ବସ୍ତା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇଛନ୍ତି ତେଣୁ ମୁଁ ଏହାକୁ ବାଛିଲି। ‘ବିଧାୟିକା ହେବା ପରେ ନବୀନ ପଟ୍ଟନାୟକଙ୍କ ସହିତ ଆପଣଙ୍କ ପ୍ରଥମ ସାକ୍ଷାତକୁ ନେଇ କ’ଣ କହିବେ’ ପ୍ରଶ୍ନର ଉତ୍ତରରେ ସେ କହନ୍ତି, ‘ତାଙ୍କୁ ଭେଟିବା ବେଳେ ତାଙ୍କର ପ୍ରଥମ କଥା ମୋତେ ପ୍ରଭାବିତ କରିଥିଲା। ସେ ମୋତେ କହିଲେ, ଲୋକଙ୍କ ସେବା କର, ଅନ୍ୟ କିଛି ଚିନ୍ତା କରନାହିଁ। ସମୟ ଆସିଲେ ସବୁକିଛି ଠିକ୍ ହୋଇଯିବ’। ‘ଆପଣଙ୍କ ଅଞ୍ଚଳର ପ୍ରଗତି ପାଇଁ ଜଣେ ବିଧାୟିକା ଭାବେ କ’ଣ ସ୍ବପ୍ନ ଦେଖିଛନ୍ତି’ ପ୍ରଶ୍ନର ଉତ୍ତରରେ ସେ କହିଲେ, ଯୁବ ପିଢ଼ିର ଉନ୍ନତି, ବେକାରୀ ସମସ୍ୟାର ସମାଧାନ ଏବଂ ମୋ ପ୍ରିୟ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ନାରୀ ସଶକ୍ତୀକରଣକୁ ଆଗକୁ ନେଇ ମହିଳା ସମାଜର ସୁରକ୍ଷା ଦିଗରେ ପ୍ରାଥମିକତା ଦେଇ କାର୍ଯ୍ୟ ଆରମ୍ଭ କରିବି। ମୁଁ ଜଗନ୍ନାଥଙ୍କ ନିକଟରେ ସର୍ବପ୍ରଥମେ ଏହି କାର୍ଯ୍ୟକୁ ସଫଳ କରିବାକୁ ପ୍ରାର୍ଥନା କରିବି।
ଅଞ୍ଚବାସୀଙ୍କର ସ୍ବପ୍ନ ପୂରଣ କରିବି: ସଞ୍ଜଳି
ରାଜନୀତିର ମଇଦାନରେ ପ୍ରଥମ ବଲ୍ରେ ଛକ୍କା ମାରିଛନ୍ତି ସର୍ବକନିଷ୍ଠ ଆଦିବାସୀ ମହିଳା ପ୍ରାର୍ଥୀ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ସଞ୍ଜଳି ମୁର୍ମୁ। ଯିଏ ହେଭିୱେଟ୍ ନେତା ସୁଦାମ ମାରାଣ୍ଡିଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡିଙ୍କୁ ହରାଇଛନ୍ତି। ସଞ୍ଜଳି ବିଧାୟିକା ନିର୍ବାଚିତ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ। ସମସ୍ତେ ସ୍ବପ୍ନ ଦେଖୁଛନ୍ତି; ସେ ସାମଗ୍ରିକ ବିକାଶର ବାର୍ତ୍ତାବହ ହେବେ। ଯୁବବର୍ଗଙ୍କୁ ସାଙ୍ଗରେ ଧରି ନାଯ୍ୟ ଦାବିକୁ ଶାଣିତ କରିବେ। ନିଜର କାମ ଓ କର୍ତ୍ତବ୍ୟନିଷ୍ଠା ଆଧାରରେ ରାଜନୀତିର ନୂଆ ସଜ୍ଞା ତୋଳିବେ।
ସଞ୍ଜଳି କହନ୍ତି, ବାପା ଓ ମାଆ ସମାଜସେବା ସହ ରାଜନୀତିରେ ଅଛନ୍ତି। ସେ ହିଁ ମୋର ପ୍ରଥମ ପ୍ରେରଣା। ଭଲ ପାଠ ପଢ଼ିଛି, ଚାକିରି କରି ପାରିଥା’ନ୍ତି। କିନ୍ତୁ ଆମ ସଂପ୍ରଦାୟର ଦ୍ରୌପଦୀ ମୁର୍ମୁ ଯେବେ ଭାରତର ମହାମହିମ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେଲେ, ମୁଁ ପ୍ରଭାବିତ ହେଲି। ଭାବିଲି, ଜନସେବା ପାଇଁ ମୋର ରାଜନୀତିକୁ ଆସିବା ଉଚିତ। ବାସ୍, ଆଉ ପଛକୁ ଚାହିଁନି। ଆଦିବାସୀ ବୋଲି କାହାର ପରିହାସ ଓ ଟାହିଟାପରା ଶୁଣିନି। ଆଉ ଆଜି ମୋର ପ୍ରିୟ ବାଙ୍ଗିରିପୋଷିବାସୀଙ୍କ ପାଇଁ ମୁଁ ବିଧାୟକ। ଯେତେବେଳେ ନାରୀ ସଶକ୍ତୀକରଣର କଥା ଉଠେ, ଯୁକ୍ତି କରିବା ପାଇଁ ମୁଁ କେବେ ପଛଘୁଞ୍ଚା ଦେଇନି। ଆହ୍ବାନ ଦେଇଛି, ଯେଉଁ ଯୁବତୀମାନଙ୍କ ରାଜନୀତି ପ୍ରତି ଦୁର୍ବଳତା ରହିଛି, ସମାଜସେବା ପାଇଁ ଆବିଳତା ଅଛି, ସେମାନେ ଆଉ ଘରକୋଣରେ ବସି ରହନ୍ତୁନି। ସାମାଜିକ ବାଧାବନ୍ଧନର ବଶବର୍ତ୍ତୀ ହୁଅନ୍ତୁନି। ଗଣତନ୍ତ୍ରର ଗଙ୍ଗାରେ ସ୍ନାନ କରନ୍ତୁ ଏବଂ ନୂଆ ସଂକଳ୍ପ ନେଇ ଆରମ୍ଭ କରନ୍ତୁ ରାଜନୈତିକ ଯାତ୍ରା। ସଞ୍ଜଳିଙ୍କ ଘର ବାଙ୍ଗିରିପୋଷି ହାଣଦାରେ। ଏବେ ତାଙ୍କୁ ବୟସ ମାତ୍ର ୨୯ ବର୍ଷ। ପରିବାର କହିଲେ ବାପାମାଆ ଓ ଦୁଇ ଭଉଣୀ। ବାପା ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବାଙ୍ଗିରିପୋଷି ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଗଦା ମୁର୍ମୁ ଏବଂ ମାଆ ପୂର୍ବତନ ବାଙ୍ଗିରିପୋଷି ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଭଦ୍ରା ମୁର୍ମୁ। ସଞ୍ଜଳି ଭୁବନେଶ୍ବର ରମାଦେବୀ ମହାବିଦ୍ୟାଳୟରୁ ଯୁକ୍ତଦୁଇ ଏବଂ ବାରିପଦା ତକତପୁରସ୍ଥିତ ଏମ୍ପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତତିନି ପାଠ ପଢ଼ିଥିବା ବେଳେ ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଧାୟିକା ଭାବରେ ସ୍ଥାନୀୟ ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟଜଳ ସମସ୍ୟାର ସମାଧାନ କରିବା ତାଙ୍କ ପ୍ରାଥମିକ କର୍ତ୍ତବ୍ୟ ହେବ ବୋଲି ସଞ୍ଜଳି କହିଛନ୍ତି।
ମୋ ଅଞ୍ଚଳର ଲୋକମାନେ ମୋତେ ନିଜ ବୋହୂ ବୋଲି ଗ୍ରହଣ କରିଛନ୍ତି: କଳାହାଣ୍ଡିର ସର୍ବପ୍ରଥମ ମହିଳା ସାଂସଦ ମାଳବିକା ଦେଓ
କଳାହାଣ୍ଡିର ସର୍ବପ୍ରଥମ ମହିଳା ସାଂସଦ ଭାବେ ପ୍ରଥମ ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିବା ପରେ ନିଜର ଅଭିଜ୍ଞତାକୁ ନେଇ ସାସଂଦ ମାଳବିକା କେଶରୀ ଦେଓ କହନ୍ତି, “ଯେତେବେଳେ ମୁଁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଚଳିତ ନିର୍ବାଚନରେ ଓହ୍ଲାଇଥିଲି ସେତେବେଳେ ମୁଁ ଲୋକମାନଙ୍କର ଅକୁଣ୍ଠ ସମର୍ଥନ ପାଇପାରିବି ବୋଲି ପ୍ରଥମ ଦିନରୁ ଅନୁଭବ କରିପାରିଲି। ମୋତେ ଲୋକମାନେ ସେମାନଙ୍କ ଗହଣରେ ପାଇ ବହୁତ ଖୁସି ଓ ଆନନ୍ଦ ଅନୁଭବ କରୁଥିଲେ। ମୁଁ ଏହାକୁ ସହଜରେ ବିଶ୍ୱାସ କରିପାରିନଥିଲି। ସେମାନଙ୍କ ସହିତ ନିବିଡ଼ ଭାବେ ମିଶିବା ପରେ ମୁଁ ମଧ୍ୟ ବହୁତ ଆନନ୍ଦିତ ହୋଇଥିଲି। ତେଣୁ ନୂଆ କୌଣସି ଆହ୍ବାନର ସାମ୍ନା କରିବା ପରି ଲାଗିନଥିଲା। କଳାହାଣ୍ଡିର ଲୋକମାନେ ଅତି ନିକଟରେ ରାଜ ପରିବାର ଲୋକଙ୍କୁ ପାଇଲେ ସେମାନେ ହେଉଥିବା ଖୁସିକୁ ଅନୁଭବ କରିବା ମୋ ପାଇଁ ପରମ ସୌଭାଗ୍ୟର କଥା ଥିଲା। ଯେତେବେଳେ ଗୋଟିଏ ପରିବାରରେ ମା’, ଭଉଣୀ ଓ ଝିଅ ଆପଣଙ୍କୁ ଗ୍ରହଣ କରିନେବେ ସେତେବେଳେ ସବୁ ବାଧା ବନ୍ଧନକୁ ଆପଣ ଅତି ସହଜରେ ପାର କରିଯିବେ। ମୋ ଶ୍ବଶୁର ରାଜା ସାହେବ ତଥା ପୂର୍ବତନ ଲୋକସଭା ସାଂସଦ ବିକ୍ରମ କେଶରୀ ଦେଓ ଏବଂ ରାଜକୁମାର (ମୋ ସ୍ୱାମୀ, ସେ ମଧ୍ୟ ପୂର୍ବତନ ଲୋକସଭା ସାଂସଦ) ଅର୍କ କେଶରୀ ଦେଓ ଆମ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଅନେକ ଜନହିତକର କାର୍ଯ୍ୟ କରିଛନ୍ତି। ସେମାନେ ଉଭୟ ଲୋକମାନଙ୍କ ସହିତ ରହିଥିଲେ ଏବଂ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କାରଣରୁ ଏହି ନିର୍ବାଚନରେ ମୋ ପାଇଁ ବିଶେଷ କୌଣସି ଆହ୍ବାନ ନଥିଲା”।
ସାଂସଦ ଭାବେ ଆପଣଙ୍କର ପ୍ରଥମ ସ୍ବପ୍ନ ଓ କାର୍ଯ୍ୟ କ’ଣ ହେବ ବୋଲି ପଚାରିବାରୁ ମାଳବିକା କହିଲେ, “ମୁଁ ହେଉଛି କଳାହାଣ୍ଡିର ପ୍ରଥମ ମହିଳା ସାଂସଦ। ସେହି ଦୃଷ୍ଟିରୁ ମୋ ଅଞ୍ଚଳ ନାରୀ ସମାଜର ସୁରକ୍ଷା ଓ ପ୍ରଗତିକୁ ମୁଁ ନିଶ୍ଚିତ ପ୍ରାଥମିକତା ଦେଇ କାର୍ଯ୍ୟ କରିବି। ସଂସଦରୁ ଫେରିବା ପରେ ମୁଁ ପ୍ରତି ଘରକୁ ମୋର ଅଭିଯାନ ଯାତ୍ରା ଆରମ୍ଭ କରି ସେମାନଙ୍କର ଅଭାବ ଅସୁବିଧାକୁ ବୁଝି ତାକୁ ଦୂର କରିବାକୁ ଯଥା ସମ୍ଭବ ଚେଷ୍ଟା କରିବି। ବିକ୍ରମ କେଶରୀ ଦେଓ ଓ ଅର୍କ କେଶରୀ ଦେଓ ପୂର୍ବତନ ସାଂସଦ ଭାବେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ଅଗ୍ରାଧିକାର ଦେବାସହିତ ମୋ ଅଞ୍ଚଳର ବିଭିନ୍ନ ରେଳ ପ୍ରକଳ୍ପ ଯୋଜନାର କାର୍ଯ୍ୟକାରିତାକୁ ପ୍ରାଥମିକତା ଦେବି। ପ୍ରତି ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କରିବା ଉପରେ ଗୁରୁତ୍ୱ ଦେବି। ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନର ବିକାଶ କିପରି ହୋଇପାରିବ ରାଜ୍ୟ ସରକାରଙ୍କ ସହିତ ମିଶି କାର୍ଯ୍ୟ କରିବି। ମୁଁ ଦୃଢ଼ ଆଶାବାଦୀ ଆମର ଡବଲ୍ ଇଞ୍ଜିନ୍ ସରକାର ଓଡ଼ିଶାର ଓ କଳାହାଣ୍ଡିର ବିକାଶରେ ନୂଆ ଅଧ୍ୟାୟ ଆରମ୍ଭ କରିବେ। ଆମ ସରକାର ମହିଳାମାନଙ୍କର ସୁରକ୍ଷା ଓ ପ୍ରଗତି ପାଇଁ ସବୁବେଳେ ଅଣ୍ଟା ଭିଡ଼ି କାର୍ଯ୍ୟ କରିବ”।
ନାରୀଶକ୍ତି ନିକଟରେ ଯେତେ ଶକ୍ତିଶାଳୀ ଶାସକ ହେଲେ ମଧ୍ୟ ତା’ର ପରାଜୟ ସୁନିଶ୍ଚିତ: ଶାମ୍ଭବୀ ଚୌଧୁରୀ
ଚଳିତ ଲୋକସଭା ନିର୍ବାଚନରେ ସଂସଦକୁ ନିର୍ବାଚିତ ହୋଇଥିବା ସର୍ବକନିଷ୍ଠ ସାଂସଦର ମାନ୍ୟତା ପାଇଛନ୍ତି ଶାମ୍ଭବୀ ଚୌଧୁରୀ। ରାଜନୀତିରେ ଶାମ୍ଭବୀଙ୍କର ଏହି ବିଜୟ ସବୁ ବର୍ଗର ମହିଳାମାନଙ୍କ ମନରେ ଖୁସି ଆଣିଦେଇଛି। ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି) ନେତା ଶାମ୍ଭବୀ ବିହାରର ସମସ୍ତିପୁର ଜିଲ୍ଲାରୁ ଲୋକସଭା ନିର୍ବାଚନ ଜିତିଛନ୍ତି। ସେ କଂଗ୍ରେସ ଦଳର ପ୍ରାର୍ଥୀ ସନ୍ନି ହାଜାରୀଙ୍କୁ ଚଳିତ ନିର୍ବାଚନରେ ପରାସ୍ତ କରିଛନ୍ତି। “ଆମେ ସବୁବେଳେ ମନେ ରଖିବା ଆବଶ୍ୟକ ଯେ, ନିର୍ବାଚନରେ ଯେତେବେଳେ ନାରୀଶକ୍ତି ଚାହିଁବ ସେତେବେଳେ ଯେତେ ଶକ୍ତିଶାଳୀ ଶାସକ କିମ୍ବା ନେତା ତା’ର ପରାଜୟ ନିଶ୍ଚିତ। ସମସ୍ତିପୁର ମୋତେ ଏକ ବୃହତ୍ ବିଜୟ ଦେଇଛି। ତେଣୁ ମୋର ବିଜୟ ନାରୀଶକ୍ତିର ଶ୍ରେଷ୍ଠ ଆଶୀର୍ବାଦ ବୋଲି ମୁଁ ମୁକ୍ତ କଣ୍ଠରେ ଏହାକୁ ସ୍ୱୀକାର କରିବି। ମୁଁ ସମସ୍ତିପୁରବାସୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ମୋ ଭୋଟର୍ ସଠିକ୍ ନିଷ୍ପତ୍ତି ନେଇଛନ୍ତି ଏବଂ ମୁଁ ସେମାନଙ୍କ ଆଶା ପୂରଣ କରିବାକୁ ଚେଷ୍ଟା କରିବି। ସେମାନଙ୍କ ହୃଦୟରେ ନିଜ ଝିଅ ଭଳି ଏକ ସ୍ଥାନ ପାଇବାକୁ ମୁଁ କହିଥିଲି ଏବଂ ସେମାନେ ମୋତେ ସେମାନଙ୍କ ନିଜ ଝିଅ ଭାବେ ଗ୍ରହଣ କରି ମୋ’ ପାଇଁ ବିଜୟ ଆଣି ଦେଇଛନ୍ତି”, ବୋଲି ଶାମ୍ଭବୀ ଚୌଧୁରୀ ନିଜ ପ୍ରତିକ୍ରିୟାରେ ଏହା ପ୍ରକାଶ କରିଛନ୍ତି। ଶାମ୍ଭବୀ ଚୌଧୁରୀଙ୍କୁ ମାତ୍ର ୨୫ ବର୍ଷ ବୟସ ପୂରିବାକୁ ଯାଉଛି। ଚଳିତ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ସେ ତୃତୀୟ ପିଢ଼ିର ରାଜନେତା ଭାବେ ନିଜ ଅଂଚଳରେ ବର୍ତ୍ତମାନ ଉଭା ହୋଇଛନ୍ତି। ବିହାରରେ ଏକ ରାଲିରେ ନିର୍ବାଚନ ପ୍ରଚାର ସମୟରେ ଶାମ୍ଭବୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ଏବଂ ମୁଣ୍ଡରେ ହାତରଖି ଆଶୀର୍ବାଦ କରିବା ପ୍ରସଙ୍ଗ ଚର୍ଚ୍ଚାରେ ରହିଥିଲା। ରାଜନୀତିରେ ଲମ୍ବା ସମୟ ପର୍ଯ୍ୟନ୍ତ ଖେଳିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଶାମ୍ଭବୀଙ୍କ ପିତା ଅଶୋକ ଚୌଧୁରୀ ପ୍ରଥମେ କଂଗ୍ରେସରେ ଥିଲେ ଏବଂ ପରେ ଜେଡିୟୁ ନେତା ଭାବେ ରାଜନୀତିରେ ଗୋଟି ଚାଳନା କରିଥିଲେ। ତାଙ୍କ ଜେଜେବାପା ମହାବୀର ଚୌଧୁରୀ ଜଣେ ଭେଟେରାନ୍ କଂଗ୍ରେସ ନେତା ଥିଲେ ଏବଂ ବିହାରରେ କଂଗ୍ରେସର ମନ୍ତ୍ରୀ ରହିଥିଲେ।
ଆଗାମୀ ଦିନର ଯୁବ ରାଜନେତାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ଶାମ୍ଭବୀ କହନ୍ତି, “ମୁଁ ସବୁବେଳେ ରାଜନୀତିରେ ଆଗ୍ରହୀ ଥିଲି। ଏଥିପାଇଁ ଦୃଢ଼ଭାବେ ମନସ୍ଥିର କରି ଜନସାଧାରଣଙ୍କ ନିକଟରେ ପହଞ୍ଚିଥିଲି। ଏହା ରାଜନୀତିରେ ସବୁବେଳେ ପ୍ରାଥମିକତା ହେବା ଦରକାର। ଆମେ ସର୍ବଦା ମନେ ରଖିବା ଉଚିତ, ରାଜନୀତିରେ କୌଣସି ମା’ ବାପା କିମ୍ବା ପରିବାରର ଅନ୍ୟ ସଦସ୍ୟ ଭୋଟରେ ବିଜୟୀ କରାଇପାରିବେ ନାହିଁ। ଏଥିପାଇଁ ଜନସାଧାରଣଙ୍କ ସହିତ ରହି କଠିନ ପରିଶ୍ରମ କରିବାକୁ ପଡ଼ିବ। ରାଜନୀତିରେ ଆମକୁ ମନେ ରଖିବାକୁ ହେବ, ଆମ ପରିବାର ନୁହେଁ ଲୋକଙ୍କ ପାଇଁ ଆମେ ସେବା ଯୋଗାଇବାକୁ ଲୋକମାନେ ଆମକୁ ମନୋନୀତ କରି ନିର୍ବାଚନରେ ବିଜୟୀ କରାଇଛନ୍ତି। ହିଂସାକୁ ପରିହାର କରି ସର୍ବଦା ମନେ ରଖିବାକୁ ହେବ, ରାଜନୀତିର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ଆମକୁ ଏକ ଅଂଶ ହେବାକୁ ପଡ଼ିବ, ଯାହା ଲୋକଙ୍କର-ଲୋକଙ୍କ ଦ୍ୱାରା ଓ ଲୋକଙ୍କ ପାଇଁ ରହିଥିଲା, ରହିଛି ଓ ରହିଥିବ। ଏହା ହେଉଛି ରାଜନୀତିର ମୂଳମନ୍ତ୍ର ବୋଲି ମୁଁ ବିଶ୍ୱାସ କରେ”।