ୟୁନାଇଟେଡ୍‌ କିଙ୍ଗଡମ୍‌ର ଏଡିନ୍‌ବର୍ଗ ବିଶ୍ୱବିଦ୍ୟାଳୟର ଦଳେ ଗବେଷକ ଏସେରିକିଆ କୋଲାଇ ଜୀବାଣୁ ସାହାଯ୍ୟରେ ପଲିଇଥିଲିନ୍ ଟେରିଫ୍‌ଥାଲେଟ୍ (ପେଟ୍‌) ପ୍ଲାଷ୍ଟିକ୍‌ର ଅଣୁକୁ ଆସିଟାମିନୋଫେନ୍‌ ବା ପାରାସିଟାମଲ୍‌ରେ ପରିଣତ କରି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି। ସାଧାରଣତଃ ଜୀବାଶ୍ମ ଇନ୍ଧନ ବ୍ୟବହାର କରି ଆସିଟାମିନୋଫେନ୍ ଉତ୍ପାଦନ କରାଯାଇଥାଏ। ଏହି ଉପାଦାନ ବଦଳରେ ପ୍ଲାଷ୍ଟିକ୍ ପରି ଆବର୍ଜନା ଉପଯୋଗ କରିବା ଦ୍ବାରା ଦୁଇଟି ପ୍ରମୁଖ ପରିବେଶଗତ ଆହ୍ବାନର ଏକ ଅଭିନବ ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି।

Advertisment

ଏଡିନ୍‌ବର୍ଗ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ନିର୍ଯାସ ଅନୁଯାୟୀ ମାତ୍ର ୨୪  ଘଣ୍ଟା ମଧ୍ୟରେ ପ୍ଲାଷ୍ଟିକ୍‌କୁ ଔଷଧରେ ରୂପାନ୍ତରିତ କରାଯାଇପାରିବ। ଛୋଟ ପରୀକ୍ଷାଗାରରେ ଓ କୋଠରି ତାପମାତ୍ରାରେ ଏହି ରୂପାନ୍ତରଣ ସମ୍ଭବ। ଏହି ପ୍ରକ୍ରିୟାର ପ୍ରମୁଖ ଗବେଷକ ତଥା ବାୟୋଟେକ୍ନୋଲୋଜିଷ୍ଟ ଷ୍ଟିଫେନ ୱାଲେସ୍‌ଙ୍କ ମତରେ, ଅଣୁଜୀବମାନଙ୍କ ଜରିଆରେ ପେଟ୍‌ ପ୍ଲାଷ୍ଟିକ୍‌କୁ ମୂଲ୍ୟବାନ ନୂତନ ଉତ୍ପାଦରେ ରୂପାନ୍ତର କରାଯାଇପାରିବ, ଯେଉଁଥିରେ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ। ଏଥି ସହିତ ଏହା ଏକ ଚକ୍ରାକାର ଅର୍ଥନୀତି ନିର୍ମାଣ କରିବା ଏବଂ ସ୍ଥାୟୀ ରାସାୟନିକ ସାମଗ୍ରୀ ସୃଷ୍ଟି କରିବା ପାଇଁ ଅପାର ସମ୍ଭାବନା ବହନ କରୁଛି।