ପହଲ୍ଗାମ୍ର ବୈଶରନ୍ ଉପତ୍ୟକାରେ ଧର୍ମଭିତ୍ତିରେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ପରିବାର ସାମ୍ନାରେ ହତ୍ୟା କରାଯିବା ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଛି। ପାକ୍ ପ୍ରଶିକ୍ଷିତ ଆତଙ୍କବାଦୀଙ୍କୁ ବ୍ୟବହାର କରି ପାକିସ୍ତାନ ସେନା ଏଭଳି କାଣ୍ଡ ଭିଆଇଛି ବୋଲି ମତ ପ୍ରକାଶ ପାଉଛି। ଏହି ପରିପ୍ରେକ୍ଷୀରେ ପହଲଗାମ୍ ଗସ୍ତ କରି ଭାରତୀୟ ସେନାର ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ତଥା ପୁଲୱାମା ଆକ୍ରମଣ ପରେ କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନର ନେତୃତ୍ବ ନେଇଥିବା ବରିଷ୍ଠ ସେନା ଅଧିକାରୀ କନୱାଲ୍ଜୀତ୍ ସିଂହ ଧିଲୋଁଙ୍କୁ ପହଲଗାମ୍ରେ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗ ଆଲୋଚନା କରିଛନ୍ତି ଆମର ବରିଷ୍ଠ ପ୍ରତିନିଧି ବିଭୂତି ପତି
ପହଲ୍ଗାମ୍ ଗଣହତ୍ୟାକୁ ଆପଣ କେଉଁ ଶ୍ରେଣୀର ଅପରାଧ ବୋଲି ବିବେଚନା କରନ୍ତି?
ମାନବତା ବିରୁଦ୍ଧରେ ଏହା ସବୁଠାରୁ ବଡ଼ ଅପରାଧ। ଏହା ଏକ ଜଘନ୍ୟ, ବର୍ବର ତଥା ଅମାନବୀୟ କାଣ୍ଡ। କୌଣସି ଅପରାଧୀ ମଧ୍ୟ ଏଭଳି ନରସଂହାରର କଳ୍ପନା କରିପାରିବ ନାହିଁ। ଏହାକୁ ଜିହାଦ୍ କିମ୍ବା ମୁକ୍ତି ସଂଗ୍ରାମ ବୋଲି ମଧ୍ୟ କୁହାଯାଇ ପାରିବନାହିଁ। ଧର୍ମ ଆଧାରରେ ନିରୀହ ଓ ନିରସ୍ତ୍ର ଲୋକଙ୍କୁ ତାଙ୍କ ପତ୍ନୀ ଓ ସନ୍ତାନମାନଙ୍କ ଆଗରେ ଯେଭଳି ଅତି ନିର୍ଦ୍ଦୟ ଭାବେ ହତ୍ୟା କରାଗଲା, ତାହା ଅକ୍ଷମଣୀୟ। ସେମାନଙ୍କ ପାଇଁ ମୃତ୍ୟୁଦଣ୍ଡ ମଧ୍ୟ କମ୍ ହେବ ବୋଲି ମୁଁ ଭାବୁଛି।
ବର୍ତ୍ତମାନ ଆତଙ୍କବାଦୀମାନଙ୍କୁ ଠାବ କରିବା ପାଇଁ ଚାଲିଥିବା ତଲାସୀ ଅଭିଯାନ ସଫଳ ହେବ ବୋଲି ଭାବୁଛନ୍ତି?
ପହଲ୍ଗାମ୍ ଆଖପାଖ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଯେଉଁ ତଲାସୀ ଅଭିଯାନ ଚାଲିଛି, ତାହାର ସଫଳତାକୁ ନେଇ ସନ୍ଦେହ କରାଯିବା ଅନୁଚିତ। ଏହା ନିଶ୍ଚିତ ସଫଳ ହେବ, କିନ୍ତୁ ଏହା ସମୟସାପେକ୍ଷ। ଆମର ଅର୍ଦ୍ଧସାମରିକ ବାହିନୀ, ଜାମ୍ମୁ-କାଶ୍ମୀର ପୁଲିସ, ସିଆର୍ପିଏଫ୍ ଓ ଅନ୍ୟ ସୁରକ୍ଷାକର୍ମୀ ମିଳିତ ଭାବେ ‘ମାସିଭ୍ ମ୍ୟାନ୍ହଣ୍ଟ୍’ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ, ଆତଙ୍କବାଦୀଙ୍କ ସମର୍ଥକ ଭାବେ ଜଣାଶୁଣା ୧୦୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଚାଲିଛି। ଆତଙ୍କବାଦୀଙ୍କ ଭିତରୁ ଦୁଇଜଣ ପାକିସ୍ତାନୀ ବୋଲି ନିର୍ଦ୍ଦିଷ୍ଟ ସୂଚନା ଅଛି। ଏହି ବର୍ବର କାଣ୍ଡ ଘଟାଇଥିବା ତିନି ଅାତଙ୍କବାଦୀ ହେଲେ ଅସିଫ୍ ଫୌଜୀ, ସୁଲେମାନ୍ ଶାହା ଓ ଅବ୍ବୁ ତଲ୍ଲାହା, ଯେଉଁମାନଙ୍କର କୋଡ୍ ନଁା ମୁସା, ୟୁନୁସ୍ ଓ ଅସିଫ୍ ବୋଲି ସୂଚନା ମିଳୁଛି। ଏମାନେ ପୁଞ୍ଚ୍ ସେକ୍ଟରରେ ଅାତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିଲେ ବୋଲି ମଧ୍ୟ ଜଣାପଡ଼ିଛି। ଏମାନେ ଆତଙ୍କବାଦୀ ସଂଗଠନ ‘ଲସ୍କର୍-ଏ-ତୈୟବା’ର ‘ଦି ରେଜିଷ୍ଟାଣ୍ଟ ଫ୍ରଣ୍ଟ୍’ (ଟିଆର୍ଏଫ୍)ର ସଦସ୍ୟ ଅଟନ୍ତି। ଯଦି ଆମେ ଏ ଅଞ୍ଚଳର ପାହାଡ଼ପର୍ବତ, ବଣଜଙ୍ଗଲ ଘେରା ଭୌଗୋଳିକ ସ୍ଥିତିକୁ ଦେଖିବା, ତେବେ ସହଜରେ ଜାଣିପାରିବା ଏଠାରେ ତଲାସୀ କେତେ କଷ୍ଟଦାୟକ। କିନ୍ତୁ, ମୁଁ ଭାବୁଛି ଆତଙ୍କବାଦୀମାନେ ଏହି ଅଭିଯାନରୁ ସହଜରେ ବର୍ତ୍ତିପାରିବେ ନାହିଁ। ଏସବୁ ଅଞ୍ଚଳରେ ତଲାସୀ ଅଭିଯାନ ସମୟରେ ଅପରାଧୀଙ୍କୁ ଧରିବା ସହଜ ହୋଇ ନଥାଏ। ଏପରିକି ଅତି ନିକଟରେ ଥିଲେ ମଧ୍ୟ ପରସ୍ପରକୁ ଦେଖିବା ସହଜ ନୁହେଁ।
ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଏଭଳି ନରସଂହାର ଘଟିଲା ବୋଲି ଯେଉଁ ସମାଲୋଚନା ହେଉଛି, ତାହାକୁ ନେଇ କ’ଣ କହିବେ?
ଆତଙ୍କବାଦୀମାନେ ଆଜିକାଲି ଆଉ ଗ୍ରାମବସତି ଭିତରେ କିମ୍ବା ଜନସାଧାରଣଙ୍କ ସହିତ ରହୁନାହାନ୍ତି। ସେମାନେ ବୁଝି ସାରିଛନ୍ତି ସ୍ଥାନୀୟ ଜନସାଧାରଣଙ୍କଠାରୁ ସେମାନେ ଆଉ ସୁରକ୍ଷା ପାଇପାରୁନାହାନ୍ତି। ଏଭଳି ପରିପ୍ରେକ୍ଷୀରେ ଗୁଇନ୍ଦା ନେଟୱାର୍କ ବିଫଳ ହୋଇଛି ବୋଲି କହିବା ମଧ୍ୟ ସଂପୂର୍ଣ୍ଣ ରୂପେ ଠିକ୍ ହେବନାହିଁ। ଆତଙ୍କବାଦୀ ଘଞ୍ଚଜଙ୍ଗଲର ଅପହଞ୍ଚ ଇଲାକାରୁ ବାହାରି ଆକସ୍ମିକ ଆକ୍ରମଣ କରୁଛନ୍ତି। ସେମାନେ କୌଣସି ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କ ସହିତ ଯୋଗାଯୋଗ ରଖିବାକୁ ସୁରକ୍ଷିତ ମଣୁନାହାନ୍ତି। ପୁନଶ୍ଚ ଏଭଳି ଦୁର୍ଗମ ଅଞ୍ଚଳରେ ଏତେ ଲୋକଙ୍କୁ ତତ୍କ୍ଷଣାତ୍ ସୁରକ୍ଷାକର୍ମୀ ଯୋଗାଇଦେବା ମଧ୍ୟ ସହଜ ନୁହେଁ।
ଭାବାବେଗରେ ପ୍ରତିକ୍ରିୟା ପ୍ରକାଶ ନ କରି ଭାରତ ବୁଝିବିଚାରି ପଦକ୍ଷେପ ଗ୍ରହଣ କରିବ। କେବେ ଆକ୍ରମଣ କରାଯିବ ଓ କେଉଁଠି ଆକ୍ରମଣ କରାଯିବ ସେ କଥା ଭାରତ ସରକାର ସ୍ଥିର କରିବେ। ଜବାବ ଦେବା ପାଇଁ ସମୟ ଓ ସ୍ଥାନ ଆମେ ନିରୂପଣ କରିବୁ।
ହତ୍ୟାକାରୀମାନଙ୍କ ପରିଚୟ ସଂପର୍କରେ କୌଣସି ବିଶେଷ ତଥ୍ୟ ଆପଣଙ୍କ ପାଖରେ ଅଛି କି?
ଖୁବ୍ କମ୍ ଦିନରେ ସେମାନଙ୍କୁ ଚିହ୍ନଟ କରାଯିବ ଏବଂ ତା’ପରେ ସବୁ ତଥ୍ୟ ପଦାକୁ ଆସିବ। କିନ୍ତୁ ଏହା ନିଶ୍ଚିତ ଯେ ସେମାନେ ପାକିସ୍ତାନରେ ତାଲିମପ୍ରାପ୍ତ। ଏହା ସେମାନଙ୍କ ବେଶପୋଷାକ ଓ କାର୍ଯ୍ୟଶୈଳୀରୁ ସୁସ୍ପଷ୍ଟ। ୨୦ରୁ ୩୦ ମିନିଟ୍ ମଧ୍ୟରେ ଏଭଳି ନରସଂହାର କରି ସାଧାରଣ ଅପରାଧୀ ସହଜରେ ସୁରକ୍ଷିତ ଭାବେ ଖସିଯାଇ ପାରିବ ନାହିଁ। ଆତଙ୍କବାଦୀମାନେ ସମ୍ଭବତଃ ପାହାଡ଼ ଚଢ଼ି ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ୧୫-୨୦ ମିନିଟ୍ ମଧ୍ୟରେ ବର୍ବରକାଣ୍ଡ କରି ପଳାୟନ କରିଛନ୍ତି। ସେମାନେ ଜାଣିଥିଲେ ଯେ ସୁରକ୍ଷାକର୍ମୀ ଏତିକି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିପାରିବେ ନାହିଁ। ଏକଥା ନିଶ୍ଚିତ ଯେ ଏହା ତାଲିମପ୍ରାପ୍ତ ମିଲିଟାରି ଅପରେସନ୍। ଲସ୍କର୍-ଏ-େତୖୟବାର ଛାୟା ସଂଗଠନ ଟି.ଆର୍.ଏଫ୍. ଏହି ନରସଂହାର ପାଇଁ ନିଜକୁ ଦାୟୀ କରିଛି। ତେଣୁ ଏଥିରେ ପାକିସ୍ତାନର ସଂପୃକ୍ତି ନିଶ୍ଚିତ ବୋଲି କୁହାଯାଇ ପାରିବ। ଏଠାରେ ହୁଏତ ପ୍ରଶ୍ନ ଆସିବ ଯେ ସ୍ଥାନୀୟ କାଶ୍ମୀର ଅପରାଧୀଙ୍କୁ ପାକିସ୍ତାନ କାହିଁକି ନିୟୋଜିତ କରି ନଥିବ? ଗତ କିଛି ବର୍ଷରେ ଧରାପଡ଼ିଥିବା ଓ ସୁରକ୍ଷାକର୍ମୀଙ୍କ ହାତରେ ନିହତ ହୋଇଥିବା ଆତଙ୍କବାଦୀଙ୍କୁ ଅନୁଧ୍ୟାନ କଲେ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ଏପରି ଆକ୍ରମଣରେ ସବୁବେଳେ ପାକିସ୍ତାନୀ ଆତଙ୍କବାଦୀମାନେ ସାମିଲ ହେଉଛନ୍ତି। ଭାରତ ବିରୋଧରେ ପାକିସ୍ତାନ ନିୟୋଜିତ କରିଥିବା ଆତଙ୍କବାଦୀ ସଂଗଠନ ସବୁ କଶ୍ମୀର ଜନସାଧାରଣଙ୍କୁ ବର୍ତ୍ତମାନ ପରିପ୍ରେକ୍ଷୀରେ, ମୁଖ୍ୟତଃ ଧାରା ୩୭୦ର ଉଚ୍ଛେଦ ପରେ, ଆଉ ବିଶ୍ବାସ କରୁନାହାନ୍ତି। ତେଣୁ ପାକିସ୍ତାନ ସେଠାକାର ଆତଙ୍କବାଦୀମାନଙ୍କୁ ପଠାଉଛି।
ଏଭଳି ନରସଂହାର ସ୍ଥାନୀୟ ଜନସାଧାରଣଙ୍କୁ କିଭଳି ପ୍ରଭାବିତ କରିବ ବୋଲି ଆପଣ ଭାବୁଛନ୍ତି?
କାଶ୍ମୀରର ସ୍ଥିରତା, ଶାନ୍ତିଶୃଙ୍ଖଳା, ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଓ ପର୍ଯ୍ୟଟନ ବିକାଶ ଉପରେ ଏହି ନରସଂହାର ନିଶ୍ଚିତ ରୂପେ ପ୍ରଭାବ ପକାଇବ। କିନ୍ତୁ କାଶ୍ମୀରବାସୀ ଯେଭଳି ଏକଜୁଟ ହୋଇ ଆତଙ୍କବାଦକୁ ବିରୋଧ କରିଛନ୍ତି, ଏଭଳି ପ୍ରଭାବ ବେଶି ଦିନଯାଏ ଅନୁଭୂତ ହେବନାହିଁ। କଶ୍ମୀରର ସ୍ଥାନୀୟ ଜନସାଧାରଣ ବୁଝିସାରିଲେଣି ଯେ ଏହି ବର୍ବରକାଣ୍ଡ ପରୋକ୍ଷରେ ସେମାନଙ୍କ ଜୀବନଜୀବିକାକୁ ସଂପୂର୍ଣ୍ଣ ରୂେପ ମାରିଦେବା ପାଇଁ ଉଦ୍ଦିଷ୍ଟ। ଆତଙ୍କବାଦୀଙ୍କ ବର୍ବରତା ସାଧାରଣ ମଣିଷର ମୌଳିକ ଆବଶ୍ୟକତା ପୂରଣ ପ୍ରୟାସକୁ ପ୍ରଭାବିତ କରିଛି।
ସଂକ୍ଷେପରେ କେଜେଏସ୍
ଲେଫ୍ଟ୍ନାଣ୍ଟ୍ ଜେନେରାଲ୍ କନ୍ୱଲ୍ଜୀତ୍ ସିଂହ ଧିଲୋଁ ଭାରତୀୟ ସେନାର ଅନ୍ୟତମ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ।
୧୯୮୩ ଡିସେମ୍ବରରେ ଧିଲୋଁ ରାଜପୁତନା ରାଇଫଲ୍ର ୪ର୍ଥ ବାଟାଲିୟନ୍ରେ ଯୋଗ ଦେଇଥିଲେ। ୩୯ ବର୍ଷ ଚାକିରି ଜୀବନରେ ସେ ସେନା ମୁଖ୍ୟାଳୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ନିଯୁକ୍ତି ପାଇଥିଲେ। ଏହାଛଡ଼ା, ମହୁଆରେ ଥିବା ଇନ୍ଫ୍ୟାଣ୍ଟ୍ରି ସ୍କୁଲ୍ ଏବଂ ବିଦେଶରେ ଥିବା ଇଣ୍ଡିଆନ୍ ଆର୍ମି ଟ୍ରେନିଙ୍ଗ୍ ଟିମ୍ରେ ଶୈକ୍ଷିକ ନିଯୁକ୍ତି ପାଇଥିଲେ। ୧୯୮୮ରୁ ୫ ବର୍ଷ ପର୍ଯ୍ୟନ୍ତ ସେ ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରୀୟ ରାଇଫଲ୍ସ୍ ଓ ଚିନାର୍ କର୍ପସ୍ର ବ୍ରିଗେଡିୟର୍ ଜେନେରାଲ୍ ଷ୍ଟାଫ୍ ଭାବେ ଅବସ୍ଥାପିତ ହୋଇଥିଲେ। ଏଭଳି ବିଭିନ୍ନ ପଦପଦବିରେ ଥାଇ ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ କରି ସେ ୨୦୧୯ ସେପ୍ଟେମ୍ବର ୨୧ରେ ରାଜପୁତନା ରାଇଫଲ୍ସ୍ ରେଜିମେଣ୍ଟ୍ର କର୍ଣ୍ଣେଲ୍ ଭାବେ ନିଯୁକ୍ତି ପାଇଥିଲେ। ପରିଶେଷରେ ୨୦୨୨ ଜାନୁଆରି ୩୧ ଦିନ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଉଲ୍ଲେଖନୀୟ ସେବା ନିମନ୍ତେ ସେ ପରମ ବିଶିଷ୍ଟ ସେବା ପଦକ, ଉତ୍ତମ ଯୁଦ୍ଧ ସେବା ପଦକ, ଯୁଦ୍ଧ ସେବା ପଦକ ଓ ବିଶିଷ୍ଟ ସେବା ପଦକ ପାଇଥିଲେ।
ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯିବା ସଂପର୍କରେ ଆପଣଙ୍କ ମତ କ’ଣ?
ସର୍ଜିକାଲ୍ ଷ୍ଟ୍ରାଇକ୍ ବା ମିଲିଟାରି ଅପରେସନ୍ ଏକମାତ୍ର ସର୍ବୋତ୍ତମ ମାଧ୍ୟମ ନୁହେଁ। କୂଟନୈତିକ, ଅର୍ଥନୈତିକ ଓ ରାଜନୈତିକ ଆକ୍ରମଣ କରାଯିବାର ଆବଶ୍ୟକତା ମଧ୍ୟ ରହିଛି। ଭାରତ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିସାରିଲେଣି। ଭାବାବେଗରେ ପ୍ରତିକ୍ରିୟା ପ୍ରକାଶ ନ କରି ଭାରତ ବୁଝିବିଚାରି ପଦକ୍ଷେପ ଗ୍ରହଣ କରିବ। କେବେ ଆକ୍ରମଣ କରାଯିବ ଓ କେଉଁଠି ଆକ୍ରମଣ କରାଯିବ ସେ କଥା ଭାରତ ସରକାର ସ୍ଥିର କରିବେ। ଜବାବ ଦେବା ପାଇଁ ସମୟ ଓ ସ୍ଥାନ ଆମେ ନିରୂପଣ କରିବୁ। ସେତେଦିନ ପର୍ଯ୍ୟନ୍ତ ପାକିସ୍ତାନକୁ ଏହି ଆଶଙ୍କାରେ ରଖିବାକୁ ହେବ ଯେ କେଉଁଠି ଆକ୍ରମଣ ହେବ! ରାଷ୍ଟ୍ର ଓ ଏହାର ସାମରିକ ବାହିନୀ କେବେ ହେଲେ କ୍ରୋଧରେ ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ, ବରଂ ସେମାନେ ନିଜ ଦକ୍ଷତା ଆଧାରରେ ଆତ୍ମବିଶ୍ବାସର ସହ ପ୍ରତିକ୍ରିୟା ପ୍ରକାଶ କରନ୍ତି। ତେବେ ଆମ ଯୋଜନାକୁ ଯଥେଷ୍ଟ ବଳିଷ୍ଠ କରିବାକୁ ପଡ଼ିବ ଏବଂ ସମ୍ଭାବ୍ୟ ଦ୍ବିତୀୟ ଆକ୍ରମଣର ଜବାବ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ହେବାକୁ ପଡ଼ିବ। ଆମର ଦ୍ବିତୀୟ ଆକ୍ରମଣ ଏତେ ଜୋର୍ଦାର୍ ହେବାକଥା ଯେ ଏହାପରେ ଶତ୍ରୁ ଆଉ ଆକ୍ରମଣ କରିବା କଥା ଚିନ୍ତା ମଧ୍ୟ କରିବ ନାହିଁ।