ଆଙ୍କର୍‌ ନୁହେଁ ଖବର ପଢୁଛନ୍ତି ଜଣେ ମାଆ: ନାବାଳିକା ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ କରି ଟିଭି ସ୍କ୍ରିନ୍‌ରେ କନ୍ୟା ସହ ନଜର ଆସିଲେ ଉପସ୍ଥାପିକା

ମୁମ୍ବାଇ: ପାକିସ୍ତାନର ଜଣେ ଖବର ଉପସ୍ଥାପିକା ବୁଧବାର ନାବାଳିକା ଦୁଷ୍କର୍ମ ଓ ହତ୍ୟାକୁ ବିରୋଧ କରି ନିଜର କୁନି ଝିଅକୁ ସାଥିରେ ଧରି ଟିଭି ସ୍କ୍ରିନ୍‌ରେ ଖବର ପଢୁଥିବାର ଦେଖିବାକୁ ମିଳିଛନ୍ତି।

ସମ୍ମା ଟିଭିର ଉପସ୍ଥାପିକା କିରଣ ନାଜ୍‌ ନିକଟରେ ପାକିସ୍ତାନର କସୁର ସହରରେ ହୋଇଥିବା ନାବାଳିକା ଦୁଷ୍କର୍ମ ଓ ହତ୍ୟା ସଂପର୍କରେ ଜଣେ କନ୍ୟା ସନ୍ତାନର ମାଆ ଭାବେ କ’ଣ ଅନୁଭବ କରନ୍ତି ଜଣାଇଛନ୍ତି।

ପାକିସ୍ତାନ ଖବର ଦୁନିଆର ଜଣେ ବହୁ ପରିଚିତା ମୁହଁ ନାଜ୍‌ ନିଜ କାର୍ଯ୍ୟକ୍ରମ ଆରମ୍ଭରେ କହିଥିଲେ, ‘ଆଜି ମୁଁ ଆପଣମାନଙ୍କ ଉପସ୍ଥାପିକା କରଣ ନାଜ୍‌ ନୁହେଁ। ଆଜି ମୁଁ ଜଣେ ମାଆ ଏବଂ ଏହା କହିବାକୁ ଚାହେଁ ମୁଁ କାହିଁକି ଆଜି ମୋ ଝିଅ ସହ ଏଠାରେ ବସିଛି।’

ତା’ପରେ ନାଜ୍‌ ନିଜର ଭାବପ୍ରବଣତା ପ୍ରକାଶ କରି ଅପହରଣ, ଦୁଷ୍କର୍ମ ଏବଂ ୭ ବର୍ଷୀୟା ନାବାଳିକା ଜଇନାବ୍‌ ଅନସରିର ହତ୍ୟା ସଂପର୍କରେ କହିବାରେ ଲାଗିଥିଲେ।

ଗତ ସପ୍ତାହରେ ଜଇନାବ୍‌ ନିଜ ପଡ଼ୋଶୀର ଘରକୁ ଯିବା ବାଟରେ ତାଙ୍କୁ ଅପହରଣ କରାଯାଇଥିଲା। ମଙ୍ଗଳବାର ଦିନ କସୁର ସହରର ଏକ ଅଳିଆ ଗଦାରୁ ତାଙ୍କ ମୃତଦେହ ମିଳିଥିଲା।

‘ଏକ ଛୋଟିଆ ଶରୀର ବଡ଼ ଅନୁଭବ। କସୁର ସହରର ରାସ୍ତାରେ ମିଳିଥିବା ହାଲୁକା ଶରୀରର ଓଜନକୁ ପୂରା ପାକିସ୍ତାନ ସହ୍ୟ କରିପାରୁନାହିଁ। ଯେପରି ମାନବିକତାର ଅନ୍ତିମ ସଂସ୍କାର ହୋଇଯିବା ପରି ଅନୁଭବ ହେଉଛି।’ ବୋଲି ନାଜ୍‌ କହିଛନ୍ତି।

ଉପସ୍ଥାପିକା ନାଜ୍‌ ଜୋର୍‌ ଦେଇ କହିଛନ୍ତି ଯେ ପୀଡ଼ିତାଙ୍କୁ ନ୍ୟାୟ ଏବଂ ଅପରାଧୀଙ୍କୁ ଦଣ୍ଡ ଦେବା ପ୍ରାଥମିକତା ହେବା ଆବଶ୍ୟକ।

ଏହି ମାମଲାରେ ନାଜ୍‌ ରାଜନୈତିକ ହସ୍ତକ୍ଷେପ ସଂପର୍କରେ ମତ ରଖିବା ସହ ପୁଲିସ୍‌ ବିଳମ୍ବରେ ତଦନ୍ତ କରିଥିବା ପ୍ରସଂଗ ମଧ୍ୟ ଉଠାଇଛନ୍ତି।

ସମ୍ବନ୍ଧିତ ଖବର