ନୂଆଦିଲ୍ଲୀ: ମଣିଷ ଯେତେବେଳେ ପ୍ରେମରେ ପଡ଼ିଯାଏ, ସେ ଜାତି, ଗୋତ୍ର, ଧର୍ମ, ଧନୀ କି ଗରିବ କିଛି ଦେଖେ ନାହିଁ। କେବଳ ସେ ନିଜ ପ୍ରେମକୁ ପାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାଏ। ନିକଟରେ ଏମିତି ଏକ ଉଦାହରଣ ପାକିସ୍ତାନରୁ ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଧନୀ ମହିଳା ତାଙ୍କର ଗାଡ଼ି ଚାଳକଙ୍କୁ ବିବାହ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଗାଡ଼ି ଚାଳକ ଜଣକ ଉକ୍ତ ମହିଳାଙ୍କ ଘରେ ଚାକିରି କରୁଥିଲେ। ତେବେ ଏହି ମହିଳାଙ୍କୁ ତାଙ୍କ ଗାଡ଼ି ଚାଳକଙ୍କ ଗାଡ଼ି ଚଲାଇବା ଓ ଗିୟର ବଦଳାଇବା ଶୈଳୀ ଖୁବ ପସନ୍ଦ ଆସିଥିଲା। ଏମିତି କି ସେ ଉକ୍ତ ଗାଡ଼ି ଚାଳକଙ୍କ ସହିତ ସାରା ଜୀବନ ସାଥୀ ହୋଇ ବାଟ ଚାଲିବାକୁ ସ୍ଥିର କରି ଦେଇଥିଲେ।
ନିଜ ଗାଡ଼ି ଚାଳକଙ୍କୁ ବିବାହ କରିବା ଘଟଣାକୁ ନେଇ ମହିଳା କହିଛନ୍ତି, ‘ମୋର ଯିଏ ସ୍ବାମୀ ହୋଇଛନ୍ତି, ସେ ବିବାହ ପୂର୍ବରୁ ମୋତେ ଗାଡ଼ି ଚଲାଇବା ଶିଖାଇବାକୁ ନେଇଥାଆନ୍ତି। ଏହି ସମୟରେ ମୋତେ ତାଙ୍କର ଗାଡ଼ିର ଗିୟର ବଦଳାଇବା ଓ ଗାଡ଼ି ଚଲାଇବା ଶୈଳୀ ଖୁବ ପସନ୍ଦ ଆସିଥିଲା। ତେଣୁ ମୁଁ ତାଙ୍କରି ସହିତ ଜୀବନସାଥୀ ହୋଇ ବାଟ ଚାଲିବାକୁ ସ୍ଥିର କରିଥିଲି। ଆଉ ଏ ନେଇ ଘରେ ଆଲୋଚନା କରିଥିଲି। ପ୍ରଥମେ ମୋର ପ୍ରସ୍ତାବରେ ଘରେ କେହି ରାଜି ହୋଇ ନଥିଲେ। ବହୁତ ବୁଝାଇବା ପରେ ପରିବାର ଲୋକ ଆମ ଦୁହିଁଙ୍କ ବିବାହ କରାଇ ଦେଇଥିଲେ। ଆଉ ମୁଁ ବି ଏହି ବିବାହରେ ବହୁତ ଖୁସି ଅଛି।’
ଇଏ ପ୍ରଥମ ଘଟଣା ନୁହେଁ, ବିଭିନ୍ନ ଦେଶରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳେ। ଯେଉଁଠି ଯୁବକଯୁବତୀ ନିଜ ଇଚ୍ଛାନୁସାରେ ପାତ୍ର ଚୟନ କରି ବିବାହ କରିଛନ୍ତି, ଯିଏକି ତାଙ୍କର ସାମାଜିକ, ପାରିବାରିକ ଓ ଆର୍ଥିକସ୍ତରର ହୋଇ ନଥାଏ।