ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ଉତ୍ତେଜନା ଲାଗି ରହିଛି। କିନ୍ତୁ ଏହା ସତ୍ତ୍ୱେ ଏହି ଦୁଇଦେଶର ଲୋକ ଅନ୍ୟ ଦେଶରେ ଭେଟ ହୁଅନ୍ତୁ ଭଲ ପଡୋଶୀ ଭାବେ କଥାବାର୍ତ୍ତା ହୋଇ ଥାଆନ୍ତି। ଏମିତି ଅନେକ ଘଟଣା ଦେଖିବାକୁ ମିଳିଛି। ବିଦେଶରେ ପାକିସ୍ତାନୀ-ଭାରତୀୟଙ୍କୁ କିମ୍ବା ଭାରତୀୟ-ପାକିସ୍ତାନୀଙ୍କୁ ସହାଯ୍ୟ କରିଥାଆନ୍ତି। ଏଭଳି ଏକ ହୃଦୟସ୍ପର୍ଶୀ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ପାକିସ୍ତାନୀ ଯୁବକ ଜଣେ ଭାରତୀୟ ଯୁବତୀଙ୍କୁ ସାହାଯ୍ୟ କରି ତାଙ୍କୁ ଅସୁବିଧାରେ ପଡ଼ିବାରୁ ବଞ୍ଚାଇଛନ୍ତି।
ଏଭଳି ଏକ ଘଟଣା ଦୁବାଇରେ ଘଟିଛି। ଏଠାରେ ପାକିସ୍ତାନୀ କ୍ୟାବ୍ ଚାଳକ ମୁଦାସର ଖାଦିମ୍ ଜଣେ ଭାରତୀୟ ଯୁବତୀ ରାଚେଲ ରୋଜଙ୍କ ହଜି ଯାଇଥିବା ମନିପର୍ସକୁ ଫେରାଇ ତାଙ୍କୁ ଅସୁବିଧାରେ ପଡ଼ିବା ପୂର୍ବରୁ ବଞ୍ଚାଇ ଦେଇଛନ୍ତି । ତେବେ ଏହି ଘଟଣାକୁ ନେଇ ରାଚେଲ ରୋଜ କହନ୍ତି, ଯଦି ତାଙ୍କର ହଜି ଯାଇଥିବା ପର୍ସ ନ ମିଳି ଥାଆନ୍ତା। ସେ ଦୁବାଇରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତେ। ଉକ୍ତ କ୍ୟାବ୍ ଚାଳକ ତାଙ୍କୁ ସୁରକ୍ଷିତ ଭାବେ ପର୍ସ ଫେରାଇ ତାଙ୍କ ହୃଦୟ ଜିତି ନେଇଥିବା ରୋଜ କହିଛନ୍ତି।
ଜାନୁଆରି ୪ ତାରିଖରେ ରାଚେଲ ରୋଜ ତାଙ୍କର ଜଣେ ସାଙ୍ଗଙ୍କ ଜନ୍ମଦିନ ଭୋଜିରେ ଯୋଗ ଦେବାକୁ ଦୁବାଇରେ ପହଞ୍ଚିଥିଲେ। ବିମାନବନ୍ଦରରେ ସେ ଖାଦିମଙ୍କ କ୍ୟାବ୍ ବୁକ୍ କରି ସେଥିରେ ବସି ଯାଇଥିବା ବେଳେ ତାଙ୍କ ସାଙ୍ଗ ବି ଏକ କ୍ୟାବ୍ ବୁକ୍ କରିଥିବା ଜାଣିବାକୁ ପାଇଲେ। ଏହାପରେ ରୋଜ ଖାଦିମ୍ଙ୍କ କ୍ୟାବ୍ରୁ ଓହ୍ଲାଇ ସାଙ୍ଗ ବୁକ୍ କରିଥିବା କ୍ୟାବ୍ରେ ବସି ଯାଇଥିଲେ। କିନ୍ତୁ ଏହି ସମୟରେ ଭୁଲବଶତଃ ସେ ନିଜ ପର୍ସକୁ ଖାଦିମ୍ଙ୍କ କ୍ୟାବ୍ରେ ଛାଡ଼ି ଚାଲି ଆସିଥିଲେ। ସେଥିରେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ, ହେଲଥ ଇନ୍ସୁରାନ୍ସ, କ୍ରେଡିଟ୍ କାଡର୍ସ, ଦୁବାଇର ଆଇଡି ଓ ନଗଦ ୨୦ହଜାର ଟଙ୍କା ଥିଲା।
ଖାଦିମ୍ ଯେତେବେଳେ ତାଙ୍କ କ୍ୟାବ୍ରେ ଛାଡ଼ି ଯାଇଥିବା ରୋଜଙ୍କ ପର୍ସ ଦେଖିଥିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଲୋଭ ନ କରି ପର୍ସକୁ ନିଜ ପାଖରେ ନ ରଖି ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ରୋଜଙ୍କୁ ଖୋଜି ବାହାର କରିବା ପରେ ଖାଦିମ୍ ତାଙ୍କୁ ସମସ୍ତ ସାମଗ୍ରୀ ସୁରକ୍ଷିତ ଭାବେ ଫେରାଇ ଦେଇଥିଲେ। ଖାଦିମ୍ଙ୍କ ଏଭଳି କାମକୁ ଏବେ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା କରାଯାଉଛି।