ଭାରତ ଓ ପାକିସ୍ତାନ ଭିତରେ ଦ୍ବିପାକ୍ଷିକ ସମ୍ପର୍କ ତିକ୍ତତାର ଚରମ ସୀମା ଛୁଇଁଥିବା ବେଳେ ପାକିସ୍ତାନୀ ଭିଡିଓ ବ୍ଲଗର (ଭ୍ଲଗର) ଅବ୍ରାର ହାସନଙ୍କ ଭାରତ ଭ୍ରମଣ ଏକ ଭିନ୍ନ ସନ୍ଦେଶ ଦେଇଛି। ଦୀର୍ଘ ୩୦ ଦିନର ୭,୦୦୦ କିଲୋମିଟର୍ ବ୍ୟାପୀ ବାଇକ୍ ଯାତ୍ରା ଭିତରେ ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମୁମ୍ବାଇ ଓ କେରଳ ଆଦି ରାଜ୍ୟର ଲୋକଙ୍କ ସହ ତାଙ୍କର ଭାବ ବିନିମୟର ଭିଡିଓଗୁଡ଼ିକୁ ସେ ସାମାଜିକ ଗଣମାଧ୍ୟମରେ ଛାଡ଼ି ପ୍ରଶଂସିତ ହେବାରେ ଲାଗିଛନ୍ତି। ଦୀର୍ଘ ବର୍ଷର ପ୍ରଚେଷ୍ଟା ପରେ ତାଙ୍କୁ ଭାରତରେ ପ୍ରବେଶ କରିବାର ଭିସା ମିଳିଥିଲା। ଗତ ଏପ୍ରିଲ ୩ ତାରିଖରେ ସେ ଏକୁଟିଆ ତାଙ୍କର ବିଏମ୍ଡବ୍ଲ୍ୟୁ ମୋଟର ସାଇକେଲରେ ଭାରତ ଯାତ୍ରା ଆରମ୍ଭ କରିଥିଲେ। ଅନେକ ସ୍ଥାନରେ ଲୋକେ ତାଙ୍କୁ ସାଦର ଆତିଥ୍ୟ ପ୍ରଦାନ କରିଥିଲେ।
ଆଉ କେତେଜଣ ଭାରତୀୟ ଯୁବକ ନିଜ ବାଇକ୍ରେ ତାଙ୍କ ସହ କିଛି ବାଟ ଯାତ୍ରା କରିବା ଘଟଣା ତାଙ୍କୁ ଅଭିଭୂତ କରିଦେଇଥିଲା। ଉତ୍ତରରୁ ଦକ୍ଷିଣ ଯାଏ ଭାରତ ଏକ ବିବିଧ ଭୂମିରୂପର ଦେଶ ଏବଂ ପ୍ରତ୍ୟେକ ଦିନ ଅଭିନବ ଅଭିଜ୍ଞତା ହାସଲ କରିବା ସହ ନୂଆ ନୂଆ ଲୋକଙ୍କ ବନ୍ଧୁତା ତାଙ୍କୁ ମୁଗ୍ଧ କରିଥିଲା ବୋଲି ଅବ୍ରାର ଲେଖିଛନ୍ତି। ପଡ଼ୋଶୀ ରାଷ୍ଟ୍ର ଭାରତ ପରିଭ୍ରମଣରେ ଆସି ଭାରତୀୟମାନଙ୍କ ମନ ଜିଣିବା ତାଙ୍କ ଯାତ୍ରାକୁ ଅଧିକ ଚର୍ଚ୍ଚିତ କରିଛି। ସାମାଜିକ ଗଣମାଧ୍ୟମରେ ତାଙ୍କର ଭାରତ ଭ୍ରମଣର ଅଭିଜ୍ଞତା ସମ୍ପର୍କରେ ଜାଣି ପାକିସ୍ତାନୀ ଲୋକମାନେ ମଧ୍ୟ ଭାରତର ସୌନ୍ଦର୍ଯ୍ୟ ଓ ଭାରତୀୟଙ୍କ ଖୋଲା ହୃଦୟକୁ ପ୍ରଶଂସା କରିଛନ୍ତି।