ଆମେରିକାରେ ଖୁବ୍ ଲୋକପ୍ରିୟ ହୋଇ ଚାଲିଥିବା ‘ଚାପୁଡ଼ା ଲଢ଼େଇ’ ବା ‘ସ୍ଲାପ୍ ଫାଇଟିଂ’ ନାମକ କ୍ରୀଡ଼ା ବିଷୟରେ ଆଗରୁ ଆଲୋଚିତ ହୋଇଛି। ଏବେ ସେଇଭ​ଳି ଏକ ମଜାଦାର ଖେଳ ‘ଚାପୁଡ଼ା କବାଡ଼ି’ ବିଷୟରେ ଜାଣିବା। ବିଶେଷ କରି ପାକିସ୍ତାନରେ ଖୁବ୍ ଲୋକପ୍ରିୟ ହୋଇଥିବା ଏହି ଖେଳର ନାମରୁ ଏଥିରେ ଦୁଇ ଦଳ ମଧ୍ୟରେ ଚାପୁଡ଼ା ମରାମରି ଓ ପାଟିତୁଣ୍ଡ ସଂଶ୍ଳିଷ୍ଟ ଥିବା ସହଜରେ ଅନୁମେୟ। କବାଡ଼ି ଖେଳ ପରି ଏଥିରେ ଦୁଇ ପକ୍ଷ ସାମିଲ ହୋଇଥା’ନ୍ତି। ମାତ୍ର କବାଡ଼ିରେ ପ୍ରତି ଦଳରେ ୭ ଜଣ ଲେଖାଏଁ ଖେଳାଳି ଥିବା ବେଳେ ଚାପୁଡ଼ା କବାଡ଼ିରେ ମାତ୍ର ଜଣେ ଲେଖାଏଁ ପ୍ରତିଦ୍ବନ୍ଦ୍ବୀ ଥାଆନ୍ତି। କବାଡ଼ିରେ ପ୍ରତିପକ୍ଷ ଖେଳାଳିଙ୍କୁ ବିଦା କରିବା ଅନୁସାରେ ପଏଣ୍ଟ ହିସାବ ହେଉଥିବା ବେଳେ ଏଥିରେ ପ୍ରତିପକ୍ଷ ଖେଳାଳିକୁ ନିର୍ବଳ କରି ପରାଜିତ କରିବା ହେଉଛି ଲକ୍ଷ୍ୟ। ସେହିପରି କବାଡ଼ିରେ ୨୦ ମିନିଟ୍ର ଦୁଇଟି ପାଳି ଥିବା ବେଳେ ଚାପୁଡ଼ା କବାଡ଼ିରେ କୌଣସି ସମୟସୀମା ନାହିଁ।
କବାଡ଼ି ଖେଳରେ ଖେଳାଳିଙ୍କୁ କବାଡ଼ି.. କବାଡ଼ି.. ବୋଲି ରାହା ଧରିବାକୁ ପଡୁଥିବା ବେଳେ ଏଥିରେ ଖାଲି ଚାପୁଡ଼ା ମାରି ମାରି ପ୍ରତିପକ୍ଷ ଖେଳାଳିଙ୍କୁ ଘାଇଲା ଓ ପରାଜିତ କରିବା ଦରକାର। ସେହିପରି କବାଡ଼ିରେ ଅନେକ ନୀତି ନିୟମ ଥିଲା ବେଳେ ଚାପୁଡ଼ା କବାଡ଼ିରେ କେବଳ ତତ୍କାଳ ଚାପୁଡ଼ା ମାରିବା ଛଡ଼ା ଅନ୍ୟ କିଛି ନିୟମ ନାହିଁ। ଅପରପକ୍ଷେ, ଚାପୁଡ଼ା ଭିତ୍ତିକ ଅନ୍ୟତମ ଖେଳ ‘ଚାପୁଡ଼ା ଲଢ଼େଇ’ରେ ଜଣେ ପ୍ରତିଦ୍ବନ୍ଦ୍ବୀ ହାତ ହୁଇଟିକୁ ପଛକୁ କରି ଛିଡ଼ା ହୋଇଥିବା ବେଳେ ପାଳି ପଡ଼ିଥିବା ପ୍ରତିପକ୍ଷ ଜଣକ ଚାପୁଡ଼ା ମାରିଥା’ନ୍ତି। ମାତ୍ର ଏହି ‘ଚାପୁଡ଼ା କବାଡ଼ି’ରେ ଉଭୟ ପ୍ରତିଦ୍ବନ୍ଦ୍ବୀ ଏକାବେଳକେ ଯିଏ ଯାହାର ଗାଲ କିମ୍ବା ଛାତିକୁ ଚାପୁଡ଼ା ମାରିପାରିବ। ଯିଏ ଯାହାକୁ ହରାଇ ବିଜେତା ହେଉ ନା କାହିଁକି, ଖୋଲା ସ୍ଥାନରେ ହେଉଥିବା ଏହି ଖେଳ ଲୋକଙ୍କ ମନୋରଂଜନର ମାଧ୍ୟମ ପାଲଟିଛି।