ନୂଆଦିଲ୍ଲୀ: ଆଇଆଇଟିରେ ନପଢ଼ି ବି ଆମାଜନରେ ମିଳିଲା ଚାକିରି। ୧କୋଟି ଟଙ୍କାର ପ୍ୟାକେଜରେ କାମ କରିବେ ପାୟଲ ମିତ୍ତଲ। ଏତେ ଭଲ ପ୍ୟାକେଜରେ ଚାକିରି କରିଥିବା ପାୟଲ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍)ର ଛାତ୍ରୀ ନୁଅନ୍ତି। ସାଧାରଣତଃ ଆଇଆଇଟି ବା ଆଇଆଇଏମରେ ପଢ଼ିଲେ ଭଲ କମ୍ପାନିରେ ଚାକିରି ମିଳେ ବୋଲି ଲୋକମାନଙ୍କ ଧାରଣା ଥିବା ବେଳେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ପାୟଲ।

Advertisment

ସୂଚନା ମୁତାବକ, ପାୟଲ ଆହ୍ଲାବାଦରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି)ରୁ ଇଞ୍ଜିନିୟରିଂ କରିଛନ୍ତି। ପାୟଲଙ୍କ ଲିଙ୍କଡଇନ୍ ଆକାଉଣ୍ଟ ଅନୁଯାୟୀ, ସେ ଅଗଷ୍ଟ ୨୦୨୨ରେ ଆମାଜନ ୱେବ୍ ସର୍ଭିସେସ୍ (ଏଡବ୍ଲୁଏସ) ପାଇଁ ସଫ୍ଟୱେର୍ ଡେଭଲପର୍ ଭାବରେ ଟେକ୍-ଜଏଣ୍ଟ ଆମାଜନର ବର୍ଲିନ୍ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ। ଏବେ ପ‌ାୟଲ ମିତ୍ତଲ ବେଙ୍ଗାଲୁରୁରେ ଥିବା ଫୋନ୍ ପେ’ କାର୍ଯ୍ୟାଳୟରେ ଉଚ୍ଚ ପଦବୀରେ କାମ କରୁଥିବା ଜଣାଯାଇଛି।

ଏହା ପୂର୍ବରୁ ପୁଣେର ଏମଆଇଟି-ୱାର୍ଲ୍ଡ ପିସ୍ ୟୁନିଭରସିଟିର ଛାତ୍ର ହର୍ଷଲ ଜୁଇକର ଗୁଗୁଲରେ ବାର୍ଷିକ ୫୦ଲକ୍ଷ ଟଙ୍କା ପ୍ୟାକେଜରେ ଚାକିରି ପାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ହର୍ଷଲ ବ୍ଲକଚେନ୍ ଟେକନୋଲୋଜିରେ ସ୍ନାତକତ୍ତୋର ହାସଲ କରିବା ପରେ ତାଙ୍କୁ ଏହି ଅଫର ମିଳିଥିଲା।

ଏ‌ତେ ବଡ଼ କମ୍ପାନିରେ ଚାକିରି ମିଳିବା ପରେ ହର୍ଷଲ କହିଥିଲେ, “ମୁଁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ କରୁଥିବା ସମୟରେ ନିଜ ଦକ୍ଷତାକୁ କ୍ରମାଗତ ଭାବରେ ଅପଡେଟ୍ କରିବାର ଗୁରୁତ୍ବ କେତେ ବୁଝିଥିଲି। ଫଳସ୍ୱରୂପ, ମୁଁ ଆନୁଷ୍ଠାନିକ ପାଠ୍ୟକ୍ରମ ବାହାରେ ମୋର ଜ୍ଞାନକୁ ବଢ଼ାଇବା ପାଇଁ ନିଜ ନିଜେ ବିଭିନ୍ନ ଟେକନୋଲୋଜି ବିଷୟରେ ପଢ଼ିବା ଆରମ୍ଭ କଲି। ଏହା ମୋତେ ଆଗକୁ ବଢ଼ିବାରେ ଏବଂ ଭଲ ଚାକିରି ଦେବାରେ ସାହାଯ୍ୟ କଲା। ମୁଁ ବିଶ୍ବ‌ାସ କରିପାରୁ ନାହିଁ ଯେ, ମୋତେ ଏତେ ବଡ଼ ସଫଳତା ମିଳିଛି। ମୋର କଠିନ ପରିଶ୍ରମ ଏବଂ ନିଷ୍ଠା ପାଇଁ ମୋତେ ଗୁଗୁଲରେ କାମ କରିବାର ସୁଯୋଗ ମିଳିଛି। ମୁଁ ଏହି ଅବିଶ୍ୱସନୀୟ ଯାତ୍ରା ଆରମ୍ଭ କରିବାକୁ ଏବଂ ଏଭଳି ସମ୍ମାନଜନକ ପ୍ଲାଟଫର୍ମରେ କାମ କରି ଟେକ୍ନୋଲୋଜି ଜଗତରେ ନିଜର ଯୋଗଦାନ କରିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛି।”