ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡ଼ିଆମାନଙ୍କ ପାଇଁ ଏକ ମୁଖ୍ୟ ସଂକ୍ରାନ୍ତି। ଏହାକୁ ଓଡ଼ିଆ ନବ ବର୍ଷ ଭାବେ ମଧ୍ୟ ପାଳନ କରାଯାଏ । ଓଡ଼ିଶାରେ ଲୋକେ ନିକଟସ୍ଥ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥାନ୍ତି । ଏହି ଅବସରରେ କଟକର ଚଣ୍ଡୀ ମନ୍ଦିର, ଯାଜପୁରର ବିରଜା ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର, ଗଞ୍ଜାମର ତାରାତାରିଣୀ ମନ୍ଦିରରେ ଅଧିକ ଭିଡ଼ ପରିଲକ୍ଷିତ ହୋଇଥାଏ ।
ପଣା ସଂକ୍ରାନ୍ତିରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲିଥିବା ଝାମୁଯାତ୍ରା ଶେଷ ହୋଇଥାଏ । ଭଦ୍ରକ ଜିଲ୍ଲାର ଛତ୍ରପଦାଠାରେ ଥିବା ମଙ୍ଗଳା ମନ୍ଦିରରେ ପାଟୁଆ ଯାତ୍ରା ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥାଏ । ଏହା ଏପ୍ରିଲ ୧୪ ତାରିଖରୁ ୨୧ ତାରିଖ ଯାଏଁ ଚାଲେ । ଉତ୍ତର ଓଡ଼ିଶାରେ ଏହାକୁ ଚଡ଼କ ପର୍ବ ବୋଲି ମଧ୍ୟ କୁହାଯାଇଥାଏ । ଦକ୍ଷିଣ ଓଡ଼ିଶାରେ ପଣା ସଂକ୍ରାନ୍ତି ସମୟରେ ଦଣ୍ଡନାଟ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହା ପ୍ରାୟ ଏକମାସ ଧରି ଚାଲିଥାଏ । ଏହି ଅବସରରେ ତାରାତାରିଣୀ ଶକ୍ତିପୀଠରେ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇଥାଅାନ୍ତି ।
ପଣାସଂକ୍ରାନ୍ତିରେ ଓଡ଼ିଆମାନେ ଠାକୁରଙ୍କ ପାଖରେ ଛତୁଆ ଭୋଗ ଲଗାଇବାର ମଧ୍ୟ ପରଂପରା ରହିଛି । ଏହି ଦିନଠାରୁ ଛତୁଆ ଖିଆ ଆରମ୍ଭ ହୋଇଥାଏ ।
ଓଡ଼ିଆ ପରଂପରା ଅନୁଯାୟୀ ପଣା ସଂକ୍ରାନ୍ତିକୁ ଭଗବାନ ହନୁମାନଙ୍କର ଜନ୍ମଦିନଭାବେ ବି ପାଳନ କରାଯାଏ । ଏହି କାରଣରୁ ଏହି ତିଥିରେ ଓଡ଼ିଆମାନେ ହନୁମାନଙ୍କ ମନ୍ଦିରକୁ ଯାଇ ବିଶେଷ ପୂଜାର୍ଚ୍ଚନା ମଧ୍ୟ କରିବାର ଦେଖିବାକୁ ମିଳେ । ଏହା ଛଡ଼ା ଓଡ଼ିଆମାନେ ଶିବ ମନ୍ଦିର ଓ ବିଭିନ୍ନ ଶକ୍ତିପୀଠରେ ବି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥାନ୍ତି । ପଣା ସଂକ୍ରାନ୍ତି ପ୍ରତିବର୍ଷ ଏପ୍ରିଲ୍ ୧୪ ତାରିଖରେ ପଡ଼ିଥାଏ । ଏହା ହେଉଛି ଚୈତ୍ର ମାସର ୨୪ ତମ ଦିବସ ।