ଭାରତୀୟ ସଂସ୍କୃତିରେ ନଦୀର ଜଳକୁ ସାଧାରଣତଃ ପବିତ୍ରତମ ଭାବରେ ଗ୍ରହଣ କରାଯାଏ। ସେଥିପାଇଁ କେଉଁ ପ୍ରାଚୀନ କାଳରୁ ନଦୀଜଳର ପୂଜନକୁ ମହତ୍ତ୍ୱ ଓ ନଦୀକୁ ମାତାର ସମ୍ମାନ ପ୍ରଦାନ କରାଯାଇଛି। ଭାରତର ଗଙ୍ଗା ଓ ଯମୁନାକୁ ଯେପରି ପବିତ୍ରତମ ନଦୀର ମାନ୍ୟତା ପ୍ରଦାନ କରାଯାଇଛି, ସେହିପରି ପଞ୍ଚ-ପ୍ରୟାଗର ସୃଷ୍ଟିକାରିଣୀ ବିଷ୍ଣୁଗଙ୍ଗାଙ୍କୁ ମଧ୍ୟ ପବିତ୍ରତମ ସ୍ଥାନ ପ୍ରଦାନ କରାଯାଏ। ‘ବିଷ୍ଣୁଗଙ୍ଗା’ଙ୍କର ସାଂପ୍ରତିକ ନାମ ଅଳକାନନ୍ଦା। ଏହି ବିଷ୍ଣୁଗଙ୍ଗା ଅଳକାନନ୍ଦା ହେବାର କାରଣ ହେଲା- ଭଗୀରଥ ତପସ୍ୟା କରି ଯେଉଁ ବିଷ୍ଣୁଗଙ୍ଗାଙ୍କୁ ମର୍ତ୍ତ୍ୟଲୋକକୁ ଆଣିବାକୁ ଚାହିଁଥିଲେ, ସେ ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପଦ ଧୌତ କାଳରେ ଆସି ଶିବଙ୍କ ଅଳକା ମଧ୍ୟରେ ଆବଦ୍ଧ ହୋଇ ରହିଗଲେ। ଭଗୀରଥ ଶିବଙ୍କୁ ସନ୍ତୁଷ୍ଟ କରି ବିଷ୍ଣୁଗଙ୍ଗାଙ୍କୁ ଶିବଙ୍କ ଅଳକା ପଂକ୍ତି ମଧ୍ୟରୁ ମୁକ୍ତ କଲେ। ତେଣୁ ତାଙ୍କର ନାମ ହେଲା ଅଳକାନନ୍ଦା।
ସାଧାରଣତଃ ହିନ୍ଦୁ ଧର୍ମାନୁସାରେ ନଦୀମାନଙ୍କର ସଙ୍ଗମ ସ୍ଥଳକୁ ପ୍ରୟାଗ କୁହାଯାଏ। ଶିବଙ୍କ ଅଳକାରୁ ବାହାରି, ଭଗବାନ ବଦ୍ରୀନାଥଙ୍କର ଚରଣ ସ୍ପର୍ଶ କରି ପ୍ରବାହିତ ହୋଇ, ଧୌଳି ଗଙ୍ଗା ସହିତ ସଂଗମ କରି ବିଷ୍ଣୁଗଙ୍ଗା ସର୍ବଶ୍ରେଷ୍ଠ ପ୍ରୟାଗ- ‘ବିଷ୍ଣୁପ୍ରୟାଗ’ ସୃଷ୍ଟି କଲେ। ଏହାପରେ ପାର୍ବତ୍ୟ ଉପତ୍ୟକା ଦେଇ କିଛିବାଟ ତଳକୁ ପ୍ରବାହିତ ହେବା ପରେ, ପୁଷ୍ପାବତୀ ନଦୀ ସହିତ ମିଳିତ ହୋଇ ‘ନନ୍ଦପ୍ରୟାଗ’ର ସୃଷ୍ଟି। ନନ୍ଦପ୍ରୟାଗ ତଳକୁ ପିଣ୍ଡାରୀ ସହିତ ମିଳିତ ହୋଇ ‘କର୍ଣ୍ଣପ୍ରୟାଗ’, କର୍ଣ୍ଣପ୍ରୟାଗଠାରୁ ତଳକୁ ବହି ମନ୍ଦାକିନୀ ସହିତ ମିଳିତ ହେବା ପରେ ‘ରୁଦ୍ରପ୍ରୟାଗ’, ଏବଂ ରୁଦ୍ରପ୍ରୟାଗ ତଳକୁ ଭାଗୀରଥୀ ସହିତ ମିଳିତ ହେଲା ପରେ ‘ଦେବପ୍ରୟାଗ’ର ସୃଷ୍ଟି। ଦେବ ପ୍ରୟାଗରୁ ଅଳକାନନ୍ଦାର ସ୍ରୋତ ଗଙ୍ଗା ନାମରେ ତାର ସତ୍ତା ହରାଇ ବସିଛି।
ଏହି ପ୍ରତ୍ୟେକ ପ୍ରୟାଗ ଏକ ଏକ ପାବନ ସ୍ଥଳୀ ଏବଂ ପ୍ରତ୍ୟେକ ପ୍ରୟାଗ ଏକ ଏକ ସ୍ମୃତିଲିପିକୁ ନେଇ ପୂର୍ଣ୍ଣଗର୍ଭା। ଯେପରି ବିଷ୍ଣୁପ୍ରୟାଗରେ ସ୍ୱୟଂ ବିଷ୍ଣୁ ବିରାଜମାନ, କର୍ଣ୍ଣପ୍ରୟାଗରେ କର୍ଣ୍ଣଙ୍କର କବଚ କୁଣ୍ଡଳ ଲାଭ, ରୁଦ୍ରପ୍ରୟାଗରେ ସ୍ୱୟଂ ରୁଦ୍ରଙ୍କର ତାଣ୍ଡବ ଓ ରୁଦ୍ରବୀଣା ବାଦନ, ନନ୍ଦପ୍ରୟାଗରେ ଶିବଙ୍କ ତ୍ରିଶୂଳ ଆଘାତରେ ପୁଷ୍ପାବତୀର ସୃଷ୍ଟି ଇତ୍ୟାଦି।
ଲୋକକଥା ଅନୁସାରେ, ଭାଗୀରଥୀ ଓ ଅଳକାନନ୍ଦାଙ୍କୁ ଶାଶୂ-ବୋହୂ ନଦୀ କୁହନ୍ତି। ଗଙ୍ଗା ଶାଶୂ ପରି କଳନାଦିନୀ ଖରସ୍ରୋତା ହେଲାବେଳେ, ଅଳକାନନ୍ଦା ବୋହୂ ପରି ଶାନ୍ତ ଓ ସୁଶୀଳା। କିନ୍ତୁ ପାର୍ବତ୍ୟ ଉପତ୍ୟକା ଦେଇ ପ୍ରବାହିତ ଅଳକାନନ୍ଦା ବାପଘର ଝିଅ ପରି ଅତ୍ୟନ୍ତ ପ୍ରଖରା ଓ ଚଞ୍ଚଳା। ନାଚିକୁଦି ବହୁଛି। କିନ୍ତୁ ଦେବପ୍ରୟାଗଠାରେ ଗଙ୍ଗାରେ ଲୀନ ହେଲାବେଳେ ସେ ଅତ୍ୟନ୍ତ ଶାନ୍ତ-ସ୍ୱଚ୍ଛ। ଏହିଠାରେ ଦୁଇ ନଦୀ ମାଟି ସ୍ପର୍ଶ କରି ଲୋକକଲ୍ୟାଣ ନିମିତ୍ତ ବହିର୍ଗତା।
-ଡକ୍ଟର ତୁଳସୀ ଓଝା