ନୂଆବର୍ଷ କହିଲେ, ଆମ ମନକୁ ଆସେ ଇଂରାଜୀ ନବବର୍ଷ ଜାନୁଆରୀ ୧ ତାରିଖ କଥା। ମାତ୍ର ଆମ ଭାରତୀୟ ସଂସ୍କୃତିରେ ନୂଆବର୍ଷ ପାଳନର ପରମ୍ପରା ସଂପୂର୍ଣ୍ଣ ଭିନ୍ନ। ଆମପାଇଁ ନୂଆବର୍ଷ କେବଳ ଏକ ତାରିଖ ନୁହେଁ; ଏହା ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟ ଆଦି ଗ୍ରହ, ଉପଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତି ତଥା ଋତୁଚକ୍ର ସହ ଜଡ଼ିତ।
ଭାରତର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ପରମ୍ପରା ଅନୁସାରେ, ଏହି ନବବର୍ଷ ଭିନ୍ନ ଭିନ୍ନ ସମୟରେ ପାଳିତ ହୋଇଥାଏ। ଚାନ୍ଦ୍ର ଗଣନାରେ ଚୈତ୍ର ମାସର ପ୍ରଥମଦିନ ହିଁ ନବବର୍ଷ। ଯେଉଁ ରାଜ୍ୟଗୁଡ଼ିକରେ ଅମାନ୍ତ ମାସ ଗଣନା କରାଯାଏ, ସେଠାରେ ଅମାବାସ୍ୟାର ପରଦିନ, ଅର୍ଥାତ୍ ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦରୁ ହିଁ ଚୈତ୍ରମାସର ଆରମ୍ଭ। ଏହି ହିସାବରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଗୋଆ ଆଦି ଅଞ୍ଚଳରେ ଚୈତ୍ର ଶୁକ୍ଳ ପ୍ରତିପଦାକୁ ହିନ୍ଦୁ ନବବର୍ଷ, ସୃଷ୍ଟିର ଆରମ୍ଭ ଦିବସ ଓ ‘ୟୁଗାଦି’ ନାମରେ ପାଳନ କରାଯାଏ। ମହାରାଷ୍ଟ୍ରରେ ଏହି ଦିନଟି ‘ଗୁଡ଼ି ପଡ଼ୱା’ ଏବଂ କାଶ୍ମୀରରେ ‘ନବରେହ’ ନାମରେ ପାଳିତ ହୁଏ। ଏବର୍ଷ ମାର୍ଚ୍ଚ ୨୨ ତାରିଖରେ ଚୈତ୍ର ଶୁକ୍ଳ ପ୍ରତିପଦା ପଡ଼ିଥିବାରୁ, ଏହିଦିନ ହିନ୍ଦୁ ‘ୟୁଗାଦି’, ‘ଗୁଡ଼ିପଡ଼ୱା’ ଓ ‘ନବରେହ’ ଆଦି ଉତ୍ସବ ପାଳିତ ହୋଇଯାଇଛି।
ମାତ୍ର ଅନ୍ୟ ଅଞ୍ଚଳରେ ସୌରଗଣନା ଭିତ୍ତିରେ ମେଷ ସଂକ୍ରାନ୍ତି ଦିନଟିକୁ ବର୍ଷର ପ୍ରଥମ ଦିନ ବା ନବବର୍ଷ ଭାବରେ ପାଳନ କରାଯାଏ। ଏଣୁ ଆଗାମୀ ଏପ୍ରିଲ ୧୪ ତାରିଖରେ ଏହି ନବବର୍ଷ ପାଳିତ ହେବ। ଓଡ଼ିଶାରେ ଏହି ଦିନଟିକୁ ମହାବିଷୁବ ସଂକ୍ରାନ୍ତି ବା ‘ପଣାସଂକ୍ରାନ୍ତି’ ଭାବରେ ପାଳନ କରାଯାଉଥିବାବେଳେ, ପଞ୍ଜାବରେ ‘ବୈଶାଖୀ’, ତାମିଲନାଡୁରେ ‘ପୁଥାଣ୍ଡୁ’, କେରଳରେ ‘ବିଷୁ’ ଓ ଆସାମରେ ‘ବିହୁ’ ନାମରେ ପାଳନ କରାଯାଏ। ପ୍ରାୟ ସମଗ୍ର ଉତ୍ତର ଭାରତରେ ମେଷ ସଂକ୍ରାନ୍ତି ହିଁ ନବବର୍ଷ ଭାବରେ ପାଳିତ ହୁଏ। ତେବେ ଗୁଜୁରାଟରେ କାର୍ତ୍ତିକ ଅମାବାସ୍ୟା ବା ଦୀପାବଳି ଅମାବାସ୍ୟାର ପରଦିନ, ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ପ୍ରତିପଦକୁ ନବବର୍ଷ ରୂପେ ପାଳନ କରାଯାଇଥାଏ।