ବୁଝନ୍ତୁ ବା ନ ବୁଝନ୍ତୁ, ପ୍ରାୟ ସମସ୍ତେ ନିଜର ରାଶି-ନକ୍ଷତ୍ର ମନେ ରଖିଥାଆନ୍ତି। ନବଜାତକର କୋଷ୍ଠୀ ତିଆରି କଲାବେଳେ ତା’ର ଜନ୍ମସ୍ଥାନ ଓ ସମୟ ଭିତ୍ତିରେ ଚନ୍ଦ୍ରଙ୍କର ସ୍ଥିତି ନେଇ ଏଇ ରାଶି-ନକ୍ଷତ୍ରର ନିରୂପଣ କରାଯାଇଥାଏ। ସୂର୍ଯ୍ୟ ଚାରିପଟେ ପୃଥିବୀର ପରିକ୍ରମଣ ସମୟ ଏକ ବର୍ଷ ହୋଇଥିବା ବେଳେ, ଚନ୍ଦ୍ରଙ୍କର ପୃଥିବୀ ଚାରିପଟେ ପରିକ୍ରମଣର ସମୟ ମାତ୍ର ୨୯.୫ ଦିନ। ଏଣୁ ଆପେକ୍ଷିକ ଗତିରେ ସୂର୍ଯ୍ୟ ଆକାଶପଥରେ ୩୬୦ ଡିଗ୍ରୀ ବା ବାରଗୋଟି ରାଶି ଅତିକ୍ରମ କରିବାକୁ ୩୬୫ ଦିନ ନେଉଥିବା ବେଳେ, ଚନ୍ଦ୍ର ବାରଟି ରାଶି ଅତିକ୍ରମ କରିବାକୁ ୨୯.୫ ଦିନ ନିଅନ୍ତି। ଅର୍ଥାତ୍ ଗୋଟିଏ ରାଶିରେ ସେ ପ୍ରାୟ ୨.୫ ଦିନରୁ କିଛି କମ୍ ସମୟ ଅବସ୍ଥାନ କରି ପରବର୍ତ୍ତୀ ରାଶିକୁ ଯାଆନ୍ତି।
ଆକାଶପଥରେ ସୂର୍ଯ୍ୟ ବା ଚନ୍ଦ୍ରଙ୍କର ସ୍ଥିତି ଠିକ୍ ଭାବରେ ନିରୂପଣ କରିବାପାଇଁ, ୩୬୦ ଡିଗ୍ରୀର ସମୁଦାୟ ନଭମଣ୍ଡଳକୁ ୧୨ଟି ରାଶିରେ ବିଭାଜିତ କରାଯାଇଥିବା ବେଳେ, ସ୍ଥିତିକୁ ଆହୁରି ନିର୍ଦ୍ଦିଷ୍ଟ କରିବାପାଇଁ ଏହି ୩୬୦ ଡିଗ୍ରୀ ମଣ୍ଡଳକୁ ୨୭ଟି ନକ୍ଷତ୍ରରେ ବିଭାଜିତ କରାଯାଇଛି। ସେଗୁଡ଼ିକ ହେଲେ- ୧.ଅଶ୍ୱିନୀ, ୨.ଦ୍ୱିଜା, ୩. କୃତ୍ତିକା, ୪. ରୋହିଣୀ, ୫.ମୃଗଶିରା, ୬. ଆର୍ଦ୍ରା, ୭.ପୁନର୍ବସୁ, ୮.ପୁଷ୍ୟା, ୯. ଅଶ୍ଳେଷା, ୧୦.ମଘା, ୧୧.ପୂର୍ବାଫାଲ୍ଗୁନି, ୧୨.ଉତ୍ତରା ଫାଲ୍ଗୁନି, ୧୩.ହସ୍ତା, ୧୪.ଚିତ୍ରା, ୧୫.ସ୍ୱାତୀ, ୧୬. ବିଶାଖା, ୧୭. ଅନୁରାଧା, ୧୮.ଜ୍ୟେଷ୍ଠା, ୧୯.ମୂଳା, ୨୦. ପୂର୍ବାଷାଢ଼ା, ୨୧.ଉତ୍ତରାଷାଢ଼ା, ୨୨. ଶ୍ରବଣା, ୨୩. ଧନିଷ୍ଠା, ୨୪.ଶତଭିଷା, ୨୫.ପୂର୍ବଭାଦ୍ର, ୨୬.ଉତ୍ତରଭାଦ୍ର ଓ ୨୭.ରେବତୀ।
ଚନ୍ଦ୍ର ୨୯.୫ ଦିନରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ର ପରିକ୍ରମଣ କରୁଥିବାରୁ, ଗୋଟିଏ ରାଶିର ଅବସ୍ଥାନ କାଳରେ୨.୨୫ ନକ୍ଷତ୍ର ପରିକ୍ରମଣ କରିଥାନ୍ତି। ଏହାକୁ ସ୍ପଷ୍ଟ ଭାବରେ ଦର୍ଶାଇବାପାଇଁ ପ୍ରତ୍ୟେକ ନକ୍ଷତ୍ରରେ ଚନ୍ଦ୍ରଙ୍କର ଅବସ୍ଥାନ ସମୟକୁ ୪ଟି ସମାନ ପାଦରେ ବିଭକ୍ତ କରାଯାଇଛି। ଗୋଟିଏ ରାଶିରେ ଅବସ୍ଥାନ କାଳରେ ଚନ୍ଦ୍ର ତିନିଟି ନକ୍ଷତ୍ରର ମୋଟ ୯ଟି ପାଦ ଅତିକ୍ରମ କରନ୍ତି। ଉଦାହରଣ ସ୍ୱରୂପ, ଚନ୍ଦ୍ର ମେଷ ରାଶିରେ ଅବସ୍ଥାନ କରୁଥିବା ସମୟରେ ଅଶ୍ୱିନୀ ନକ୍ଷତ୍ରର ଚାରିପାଦ, ଦ୍ୱିଜା ନକ୍ଷତ୍ରର ଚାରିପାଦ ଓ କୃତ୍ତିକା ନକ୍ଷତ୍ରର ଏକପାଦ ଅତିକ୍ରମ କରନ୍ତି। ପାଞ୍ଜିରେ ପ୍ରତ୍ୟେକ ଦିନ ପାଇଁ ଚନ୍ଦ୍ରଙ୍କର ରାଶି ଓ ନକ୍ଷତ୍ରର ଅବସ୍ଥାନ ସୂଚାଇ ଦିଆଯାଇଥାଏ। କୌଣସି ନବଜାତକର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନିର୍ଦ୍ଦିଷ୍ଟ ରାଶି ଓ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ତାହା ହିଁ ସଂପୃକ୍ତ ବ୍ୟକ୍ତିର ରାଶି-ନକ୍ଷତ୍ର ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/654fs654fh65hfsfh.jpg)