ବର୍ଷକ ବାରମାସ: ବୈଶାଖ, ଜ୍ୟେଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲଗୁନ ଓ ଚୈତ୍ର। ମାତ୍ର ପାଞ୍ଜିରେ ଆମେ ବେଳେବେଳେ ଦେଖୁ, କୌଣସି ଗୋଟିଏ ମାସ ଦୁଇଥର ପଡ଼େ। ତାହାକୁ ଯୋଡ଼ା ମାସ କୁହାଯାଏ। ସେଥିରୁ ଗୋଟିଏ ଶୁଦ୍ଧ ମାସ ହୋଇଥିବା ବେଳେ- ଅନ୍ୟଟି ମଳମାସ ହୁଏ। ମନରେ ପ୍ରଶ୍ନ ଉଠେ- ଏପରି କାହିଁକି ହୁଏ?
ପୂର୍ବରୁ ଆଲୋଚନା କରାଯାଇଛି, ଯେ ପୃଥିବୀର ସୂର୍ଯ୍ୟ ଚାରିପଟେ ପରିକ୍ରମଣର ସମୟକାଳକୁ ନେଇ ବର୍ଷକର ଅବଧି ୩୬୫ଦିନ ହୋଇଥାଏ। ମାତ୍ର ଚନ୍ଦ୍ର ପୃଥିବୀ ଚାରିପାଖରେ ଥରେ ଘୂରି ଆସିବାର ସମୟ କାଳକୁ ନେଇ ହିସାବ କରାଯାଉଥିବା ଚାନ୍ଦ୍ରମାସର ଅବଧି ୨୯.୫ଦିନ। ସେହି ହିସାବରେ ଗୋଟିଏ ଚାନ୍ଦ୍ର ବର୍ଷର ଅବଧି ହେବ ୩୫୪ ଦିନ; (୨୯.୫ x ୧୨)। ଏଣୁ ସୌରବର୍ଷ ତୁଳନାରେ ଚାନ୍ଦ୍ରବର୍ଷ ୧୧ ଦିନ କମ୍ ହେଉଥିବାରୁ, ତିନିବର୍ଷରେ ଏହି ଫରକ ୩୩ ଦିନ, ଅର୍ଥାତ୍ ଏକ ମାସରୁ ଅଧିକ ହୋଇଯାଏ। ଏଣୁ ସୌର ଓ ଚାନ୍ଦ୍ରବର୍ଷରେ ମେଳ ରଖିବାପାଇଁ ମଝିରେ ମଝିରେ କୌଣସି ଗୋଟିଏ ମାସକୁ ବଢ଼ାଇବାକୁ ପଡ଼େ। ସେହି ବର୍ଷ ସଂପୃକ୍ତ ମାସଟି ଦୁଇଥର ଆସେ। ସେଥିରୁ ଗୋଟିଏ ‘ଶୁଦ୍ଧ’ ଓ ଅନ୍ୟଟି ‘ମଳ’ ହୁଏ। ଆମେ ଜାଣୁ, ଯେ ଏହିପରି ଭାବରେ, ଯେଉଁବର୍ଷ ଯୋଡ଼ା ଆଷାଢ଼ ପଡ଼େ, ସେହିବର୍ଷ ଶ୍ରୀଜଗନ୍ନାଥଙ୍କର ନବକଳେବର ହୋଇଥାଏ।
ଯେଉଁବର୍ଷ କୌଣସି ମାସ ଦୁଇଥର ପଡ଼େ, ସେହି ଦୁଇମାସ ମଧ୍ୟରୁ ପ୍ରଥମ ମାସର କୃଷ୍ଣପକ୍ଷ ଓ ଦ୍ୱିତୀୟ ମାସର ଶୁକ୍ଳପକ୍ଷକୁ ଶୁଦ୍ଧ ମାସ ରୂପେ ଗ୍ରହଣ କରାଯାଏ। ଅର୍ଥାତ୍ ପ୍ରଥମ ମାସର ଶୁକ୍ଳ ଓ ଦ୍ୱିତୀୟ ମାସର କୃଷ୍ଣପକ୍ଷକୁ ନେଇ ମଳ ମାସ ହୁଏ। ଏହି ମଳ ମାସରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ।
ତେବେ ମଳମାସର ଶୁକ୍ଳ ପକ୍ଷରେ ଯଦି କୌଣସି ଶିଶୁର ଜନ୍ମ ବା କୌଣସି ବ୍ୟକ୍ତିର ମୃତ୍ୟୁ ହୁଏ, ତେବେ ସେହି ଶିଶୁର ସ୍ୱନକ୍ଷତ୍ର ତଥା ମୃତକଙ୍କ ଶ୍ରାଦ୍ଧ, ଆଗାମୀ ବର୍ଷରେ ସେହି ମାସର ଶୁକ୍ଳ ପକ୍ଷରେ କରାଯାଇଥାଏ। ସେହିପରି, ମଳମାସ କୃଷ୍ଣପକ୍ଷରେ ଜନ୍ମିତଙ୍କ ସ୍ୱନକ୍ଷତ୍ର ଓ ମୃତକଙ୍କ ବାର୍ଷିକ ଶ୍ରାଦ୍ଧ, ଆଗାମୀ ବର୍ଷରେ ପରବର୍ତ୍ତୀ ମାସର କୃଷ୍ଣପକ୍ଷରେ କରାଯାଏ। ଯେଉଁ ବର୍ଷ ପୁଣି ଥରେ ସେହି ମାସ ଯୋଡ଼ା ପଡ଼େ, ସେତେବେଳେ ସ୍ୱନକ୍ଷତ୍ର ବା ଶ୍ରାଦ୍ଧ ସେହି ମଳ ମାସରେ ହୁଏ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp