ଶୁଭ ସମୟ ସୂଚାଇବାକୁ ଯାଇ ଆମେ ‘ମାହେନ୍ଦ୍ର ମୁହୂର୍ତ୍ତ\’ ଓ ‘ମାହେନ୍ଦ୍ର ବେଳା\’ ଭଳି ଶବ୍ଦ ବ୍ୟବହାର କରୁ। କିନ୍ତୁ ପାଞ୍ଜି ଭାଷାରେ ମାହେନ୍ଦ୍ର ବେଳା ବା ମାହେନ୍ଦ୍ର ଯୋଗର ସ୍ୱତନ୍ତ୍ର ତାତ୍ପର୍ଯ୍ୟ ରହିଛି। କେଉଁଦିନ କେଉଁ ସମୟରେ ମାହେନ୍ଦ୍ର ବେଳା ଅଛି, ତାହା ଗଣନା କରି ପାଞ୍ଜିରେ ଦର୍ଶାଯାଇଥାଏ।
‘ମହେନ୍ଦ୍ର’ ଶବ୍ଦର ଅର୍ଥ ‘ଇନ୍ଦ୍ର’। ମହେନ୍ଦ୍ର ଯୋଗ ଅର୍ଥାତ୍ ଇନ୍ଦ୍ର ଯୋଗ, ଜ୍ୟୋତିଷଶାସ୍ତ୍ର ଅନୁସାରେ ‘ମାହେନ୍ଦ୍ର’ ଯୋଗ। ଏହା ଅତ୍ୟନ୍ତ ଶୁଭଯୋଗ। ଗୋଟିଏ ଦିନ ଭିତରେ ଅର୍ଥାତ୍ ଦିବା ଓ ରାତ୍ର ଉଭୟ କାଳ ଭିତରେ ମାହେନ୍ଦ୍ର (ଶୁଭ), ଅମୃତ (ଶୁଭ), ବକ୍ର (ଅଶୁଭ) ଓ ଶୂନ୍ୟ (ଅଶୁଭ) ଏହିପରି ଚାରିଟି ଯୋଗ ଭୋଗ ହୁଏ। ମାସ ଓ ବାର ଭେଦରେ, ଦିବସ ଓ ରାତ୍ରିର ଭିନ୍ନ ଭିନ୍ନ ସମୟରେ, ଏହି ସବୁ ଯୋଗର ନିର୍ଦ୍ଦିଷ୍ଟ ସମୟ ନିରୂପଣ କରିବା ପାଇଁ ସ୍ୱତନ୍ତ୍ର ହିସାବ ରହିଛି।

Advertisment

ପ୍ରତିଦିନ ଭୋଗ ହେଉଥିବା ମାହେନ୍ଦ୍ର, ଅମୃତ, ବକ୍ର ଓ ଶୂନ୍ୟ ଯୋଗ ମଧ୍ୟରୁ, ବକ୍ର- କାର୍ଯ୍ୟନାଶକ, ଶୂନ୍ୟ- ଅମଙ୍ଗଳସୂଚକ, ମାହେନ୍ଦ୍ର ଓ ଅମୃତ- ସିଦ୍ଧିଦାୟକ। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ସମୟକୁ ‘ଦିବାମାନ’ ଓ ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ ସମୟକୁ ‘ରାତ୍ରିମାନ’ କୁହାଯାଏ। ଦିବାମାନକୁ ସମାନ ୧୫ ଭାଗ କଲେ, ପ୍ରତ୍ୟେକ ଭାଗ ‘ଦିବା-ମୁହୂର୍ତ୍ତ’ ଓ ‘ରାତ୍ରିମାନ’କୁ ୧୫ ଭାଗ କଲେ ପ୍ରତ୍ୟେକ ଭାଗକୁ ‘ରାତ୍ରି-ମୁହୂର୍ତ୍ତ’ କୁହାଯାଏ। ପ୍ରତ୍ୟେକ ମୁହୂର୍ତ୍ତର ଅବଧି ପ୍ରାୟ ୪୮ ମିନିଟ୍। ବିଭିନ୍ନ ମାସର ବିଭିନ୍ନ ବାରରେ ଦିନ ଓ ରାତିର କେଉଁ ମୁହୂର୍ତ୍ତରେ କେଉଁ ଯୋଗ ପଡ଼ିବ, ତାହାର ସ୍ୱତନ୍ତ୍ର ସାରଣୀ ରହିଛି।

ବାରଟି ସୌରମାସ ମଧ୍ୟରୁ ମକର, କୁମ୍ଭ, ମୀନ, ମେଷ, କର୍କଟ ଓ ସିଂହ ମାସରେ ଯୋଗମାନଙ୍କର ସ୍ଥିତି ଗୋଟିଏ ପ୍ରକାର ହେଉଥିବା ବେଳେ, କନ୍ୟା, ତୁଳା, ବିଛା ଓ ଧନୁ ମାସରେ ତାହା ଅନ୍ୟପ୍ରକାର ହୋଇଥାଏ। ବାକି ବୃଷ ଓ ମିଥୁନ ମାସରେ ଏହି ଯୋଗମାନଙ୍କର ସ୍ଥିତି ଅନ୍ୟ ଏକ ପ୍ରକାର ହୁଏ। ପୁଣି ରାତିରେ ଯୋଗସ୍ଥିତି ଗୋଟିଏ ପ୍ରକାର ହେଉଥିଲାବେଳେ ଦିନରେ ଅନ୍ୟ ଏକ ପ୍ରକାର ହୁଏ। ମାହେନ୍ଦ୍ର ଯୋଗରେ ଯାତ୍ରା କଲେ ସବୁଠାରେ ଜୟ, ବକ୍ରଯୋଗରେ ଯାତ୍ରା କଲେ କାର୍ଯ୍ୟନାଶ, ଅମୃତ ଯୋଗରେ କାର୍ଯ୍ୟସିଦ୍ଧି ଓ ଶୂନ୍ୟଯୋଗରେ ମୃତ୍ୟୁ ବା ଅପମାନ ଘଟେ ବୋଲି ବିଶ୍ୱାସ କରାଯାଏ।