ପାଞ୍ଜିର ଅନେକ ସ୍ଥାନରେ ଆମେ ‘ଶରଣ’, ‘ଶରଣ ଆରମ୍ଭ’, ‘ଶରଣ ଶେଷ’ ଆଦି ଲେଖାଥିବାର ଦେଖୁ। ପ୍ରତ୍ୟେକ ମାସରେ ଲଗାତାର ପାଞ୍ଚଦିନ ଏହିଭଳି ଲେଖା ଥାଏ। ଏହି ପାଞ୍ଚଦିନକୁ ‘ଶରଣ ପଞ୍ଚକ’ କୁହାଯାଏ।
କାର୍ତ୍ତିକ ମାସର ଶେଷ ପାଞ୍ଚଦିନରେ ‘ପଞ୍ଚକ’ ପାଳନ କଥା ଆମେ ଜାଣୁ। ମାତ୍ର ‘ଶରଣ ପଞ୍ଚକ’ ତାହାଠାରୁ ଭିନ୍ନ। ପ୍ରତି ମାସରେ ପଡ଼ୁଥିବା ଏହି ‘ଶରଣ ପଞ୍ଚକ’ ପ୍ରକୃତରେ କ’ଣ, ଏହା କେଉଁଦିନ ପଡ଼େ ଏବଂ ଏହାର ତାତ୍ପର୍ଯ୍ୟ କ’ଣ, ଆମେ ଜାଣିବା ଆବଶ୍ୟକ।
ଚନ୍ଦ୍ରଙ୍କର ସ୍ଥିତିକୁ ନେଇ ପାଞ୍ଜିରେ ‘ଶରଣ ପଞ୍ଚକ’ର ସମୟ କାଳ ନିର୍ଦ୍ଧାରଣ କରାଯାଇଥାଏ। ଆମେ ଜାଣୁ, ଯେ ପ୍ରତ୍ୟେକ ମାସରେ ଚନ୍ଦ୍ର ୩୬୦ ଡିଗ୍ରୀ ପରିମିତ ନଭମଣ୍ଡଳରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ର ଦେଇ ଗତି କରନ୍ତି। ପ୍ରତି ରାଶିରେ ସେ ପ୍ରାୟ ଅଢ଼େଇ ଦିନ ରହୁଥିବା ବେଳେ, ପ୍ରତ୍ୟେକ ନକ୍ଷତ୍ରରେ ଗୋଟିଏ ଦିନରୁ ସାମାନ୍ୟ ଅଧିକ ସମୟ ରହନ୍ତି। ଯେଉଁ ପାଞ୍ଚଦିନରେ ଚନ୍ଦ୍ର ଉତ୍ତରାଷାଢ଼ା (୨୧), ଶ୍ରବଣା (୨୨), ଧନିଷ୍ଠା (୨୩), ଶତଭିଷା (୨୪) ଓ ପୂର୍ବଭାଦ୍ର (୨୫) ନକ୍ଷତ୍ରରେ ଅବସ୍ଥାନ କରନ୍ତି, ସେହି ଦିନଗୁଡ଼ିକୁ ‘ଶ୍ରବଣ ପଞ୍ଚକ’ ବା ‘ଶରଣ ପଞ୍ଚକ’ କୁହାଯାଏ। ଏହି ସମୟ ମଧ୍ୟରେ ଚନ୍ଦ୍ର ମକର ଓ କୁମ୍ଭ ରାଶିକୁ ଅତିକ୍ରମ କରନ୍ତି। ଲଗାତାର ପଡ଼ୁଥିବା ଏହି ଶରଣ ପାଞ୍ଚଦିନ ସମୟ ମଧ୍ୟରେ, ଘର ତିଆରି ଆରମ୍ଭ କରିବା, ଛପର କରିବା, ଛାତ ପକାଇବା, ଗୃହ ପ୍ରବେଶ ଆଦି କାର୍ଯ୍ୟ କରିବା ନିଷେଧ ଥାଏ। ଏପରିକି ମୃତ୍ତିକା, ତୃଣ, କାଷ୍ଠାଦି ଛେଦନ କରିବା କିମ୍ବା କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାପାଇଁ ମଧ୍ୟ ବାରଣ ରହିଥାଏ। ଶରଣ ପଞ୍ଚକରେ ଦକ୍ଷିଣ ଦିଗକୁ ଯାତ୍ରା କରିବା ମଧ୍ୟ ନିଷିଦ୍ଧ ହୋଇଥାଏ।
ତେବେ ଅନ୍ୟ ଏକ ମତ ଅନୁସାରେ, ଚନ୍ଦ୍ର କୁମ୍ଭ ଓ ମୀନ ରାଶିରେ ଶେଷ ପାଞ୍ଚଟି ନକ୍ଷତ୍ର, ଯଥା- ଧନିଷ୍ଠା (୨୩), ଶତଭିଷା (୨୪) ପୂର୍ବଭାଦ୍ର (୨୫), ଉତ୍ତରଭାଦ୍ର (୨୬) ଓ ରେବତୀ (୨୭)ରେ ଥିବା ବେଳେ, ଉକ୍ତ ପାଞ୍ଚଦିନକୁ ଶରଣ ପଞ୍ଚକ କୁହାଯାଏ। ମାତ୍ର ତାହା ଓଡ଼ିଶାରେ ପ୍ରଚଳିତ ନୁହେଁ।

Advertisment