କୌଣସି ବ୍ୟକ୍ତିଙ୍କ ଜନ୍ମ ସମୟରେ ଚନ୍ଦ୍ର ଯେଉଁ ରାଶି-ନକ୍ଷତ୍ରରେ ଅବସ୍ଥାନ କରୁଥାଆନ୍ତି, ତାହା ହିଁ ତାଙ୍କର ରାଶି-ନକ୍ଷତ୍ର। ପାଞ୍ଜିଗଣନା ଅନୁସାରେ ଆମେ ସଂପୃକ୍ତ ବ୍ୟକ୍ତିଙ୍କର ଜନ୍ମଦିନ ପାଳନ କଲାବେଳେ ତିଥି ଓ ନକ୍ଷତ୍ର ଉଭୟ ଦେଖୁ। ଚନ୍ଦ୍ର ପୁଣିଥରେ ସ୍ୱ-ନକ୍ଷତ୍ରରେ ଅବସ୍ଥାନ କଲେ ଏହା ପାଳନ କରାଯାଉଥିବାରୁ, ଏହାକୁ ସ୍ୱନକ୍ଷତ୍ର ଦିବସ କୁହାଯାଏ। ତେବେ ଆଜିକାଲି ତିଥି ଓ ନକ୍ଷତ୍ର ଭିତ୍ତିରେ ସ୍ୱନକ୍ଷତ୍ର ଦିବସ ପାଳନ ବଦଳରେ, ଲୋକେ ଇଂରାଜୀ ତାରିଖ ହିସାବରେ ଜନ୍ମଦିନ ପାଳନ କରୁଛନ୍ତି। ଏହି ତାରିଖ ସହ ତିଥି ଓ ନକ୍ଷତ୍ରର କୌଣସି ମେଳ ନଥାଏ। ପୁଣି ରାଶିଫଳ ଦେଖିବା ବେଳେ ଜନ୍ମତାରିଖ ହିସାବରେ ଆମର ରାଶି ଯାହା ବାହାରେ, ତାହା ଜନ୍ମତିଥିରେ ନିର୍ଣ୍ଣିତ ରାଶିଠାରୁ ଭିନ୍ନ ଥାଏ। ମନରେ ପ୍ରଶ୍ନ ଉଠେ, ଏପରି କାହିଁକି ହୁଏ?
ଏହାର କାରଣ, ପାଶ୍ଚାତ୍ୟ ଗଣନାଠାରୁ ଆମ ପାଞ୍ଜିର ‘ନିରୟଣ’ ଗଣନା ସଂପୂର୍ଣ୍ଣ ଅଲଗା। ଆମେ ଜନ୍ମ ସମୟରେ ଚନ୍ଦ୍ରଙ୍କର ସ୍ଥିତି ନେଇ ରାଶି ଓ ନକ୍ଷତ୍ର ନିର୍ଣ୍ଣୟ କରୁଥିବା ବେଳେ, ସେମାନେ ସୂର୍ଯ୍ୟଙ୍କର ସ୍ଥିତି ନେଇ ଏହି ଗଣନା କରନ୍ତି। ପୁଣି ଆମେ ସୂର୍ଯ୍ୟଙ୍କର ବିଭିନ୍ନ ରାଶିକୁ ଚଳନକୁ ସଂକ୍ରାନ୍ତି ଦ୍ୱାରା ସୂଚାଉଥିବା ବେଳେ, ପାଶ୍ଚାତ୍ୟ ‘ସାୟନ’ ଗଣନାରେ ନିର୍ଦ୍ଦିଷ୍ଟ ତାରିଖକୁ ନେଇ ଏହାକୁ ସୂଚିତ କରାଯାଏ।

Advertisment

ଉଦାହରଣ ସ୍ୱରୂପ, ପାଶ୍ଚାତ୍ୟ ଗଣନା ଅନୁସାରେ- ମାର୍ଚ୍ଚ ୨୧ ସମଦିବାରାତ୍ର ଦିବସଠାରୁ ବର୍ଷର ଆରମ୍ଭ; ମାର୍ଚ୍ଚ ୨୧ରୁ ଏପ୍ରିଲ ୧୯, ‘ମେଷ’ ମାସ। ଏଣୁ ଏହି ସମୟକାଳ ମଧ୍ୟରେ ଜନ୍ମିତ ସମସ୍ତ ବ୍ୟକ୍ତିଙ୍କର ରାଶି ମେଷ। ସେହି କ୍ରମରେ ଏପ୍ରିଲ୍ ୨୦ରୁ ମେ ୨୦ ମଧ୍ୟରେ ଜନ୍ମିତ ସମସ୍ତ ବ୍ୟକ୍ତିଙ୍କର ରାଶି ବୃଷ। ଅର୍ଥାତ୍‌, କେବଳ ଜନ୍ମ ତାରିଖ ଦେଖି ସେମାନେ ରାଶି ନିରୂପଣ କରନ୍ତି। ଏଭଳି ରୀତିରେ ପ୍ରସ୍ତୁତ ରାଶିଫଳରେ ରାଶି ନିକଟରେ ବନ୍ଧନୀ ମଧ୍ୟରେ ଦୁଇଟି ତାରିଖ ଲେଖାଥାଏ ଏବଂ ସେଇ ଦୁଇ ତାରିଖ ମଧ୍ୟରେ ଜନ୍ମିତ ବ୍ୟକ୍ତିଙ୍କର ରାଶି ତାହା ବୋଲି ଗ୍ରହଣ କରାଯାଏ। ମାତ୍ର ଆମ ପାଞ୍ଜିର ନିରୟଣ ଗଣନାରେ ତାହା ହୁଏନାହିଁ। ଚନ୍ଦ୍ର ଗୋଟିଏ ମାସ ଭିତରେ କ୍ରମାନ୍ୱୟରେ ସମସ୍ତ ୧୨ଟି ରାଶିରେ ଅବସ୍ଥାନ କରୁଥିବାରୁ, ଜନ୍ମସମୟ ଓ ସ୍ଥାନ ଅନୁସାରେ ଚନ୍ଦ୍ରଙ୍କର ସ୍ଥିତି ଆଧାରରେ ଗୋଟିଏ ମାସ ଭିତରେ ଜନ୍ମିତ ବ୍ୟକ୍ତିଙ୍କର ରାଶି ଓ ନକ୍ଷତ୍ର ଭିନ୍ନ ଭିନ୍ନ ହୋଇଥାଏ।