ପାଞ୍ଜିିକଥା: ସୂର୍ଯ୍ୟୋଦୟ

ପୂର୍ବଦିନ ନିଶାର୍ଦ୍ଧରୁ ଅର୍ଥାତ୍ ରାତି ୧୨ଟାରୁ ଇଂରାଜୀ ତାରିଖର ଦିନ ଆରମ୍ଭ ହେଉଥିବାବେଳେ, ଆମ ପାଞ୍ଜି ଗଣନାରେ ଦିବସର ଆରମ୍ଭ ସୂର୍ଯ୍ୟୋଦୟଠାରୁ ହିଁ ହୋଇଥାଏ। ପୃଥିବୀ ତାହାର ଅକ୍ଷ ଚାରିପଟେ ଥରେ ଘୂରି ଆସିବାକୁ ଚବିଶ ଘଣ୍ଟା ସମୟ ନିଏ। ଏହା ପଶ୍ଚିମରୁ ପୂର୍ବକୁ ଘୂରୁଥିବାରୁ ପୃଥିବୀପୃଷ୍ଠର କୌଣସି ଗୋଟିଏ ସ୍ଥାନ ସୂର୍ଯ୍ୟଙ୍କ ସମ୍ମୁଖକୁ ଆସିଲେ ସେଠାରେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ହୁଏ। ଏହା ହିଁ ଦିବସର ପ୍ରାରମ୍ଭ କାଳ। ପୃଥିବୀର ଘୂର୍ଣ୍ଣନ ସହିତ ସୂର୍ଯ୍ୟ ଧୀରେ ଧୀରେ ଉପରକୁ ଉଠି ମୁଣ୍ଡଉପରକୁ ଆସନ୍ତି ଏବଂ ସନ୍ଧ୍ୟାରେ ପଶ୍ଚିମ ଦିଗରେ ସୂର୍ଯ୍ୟାସ୍ତ ହୁଏ। ଚବିଶ ଘଣ୍ଟା ମଧ୍ୟରେ ପୃଥିବୀ ନିଜ ଅକ୍ଷ ଚାରିପଟେ ଗୋଟିଏ ଘୂର୍ଣ୍ଣନ ଶେଷ କରିବା ବେଳକୁ ସଂପୃକ୍ତ ସ୍ଥାନଟି ପୁଣିଥରେ ସୂର୍ଯ୍ୟଙ୍କ ସମ୍ମୁଖକୁ ଆସେ ଏବଂ ସେଠାରେ ପରବର୍ତ୍ତୀ ଦିନର ସୂର୍ଯ୍ୟୋଦୟ ହୁଏ। ଗୋଟିଏ ସୂର୍ଯ୍ୟୋଦୟଠାରୁ ପରବର୍ତ୍ତୀ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟକୁ ଆମେ ଗୋଟିଏ ଦିନ ବୋଲି ଗଣନା କରୁ।

ପୃଥିବୀ ପ୍ରାୟ ଗୋଲାକାର ହୋଇଥିବାରୁ, ପୃଥିବୀପୃଷ୍ଠରେ ବିଭିନ୍ନ ସ୍ଥାନର ଅକ୍ଷାଂଶ ଓ ଦ୍ରାଘିମାକୁ ନେଇ ସେଠାର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ସମୟ ଭିନ୍ନ ଭିନ୍ନ ହୋଇଥାଏ। ଓଡ଼ିଶା ରାଜ୍ୟ ଭିତରେ ମଧ୍ୟ, ଭିନ୍ନ ଭିନ୍ନ ସ୍ଥାନରେ ସୂର୍ଯ୍ୟୋଦୟର ସମୟ ଭିନ୍ନ। ସାଧାରଣତଃ ଶ୍ରୀମନ୍ଦିରରେ ପ୍ରଚଳିତ ପଞ୍ଜିକା ଗୁଡ଼ିକରେ ଭାରତୀୟ ମାନକ ସମୟ (ଷ୍ଟାଣ୍ଡାର୍ଡ଼ ଟାଇମ୍‌)ରେ ପୁରୀ ପାଇଁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ସମୟ ଉଲ୍ଲେଖ କରାଯାଇଥାଏ। ଅନ୍ୟସ୍ଥାନର ସୂର୍ଯ୍ୟୋଦୟ ସମୟ ଜାଣିବା ପାଇଁ ସେଥିରେ କିଛି ସମୟ ଅଧିକ ବା କମ୍ କରିବାକୁ ହୁଏ। ପାଞ୍ଜିରେ ଏହି ସମୟ ବ୍ୟବଧାନର ସାରଣୀ ମଧ୍ୟ ଦିଆଯାଇଥାଏ।

ସୂର୍ଯ୍ୟୋଦୟର ସମୟ ନିର୍ଣ୍ଣୟ କରିବାରେ କେତୋଟି ସମସ୍ୟା ରହିଛି। ଆମେ ଯଦି ସୂର୍ଯ୍ୟୋଦୟ ସମୟରେ ଦିଗ୍‌ବଳୟକୁ ଲକ୍ଷ୍ୟ କରିବା, ତେବେ ପ୍ରଥମେ ସୂର୍ଯ୍ୟବିମ୍ବର ଊର୍ଦ୍ଧ୍ୱଭାଗ ଏକ ରେଖା ଭଳି ଦୃଶ୍ୟ ହେବ। ତା’ପରେ ଧୀରେ ଧୀରେ ସୂର୍ଯ୍ୟ ଉପରକୁ ଉଠି ସଂପୂର୍ଣ୍ଣ ଗୋଲାକାର ସୂର୍ଯ୍ୟବିମ୍ବ ଦୃଶ୍ୟ ହେବ। ସୂର୍ଯ୍ୟବିମ୍ବ ଦିଗ୍‌ବଳୟକୁ ସ୍ପର୍ଶ କରିବାର ଆଦ୍ୟ ମୁହୂର୍ତ୍ତକୁ ଊର୍ଦ୍ଧ୍ୱବିମ୍ବ ସୂର୍ଯ୍ୟୋଦୟ ବୋଲି କୁହାଯାଏ। କେତେକ ପାଞ୍ଜିରେ ଏହି ଊର୍ଦ୍ଧ୍ୱବିମ୍ବ ସୂର୍ଯ୍ୟୋଦୟର ସମୟ ଦର୍ଶାଯାଉଥିବାବେଳେ, ଅନ୍ୟ କେତେକରେ ମଧ୍ୟବିମ୍ବ ସୂର୍ଯ୍ୟୋଦୟର ଅର୍ଥାତ୍ ସୂର୍ଯ୍ୟବିମ୍ବର ଠିକ୍ ଅର୍ଦ୍ଧେକ ଦୃଶ୍ୟ ହେବାର ସମୟ ଦର୍ଶାଯାଇଥାଏ। ଏହି ଦୁଇଟି ମଧ୍ୟରେ ପ୍ରାୟ ଦୁଇରୁ ତିନି ମିନିଟର ତଫାତ ରହେ। ଜ୍ୟୋତିଷୀ ଗଣନାରେ ସାଧାରଣତଃ ମଧ୍ୟବିମ୍ବ ସୂର୍ଯ୍ୟୋଦୟ ସମୟକୁ ଆଧାର କରି ଗଣନା କରାଯାଇଥାଏ।

ସମ୍ବନ୍ଧିତ ଖବର