ଶ୍ରଦ୍ଧାର ସହ ପୂର୍ବପୁରୁଷଙ୍କ ତୃପ୍ତିବିଧାନ କରି ତାଙ୍କଠାରୁ ଆଶୀର୍ବାଦ କାମନା କରିବା ଶ୍ରାଦ୍ଧର ମୁଖ୍ୟ ଉଦ୍ଦେଶ୍ୟ। ଭିନ୍ନ ଭିନ୍ନ ଶ୍ରାଦ୍ଧପାଇଁ ଉପଯୁକ୍ତ ସମୟ କାଳ ନିର୍ଦ୍ଦିଷ୍ଟ କରାଯାଇଛି। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ସମୟ (ଦିନମାନ)କୁ ପଞ୍ଚଧା ବିଭକ୍ତ କଲେ ତାର ତୃତୀୟ ଭାଗରୂପ ମଧ୍ୟାହ୍ନରେ ଏକୋଦ୍ଦିଷ୍ଟ ଶ୍ରାଦ୍ଧ ଓ ଚତୁର୍ଥ ଭାଗରୂପ ଅପରାହ୍ଣରେ ପାର୍ବଣ ଶ୍ରାଦ୍ଧ କରାଯିବାର ବିଧି ରହିଛି। ଏଣୁ ମଧ୍ୟାହ୍ନ ବା ଅପରାହ୍ଣ ସମୟକୁ କେଉଁ ତିଥି ଅଛି ଦେଖି ସଂପୃକ୍ତ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ପାଞ୍ଜିରେ ଦର୍ଶାଯାଇଥାଏ। ଏହି କାରଣରୁ ବେଳେବେଳେ କୌଣସି ତିଥିର ପାର୍ବଣ ଶ୍ରାଦ୍ଧ ଗୋଟିଏ ଦିନ ପଡ଼ୁଥିବାବେଳେ ଏକୋଦ୍ଦିଷ୍ଟ ଶ୍ରାଦ୍ଧ ତାହାର ପରଦିନ ପଡ଼ିଥାଏ।
ଶୁଭକାର୍ଯ୍ୟରେ ମଧ୍ୟ ଶ୍ରାଦ୍ଧ କରାଯାଇଥାଏ। ଏହାକୁ ବୃଦ୍ଧିଶ୍ରାଦ୍ଧ କୁହାଯାଏ। ବୈଦିକ ସଂସ୍କୃତି ଅନୁସାରେ, କୌଣସି ଶୁଭକାର୍ଯ୍ୟ ଆରମ୍ଭରୁ ପ୍ରଥମେ ପିତୃଲୋକଙ୍କୁ ଶ୍ରାଦ୍ଧରେ ଅର୍ଚ୍ଚନା କରିବାକୁ ହୁଏ। ନାନ୍ଦୀମୁଖ ଶ୍ରାଦ୍ଧ ଏହାର ଉଦାହରଣ। ‘ନାନ୍ଦୀ’ ଶବ୍ଦର ଅର୍ଥ ସମୃଦ୍ଧି। ସନ୍ତାନମାନଙ୍କର ଉପନୟନ, ବିବାହ ଆଦି ସଂସ୍କାର କାଳରେ ପିତା ଏହି ଶ୍ରାଦ୍ଧ କରିଥାନ୍ତି।
ପ୍ରତି ଅମାବାସ୍ୟାରେ ନିତ୍ୟ ଶ୍ରାଦ୍ଧ କରାଯିବା ସଂପର୍କରେ ଆଗରୁ ଆଲୋଚନା କରାଯାଇଛି। ଯୁଗାଦି, ଅଷ୍ଟକାଦି ତିଥିରେ ମଧ୍ୟ ଏହି ନିତ୍ୟଶ୍ରାଦ୍ଧ କରାଯାଏ। ବୈଶାଖ ଶୁକ୍ଳପକ୍ଷ ତୃତୀୟାରେ ସତ୍ୟଯୁଗ, କାର୍ତ୍ତିକ ଶୁକ୍ଳ ନବମୀରେ ତ୍ରେତା ଯୁଗ, ଭାଦ୍ର କୃଷ୍ଣ ତ୍ରୟୋଦଶୀରେ ଦ୍ୱାପର ଯୁଗ ଓ ମାଘ ପୂର୍ଣ୍ଣମୀରେ କଳିଯୁଗ ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ଏହି ତିଥିମାନଙ୍କରେ ଯୁଗାଦି ଶ୍ରାଦ୍ଧ କରାଯାଏ। ସେହିପରି ପୌଷ, ମାଘ ଓ ଫାଲଗୁନ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଅଷ୍ଟକା ଏବଂ ନବମୀ ତିଥିରେ ଅନ୍ୱଷ୍ଟକା ଶ୍ରାଦ୍ଧ କରାଯାଏ। ଏଗୁଡ଼ିକ ନିତ୍ୟଶ୍ରାଦ୍ଧ।
ଆଶ୍ୱିନ ମାସ କୃଷ୍ଣପକ୍ଷ(ଅପରପକ୍ଷ)ରେ ପ୍ରତିଦିନ ଶ୍ରାଦ୍ଧ କରିବାର ବିଧି ରହିଛି। ବିଶେଷକରି ମହାଳୟା ଅମାବାସ୍ୟାରେ ଶ୍ରାଦ୍ଧ ସର୍ବଥା କରଣୀୟ। ଏହା କାମ୍ୟ ଶ୍ରାଦ୍ଧ। ଆଶ୍ୱିନ ଅମାବାସ୍ୟାରେ ଶ୍ରାଦ୍ଧ କରି ନପାରିଲେ, ଦୀପାବଳି ଅମାବାସ୍ୟାରେ ଶ୍ରାଦ୍ଧ କର୍ତ୍ତବ୍ୟ। କାରଣ ସୂର୍ଯ୍ୟ କନ୍ୟା ଓ ତୁଳା ରାଶିରେ ଗତି କରୁଥିବା ଯାଏଁ ଶ୍ରାଦ୍ଧକାଳ ରହେ। କୌଣସି କାରଣରୁ କେହି ପାର୍ବଣ ଶ୍ରାଦ୍ଧ କରିବାକୁ ଅକ୍ଷମ ହେଲେ, ପିଣ୍ଡ ଅର୍ଘ୍ୟାଦି ବିନା ସଂକଳ୍ପ ଶ୍ରାଦ୍ଧ କରିବା ଉଚିତ। ତାହା ମଧ୍ୟ ସମ୍ଭବ ନହେଲେ ତିଳ, କୁଶ ସହିତ ଜଳ ତର୍ପଣ ତଥା ବ୍ରାହ୍ମଣକୁ ଭୋଜ୍ୟ ପ୍ରଦାନ ମାଧ୍ୟମରେ ପୂର୍ବପୁରୁଷଙ୍କୁ ଶ୍ରଦ୍ଧା ନିବେଦନ କରିବା ଉଚିତ।