ପାଞ୍ଜି କଥା: ପଞ୍ଚମ ତଥା ଶେଷ ଭାଗ କରଣ ସଂପର୍କରେ ଜାଣନ୍ତୁ

ପାଞ୍ଜି ବା ପଞ୍ଚାଙ୍ଗର ପାଞ୍ଚଟି ଅଙ୍ଗ ମଧ୍ୟରୁ ୪ଟି, ଯଥା: ତିଥି, ବାର, ନକ୍ଷତ୍ର ଓ ଯୋଗ ସଂପର୍କରେ ଆମେ ଆଲୋଚନା କରିସାରିଛେ। ଏବେ ଶେଷ ଭାଗରେ ପଞ୍ଚମ ଅଙ୍ଗ ‘କରଣ’ ସମ୍ପର୍କରେ ଜାଣିବା।
ପ୍ରତ୍ୟେକ ମାସରେ ଦୁଇଟି ପକ୍ଷ ଓ ପ୍ରତ୍ୟେକ ପକ୍ଷରେ ୧୫ଟି ତିଥି ଥାଏ। ସେହିପରି ଗୋଟିଏ ତିଥିରେ ଦୁଇଟି ‘କରଣ’ ଥାଏ। ଅର୍ଥାତ୍‌, ଗୋଟିଏ ତିଥିର ଅଧା ସମୟ ହେଉଛି ଏକ ‘କରଣ’।
ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୧ଟି କରଣ ରହିଛି। ସେଗୁଡ଼ିକ ହେଲେ- ୧. କିନ୍ତୁଘ୍ନ, ୨. ବବ, ୩. ବାଳବ, ୪. କୌଳବ, ୫. ତୈତିଳ, ୬. ଗର, ୭. ବଣିଜ, ୮. ବିଷ୍ଟି, ୯. ଶକୁନି, ୧୦. ଚତୁଷ୍ପଦ ଓ ୧୧. ନାଗ। ଏଥି ମଧ୍ୟରୁ ୪ଟି କରଣ ସ୍ଥିର ଏବଂ ଅନ୍ୟ ୭ଟିର ପୁନରାବର୍ତ୍ତନ ହେଉଥାଏ।
ମନରେ ପ୍ରଶ୍ନ ଉଠେ, ଯଦି ୧ ତିଥି=୨ କରଣ, ତେବେ ମାସକ ମଧ୍ୟରେ ୩୦ ତିଥିରେ ୬୦ଟି କରଣ ରହିବ। ୧୧ଟି କରଣ ଚଳୁଛି କିପରି? ଏଠାରେ ମନେ ରଖିବାକୁ ହେବ ଯେ ୧୧ଟି କରଣ ମଧ୍ୟରୁ, ୪ଟି ଯଥା: ଶକୁନି(୯), ଚତୁଷ୍ପଦ (୧୦), ନାଗ (୧୧) ଓ କିନ୍ତୁଘ୍ନ (୧) ମାସକରେ ମାତ୍ର ଥରେ ନିର୍ଦ୍ଦିଷ୍ଟ ତିଥିରେ ଆସେ। ବାକି ୭ଟି କରଣର ବବ (୨)ରୁ ବିଷ୍ଟି (୮) କ୍ରମରେ ୮ଥର ପୁନରାବର୍ତ୍ତନ ହୁଏ। ଏହିପରି ୭x୮=୫୬ ଏବଂ ତା’ ସହ ୪ଟି ସ୍ଥିର କରଣ ମିଶି ୬୦ କରଣ ପୂରଣ ହୁଏ।
ପ୍ରତିମାସରେ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିର ଦ୍ୱିତୀୟାର୍ଦ୍ଧରେ ‘ଶକୁନି’ କରଣ ପଡ଼େ। ଅମାବାସ୍ୟାର ପ୍ରଥମାର୍ଦ୍ଧରେ ‘ଚତୁଷ୍ପଦ’, ‘ଶେଷାର୍ଦ୍ଧରେ ‘ନାଗ’ ଓ ଶୁକ୍ଳ ପ୍ରତିପଦର ପ୍ରଥମାର୍ଦ୍ଧରେ ପଡ଼ୁଥିବା ଚାରିଟି ସ୍ଥିର କରଣ (ଶକୁନି, ଚତୁଷ୍ପଦ, ନାଗ ଓ କିନ୍ତୁଘ୍ନ)ର ଅଧିପତି ହେଲେ ଯଥାକ୍ରମେ କଳି, ବୃଷ, ସର୍ପ ଓ ପବନ। ଏହି ୪ଟି କରଣ ଅଶୁଭ ହୋଇଥିବାରୁ ସେହି ସମୟରେ ଶୁଭକର୍ମ କରାଯାଏ ନାହିଁ।
ବିଷ୍ଟି ଓ ଗର କରଣ ମଧ୍ୟ ଅଶୁଭ। ବିଷ୍ଟିକୁ ବିଷପ୍ରାୟ ଅଶୁଭ ମନେ କରି ସମସ୍ତ ଶୁଭକର୍ମରେ ବର୍ଜନ କରାଯାଏ। ଯଦିଓ ବିଷ୍ଟିର କିଛି ଅଂଶ ଅଶୁଭ, ଏହାର ଗଣନା ଜଟିଳ ହୋଇଥିବାରୁ ସମ୍ପୂର୍ଣ୍ଣ ବିଷ୍ଟିକୁ ଅଶୁଭ ବୋଲି ଧରି କୌଣସି ଶୁଭକାର୍ଯ୍ୟରେ ଗ୍ରହଣ କରାଯାଏ ନାହିଁ।

ସମ୍ବନ୍ଧିତ ଖବର