ଚନ୍ଦ୍ରଙ୍କର ଗତି ଅନୁସାରେ ପାଞ୍ଜିରେ ତିଥି ଗଣନା କରାଯାଏ ଏବଂ ପର୍ବପର୍ବାଣିଗୁଡ଼ିକ ତିଥି ଅନୁସାରେ ପାଳନ କରାଯାଏ। ଚନ୍ଦ୍ର ଆମ ପୃଥିବୀର ଏକମାତ୍ର ଉପଗ୍ରହ। ଏହା ପୃଥିବୀ ଭଳି ନିଜ ଅକ୍ଷ ଚାରିପଟେ ନଟୁ ପରି ଘୂରେ ଏବଂ ପୃଥିବୀ ଚାରିପଟେ ମଧ୍ୟ ପ୍ରଦକ୍ଷିଣ କରେ। ପୃଥିବୀ ଚାରିପଟେ ଥରେ ପ୍ରଦକ୍ଷିଣ କରି ଆସିବାକୁ ଚନ୍ଦ୍ର ୨୯.୫ ଦିନ ସମୟ ନିଏ। ଏଣୁ ଗୋଟିଏ ପୂର୍ଣ୍ଣିମାଠାରୁ ୨୯.୫ ଦିନ ପରେ ପରବର୍ତ୍ତୀ ପୂର୍ଣ୍ଣିମା ଆସେ। ଏହାକୁ ଆମେ ଏକମାସ ବୋଲି ହିସାବ କରୁ।

Advertisment

ପ୍ରକୃତରେ ପୃଥିବୀ ଚାରିପଟେ ପ୍ରଦକ୍ଷିଣ କରିବାକୁ ଚନ୍ଦ୍ର ୨୭.୩ ଦିନ ସମୟ ନେଇଥାଏ। ମାତ୍ର ଏହି ସମୟ କାଳ ଭିତରେ ପୃଥିବୀ ସୂର୍ଯ୍ୟ ଚାରିପଟେ ତା’ର ପ୍ରଦକ୍ଷିଣ ପଥରେ କିଛି ବାଟ ଆଗେଇ ଯାଇଥିବାରୁ, ଚନ୍ଦ୍ରକୁ ସେତିକି ପଥ ଅତିକ୍ରମ କରିବାକୁ ଆଉ ଅଧିକ ୨.୨ ଦିନ ଲାଗିଯାଏ। ଅତଏବ ଗୋଟିଏ ପୂର୍ଣ୍ଣିମାଠାରୁ ଅନ୍ୟଗୋଟିଏ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମୟ ଅବଧି ୨୯.୫ ଦିନ ହୁଏ। ଚନ୍ଦ୍ରର ନିଜସ୍ୱ ଆଲୋକ ନଥାଏ। ଏହା ସୂର୍ଯ୍ୟର ଆଲୋକରେ ଆଲୋକିତ ହୁଏ। ପୃଥିବୀପୃଷ୍ଠରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥାଇ ଆମେ ଚନ୍ଦ୍ରର କେବଳ ସେତିକି ଆଲୋକିତ ଅଂଶକୁ ଦେଖୁ, ଯାହା ସୂର୍ଯ୍ୟ ଆଡ଼କୁ ଥାଏ। ଚନ୍ଦ୍ରର ପୃଥିବୀ ଚାରିପଟେ ପ୍ରଦକ୍ଷିଣ ସମୟ ଭିତରେ ଥରେ ଏହା ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ରହେ। ସେଦିନ ଏହାର ଆଲୋକିତ ଅଂଶଟି ସଂପୂର୍ଣ୍ଣ ଭାବେ ସୂର୍ଯ୍ୟ ଆଡ଼କୁ ରହୁଥିବାରୁ ଆମକୁ ଚନ୍ଦ୍ର ଦିଶେ ନାହିଁ। ଏଇ ଦିନଟିକୁ ଆମେ ଅମାବାସ୍ୟା ବୋଲି କହୁ। ଠିକ୍ ସେହିପରି, ଚନ୍ଦ୍ର ତାର ପ୍ରଦକ୍ଷିଣ ପଥରେ ଆଗେଇ ଯାଇ ସୂର୍ଯ୍ୟଙ୍କର ସଂପୂର୍ଣ୍ଣ ଓଲଟା ଦିଗରେ ରହିଲେ ପୂର୍ଣ୍ଣଚନ୍ଦ୍ର ଦୃଶ୍ୟ ହୁଏ। ସେହି ଦିନକୁ ପୂର୍ଣ୍ଣିମା କୁହାଯାଏ।

ପ୍ରତି ମାସରେ ତିରିଶିଟି ତିଥି ରହେ, ଯାହାକୁ ଦୁଇଟି ପକ୍ଷରେ ଗଣନା କରାଯାଏ। ପ୍ରତି ପକ୍ଷରେ ପନ୍ଦରଟି ତିଥି। ପୂର୍ଣ୍ଣିମାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ଟି ତିଥିକୁ କୃଷ୍ଣପକ୍ଷରେ ସାମିଲ୍ କରାଯାଉଥିବା ବେଳେ ପ୍ରତିପଦାଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧୫ଟି ତିଥି ଶୁକ୍ଳପକ୍ଷରେ ସାମିଲ୍ ହୁଏ। ଏହି ପନ୍ଦରଟି ତିଥି ମଧ୍ୟରୁ ୧୪ଟିକୁ ୧ରୁ ୧୪ କ୍ରମରେ ପ୍ରତିପଦ, ଦ୍ୱିତୀୟା, ତୃତୀୟା... ଚତୁର୍ଦ୍ଦଶୀ ନାମରେ ନାମିତ କରାଯାଏ; ଏବଂ ପଞ୍ଚଦଶ ତିଥିଟି ଅମାବାସ୍ୟା ବା ପୂର୍ଣ୍ଣିମା ହୁଏ। କୌତୂହଳର କଥା ହେଲା, ଚନ୍ଦ୍ର ପୃଥିବୀ ଚାରିପଟେ ଥରେ ପ୍ରଦକ୍ଷିଣ କରି ଆସିବା ପାଇଁ ଯେତିକି ସମୟ ନିଏ, ନିଜ ଅକ୍ଷ ଚାରିପଟେ ଘୂରିବାକୁ ମଧ୍ୟ ପ୍ରାୟ ସେତିକି ସମୟ ନେଇଥାଏ। ଏଣୁ ପୃଥିବୀ ପୃଷ୍ଠରୁ ଆମେ ଚନ୍ଦ୍ରର ଏକ ନିର୍ଦ୍ଦିଷ୍ଟ ଅର୍ଦ୍ଧେକ ଅଂଶ ହିଁ ସବୁ ସମୟରେ ଦେଖୁ। ଏବଂ ଅପର ଅର୍ଦ୍ଧେକ ଅଂଶଟି ସବୁବେଳେ ଆମ ଦୃଷ୍ଟି ଆଢ଼ୁଆଳରେ ରହିଯାଏ। ସେଥିପାଇଁ କଥା ରହିଛି ଯେ ଚନ୍ଦ୍ର ତାହାର ଅଧା ଅଂଶ କେବେ ବି ଆମକୁ ଦେଖାଏ ନାହିଁ।