ପାଞ୍ଜିରେ ଇଂରାଜୀ ବର୍ଷ, ମାସ ଓ ତାରିଖ ସାଙ୍ଗକୁ, ରାଷ୍ଟ୍ରୀୟ ବର୍ଷ, ମାସ ଓ ଦିନ ମଧ୍ୟ ଲେଖାଥାଏ। ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ରାଜପତ୍ର ବା ଗେଜେଟ୍ର ବିଜ୍ଞପ୍ତିରେ ଇଂରାଜୀ ତାରିଖ ସହ ଏହି ରାଷ୍ଟ୍ରୀୟ ବର୍ଷ, ମାସ ଓ ତାରିଖ ଲେଖା ରହେ। ଆକାଶବାଣୀରେ ପ୍ରତିଦିନ ସକାଳେ କାର୍ଯ୍ୟକ୍ରମ ପ୍ରସାରଣ ଆରମ୍ଭରେ ମଧ୍ୟ ଏହାର ସୂଚନା ଦିଆଯାଏ। ଏହି ଗଣନା ଆମ ପାଞ୍ଜିରେ ଦର୍ଶାଯାଉଥିବା ସୌର ଓ ଚାନ୍ଦ୍ର ଗଣନାଠାରୁ ଭିନ୍ନ। ଉଦାହରଣ ସ୍ୱରୂପ, ଓଡ଼ିଶାର ପାଞ୍ଜିଗୁଡ଼ିକରେ ଏ ବର୍ଷ ଏପ୍ରିଲ ୧୪ ତାରିଖକୁ ମହାବିଷୁବ ସଂକ୍ରାନ୍ତି ଅର୍ଥାତ୍ ମେଷ ୧ ଦିନ ବୋଲି ଲେଖାଯାଇଛି। ଚାନ୍ଦ୍ରଗଣନା ଅନୁସାରେ ସେଦିନର ତିଥି ହେଲା ବୈଶାଖ କୃଷ୍ଣ ନବମୀ। ମାତ୍ର ସେଦିନର ଗେଜେଟ୍ ନୋଟିଫିକେସନରେ ଲେଖାରହିବ- ଏପ୍ରିଲ ୧୪, ୨୦୨୩ / ଚୈତ୍ର ୨୪ ଦିନ, ୧୯୪୫।
ମନରେ ପ୍ରଶ୍ନ ଉଠେ, ବୈଶାଖ କୃଷ୍ଣ ନବମୀକୁ ରାଷ୍ଟ୍ରୀୟ ଗଣନାରେ ଚୈତ୍ର ୨୪ ଦିନ କୁହାଯାଉଛି କାହିଁକି? ପୁଣି ୨୦୨୩ ମସିହାକୁ ୧୯୪୫ ଲେଖିବାର କାରଣ କଣ? ପ୍ରକୃତରେ, ରାଷ୍ଟ୍ରୀୟ ଗଣନା ପ୍ରତିବର୍ଷ ମାର୍ଚ୍ଚ ମାସ ୨୨ ତାରିଖରୁ ଆରମ୍ଭ ହୁଏ। ଏଠାରେ ଲେଖାଯାଇଥିବା ମସିହାଟି ‘ଶକାବ୍ଦ’, ଯାହାକି ଇଂରାଜୀ ମସିହାଠାରୁ ସାଧାରଣତଃ ୭୮ ବର୍ଷ ପଛରେ। ମାର୍ଚ୍ଚ ମାସର ‘ସମଦିବାରାତ୍ର ଦିବସ’ ବା ୨୨ ତାରିଖଠାରୁ ରାଷ୍ଟ୍ରୀୟ ଗଣନାରେ ଚୈତ୍ରମାସର ଆରମ୍ଭ। ଏହି ଗଣନାରେ ମାସଗୁଡ଼ିକ ଚୈତ୍ର, ବୈଶାଖ, ଜ୍ୟେଷ୍ଠ କ୍ରମରେ ଚାନ୍ଦ୍ରମାସର ନାମ ଅନୁସାରେ ନାମିତ। ଅତଏବ ୨୦୨୩ ମାର୍ଚ୍ଚ ୨୨ ହେଉଛି ରାଷ୍ଟ୍ରୀୟ ୧୯୪୫, ଚୈତ୍ର ୧ ଦିନ। ଏହି ଗଣନାକୁ ଇଂରାଜୀ କ୍ୟାଲେଣ୍ଡର ସହ ସମତୁଲ ରଖିବା ପାଇଁ, ବର୍ଷର ମୋଟ ଦିନ ସଂଖ୍ୟା ୩୬୫ ରଖାଯାଇଛି। ଅଧିବର୍ଷରେ ଏହି ସଂଖ୍ୟା ୩୬୬ ହୁଏ। ବୈଶାଖଠାରୁ ଭାଦ୍ରବ ପର୍ଯ୍ୟନ୍ତ ପାଞ୍ଚ ମାସ ୩୧ ଦିନିଆ ହୋଇଥିବା ବେଳେ, ଆଶ୍ୱିନଠାରୁ ଚୈତ୍ର ସାତମାସ ୩୦ ଦିନିଆ ହୋଇଥାଏ। ଅଧିବର୍ଷଗୁଡ଼ିକରେ ମାର୍ଚ୍ଚମାସ ୨୧ ତାରିଖରୁ ବର୍ଷ ଆରମ୍ଭ କରାଯାଏ ଏବଂ ସେହି ବର୍ଷ ଚୈତ୍ର ମାସ ୩୦ ବଦଳରେ ୩୧ ଦିନିଆ ହୁଏ। ଏହି ଶକାବ୍ଦ ଗଣନା ଆଧାରିତ ରାଷ୍ଟ୍ରୀୟ କ୍ୟାଲେଣ୍ଡର ୧୯୫୭ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ୨୨ ତାରିଖଠାରୁ ଲାଗୁ ହୋଇ ସରକାରୀ ରାଜପତ୍ରରେ ବ୍ୟବହାର ହୋଇଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/4fs465hfshfshfh.jpg)