ଆମେ ସାଧାରଣ ଭାବରେ ବର୍ଷ, ମାସ, ଦିନ, ଘଣ୍ଟା, ମିନିଟ୍ ସେକେଣ୍ଡ ଆଦିରେ ସମୟ ଗଣନା କରୁ। ମାତ୍ର ପାଞ୍ଜିରେ ଯେଉଁପରି ଭାବରେ କାଳଗଣନା କରାଯାଏ, ସେଥିରେ ଲିତା, ଦଣ୍ଡ, ମୁହୂର୍ତ୍ତ, ଦିବସ, ମାସ, ବର୍ଷ, ଦିବ୍ୟବର୍ଷ, ଯୁଗ, ମହାଯୁଗ, ମନ୍ୱନ୍ତର, କଳ୍ପ ଆଦି ଶବ୍ଦର ବ୍ୟବହାର କରାଯାଏ। ପାଞ୍ଜିଗଣନାରେ ସୂର୍ଯ୍ୟୋଦୟଠାରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମୟକୁ ‘ଦିନମାନ’ ଏବଂ ସୂର୍ଯ୍ୟାସ୍ତଠାରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟକୁ ‘ରାତ୍ରିମାନ’ କୁହାଯାଏ। ଦିନମାନ ଓ ରାତ୍ରିମାନ ମିଶି ଗୋଟିଏ ଦିବସ ହୁଏ, ଯାହାର ଅବଧି ହାରାହାରି ଚବିଶ ଘଣ୍ଟା। ଏହି ସମୟ ଅବଧିକୁ ୩୦ ରେ ଭାଗ କଲେ, ପ୍ରତ୍ୟେକ ଭାଗକୁ ଗୋଟିଏ ‘ମୁହୂର୍ତ୍ତ’ କୁହାଯାଏ। ଏଣୁ ଗୋଟିଏ ମୁହୂର୍ତ୍ତର ସମୟକାଳ ୪୮ ମିନିଟ୍ (୨୪ ଘଣ୍ଟା ହରଣ ୩୦)। ସେହିପରି, ଗୋଟିଏ ମୁହୂର୍ତ୍ତ, ଦୁଇ ‘ଦଣ୍ଡ’ ସହିତ ସମାନ। ତେଣୁ ଗୋଟିଏ ଦଣ୍ଡର ଅବଧି ୨୪ ମିନିଟ୍। ମୁହୂର୍ତ୍ତ ଓ ଦଣ୍ଡଠାରୁ ଆହୁରି ସୂକ୍ଷ୍ମ ଗଣନା କରିବାକୁ ହେଲେ, ଆମେ ‘ଲିତା’ର ବ୍ୟବହାର କରୁ। ୬୦ ଲିତାରେ ଗୋଟିଏ ଦଣ୍ଡ ହୁଏ। ଅତଏବ ଗୋଟିଏ ଲିତାର ସମୟ କାଳ ୨୪ ସେକେଣ୍ଡ ହୋଇଥାଏ।
ଆମେ ଜାଣୁ, ଯେ ସୌରଗଣନାରେ ଗୋଟିଏ ସଂକ୍ରାନ୍ତିରୁ ପରବର୍ତ୍ତୀ ସଂକ୍ରାନ୍ତି ପର୍ଯ୍ୟନ୍ତ ସମୟକୁ ଏକ ‘ସୌରମାସ’ କୁହାଯାଏ, ଯାହାର ଅବଧି ପ୍ରାୟ ୩୦ ଦିନ। ୧୨ ସୌରମାସରେ ଏକ ‘ସୌରବର୍ଷ’ ହୁଏ। ତେବେ ଗୋଟିଏ ସୌରବର୍ଷ ଗୋଟିଏ ‘ଦିବ୍ୟଦିନ’ ସହିତ ସମାନ। ଏହିପରି ୩୬୦ ଦିବ୍ୟଦିନ, ଅର୍ଥାତ୍ ୩୬୦ ସୌରବର୍ଷରେ ଗୋଟିଏ ‘ଦିବ୍ୟବର୍ଷ’ ହୁଏ ଏବଂ ୧୨ ହଜାର ଦିବ୍ୟବର୍ଷରେ ଗୋଟିଏ ‘ମହାଯୁଗ’ ହୋଇଥାଏ। ତେଣୁ ଏକ ମହାଯୁଗର ସମୟକାଳ ହିସାବ କଲେ ହେବ- ୩୬୦ ଗୁଣନ ୧୨୦୦୦ = ୪୩ଲକ୍ଷ ୨୦ ହଜାର ସୌରବର୍ଷ। ଗୋଟିଏ ମହାଯୁଗ- ସତ୍ୟ, ତ୍ରେତା, ଦ୍ୱାପର ଓ କଳି କ୍ରମରେ ଚାରିଟି ଯୁଗର ସମାହାର। ୭୧ଟି ମହାଯୁଗକୁ ନେଇ ଗୋଟିଏ ‘ମନ୍ୱନ୍ତର’ (୩୦,୬୭,୨୦,୦୦୦ ସୌରବର୍ଷ) ହୁଏ। ୧୪ଟି ମନ୍ୱନ୍ତରରେ ଗୋଟିଏ କଳ୍ପ ଏବଂ ଦୁଇଟି କଳ୍ପରେ ବ୍ରହ୍ମାଙ୍କର ଗୋଟିଏ ଦିନ (ଅହୋରାତ୍ର) ହୋଇଥାଏ। ପାଞ୍ଜିଗଣନା ଅନୁସାରେ, ବର୍ତ୍ତମାନ ବୈବସ୍ୱତ ମନୁଙ୍କର ପ୍ରଥମ ୨୭ ମହାଯୁଗ ଅତୀତ ହୋଇ ୨୮ତମ ମହାଯୁଗର ସତ୍ୟ, ତ୍ରେତା ଓ ଦ୍ୱାପର ଯିବା ପରେ, ଏବେ କଳିଯୁଗର ୫,୧୨୪ ସୌରବର୍ଷ ଚାଲୁଛି।