ଇଂରାଜୀ (ସାୟନ) ହିସାବରେ ଜୁନ ୨୧ ତାରିଖ ଦିନ ସୂର୍ଯ୍ୟ କର୍କଟକ୍ରାନ୍ତି ଉପରେ ଅବସ୍ଥାନ କରୁଥିବାରୁ ଏହିଦିନ ଉତ୍ତର ଗୋଲାର୍ଦ୍ଧରେ ଦିନ ସବୁଠାରୁ ବଡ଼ ଓ ରାତି ସବୁଠାରୁ ଛୋଟ ହୋଇଥାଏ। ଏହି ଦିନଠାରୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଆରମ୍ଭ ହୁଏ। ମାତ୍ର ନିରୟଣ-ଭିତ୍ତିକ ଆମ ପାଞ୍ଜି ଗଣନା ଅନୁସାରେ କର୍କଟସଂକ୍ରାନ୍ତି ଦିନ ହିଁ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରନ୍ତି ଏବଂ ଏହି ଦିନଠାରୁ ତାଙ୍କର ଦକ୍ଷିଣାୟନ ଆରମ୍ଭ ହୁଏ। ସେଥିପାଇଁ କର୍କଟ ସଂକ୍ରାନ୍ତିକୁ ଦକ୍ଷିଣାୟନ ସଂକ୍ରାନ୍ତି ମଧ୍ୟ କୁହାଯାଏ। ‘ଅୟନ’ ସୂର୍ଯ୍ୟଙ୍କ ଗତିର ଦିଗକୁ ସୂଚାଇଥାଏ। ବର୍ଷକରେ ଦୁଇଟି ଅୟନ ଆସେ- ଦକ୍ଷିଣାୟନ ଓ ଉତ୍ତରାୟଣ। ପ୍ରତ୍ୟେକ ଅୟନର ଅବଧି ୬ ମାସ ହୋଇଥାଏ। କର୍କଟ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ୬ ମାସକୁ ଦକ୍ଷିଣାୟନ ମାସ ଓ ମକରଠାରୁ କର୍କଟ ସଂକ୍ରାନ୍ତି ପର୍ଯ୍ୟନ୍ତ ୬ ମାସକୁ ଉତ୍ତରାୟଣ ମାସ କୁହାଯାଏ।

Advertisment

ଦକ୍ଷିଣାୟନ ସମୟର ଆରମ୍ଭ ପାଖାପାଖି, ଚତୁର୍ମାସ୍ୟା ମଧ୍ୟ ଆରମ୍ଭ ହୁଏ। ଚତୁର୍ମାସ କହିଲେ ୪ ମାସର ସମୟକୁ ବୁଝାଏ। ସ୍ଥୂଳ ଭାବରେ ଶ୍ରାବଣ, ଭାଦ୍ରବ, ଆଶ୍ୱିନ ଓ କାର୍ତ୍ତିକ ଏହି ଚାରିମାସ ଚତୁର୍ମାସ, ଯାହା ମୌସୁମୀଜନିତ ଝଡ଼ବର୍ଷାର ସମୟ। ଏହି ସମୟରେ ବିବାହ, ବ୍ରତ ଆଦି ଶୁଭକର୍ମ କରାଯାଏ ନାହିଁ। ସାଧୁସନ୍ଥମାନେ ଏହି ସମୟକୁ ଯୋଗଧ୍ୟାନ, ଜପତପ ଆଦି ପାଇଁ ପ୍ରକୃଷ୍ଟ ବୋଲି ବିଚାର କରି ଚତୁର୍ମାସ୍ୟା ବ୍ରତ ପାଳନ କରନ୍ତି। ସାଧାରଣତଃ ଏହା ଆଷାଢ଼ ଶୁକ୍ଳ ଏକାଦଶୀ (ହରିଶୟନ)ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ (ହରି ଉତ୍‌ଥାପନ) ପର୍ଯ୍ୟନ୍ତ ପାଳନ କରାଯାଏ। ଏହି ଚାରିମାସ ବିଷ୍ଣୁଙ୍କର ଯୋଗନିଦ୍ରାର ସମୟ ହୋଇଥିବାରୁ, ଏହି ସମୟରେ ବିବାହ, ବ୍ରତାଦି ଶୁଭକର୍ମ କରାଯାଏ ନାହିଁ। ଏହି ଚାରିମାସର ଠିକ୍ ମଧ୍ୟଭାଗରେ, ଅର୍ଥାତ୍ ଭାଦ୍ରବ ଶୁକ୍ଳ ଏକାଦଶୀରେ ପାଶ୍ୱର୍ପରିବର୍ତ୍ତନ ଏକାଦଶୀ ପାଳିତ ହୁଏ। ଏହିଦିନ ବିଷ୍ଣୁ କଡ଼ ଲେଉଟାନ୍ତି।

ଏହି ତିନୋଟିଯାକ ଏକାଦଶୀ ମହତ୍ତ୍ୱପୂର୍ଣ୍ଣ ହୋଇଥିବାରୁ ‘ବଡ଼ ଏକାଦଶୀ’ ଭାବରେ ପାଳିତ ହୁଏ। ଏହି ତିନି ଏକାଦଶୀ ଛଡ଼ା ମାଘ ଶୁକ୍ଳ ଏକାଦଶୀ ମଧ୍ୟ ବଡ଼ ଏକାଦଶୀ ଭାବରେ ପାଳିତ ହୁଏ। ଏହିପରି ବର୍ଷରେ ଚାରିଟି ବଡ଼ ଏକାଦଶୀ ପଡ଼େ। ଶ୍ରାବଣରୁ କାର୍ତ୍ତିକ ମଧ୍ୟରେ ମଳମାସ ପଡ଼ିଲେ ମଧ୍ୟ ଚତୁର୍ମାସ୍ୟାର ସମୟ ଅବଧି ଚାରିମାସରୁ ଅଧିକ କରାଯାଏ ନାହିଁ। ଏଥିପାଇଁ ସେହିବର୍ଷ ହରିଶୟନ ଏକାଦଶୀ ଆଷାଢ଼ ଶୁକ୍ଳ ଏକାଦଶୀରେ ପାଳିତ ନହୋଇ ତା’ର ମାସେ ପରେ ଶ୍ରାବଣ ଶୁକ୍ଳ ଏକାଦଶୀରେ ପାଳିତ ହୁଏ। ଏଭଳି ସଂଯୋଗ ଏ ବର୍ଷ ଘଟିବାକୁ ଯାଉଛି। ଏବର୍ଷ ଯୋଡ଼ା ଶ୍ରାବଣ ପଡ଼ୁଥିବାରୁ, ହରିଶୟନ ଏକାଦଶୀ ଆଷାଢ଼ ଶୁକ୍ଳ ଏକାଦଶୀ (ରଥ ଉପରେ ଠାକୁରଙ୍କ ସୁନାବେଶ) ଦିନ ପାଳିତ ନହୋଇ ଏହାର ମାସେ ପରେ ପାଳିତ ହେବ।