ଅଶୁଭ ସମୟ ନିରୂପଣ କରିବାକୁ ଯାଇ ପାଞ୍ଜିରେ କାଳବେଳା, ବାରବେଳା ଓ କାଳରାତ୍ରିର ନିର୍ଦ୍ଦିଷ୍ଟ ସମୟ ସୂଚାଇ ଦିଆଯାଇଥାଏ। ଏହି ସମୟରେ ସମସ୍ତ ଶୁଭକର୍ମ ନିଷିଦ୍ଧ। ଏହି ସମୟ ନିରୂପଣ କରିବାପାଇଁ ସ୍ୱତନ୍ତ୍ର ହିସାବ ରହିଛି।
‘ଦିବାମାନ’କୁ ଆଠଭାଗ କଲେ ପ୍ରତ୍ୟେକ ଭାଗକୁ ‘ଦିବା-ଯାମାର୍ଦ୍ଧ’ ଏବଂ ‘ରାତ୍ରିମାନ’କୁ ଆଠଭାଗ କଲେ ପ୍ରତ୍ୟେକ ଭାଗକୁ ‘ରାତ୍ରି-ଯାମାର୍ଦ୍ଧ’ କୁହାଯାଏ। ଗୋଟିଏ ଯାମ ବା ପ୍ରହରର ଏହା ଅର୍ଦ୍ଧେକ ସମୟ ହୋଇଥିବାରୁ ଏପରି ନାମକରଣ କରାଯାଇଛି। ଦିନ ଓ ରାତ୍ରିର ସମୟ ୧୨ ଘଣ୍ଟା ଧରିଲେ, ପ୍ରତ୍ୟେକ ଯାମାର୍ଦ୍ଧର ଅବଧି ଦେଢ଼ ଘଣ୍ଟା ହେବ। ତେବେ ଉତ୍ତରାୟଣ ଓ ଦକ୍ଷିଣାୟନ କାଳରେ ଦିବା ଓ ରାତ୍ରିର ଅବଧି କମ୍-ବେଶୀ ହେଉଥିବାରୁ ଯାମାର୍ଦ୍ଧର ସମୟ ମଧ୍ୟ କମ୍-ବେଶୀ ହୋଇଥାଏ। ସପ୍ତାହର ସାତଟି ବାର ମଧ୍ୟରୁ ପ୍ରତ୍ୟେକ ବାର ପାଇଁ କିଛି କିଛି ନିର୍ଦ୍ଦିଷ୍ଟ ଯାମାର୍ଦ୍ଧକୁ କାଳବେଳା, ବାରବେଳା ବା କାଳରାତ୍ରି ବୋଲି ଗ୍ରହଣ କରାଯାଏ।
ଦିନମାନ ମଧ୍ୟରେ କାଳବେଳା ଓ ବାରବେଳାର ସମୟ ନିରୂପିତ ହେଉଥିବା ବେଳେ, କାଳରାତ୍ରିର ସମୟ କେବଳ ରାତ୍ରି-ଯାମାର୍ଦ୍ଧରେ ହିଁ ନିରୂପିତ ହୁଏ। କାଳବେଳା ଓ ବାରବେଳା ରବିବାର ଦିନ ଯଥାକ୍ରମେ ପଞ୍ଚମ ଓ ଚତୁର୍ଥ ଯାମାର୍ଦ୍ଧ, ସୋମବାର ଦ୍ୱିତୀୟ ଓ ସପ୍ତମ, ମଙ୍ଗଳବାର ଷଷ୍ଠ ଓ ଦ୍ୱିତୀୟ, ବୁଧବାର ତୃତୀୟ ଓ ପଞ୍ଚମ, ଗୁରୁବାର ସପ୍ତମ ଓ ଅଷ୍ଟମ, ଶୁକ୍ରବାର ଚତୁର୍ଥ ଓ ତୃତୀୟ ଏବଂ ଶନିବାରରେ କାଳବେଳା ପ୍ରଥମ ଓ ଅଷ୍ଟମ ଏବଂ ବାରବେଳା ଷଷ୍ଠ ଯାମାର୍ଦ୍ଧରେ ପଡ଼ିଥାଏ। ସେହିପରି, କାଳରାତ୍ରି ରବିବାର ଷଷ୍ଠ ରାତ୍ରି-ଯାମାର୍ଦ୍ଧ, ସୋମବାର ଚତୁର୍ଥ, ମଙ୍ଗଳବାର ଦ୍ୱିତୀୟ, ବୁଧବାର ସପ୍ତମ, ଗୁରୁବାର ପଞ୍ଚମ, ଶୁକ୍ରବାର ତୃତୀୟ ଓ ଶନିବାର ପ୍ରଥମ ଓ ଅଷ୍ଟମ ରାତ୍ରି-ଯାମାର୍ଦ୍ଧରେ ପଡ଼ିଥାଏ।
କାଳବେଳା, ବାରବେଳା ଓ କାଳରାତ୍ରିରେ ସମସ୍ତ ଶୁଭକର୍ମ ନିଷିଦ୍ଧ ହୋଇଥିଲେ ମଧ୍ୟ, ‘ବୃହସ୍ପତି ସଂହିତା’ମତେ କର୍ମଦିବସୀୟ ବାରର ଅଧିପତି ଗ୍ରହ ଓ ଚନ୍ଦ୍ର ବଳବାନ ହେଲେ, ବାରବେଳାଦି ଦୋଷାବହ ହୁଏ ନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp