ପାଞ୍ଜିର ପାଞ୍ଚଟି ମୁଖ୍ୟ ଅଙ୍ଗ ହେଲା- ବାର, ତିଥି, ନକ୍ଷତ୍ର, ଯୋଗ ଓ କରଣ। ଏଥିପାଇଁ ଏହାକୁ ପଞ୍ଚାଙ୍ଗ ମଧ୍ୟ କୁହାଯାଏ। ଏଥି ମଧ୍ୟରୁ ସବୁଠାରୁ ସରଳ ଅଙ୍ଗଟି ହେଲା ‘ବାର’। ସମୁଦାୟ ସାତଟି ବାର ରହିଛି। ଏଗୁଡ଼ିକ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ସମେତ ସୌରଜଗତର ପାଞ୍ଚଟି ଗ୍ରହଙ୍କ ନାମରେ ନାମିତ। ସେଗୁଡ଼ିକ ହେଲା ରବି (ସୂର୍ଯ୍ୟ), ସୋମ (ଚନ୍ଦ୍ର), ମଙ୍ଗଳ, ବୁଧ, ଗୁରୁ (ବୃହସ୍ପତି), ଶୁକ୍ର ଓ ଶନି। ଏହି ସାତବାରକୁ ନେଇ ଗୋଟିଏ ସପ୍ତାହ ହୋଇଥାଏ ଏବଂ ସପ୍ତାହରେ ଏହି ବାରଗୁଡ଼ିକ ରବିବାରରୁ ଶନିବାର କ୍ରମରେ ପୁନରାବୃତ୍ତି ହେଉଥାଏ।

Advertisment

ଆମେ ନବଗ୍ରହଙ୍କ ବିଷୟରେ ଶୁଣିଛୁ ସୌରଜଗତରେ ସୂର୍ଯ୍ୟ ଚାରିପଟେ ପ୍ରଦକ୍ଷିଣ କରୁଥିବା ଗ୍ରହଗୁଡ଼ିକ ହେଲେ- ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ଇନ୍ଦ୍ର ଓ ବରୁଣ। ତେବେ ନବଗ୍ରହଙ୍କ ତାଲିକାରେ ଇନ୍ଦ୍ର ବା ବରୁଣ ନାହାନ୍ତି। ପାଞ୍ଜି ଗଣନାରେ ଆମେ ପୃଥିବୀକୁ କେନ୍ଦ୍ରକରି ଆକାଶ ପଥରେ ବିଭିନ୍ନ ଗ୍ରହ ନକ୍ଷତ୍ରଙ୍କର ଆପେକ୍ଷିକ ସ୍ଥିତି ଓ ଗତି ନିରୂପଣ କରୁଥିବାରୁ ଏହି ନବଗ୍ରହ ତାଲିକାରେ ପୃଥିବୀ ନାହିଁ। ଇନ୍ଦ୍ର ଓ ବରୁଣ ସହଜରେ ଦୃଶ୍ୟମାନ ହେଉ ନଥିବାରୁ ସେମାନେ ମଧ୍ୟ ନାହାନ୍ତି। ସୂର୍ଯ୍ୟ ଏକ ନକ୍ଷତ୍ର ଓ ଚନ୍ଦ୍ର ଉପଗ୍ରହ ହୋଇଥିଲେ ମଧ୍ୟ ଆକାଶ ପଥରେ ଗତିମାନ ଜ୍ୟୋତିଷ୍କ ରୂପେ ଦୃଶ୍ୟ ହେଉଥିବା ଏହି ଦୁହିଙ୍କୁ ନବଗ୍ରହ ମଧ୍ୟରେ ସ୍ଥାନ ଦିଆଯାଇଛି। ତା’ଛଡ଼ା ରାହୁ ଓ କେତୁଙ୍କୁ ମଧ୍ୟ ନବଗ୍ରହରେ ସାମିଲ୍ କରାଯାଇଛି।

ବୈଜ୍ଞାନିକ ଦୃଷ୍ଟିରୁ ଦେଖିଲେ ଏ ଦୁଇଟି କାଳ୍ପନିକ ବିନ୍ଦୁ ମାତ୍ର। ପୃଥିବୀ ଚାରିପଟେ ଆପେକ୍ଷିକ ଭାବରେ ଗତିଶୀଳ ସୂର୍ଯ୍ୟଙ୍କ କକ୍ଷପଥ ଓ ଚନ୍ଦ୍ରଙ୍କ କକ୍ଷପଥ ଏହି ଦୁଇ ବିନ୍ଦୁରେ ପରସ୍ପରକୁ ଛେଦ କରିଥାଏ। ପରିକ୍ରମଣ କରୁକରୁ ସୂର୍ଯ୍ୟ ଓ ଚନ୍ଦ୍ର ଏହି ବିନ୍ଦୁକୁ ଆସିଲେ ପୃଥିବୀ ସହ ଏକସରଳରେଖାରେ ରହନ୍ତି ଏବଂ ସେହି ସମୟରେ ସୂର୍ଯ୍ୟୋପରାଗ ବା ଚନ୍ଦ୍ରଗ୍ରହଣ ହୋଇଥାଏ। ପାଞ୍ଜି ଓ କୋଷ୍ଠୀ ଗଣନାରେ ଯେଉଁ ନଅଟି ଗ୍ରହର ଗତି ଓ ସ୍ଥିତି ନିରୂପିତ ହୁଏ, ସେମାନେ ହେଲେ- ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ। ସାଧାରଣତଃ ହିନ୍ଦୁ ମନ୍ଦିରର ପ୍ରବେଶପଥର ତୋରଣରେ ଏମାନଙ୍କର ମୂର୍ତ୍ତିରୂପ ସ୍ଥାନ ପାଇଥାଏ।