ଜବଲପୁର: ବାପା ଚାରିଆଡେ ନିଆଁ ଲାଗି ଗଲାଣି, ଶୀଘ୍ର ଆସି ମୋତେ ବଞ୍ଚାଅ। ଅମନ ବିଶ୍ୱକର୍ମାଙ୍କୁ ମଧ୍ୟପ୍ରଦେଶର ଜବଲପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ତାଙ୍କ ୧୯ ବର୍ଷର ପୁଅ ତନ୍ମୟ ଫୋନ କରି ଏଭଳି କହିଥିଲେ। ପୁଅର ଚିତ୍କାର ଶୁଣି କିଛି କରିବା ପୂର୍ବରୁ ନିଆଁର ଆଁକୁ ଚାଲିଯାଇଥିଲା ତନ୍ମୟ।

Advertisment

ଅମନ ବିଶ୍ୱକର୍ମାଙ୍କ ଅନୁଯାୟୀ, ପ୍ରଥମେ ସେ ତନ୍ମୟଙ୍କ ସ୍ୱର ଶୁଣିପାରି ନଥିଲେ। ତା’ପରେ ସେ ଫୋନ ଭିତରୁ ଲୋକଙ୍କ ଚିତ୍କାର ଶୁଣିଥଲେ। କ’ଣ ହେଉଛି ବୋଲି ପଚାରିବା ପରେ ତନ୍ମୟ କହିଥିଲେ ଯେ, ବାପା, ଚାରିଆଡେ ନିଆଁ ଲାଗିଛି। ଦୟାକରି ଶୀଘ୍ର ଆସ ଏବଂ ମୋତେ ବଞ୍ଚାଇ ଦିଅ। ଏତିକି କହିବା ପରେ ଫୋନ କଟିଯାଇଥିଲା। ଶେଷ ଥର ପାଇଁ ପୁଅର ସ୍ବର ଶୁଣୁଛନ୍ତି ବୋଲି ଅମନଙ୍କୁ ଜଣାନଥିଲା। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ପୁଅ ତନ୍ମୟ ଆଉ ଏ ଦୁନିଆରେ ନଥିଲା।

ମଧ୍ୟପ୍ରଦେଶର ଜବଲପୁରର ଏକ ଘରୋଇ ଡାକ୍ତରଖାନାରେ ଅଗଷ୍ଟ ୧ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ଥିଲେ ତନ୍ମୟ। ଅମନଙ୍କ କହିବା ମୁତାବକ, ନିଆଁ ଲାଗିଥିବା ଖବର ଦେବା ପୂର୍ବରୁ ତନ୍ମୟ ଆମକୁ ଏକ ଫଟୋ ଛାଡ଼ିଥିଲା। ଫଟୋ ସହ ମୁଁ ଶୀଘ୍ର ଘରକୁ ଫେରିବି ବୋଲି ଲେଖିଥିଲା ତନ୍ମୟ। ଶରୀର ଦୁର୍ବଳ ହୋଇଯିବାରୁ ସାଲାଇନ ଲଗାଇବା ପାଇଁ ତନ୍ମୟକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଖାନା ନୁହେଁ ତନ୍ମୟ ନିଜ ମୃତ୍ୟୁ ଆଡକୁ ଯାଉଛି ବୋଲି କିଏ ଅବା ଜାଣିଥିଲା।

ଉଲ୍ଲେଖଯୋଗ୍ୟ, ଗତ ସୋମବାର ଅପରାହ୍ଣରେ ଜବଲପୁର ଜିଲ୍ଲାର ଗୋହାଲପୁର ଥାନା ଅଂଚଳରେ ଆସୁଥିବା ନ୍ୟୁଲାଇଫ୍ ମଲଟିସ୍ପେଶିଆଲିଟି ହସପିଟାଲରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ସମଗ୍ର ହସପିଟାଲକୁ ବ୍ୟାପିଯାଇଥିଲା । ଏହି ଘଟଣାରେ ୮ ଜଣ ମୃତ୍ୟୁବରଣ କରିଥିଲେ । ଏହି ଘଟଣା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଥିଲେ । ମୃତବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଲେଖାଏ୍ଁ ପ୍ରଦାନ କରାଯିବ ବୋଲି କହିଥିଲେ ଶିବରାଜ ସିଂ ଚୌହାନ।