ଉଦ୍ୟୋଗୀ ଏଲୋନ୍ ମସ୍କଙ୍କ ମସ୍ତିଷ୍କ ପ୍ରତିରୋପଣ କମ୍ପାନି ‘ନ୍ୟୁରାଲିଙ୍କ୍ କର୍ପୋରେସନ୍‌’ ସୋମବାର ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ର ପ୍ରଥମ ନ୍ୟୁରାଲିଙ୍କ୍ ପ୍ରତିରୋପଣ ବିଷୟରେ ସୂଚନା ଦେଇଛି। ‘ମୋଟର ନ୍ୟୁରନ୍’ ରୋଗ ଯୋଗୁଁ ପକ୍ଷାଘାତଗ୍ରସ୍ତ ପଲ୍‌ ନାମକ ବ୍ୟକ୍ତିଙ୍କ ମସ୍ତିଷ୍କରେ ୟୁନିଭର୍ସିଟି କଲେଜ ହସ୍ପିଟାଲରେ ନ୍ୟୁରାଲିଙ୍କ୍ ଚିପ୍‌ ଖଞ୍ଜାଯାଇଛି ଏବଂ ସେ ଏବେ ତାଙ୍କ ଭାବନା ସାହାଯ୍ୟରେ କମ୍ପ୍ୟୁଟର ଚଲାଇ ପାରୁଛନ୍ତି ବୋଲି କମ୍ପାନି ଦାବି କରିଛି।

Advertisment

ଚଳିତ ମାସ ପ୍ରାରମ୍ଭରେ ପଲ୍‌ଙ୍କର ନ୍ୟୁରାଲିଙ୍କ୍ ପ୍ରତିରୋପଣ ହୋଇଥିଲା ଏବଂ ଅସ୍ତ୍ରୋପଚାରର ମାତ୍ର କିଛି ଘଣ୍ଟା ପରେ ସେ ଏକ କମ୍ପ୍ୟୁଟରକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇଥିଲେ ବୋଲି କମ୍ପାନି କହିଛି। ଉକ୍ତ ପ୍ରତିରୋପଣ ସାହାଯ୍ୟରେ ପଲ୍‌ ତାଙ୍କ ଦୈନନ୍ଦିନ ଜୀବନରେ ସ୍ୱାୟତ୍ତତା ବଢ଼ାଇବା ଏବଂ ତାଙ୍କର ପ୍ରିୟ ଭିଡିଓ ଗେମ୍‌ ‘ଡନ୍ ଅଫ୍ ୱାର’ ଖେଳିବା ଲାଗି କମ୍ପାନିର ଇଞ୍ଜିନିଅର୍‌ମାନଙ୍କ ସାହାଯ୍ୟ ନେଉଛନ୍ତି। କମ୍ପାନିର ଏହି  ପ୍ରଯୁକ୍ତିବିଦ୍ୟାକୁ ସାରା ବିଶ୍ୱରେ ଉପଲବ୍ଧ କରାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ନ୍ୟୁରାଲିଙ୍କ ହେଉଛି ମସ୍ତିଷ୍କ-କମ୍ପ୍ୟୁଟର ଇଣ୍ଟରଫେସ୍ ବିକାଶ କରୁଥିବା ବିଶ୍ବର ଅନ୍ୟତମ ଅଗ୍ରଣୀ କମ୍ପାନି। ନ୍ୟୁରାଲିଙ୍କ ମସ୍ତିଷ୍କ ଓ ଇଲେକ୍ଟ୍ରୋନିକ୍ ଡିଭାଇସ୍ ମଧ୍ୟରେ ସିଧାସଳଖ ଯୋଗାଯୋଗକୁ ସକ୍ଷମ କରୁଛି। କମ୍ପାନି ୨୦୩୧ ସୁଦ୍ଧା ବାର୍ଷିକ ୨୦,୦୦୦ ଲୋକଙ୍କଠାରେ ଏହାର ଚିପ୍‌ ପ୍ରତିରୋପଣ କରିବାକୁ ଲକ୍ଷ୍ୟ ରଖିଛି।