ପ୍ରକୃତିର ଲୀଳା ବଡ଼ ବିଚିତ୍ର। ଅବିଶ୍ବସନୀୟ ମନେ ହେଉଥିବା କିଛି ପ୍ରାଣୀଙ୍କର ଜୀବନଶୈଳୀ ଓ ଶାରୀରିକ ଗଠନ ଏହି ବୈଚିତ୍ର୍ୟର ଅଂଶବିଶେଷ। ଏ ପରିପ୍ରେକ୍ଷୀରେ ମାଛ ଓ କଇଁଛ ପରି କିଛି ଇତର ପ୍ରାଣୀଙ୍କର ନିର୍ଦ୍ଦିଷ୍ଟ ପ୍ରଜାତିରେ ଲିଙ୍ଗ ପରିବର୍ତ୍ତନ ଘଟୁଥିବା ଆମେ ଜାଣୁ। ତେବେ ଲିଙ୍ଗ ପରିବର୍ତ୍ତନ କରୁଥିବା ପ୍ରାଣୀଙ୍କ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ପ୍ରାକୃତିକ ପ୍ରକ୍ରିୟା ରହିଥାଏ। ଅର୍ଥାତ୍‌ ସେମାନଙ୍କ ଜୀବନର ପ୍ରଥମାର୍ଦ୍ଧରେ ସେମାନେ ସ୍ତ୍ରୀ-ପ୍ରଜନନୀୟ କୋଷ ପ୍ରସ୍ତୁତ କରୁଥିବା ବେଳେ ପରବର୍ତ୍ତୀ କାଳରେ ସେମାନେ ପୁରୁଷ-ପ୍ରଜନନୀୟ କୋଷ ଉତ୍ପନ୍ନ କରିଥା’ନ୍ତି। ସୁତରାଂ ସେମାନଙ୍କର ଲିଙ୍ଗ ସଂପୂର୍ଣ୍ଣ ପରିବର୍ତ୍ତିତ ହେଲା ଭଳି ଆଚରଣ ପ୍ରଦର୍ଶିତ ହୋଇଥାଏ। ମାତ୍ର କଙ୍କଡ଼ା ପରି ଜୀବ କ୍ଷେତ୍ରରେ ଏକ ଭିନ୍ନ ଶୈଳୀରେ ଲିଙ୍ଗ ପରିବର୍ତ୍ତନ ଦେଖିବାକୁ ମିଳିଛି। ସେମାନଙ୍କ ଲିଙ୍ଗ ପରିବର୍ତ୍ତନ ପଛରେ ‘ସାକୁଲିନା କାର୍ସିନି’ ନାମକ ଏକ ପ୍ରକାର ବାର୍ନାକଲ (ସନ୍ଧିପଦ ପ୍ରାଣୀ) ଦାୟୀ।

Advertisment

ଏହି ଅମେରୁଦଣ୍ଡୀ ପରଜୀବୀ ପ୍ରାଣୀଗୁଡ଼ିକ ବିଭିନ୍ନ ପ୍ରଜାତିର କଙ୍କଡ଼ା ଦେହରେ ଲାଖି ରହିବା ସହ ସେମାନଙ୍କ ଜୀବନକୁ ଦୁର୍ବିଷହ କରିଦେଇଥା’ନ୍ତି। ଅଧିକାଂଶ ବାର୍ନାକଲ ଗଭୀର ଜଳରେ ପଥର ଚଟାଣ ବା ଜାହାଜ ପୃଷ୍ଠରେ ଲାଖି ରହି ପାଣିରୁ ଖାଦ୍ୟ ଶୋଷି’ଥାନ୍ତି। ମାତ୍ର ସାକୁଲିନା କାର୍ସିନି ପ୍ରଜାତିର ବାର୍ନାକଲଗୁଡ଼ିକ ଶାଗୁଆ କଙ୍କଡ଼ାର ପୃଷ୍ଠଦେଶରେ ଲାଖି ରହି ସଂପୃକ୍ତ କଙ୍କଡ଼ାର ଶରୀରକୁ ନିଜର ସୁରକ୍ଷା କବଚ ଓ ଖାଦ୍ୟ ଉତ୍ସ ଭାବେ ବାଛି ନେବା ସହ ସେମାନଙ୍କ ପ୍ରଜନନ କ୍ଷମତାରେ ମଧ୍ୟ ପରିବର୍ତ୍ତନ କରିଦିଅନ୍ତି। ସେମାନଙ୍କ ପ୍ରଭାବରେ ପୁରୁଷ କଙ୍କଡ଼ାମାନେ ନିଜର ପ୍ରଜନନ ଅଙ୍ଗ ହରାଇବା ସହ ନିଜଠାରେ ଡିମ୍ବାଣୁ ଜନିତ ତନ୍ତୁ ଉତ୍ପନ୍ନ କରିଥା’ନ୍ତି। ଏଥି ସହିତ ପୁରୁଷ କଙ୍କଡ଼ାଠାରେ ମଧ୍ୟ ଅନ୍ୟାନ୍ୟ ମାଈସୁଲଭ ଗୁଣ ବିକଶିତ ହୋଇଥାଏ। ଏପରି ଭାବେ ପୁରୁଷ କଙ୍କଡ଼ାଟି ଚିରକାଳ ପାଇଁ ମାଈ ପାଲଟିଯାଇଥାଏ।