ଅନନ୍ୟ ପାରଳା, ପ୍ରଣମ୍ୟ ଗୋପୀନାଥ

 ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଉ କି ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା; ଅନନ୍ୟ ଅବଦାନ ପାଇଁ ଓଡ଼ିଶା ଇତିହାସରେ ପାରଳା ରାଜ ପରିବାର ସବୁଦିନ ସ୍ମରଣୀୟ ହୋଇ ରହିବ। ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରିବା ପାଇଁ ବ୍ରିଟିସ୍‌ ସରକାରଙ୍କ ନିକଟରେ ଦାବି ଉପସ୍ଥାପନରେ ଅଦମ୍ୟ ସାହସ ଏବଂ ନିରନ୍ତର ଉଦ୍ୟମ ପାଇଁ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନିକଟ‌େର ଚିରଦିନ କୃତଜ୍ଞ ରହିବ ଓଡ଼ିଆ ଜାତି। ଏହି ରାଜ ପରିବାରର ସୁଯୋଗ୍ୟ ଦାୟାଦ ଗୋପୀନାଥ ଗଜପତିଙ୍କ ପରଲୋକ ଆଜି ପୁଣିଥରେ ସମସ୍ତଙ୍କୁ ରାଜ ପରିବାରର ଅବଦାନ ସଂପର୍କରେ ସଚେତନ କରି ଦେଇଛି। ଦିବଂଗତ ଗୋପୀନାଥଙ୍କୁ ଅନ୍ତିମ ବିଦାୟ ଦେ‌ବା ବେଳେ ପାରଳା ରାଜ ପରିବାରର ମଉଡ଼ମଣି, ସ୍ବତନ୍ତ୍ର ଓଡ଼ିଶାର ଅନ୍ୟତମ ବିନ୍ଧାଣି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି ‘ସମ୍ବାଦ’ର ଏହି ସ୍ବତନ୍ତ୍ର ଶ୍ରଦ୍ଧାର୍ଘ୍ୟ।

ପାରଳା ମହାରାଜା ଗୋପୀନାଥ ଗଜପତି ୧୯୪୩ ମାର୍ଚ ୬ ତାରିଖରେ ରାମଚନ୍ଦ୍ର ଗଜପତି ଓ ରାଧାମଣି ଦେବୀଙ୍କ କୋଳମଣ୍ଡନ କରି ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିବାବେଳେ ପିତା ରାମଚନ୍ଦ୍ର ଦେବଙ୍କ ୧୯୫୨ରେ ଅକାଳ ମୃତ୍ୟୁ ହୋଇ ଯାଇଥିଲା। ତେବେ ଗୋପୀନାଥ ବିଏସ୍‌ସି ଟେକ୍‌ରେ ଉତ୍ତୀର୍ଣ୍ଣ ‌ହେବା ପରେ ସେ ରସାୟନ ବିଜ୍ଞାନରେ ଯୋଗ୍ୟତା ହାସଲ କରିଥିଲେ। କିଛି ଦିନ ପାଇଁ ସେ ୱାଲେସ ସାର କାରଖାନାରେ ଶିକ୍ଷାନବିଶ ଭାବେ ଅଭିଜ୍ଞତା ହାସଲ କରିବା ପରେ ସେହି କ୍ଷେତ୍ର ପରିତ୍ୟାଗ କରି ମାଡ୍ରାସ ରବର କାରଖାନାକୁ କର୍ମକ୍ଷେତ୍ର ଭାବେ ବାଛି ନେଇଥିଲେ। ସେଠାରେ ସେ ପାଞ୍ଚବର୍ଷ କାର୍ଯ୍ୟ କରିଥିଲେ।

ପିତାମହଙ୍କ ମୃତ୍ୟୁ ପରେ ରାଜ୍ୟାଭିଷେକ
୧୯୭୪ରେ ପିତାମହ କୃଷ୍ଣଚନ୍ଦ୍ର ଗଜପତିଙ୍କ ମୃତ୍ୟୁ ପରେ ପାରମ୍ପରିକ ଭାବେ ତାଙ୍କର ରାଜ୍ୟାଭିଷେକ ହେଲା। ସେ ଏମ୍‌ଆରଏଫ୍ କମ୍ପାନିରୁ ଅବ୍ୟାହତି ନେଇ ପାରଳା ଜମିଦାରୀର ଭାର ସମ୍ଭାଳିବା ସହ କୃଷି, ବ୍ୟବସାୟ ଓ ଅନ୍ୟାନ୍ୟ ପାରମ୍ପରିକ କାର୍ଯ୍ୟ ପରିଚାଳନା କରି ଆସିଥିଲେ। ୧୯୮୨ ମସିହାରେ ସାନ ଭାଇ ଜଗନ୍ନାଥ ନାରାୟଣ ଦେବଙ୍କ ସହ ମିଶି ସେ ରାଜପ୍ରାସାଦ ଭିତରେ ଥିବା ଡାବା ଗାର୍ଡେନ ପରିସରରେ ଏକ ଚକୋଲେଟ୍ କାରଖାନା ଆରମ୍ଭ କରିଥିଲେ। ତେବେ ବୈଷୟିକ କାରଣ ଯୋଗୁଁ ଏହା ବନ୍ଦ ହୋଇ ଯାଇଥିଲା ଏବ˚ ପରବର୍ତ୍ତୀ ସମୟରେ ଜଗନ୍ନାଥ ନାରାୟଣ ଦେବ ଚେନ୍ନାଇ ଚାଲି ଯାଇଥିଲେ ।

ରାଜ ପରିବାରରୁ ରାଜନୀତି
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବ୍ୟକ୍ତିଗତ ନିମନ୍ତ୍ରଣ ପାଇ ଗୋପୀନାଥ ଗଜପତି ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ । ଅତ୍ୟନ୍ତ, ଧୀର, ସ୍ଥିର ଓ ନମ୍ର ସ୍ବଭାବର ଗଜପତି ନିଜର ମାର୍ଜିତ ବ୍ୟବହାର ଯୋଗୁଁ ବହ୍ମପୁର ଲୋକସଭା ଆସନରୁ ୧୯୮୯ ଓ ୧୯୯୧ରେ ଦୁଇ ଥର ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଅନେକ ସଂସଦୀୟ ସମିତିର ସଦସ୍ୟ ଭାବେ କାର୍ଯ୍ୟକରି ସେ ନିଜ ଦକ୍ଷତାର ପରିଚୟ ଦେଇଥିଲେ। ସେ ସାଂସଦମାନଙ୍କ ବିଶ୍ବ କାର୍ଯ୍ୟକ୍ରମ ଭାରତ ଅଧ୍ୟାୟର ସାଧାରଣ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ତାଙ୍କୁ କ˚ଗ୍ରେସ ଟିକଟ ନ ମିଳିବାରୁ ସେ ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ଜୟନ୍ତୀ ପଟ୍ଟନାୟକଙ୍କ ବିରୋଧରେ ଲଢ଼ି ସେ ପରାଜିତ ହୋଇଥିଲେ। ଏହାପରେ ସେ ରାଜନୀତିରୁ ଏକରକମ ସନ୍ନ୍ୟାସ ନେଇ ଯାଇଥିଲେ। ୨୦୦୯ ମସିହାରେ ସେ ପୁଣିଥରେ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ କ୍ରମେ ବିଜେଡି ଦଳରେ ଯୋଗଦାନ କରିଥିଲେ। ମାତ୍ର ନିର୍ବାଚନ ନ ଲଢ଼ି ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ। ଗଜପତି ଜିଲ୍ଲା ନାଗରିକ ସମିତିର ସଭାପତି ତଥା ଓଡ଼ିଶା ଏବଂ ଓଡ଼ିଶ ବାହାରେ ବହୁ ଅନୁଷ୍ଠାନର ପରିଚାଳନା ସହିତ ସେ ଜଡ଼ିତ ଥିଲେ। ପାରଳାଖେମୁଣ୍ଡି ଉପକଣ୍ଠରେ ଅବସ୍ଥିତ ବ୍ର‌ାହ୍ମଣ ସୀତାପୁର ଗ୍ରାମରେ ମାଧ୍ୟମିକ ଶିକ୍ଷା ପାଇଁ ଯେଉଁ ଘରୋଇ ଉଚ୍ଚ ବିଦ୍ୟାଳୟଟି ତାହା ଗୋପୀନାଥଙ୍କ ନାମକୁ ବହନ କରିଛି। ପାରଳାଖେମୁଣ୍ଡି ମହିଳା ମହାବିଦ୍ୟାଳୟର ଆକର୍ଷଣୀୟ କୋଠା ଘର ପାଇଁ ବ୍ୟବହୃତ ସମୁଦାୟ ଜମି ଗୋପୀନାଥ ଗଜପତିଙ୍କ ଦାନ। ଏହା ବ୍ୟତୀତ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିର ପରିସରର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପାଇଁ ମଧ୍ୟ ସେ ସ୍ଥାନ ଯୋଗାଇ ଦେଇଥିଲେ। ମନ୍ଦିର ପରିସରରେ ଥିବା ସତ୍ୟସାଇ ସେବା ସଂସ୍ଥାନ, ଗୀତା ଭବନ, ଦିବ୍ୟଜୀବନ ସଂଘ ଓ ରଥଯାତ୍ରା ପରିଚାଳନା କମିଟିଙ୍କୁ ବ୍ୟବହାର ପାଇଁ ମଧ୍ୟ ସେ ସ୍ଥାନ ଦାନ କରି ଏକ ଆଧ୍ୟାତ୍ମିକ ପରିବେଶ ଗଠନ କରିବାରେ ସହାୟ ହୋଇଥିଲେ।

ପାରିବାରିକ ଜୀବନରେ ଝଡ଼
ଗୋପୀନାଥ ଗଜପତିଙ୍କ ପାରିବାରିକ ଜୀବନରେ ଅନେକ ଝଡ଼ଝଞ୍ଜା ଦେଖିବାକୁ ମିଳିଥିଲା। ପତ୍ନୀ ବନଜା ଦେବୀଙ୍କ ୧୫ ବର୍ଷ ପୂର୍ବେ ମୃତ୍ୟୁ ଘଟିଥିବା ବେଳେ ୫ ବର୍ଷ ପୂର୍ବେ ତାଙ୍କର ଏକ ମାତ୍ର ପୁତ୍ର ଦିଗ୍‌ବିଜୟଙ୍କର ମଧ୍ୟ ପରଲୋକ ହୋଇଯାଇଥିଲା। ତେବେ, ୨୦୧୬ ଅଗଷ୍ଟ ମାସରେ ଏକ ଓଡ଼ିଆ ଟିଭି ଚ୍ୟାନେଲର ଷ୍ଟିଙ୍ଗ ଅପରେସନ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଗୋପୀନାଥ ଗଜପତି ନିଜ ପ୍ରାସାଦରେ ନଜରବନ୍ଦୀ ଭା‌ବେ ଅଟକ ଅଛନ୍ତି। ଏହି ଖବର ସ୍ଥାନୀୟ ବାସିନ୍ଦାଙ୍କୁ ଉତ୍ତେଜିତ କରିଥିଲା। ଶତାଧିକ ମହିଳା ଓ ପୁରୁଷ ରାଜପ୍ରାସାଦ ମଧ୍ୟକୁ ପ୍ରବେଶ କରି ଗଜପତିଙ୍କୁ ଉଦ୍ଧାର କରିଥିଲେ। ଅସହାୟ ଏବ˚ ଦୁର୍ବଳ ଅବସ୍ଥାରେ ପଡ଼ିରହିଥିବା ଗଜପତିଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର