କ୍ରମାଗତ ଦୁଇ ଥର ଲୋକସଭା ବାଚସ୍ପତି ଭଳି ସମ୍ମାନଜନକ ପଦବି ମଣ୍ଡନ କରି ରାଜନୈତିକ ଜୀବନରେ ବିରଳ ସଫଳତା ହାସଲ କରିଛନ୍ତି ଓମ୍ ବିର୍ଲା। ୨୦୧୪, ୨୦୧୯ ଓ ୨୦୨୪ରେ ଲୋକସଭା ସାଂସଦ ଭାବେ ରାଜସ୍ଥାନର କୋଟା-ବୁନ୍ଦୀରୁ ନିର୍ବାଚିତ ହୋଇଥିବା ଶ୍ରୀ ବିର୍ଲା ସର୍ବସମ୍ମତିକ୍ରମେ ୨୦୧୯ ଜୁନ୍‌ ୧୯ରେ ୧୭ଶ ଲୋକସଭାର ବାଚସ୍ପତି ହୋଇଥିଲେ। ଏହାପରେ ୨୦୨୪ରେ ମଧ୍ୟ ସାଂସଦ ଭାବେ ନିର୍ବାଚିତ ହୋଇ ସେ ପୁନଶ୍ଚ ବାଚସ୍ପତି ଆସନ ଅଳଙ୍କୃତ କରିଛନ୍ତି। ୧୯୮୦ ପରେ ୫ ବର୍ଷ ଧରି ପୂର୍ଣ୍ଣାଙ୍ଗ ଅବଧି ପାଇଁ ଲୋକସଭା ବାଚସ୍ପତି ହୋଇଥିବା ଓମ୍‌ ବିର୍ଲା ଏହା ପୂର୍ବରୁ ତିନି ଥର ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ବିର୍ଲାଙ୍କୁ ‘ସମ୍ବାଦ ରବିବାର’ ପକ୍ଷରୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଳାପ କରିଥିଲେ ଆମର ବରିଷ୍ଠ ପ୍ରତିନିଧି ବିଭୂତି ପତି

Advertisment

ଆପଣ ନିର୍ବାଚନ ପ୍ରଚାର ଲାଗି କିଛି ମାସ ପୂର୍ବରୁ ଓଡ଼ିଶା ଆସିଥିଲେ। ଏବେ ପୁଣି ଆସିଛନ୍ତି। ଆପଣ ଓଡ଼ିଶାବାସୀଙ୍କୁ କ’ଣ କହିବାକୁ ଚାହିବେ? 
ଓଡ଼ିଶା ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମି। ଓଡ଼ିଶାର ବିକାଶକୁ ଏକମାତ୍ର ଲକ୍ଷ୍ୟ ବିବେଚନା କରି ବର୍ତ୍ତମାନର ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ପୁଣି ଓଡ଼ିଶାର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ଅନ୍ୟ ପକ୍ଷରେ ଓଡ଼ିଶା ମୋର ମଧ୍ୟ ଅତ୍ୟନ୍ତ ପ୍ରିୟ ସ୍ଥାନ। ରାଜ୍ୟର ଜନସାଧାରଣଙ୍କ ପ୍ରଗତି ପାଇଁ  ମୋ ଦ୍ବାରା ଯାହା ସମ୍ଭବ ତାହା କରିବା ପ୍ରତି ମୁଁ ଯତ୍ନବାନ୍‌ ହେବି। ଜଗନ୍ନାଥ ଓ ଜନତାଙ୍କ କୃପା ଲାଭକରି ଓଡ଼ିଶାରୁ ୨୦ ଜଣ ବିଜେପି ସାଂସଦ ଦେଶସେବା କରିବାକୁ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ର ସରକାରରେ ବରିଷ୍ଠ ଓ ଦକ୍ଷ ଓଡ଼ିଆ ମନ୍ତ୍ରୀ ମଧ୍ୟ କାର୍ଯ୍ୟ କରୁଛନ୍ତି। ପ୍ରତିଟି ପ୍ରିୟ ଓଡ଼ିଆ ଏବଂ ଦେଶବାସୀଙ୍କ କଲ୍ୟାଣ କାମନା କରି ମୁଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

୧୯୮୦ ପରେ ପ୍ରଥମ ବାଚସ୍ପତି ଭାବେ ପାଞ୍ଚ ବର୍ଷ କାର୍ଯ୍ୟ କରି ପୁଣି ଦ୍ୱିତୀୟ ଥର ବାଚସ୍ପତି ହୋଇଛନ୍ତି। ଏହି ବିରଳ ସଫଳତାକୁ ଆପଣ କିଭଳି ଦେଖନ୍ତି?
ପ୍ରଥମେ ଏଥିପାଇଁ ମୁଁ ରାଜସ୍ଥାନବାସୀଙ୍କୁ କୃତଜ୍ଞତା ଜଣାଇବି। ସେମାନେ ମୋତେ ଲଗାତାର ଆଶୀର୍ବାଦ କରିଚାଲିଛନ୍ତି। ୧୯୭୬ ମସିହା ପରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ଓ ଶାସକ ଦଳ ମଧ୍ୟରେ ବୁଝାମଣା ନ ହୋଇପାରିବାରୁ ଚଳିତ ଥର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ମୁଁ ଏଥିରେ ବିଜୟୀ ହୋଇଥିଲି। ମୋ ପୂର୍ବରୁ ବାଚସ୍ପତି ଭାବେ ଯିଏ ଦୁଇ ଥର ଏହି ସମ୍ମାନଜନକ ପଦବି ପାଇଥିଲେ, ସେ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ବଳରାମ ଜାଖର। ସେ ପଞ୍ଜାବର ଫିରୋଜପୁର ଓ ରାଜସ୍ଥାନର ସିକରରୁ ନିର୍ବାଚନ ଜିତିଥିଲେ। ଜଣେ ବାଚସ୍ପତି ଭାବେ ବିଗତ ୫ ବର୍ଷର ଅଭିଜ୍ଞତା ଆଧାରରେ ସମ୍ବିଧାନର ନିୟମ ଓ ପ୍ରାଥମିକତାକୁ  ଅକ୍ଷୁଣ୍ଣ ରଖି ନୂତନ ମାଇଲଖୁଣ୍ଟ ପ୍ରତିଷ୍ଠା କରିବାକୁ ଉଦ୍ୟମ ଜାରିରଖିଛି। ଏଥିପାଇଁ ସମସ୍ତ ସାଂସଦ ମତେ ସହଯୋଗ କରୁଛନ୍ତି।

ଆପଣ ନିଜ ନିର୍ବାଚନ ମଣ୍ଡଳୀର ଜଣେ ଲୋକପ୍ରିୟ ନେତା। କେଉଁ ଲକ୍ଷ୍ୟ ନେଇ ରାଜନୀତିକୁ ଓହ୍ଲାଇଥିଲେ?
ଜନସେବା ମୋର ଧର୍ମ। ଜନନୀତିରେ ବିଶ୍ୱାସ ରଖି ମୁଁ ରାଜନୀତିକୁ ଆସିଛି ଏବଂ ଏଥିରେ ସଫଳ ହୋଇ ଜନତାର ଆସ୍ଥାଭାଜନ ହୋଇପାରିଛି। ଜନସାଧାରଣ ମୋତେ ଆଶୀର୍ବାଦ ଦେଇ ଜନନେତା ଭାବେ ପରିଚୟ ଦେଇଛନ୍ତି। ଉତ୍ସର୍ଗୀକୃତ ଭାବନା ଓ ଶୁଦ୍ଧତା ନେଇ ମୁଁ ରାଜନୀତିରେ ଯୋଗ ଦେଇଛି, କିନ୍ତୁ ରାଜନୈତିକ ଶିଖର ଛୁଇଁବାରେ ମୁଁ ବିଶ୍ୱାସ ରଖେନାହିଁ। ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟକରି ସେମାନଙ୍କ ହୃଦୟରେ ନିଜ ଲାଗି ସ୍ଥାନ ସୃଷ୍ଟି କରିପାରିଲେ ଜଣେ ସଫଳ ଜନନେତା ହୋଇପାରିବ। ଏହି ଲକ୍ଷ୍ୟ ରଖି ମୁଁ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲି ଏବଂ ଆଜି ପର୍ଯ୍ୟନ୍ତ ତାହା ପାଳନ କରୁଛି।

ଆପଣଙ୍କ କାର୍ଯ୍ୟକାଳରେ ନୂତନ ସଂସଦ ଭବନ ନିର୍ମାଣ ସଂପନ୍ନ ହୋଇ ଭାରତୀୟ ଗଣତନ୍ତ୍ର ଇତିହାସରେ ଏକ ମାଇଲ୍‌ଖୁଣ୍ଟ ସ୍ଥାପିତ ହୋଇଛି। କେତେ ଆହ୍ୱାନପୂର୍ଣ୍ଣ ଥିଲା ଏହି କାର୍ଯ୍ୟ ଏବଂ ଏହାକୁ ନେଇ ଆପଣ କେତେ ଖୁସି?
ପ୍ରତିଟି ଭାରତୀୟ ଏହି କାର୍ଯ୍ୟ ନିମନ୍ତେ ସମସ୍ତ ଶ୍ରେୟର ବାସ୍ତବ ହକଦାର। ସେମାନଙ୍କର ଅକୁଣ୍ଠ ସହଯୋଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ସମର୍ଥନ ଦ୍ବାରା ଏହା ସମ୍ଭବ ହେଲା। ଏହାକୁ ନେଇ ଯେତେବେଳେ ଜୋରଦାର ସମାଲୋଚନା ହେଲା, ଆମର ମନୋବଳ ଆହୁରି ଦୃଢ଼ହେଲା। ପ୍ରଧାନମନ୍ତ୍ରୀ ମୋଦୀ ସବୁବେଳେ ଏହି କାର୍ଯ୍ୟର ସମୀକ୍ଷା କରୁଥିଲେ। ମୁଁ ମଧ୍ୟ ସବୁକିଛି ତଦାରଖ କରି ଗଣମାଧ୍ୟମରୁ ନେଇ ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସଂସଦ ଭବନ ନିର୍ମାଣର ଅଗ୍ରଗତି ସମ୍ବନ୍ଧୀୟ ସୂଚନା ଦେଉଥିଲି। ଆମେ ସିନା ଆର୍ଥିକ ସମସ୍ୟା ଦୂର କରିବାକୁ ସକ୍ଷମ ହେଲୁ, କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ନିର୍ମାଣ କାର୍ଯ୍ୟ ସାରିବା ନିଶ୍ଚିତ ଏକ ଆହ୍ବାନ ଥିଲା। ନିର୍ମାଣ କାର୍ଯ୍ୟର ପରିପୂର୍ଣ୍ଣତା ମୋତେ ଆତ୍ମସନ୍ତୋଷ ପ୍ରଦାନ କରିଛି।

ଏଥର ଲୋକସଭାରେ ବିରୋଧୀ ଦଳ ଅଧିକ ଶକ୍ତିଶାଳୀ ହୋଇ ଉଭା ହୋଇଛି। ଏହା ଆପଣଙ୍କ ଲାଗି ଚାଲେଞ୍ଜ୍‌ ବୋଲି ଭାବୁଛନ୍ତି?
ଗଣତନ୍ତ୍ରରେ ଜଣେ ଜନନେତା ଭାବେ ନିଜସ୍ବ ଅଭିଜ୍ଞତା ଆଧାରରେ ଜାଣିଛି ଯେ ପ୍ରତ୍ୟେକ ଚାଲେଞ୍ଜ୍‌ ମୋତେ ନୂତନ ସୁଯୋଗ ପ୍ରଦାନ କରେ ଏବଂ ସଫଳତା ଦିଗରେ ଅଗ୍ରସର କରାଏ। ଦେଶର ପ୍ରଗତି ପାଇଁ ନିଜ ଯୁକ୍ତି ଉପସ୍ଥାପନ କରିବାକୁ ଚାହୁଥିବା ଶକ୍ତିଶାଳୀ ବିରୋଧୀ ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଜାତୀୟ ସ୍ୱାର୍ଥ କ୍ଷେତ୍ରରେ ଆମେ ସମସ୍ତେ ଏକାଠି ଠିଆ ହେବା ଉଚିତ। ଭାରତୀୟ ସଂସଦ ଗଣତନ୍ତ୍ରର ମନ୍ଦିର ଏବଂ ଏଠାରେ ସମ୍ବିଧାନର ପୂଜା ହେବା ନିଶ୍ଚିତ ଆବଶ୍ୟକ। ରାଷ୍ଟ୍ର ଊର୍ଦ୍ଧ୍ବରେ କେହି ନୁହନ୍ତି ବୋଲି ସମସ୍ତେ ଜାଣିବା ଦରକାର। ସମ୍ବିଧାନ ଅନୁଯାୟୀ ସଂସଦ ଚାଲିବା ପାଇଁ ନିୟମ ପ୍ରସ୍ତୁତ କରାଯାଇଛି।

ଗୃହରେ ବିରୋଧୀ ଦଳ ସାଂସଦଙ୍କ ଆଚରଣକୁ ନେଇ କ’ଣ କହିବେ?
ମୋ ଦୃଷ୍ଟିରେ ସମସ୍ତ ସାଂସଦ ସମାନ। ବିରୋଧୀ କିମ୍ବା ଶାସକ ଦଳ ସାଂସଦଙ୍କ ମଧ୍ୟରେ ମୁଁ କୌଣସି ପାର୍ଥକ୍ୟ ଦେଖେନାହିଁ। ଜନସେବା କରିବାକୁ ଦେଶବାସୀ ସେମାନଙ୍କୁ ମନୋନୀତ କରି ସଂସଦକୁ ପଠାଇଛନ୍ତି। ଲୋକସଭାକୁ ଆସିବା ଲାଗି ସେମାନେ ଜନସମର୍ଥନ ପାଇଛନ୍ତି। ଜନସାଧାରଣଙ୍କ ସ୍ୱାର୍ଥ ସହିତ ସଦସ୍ୟମାନଙ୍କର ନିଜ ନିଜ ଦଳର ଆଭିମୁଖ୍ୟ ରହିବା ସ୍ବାଭାବିକ। ତେଣୁ ସଂସଦରେ ପ୍ରତ୍ୟେକ ସାଂସଦ ନିଜ ଦାବି ଉଠାଇବା ସହ ଯୁକ୍ତି ଉପସ୍ଥାପନ କରିବା ଦରକାର। ଦେଶ ଓ ଜନତାଙ୍କ ବିକାଶ ପାଇଁ ଯୁକ୍ତି, ଦାବି ଓ ମତଭେଦ ମଧ୍ୟ ସ୍ୱାଗତଯୋଗ୍ୟ। ସଂସଦରେ ଗଠନମୂଳକ ଆରୋପ ପ୍ରତ୍ୟାରୋପ ନିଶ୍ଚିତ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବ। କିନ୍ତୁ, କୌଣସି ସାଂସଦ ସଂସଦର ଗରିମା ଏବଂ ସମ୍ବିଧାନର ନୀତି ଓ ଆଦର୍ଶ କ୍ଷୁଣ୍ଣ କରିବା ଅନୁଚିତ।

ଆପଣଙ୍କ କାର୍ଯ୍ୟଶୈଳୀକୁ ନେଇ ବିରୋଧୀ ଦଳ ନେତା ଅନେକ ସମୟରେ ଗୃହରେ ଆପତ୍ତି ଉଠାଉଛନ୍ତି?
ମୁଁ କହିଛି ମୋ ପାଇଁ ସମସ୍ତେ ସମାନ। ଗୃହରେ ଯିଏ ଯେତେବେଳେ ଆପତ୍ତି ଉଠାଇଛନ୍ତି ମୁଁ ସ୍ୱଚ୍ଛତା ଏବଂ ସଂସଦର ନୀତିନିୟମ ରକ୍ଷାକରି ତା’ର ଉତ୍ତର ଦେଇଛି। ସମ୍ବିଧାନ ଓ ତାହାର ସଂସ୍କାର ରକ୍ଷା ଏବଂ ଅନୁଶାସନ ଜୀବନାଦର୍ଶ କଥା ମୁଁ ବୁଝିଛି। ତେଣୁ ମୋତେ ଆକ୍ଷେପ କରାଗଲେ ବି ମୁଁ ନୀତିନିୟମ ଭିତ୍ତିରେ ଗୃହ ପରିଚାଳନା କରେ। ଏକଥା ସମସ୍ତେ ବୁଝିଛନ୍ତି। ଲୋକତନ୍ତ୍ରକୁ ଯିଏ ବି ଆଘାତ ଦେବାକୁ ଚେଷ୍ଟା କରିଛନ୍ତି ଲୋକେ ତାଙ୍କୁ ଜବାବ ଦେଇଛନ୍ତି।

ଅଳ୍ପରେ ଓମ୍‌ 
ନିରାଡ଼ମ୍ବର ଜୀବନଶୈଳୀ ଓ ମିଷ୍ଟଭାଷୀ ନେତା ଭାବେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ସଂସଦରେ ଓ ସଂସଦ ବାହାରେ ସମସ୍ତଙ୍କର ପ୍ରିୟପାତ୍ର। ଯୁବାବସ୍ଥାରୁ ଛାତ୍ର ରାଜନୀତିରେ ସକ୍ରିୟ ଥିବା ଶ୍ରୀ ବିର୍ଲା କଲେଜ ଛାତ୍ରସଂସଦ ନିର୍ବାଚନରେ ଏକାଧିକ ବାର ନିର୍ବାଚିତ ହୋଇଥିଲେ। ତିନି ତିନି ଥର ବିଧାୟକ ହୋଇଥିବା ଶ୍ରୀ ବିର୍ଲା ୧୯୯୧ରେ ରାଜସ୍ଥାନ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଏବଂ ୧୯୯୭ ମସିହାରେ ଯୁବମୋର୍ଚ୍ଚାର ଜାତୀୟ ଉପ-ସଭାପତି ହୋଇଥିଲେ। ନିଜ ନିର୍ବାଚନମଣ୍ଡଳୀ ରାଜସ୍ଥାନର କୋଟା ସହରକୁ ଦେଶର ଅନ୍ୟତମ ଶିକ୍ଷାନଗରୀ ଭାବେ ଗଢ଼ିତୋଳିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହା ରାଜନୈତିକ ପରିସରରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ବୁନ୍ଦୀ ଅଞ୍ଚଳର ଜନସାଧାରଣଙ୍କୁ ଚମ୍ବଲ୍‌ ନଦୀ ଜଳ ଯୋଗାଣ ପାଇଁ ସଫଳ ଆନ୍ଦୋଳନ କରି ସେ ସୁଖ୍ୟାତି ଅର୍ଜନ କରିଥିଲେ। ଟିକସମୁକ୍ତ ସହର ବିକାଶ ଏବଂ ବହୁରାଷ୍ଟ୍ରୀୟ କମ୍ପାନିବିରୋଧୀ ଆନ୍ଦୋଳନ ତାଙ୍କୁ ଜଣେ ଜନନେତା ମାନ୍ୟତା ଦେଇଥିଲା। ନ୍ୟାସ୍‌ନାଲ୍‌ କୋ-ଅପରେଟିଭ୍‌ କଞ୍ଜ୍ୟୁମର୍‌ ଆସୋସିଏସନ୍ ଲିମିଟେଡ୍‌ର ଉପାଧ୍ୟକ୍ଷ ଥିବାବେଳେ ନୂଆଦିଲ୍ଲୀ ସମେତ ସାରା ଦେଶରେ ସୁପର୍‌ ମାର୍କେଟ୍‌ ସ୍କିମ୍‌ ନେଟ୍‌ୱାର୍କ ବିକାଶ ଯୋଜନା ତାଙ୍କୁ ଅନନ୍ୟ ପରିଚୟ ଦେଇଥିଲା।