ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି ଯେ ପାଖାପାଖି ପାଞ୍ଚ ବର୍ଷ ହେଲା ତାଙ୍କ ପାସ୍ପୋର୍ଟ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍ସିବି) ପାଖରେ ଥିଲା, ଯାହା ନିକଟରେ ତାଙ୍କୁ ଫେରାଇ ଦିଆଯାଇଛି। ୨୦୨୦ ମସିହାରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତ୍ୟୁ ମାମଲାରେ ରିୟାଙ୍କୁ ଗିରଫ କରିବା ସହିତ ତାଙ୍କ ପାସ୍ପୋର୍ଟ ଜବତ କରାଯାଇଥିଲା। ସେବେଠାରୁ ସେ ଏକ ଦୀର୍ଘ ଆଇନଗତ ଲଢ଼େଇ ଜାରି ରଖିଛନ୍ତି। ସ୍ମରଣଯୋଗ୍ୟ ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ ପରେ ସାମାଜିକ ଗଣମାଧ୍ୟମ ଓ କିଛି ଟେଲିଭିଜନ ଚ୍ୟାନେଲରେ ରିୟାଙ୍କୁ ହତ୍ୟାକାରୀ, ନିଶା ଚାଲାଣକାରୀ ଓ ତନ୍ତ୍ର ମନ୍ତ୍ର କରୁଥିବା ଡାହାଣୀ ବୋଲି ଦର୍ଶାଇବାକୁ ଉଦ୍ୟମ କରାଯାଇଥିଲା।
କୌଣସି ପ୍ରମାଣ ବିନା ଜଣେ ସଫଳ ମହିଳାଙ୍କୁ ନାନା ଯାତନାର ଶରବ୍ୟ କରାଯିବା ଆମ ପୁରୁଷପ୍ରାଧାନ୍ୟ ସମାଜର ନିକୃଷ୍ଟତମ ରୂପକୁ ପଦାରେ ପକାଇଦେଇଥିଲା। ରିୟା କିନ୍ତୁ କୁତ୍ସା ରଟନାର ଏହି ଝଡ଼କୁ ନିର୍ଭୀକ ଭାବରେ ସାମ୍ନା କରିଥିଲେ। ସେ କୋର୍ଟ ଉପରେ ଆସ୍ଥା ରଖି ଧୈର୍ଯ୍ୟର ସହ ଏତେ ବର୍ଷ ଧରି ନ୍ୟାୟର ଅପେକ୍ଷା କରିଛନ୍ତି। ପାସ୍ପୋର୍ଟ ଫେରସ୍ତ ପାଇଁ ତାଙ୍କ ଆବେଦନକୁ ବମ୍ବେ ହାଇକୋର୍ଟ ଗ୍ରହଣ କରି ଏନ୍ସିବିକୁ ତାହା ଫେରାଇଦେବାକୁ ନିର୍ଦେଶ ଦେଇଥିଲେ। କୋର୍ଟ ଏଥିସହିତ ଟିପ୍ପଣୀ କରିଥିଲେ ଯେ ରିୟା କେବେ ବି ଜାମିନ ସର୍ତ୍ତ ଉଲ୍ଲଂଘନ କରି ନାହାନ୍ତି ଏବଂ ମାମଲାରେ ସଂପୂର୍ଣ୍ଣ ରୂପେ ସହଯୋଗ କରିଆସିଛନ୍ତି। ପାସ୍ପୋର୍ଟ ହସ୍ତଗତ ହେବା ପରେ ରିୟା ନିଜର ଖୁସି ବ୍ୟକ୍ତ କରି ଇନ୍ଷ୍ଟାଗ୍ରାମ୍ରେ ଲେଖିଛନ୍ତି- ‘ଗତ ୫ ବର୍ଷ ହେଲା ଧୈର୍ଯ୍ୟ ହିଁ ମୋର ଏକମାତ୍ର ପାସପୋର୍ଟ ଥିଲା। ଅସଂଖ୍ୟ ଲଢ଼େଇ, ଅସୀମ ଆଶା। ଆଜି ପାସ୍ପୋର୍ଟ ପୁଣି ମୋ ହାତକୁ ଆସିଛି। ଜୀବନର ଦ୍ବିତୀୟ ଅଧ୍ୟାୟ ପାଇଁ ମୁଁ ପ୍ରସ୍ତୁତ। ସତ୍ୟମେବ ଜୟତେ।’