ପାତାଳଗଙ୍ଗା କୃଷ୍ଣାବେଣୀ : ପ୍ରାଚୀନ ଶୈବପୀଠ କୃଷ୍ଣାବାଈରୁ ଗୋମୁଖରୁ ନଦୀର ଆରମ୍ଭ

‘ମହାଭାରତ’ର ସଭାପର୍ବରେ ଉଲ୍ଲେଖ ଅଛି- “ଗୋଦାବରୀ କୃଷ୍ଣାବେଣୀ କାବେରୀ ଚ ସରୀଦ୍ୱାରା” ଅର୍ଥାତ୍ ଗୋଦାବରୀ ଓ କାବେରୀ ସହିତ କୃଷ୍ଣାବେଣୀ ନାମକ ଏକ ସରିତ ପ୍ରବାହିତ। କୃଷ୍ଣାବେଣା ବା କୃଷ୍ଣାବେଣୀ ବା କ୍ରିଷ୍ଣା ନାମରେ ନାମିତ ଏକ ପୁଣ୍ୟତୋୟା ସ୍ରୋତସ୍ୱତୀ ପଶ୍ଚିମଘାଟ ପର୍ବତମାଳାର ମହାବଳେଶ୍ୱରର ଉତ୍ତରରୁ ବାହାରି, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ପ୍ରାୟ ୧୪ଶହ କିଲୋମିଟର ଅତିକ୍ରମ କରି, ଦକ୍ଷିଣରେ ସମୁଦ୍ରରେ ମିଶିଛି।

କୃଷ୍ଣାନଦୀର ଉଦ୍‌ଗମ ସ୍ଥଳ ମହାବଳେଶ୍ୱରର କୃଷ୍ଣାବାଈ ନାମକ ଏକ ପ୍ରାଚୀନ ଶିବ ମନ୍ଦିର। ସେଠାରେ ଏକ ଗାଈର ମୁଖରୁ ଏକ ଜଳଧାରା ବାହାରିଥାଏ। ଏହି ଜଳଧାରା ପଞ୍ଚଗଙ୍ଗା ମନ୍ଦିର ପାଖରେ ବେଣା, କୋୟନା, ଗାୟତ୍ରୀ ଓ ସାବିତ୍ରୀ ଆଦି ନିର୍ଝର ସହିତ ସଂଯୁକ୍ତ ହୋଇ କୃଷ୍ଣାବେଣୀ ନଦୀ ହୋଇଛି। ଲୋକକଥା ଅନୁସାରେ, କୃଷ୍ଣା, ବେଣା ଓ କୋୟନା ସହ୍ୟାଦ୍ରିର ତିନି କନ୍ୟା। କୃଷ୍ଣା ଓ ବେଣାର ସଂଯୋଗରେ କୃଷ୍ଣାନଦୀର ପ୍ରାଚୀନ ନାମ କୃଷ୍ଣାବେଣୀ। କୃଷ୍ଣାର ଉଦ୍‌ଗମ ସ୍ଥଳ ପଶ୍ଚିମ ସମୁଦ୍ର ତଟରୁ ଅଧିକ ଦୂର ନୁହେଁ, ତଥାପି ଏହା ପୂର୍ବରୁ ପଶ୍ଚିମକୁ ଯାଇ ପୁନଶ୍ଚ ଦକ୍ଷିଣକୁ ଗତି କରି, ପୂର୍ବମୁଖୀ ହୋଇ ତୁଙ୍ଗଭଦ୍ରା, କୋଆନ, ଘାଟପ୍ରଭା, ଭୀମାମୂଷା ଆଦି ବାରଟି ଉପନଦୀ ସହିତ ସଙ୍ଗମ କରି, ଭାରତର ଚତୁର୍ଥ ବୃହତ୍ତମ ନଦୀର ମାନ୍ୟତା ଲାଭ କରିଛି। ଏହାର ଦୀର୍ଘ ନଦୀଶଯ୍ୟାରେ ୧୨ରୁ ଊର୍ଦ୍ଧ୍ୱ ବୃହତ୍‌କାୟ ନଦୀବନ୍ଧ ନିର୍ମିତ ହୋଇ, ତିନି ପ୍ରଦେଶର କୃଷି ଓ ଶିଳ୍ପର ଅଗ୍ରଗତିରେ ଯେପରି ବିଶେଷ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି; ଠିକ୍ ସେହିପରି ଏହାର ତଟଦେଶରେ ଅନେକ ମନ୍ଦିର ଓ ତୀର୍ଥସ୍ଥାନ ରହି ଏହାର ଜଳକୁ ପବିତ୍ରତା ପ୍ରଦାନ କରିଛି।

କୃଷ୍ଣଙ୍କ ଶରୀରରୁ ଜାତ ବୋଲି ଏହାର ନାମ କୃଷ୍ଣା। ମହାରାଷ୍ଟ୍ରର ସତାରା ସହରକୁ ଦକ୍ଷିଣକାଶୀ କୁହାଯାଏ। କାରଣ ଏଠାରେ ବହୁ ଶିବ ଓ ଗଣପତିଙ୍କ ମନ୍ଦିର ଅଛି। କୃଷ୍ଣା କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଧ୍ର ଦେଇ ଗତି କଲାବେଳେ ବାରଟି ସଙ୍ଗମ ସ୍ଥଳ ସହିତ କର୍ଣ୍ଣାଟକର ପ୍ରସିଦ୍ଧ ବୀରଭଦ୍ର ମନ୍ଦିର, ସଙ୍ଗମେଶ୍ୱର ଶିବ ମନ୍ଦିର, ଅଂଜନେୟ ସ୍ୱାମୀ ମନ୍ଦିର, ତେଲେଙ୍ଗାନାର ଦତ୍ତାତ୍ରେୟ ମନ୍ଦିର, ବିଜୟୱାଡ଼ାର ଦୁର୍ଗା ମାଲେଶ୍ୱରୀ ମନ୍ଦିର ଆଦି ଅନେକ ମନ୍ଦିର ପଡ଼େ। ଏହି ସ୍ଥାନଗୁଡ଼ିକ ବିଶେଷ ତୀର୍ଥକ୍ଷେତ୍ର। ଏହି କ୍ଷେତ୍ରମାନଙ୍କୁ ଆସି ଶ୍ରଦ୍ଧାଳୁମାନେ କୃଷ୍ଣାରେ ସ୍ନାନ କରିଥାନ୍ତି। ଏହା ମଧ୍ୟରେ ସବୁଠାରୁ ଉଲ୍ଲେଖନୀୟ ତୀର୍ଥ ହେଉଛି ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଶ୍ରୀଶୈଳମ୍‌ର ମଲ୍ଲିକାର୍ଜୁନ ମନ୍ଦିର। ଭାରତରେ ଥିବା ଦ୍ୱାଦଶ ଶିବଲିଙ୍ଗ ଏବଂ ଅଷ୍ଟାଦଶ ଶକ୍ତିପୀଠ ମଧ୍ୟରୁ ଏହା ଅନ୍ୟତମ। ଏଠାରେ କୃଷ୍ଣାନଦୀର ନାମ ପାତାଳଗଙ୍ଗା। ଏହି ପାତାଳଗଙ୍ଗାରେ ସ୍ନାନ କଲା ପରେ ହିଁ ମଲ୍ଲିକାର୍ଜୁନ ଅର୍ଥାତ୍ ପରଂବ୍ରହ୍ମ ଓ ପରାଶକ୍ତିଙ୍କୁ ଦର୍ଶନ କରିବା ବିଧେୟ। ଏହା ପରେ କୃଷ୍ଣାନଦୀ ଅମରାବତୀର ବୌଦ୍ଧବିହାରକୁ ସ୍ପର୍ଶ କରି ହଂସଳାଦେବୀଠାରେ ସାଗର ସଂଗମ କରିଛି। ଏ ଦୃଷ୍ଟିରୁ ଉଭୟ ହିନ୍ଦୁ ଏବଂ ବୌଦ୍ଧ ଉଭୟଙ୍କ ପାଇଁ କୃଷ୍ଣା ଏକ ପବିତ୍ର ନଦୀ। କୃଷ୍ଣ ଓ କୃଷ୍ଣାଙ୍କର ମିଳନ ସ୍ଥଳ ହଂସଲା ଦେବୀଙ୍କଠାରେ ଥିବା କୃଷ୍ଣ ମନ୍ଦିର ଏହାର ପ୍ରତୀକ।

-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର