ଲୋକଙ୍କ ଭିତରେ ଭୟ ସୃଷ୍ଟି କରି ଲାଭ ଉଠାଇଥିବାରୁ ପତଞ୍ଜଳି ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲେ ମାଡ୍ରାସ୍ ହାଇକୋର୍ଟ

ନୂଆଦିଲ୍ଲୀ: ଆପଣଙ୍କର ମନେ ଥିବ ନିଶ୍ଚୟ କିଛି ଦିନ ତଳେ ଯୋଗ ଗୁରୁ ବାବା ରାମଦେବଙ୍କ ଆୟୁର୍ବେଦ ଔଷଧ ତିଆରିକାରୀ ସଂସ୍ଥା ପତଞ୍ଜଳି କରୋନା ଭାଇରସ୍‌ର ପ୍ରତିଷେଧକ ଔଷଧ କରୋନିଲ୍‌ ବାହାର କରିଛି ବୋଲି ଦାବି କରିଥିଲା। ମିଥ୍ୟା ଖବର ପ୍ରକାଶ କରି ଲୋକଙ୍କୁ ଭୁଆଁ ବୁଲାଇଥିବା ଅଭିଯୋଗରେ ମାଡ୍ରାସ ହାଇକୋର୍ଟ ପତଞ୍ଜଳି ବିରୋଧରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି।

୧୦୪ ପୃଷ୍ଠାର ଏକ ଅର୍ଡର ଜାରି କରି ଅଦାଲତ କହିଛନ୍ତି  ଯେ ପତଞ୍ଜଳି ଲୋକଙ୍କ ଭିତରେ ଭୟ ସୃଷ୍ଟି କରି ଲାଭ ଉଠାଇଛି। ଥଣ୍ଡା, କାଶ ଏବଂ ଜ୍ବରକୁ ଭଲ କରୁଥିବା ଏକ ଔଷଧକୁ କମ୍ପାନି କରୋନା ଭାଇରସ୍‌ର ପ୍ରତିଷେଧକ ବୋଲି କହି ଲୋକଙ୍କୁ ଠକିବାର ଉଦ୍ୟମ କରିଥିଲା ବୋଲି କୋର୍ଟ ମନ୍ତବ୍ୟ ଦେଇଛନ୍ତି।

Deccan Herald

ଆରୁଦ୍ରା ଇଞ୍ଜିନିୟର୍ସ ପ୍ରାଇଭେଟ ଲିମିଟେଡ୍ ଦ୍ବାରା ଦାୟର ହୋଇଥିବା ମାମଲାର ଶୁଣାଣି କରି ଜଷ୍ଟିସ୍ ସି.ଭି କାର୍ତ୍ତିକେୟାନଙ୍କ ଦ୍ବାରା ଗଠିତ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଛି। ଆରୁଦ୍ରା ଇଞ୍ଜିନିୟର୍ସ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଅଭିଯୋଗ ହୋଇଥିଲା ଯେ  ୧୯୯୩ ମସିହାରୁ କରୋନିଲ୍‌ ନାମରେ ତାଙ୍କ କମ୍ପାନିର ଏକ ଟ୍ରେଡ୍‌ମାର୍କ ପଞ୍ଜିକୃତ ହୋଇଥିଲା।

ପତଞ୍ଜଳି କରୋନିଲ୍‌ ନାମ ବ୍ୟବହାର କରିବା ପୂର୍ବରୁ ଯାଞ୍ଚ୍‌ କରିବାର ଥିଲା। ଯଦି ବି କରିନାହିଁ ତାହା ଏକ ଭୁଲ୍‌ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ବେପାର ବାଣିଜ୍ୟରେ ସମାନ ନାମକୁ ଏକାଧିକ ବାର ବ୍ୟବହାର କରାଯାଇ ପାରେନାହିଁ।

ତେବେ ପତଞ୍ଜଳିଠରୁ ଅଗଷ୍ଟ ୨୧ ତାରିଖ ସୁଦ୍ଧା ଜରିମାନା ରାଶି ସଂଗ୍ରହ କରାଯାଇ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଆଡିଆର କର୍କଟ ପ୍ରତିଷ୍ଠାନକୁ ୫ ଲକ୍ଷ ଟଙ୍କା ଏବଂ ସରକାରୀ ଯୋଗ ଏବଂ ନେଚରୋପାଥି ମେଡିକାଲ କଲେଜ ଏବଂ ହସପିଟାଲକୁ ୫ ଲକ୍ଷ ଟଙ୍କା ଦିଆଯିବ।

ସମ୍ବନ୍ଧିତ ଖବର