କରୋନିଲ୍‌ର ବିଜ୍ଞାପନ ଉପରେ ରୋକ ଲାଗିବା ପ‌ରେ ‘ଫେୟାର ଆଣ୍ଡ୍‌ ଲଭ୍‌ଲି’ କ୍ରିମ୍‌କୁ ଟାର୍ଗେଟ କଲେ ପତଞ୍ଜଳି ସମର୍ଥକ

ନୂଆଦିଲ୍ଲୀ: କରୋନା ଭାଇରସ୍‌ରୁ ଆରୋଗ୍ୟ ଲାଭ କରିବାକୁ ପତଞ୍ଜଳି ଆୟୁର୍ବେଦ ପକ୍ଷରୁ କରୋନିଲ୍‌ ଔଷଧ ଉଦ୍ଭାବନ କରାଯାଇଚି ବୋଲି  ଘୋଷଣା କରାଯିବା ପରେ ବିବାଦୀୟ ହୋଇ ପଡ଼ିଛନ୍ତି ବାବା ରାମଦେବ। ତାଙ୍କୁ ବିଭିନ୍ନ ମହଲରୁ ନିନ୍ଦା ହେଉଥିବା ବେଳେ ଏଣେ ପତଞ୍ଜଳିର କିଛି ପ୍ରଶଂସକ ତାଙ୍କ ସମର୍ଥନରେ ସୋସିଆଲ୍‌ ମିଡିଆରେ ସ୍ବର ଉଠାଇଛନ୍ତି।

ପ୍ରଶଂସକମାନେ ଅନ୍ୟ ବ୍ରାଣ୍ଡ୍‌ ସହିତ ପତଞ୍ଜଳିକୁ ତୁଳନା କରି ରାମଦେବଙ୍କୁ ସମର୍ଥନ କରିଛନ୍ତି। ଜଣେ ପ୍ରଶଂସକ ଟ୍ବିଟ୍‌ ପୋଷ୍ଟ୍‌ କରି ଲେଖିଛନ୍ତି, ‘ଦୀର୍ଘ ୨୦ ବର୍ଷ ହେଲା ବିନା କୌଣସି ପରୀକ୍ଷଣରେ ‘ଫେୟାର‌ ଆଣ୍ଡ୍‌ ଲଭ୍‌ଲି’ କ୍ରିମ୍‌ ଗ୍ରାହକଙ୍କୁ ବୋକା ବନାଇ ଅ‌ାସୁଛି। ଆଜି ବାବା ରାମଦେବ କରୋନିଲ୍‌ର ବିଜ୍ଞାପନ କରି ଦେଲେ ବୋଲି ଏତେ ସବୁ କଥା ଉଠିଛି। ମାତ୍ର ଏହି କ୍ରିମ୍‌ରେ ଲୋକ ଗୋରା ହୋଇଯିବେ ବୋଲି କୌଣସି ପ୍ରମାଣ ନ ଥାଇ ମଧ୍ୟ ଅନେକ ସେଲିବ୍ରିଟି ବିଜ୍ଞାପନରେ ସାମିଲ୍‌ ହୋଇଛନ୍ତି।’

ଆଉ ଜ‌ଣେ ବ୍ୟବହାରକାରୀ ଲେଖିଛନ୍ତି, ‘ବିଦେଶୀ କମ୍ପାନି ଡେଟଲ୍‌ ୯୯.୯ କୀଟାଣୁ ମାରି ଦେଉଛି ବୋଲି ବିଜ୍ଞାପନ ଦେଖିଲେ ଆମେ ଗ୍ରହଣ କଲେ। ‘ଫେୟାର‌ ଆଣ୍ଡ୍‌ ଲଭ୍‌ଲି’ କ୍ରିମ୍‌ ଲଗାଇଲେ ଗୋରା ହୋଇଯିବା କଥାକୁ ବି ଗ୍ରହଣ କଲେ ମାତ୍ର ଯେତେବେଳେ ସ୍ବଦେଶୀ ପତଞ୍ଜଳି କରୋନିଲ୍‌ ବାହାର କଲା ତ ଆମେ ପ୍ରଶ୍ନ ଉଠାଇଲେ। କାହିଁକି ଏପରି ଚିନ୍ତାଧାରା?’

ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କରୋନିଲ୍‌ର ସିନା କିଛି ପ୍ରମାଣ ନାହିଁ। କିନ୍ତୁ ‘ଫେୟାର‌ ଆଣ୍ଡ୍‌ ଲଭ୍‌ଲି’ କ୍ରିମ୍‌  ତ ପିଲାଦିନରୁ ଲୋକଙ୍କୁ ଗୋରା କରି ଆସୁଛି।’

ସମ୍ବନ୍ଧିତ ଖବର