ଗତ ଏପ୍ରିଲ ୨୪ ତାରିଖରେ ସ୍ବନାମଧନ୍ୟା କଥାକାର ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଏବଂ ଏପ୍ରିଲ ୨୦ରେ ବିଶିଷ୍ଟ ନାଟ୍ୟକାର ରବୀନ୍ଦ୍ରନାଥ ଦାସ ଆମ ଗହଣରୁ ବିଦାୟ ନେଇଛନ୍ତି। ଉଭୟ ସ୍ରଷ୍ଟାଙ୍କ ସ୍ମୃତିରେ ସମ୍ବାଦ ସାହିତ୍ୟ ପୃଷ୍ଠାର ସ୍ବତନ୍ତ୍ର ଉପସ୍ଥାପନା।

Advertisment

ବୀଣାପାଣି ମହାନ୍ତି। ଦୁଇ ଶତାବ୍ଦୀର, ବିଂଶ ଏକବିଂଶ ସ୍ବାଧୀ‌େନାତ୍ତର କାଳର ଆମ ଭାଷା ସାହିତ୍ୟର ପ୍ରମୁଖ ବିନ୍ଧାଣି। ଭାରତୀୟ ପ୍ରେକ୍ଷାପଟରେ ଅନ୍ୟତମା ଅଗ୍ରଗଣ୍ୟା କଥାକାର। ଯୁଗ ଯୁଗ ପ୍ରବାହିତ ଓଡ଼ିଆ ଗଦ୍ୟସାହିତ୍ୟର ଧାରାର ଭବିଷ୍ୟତର ବାହକ ଧାରକଙ୍କ ପ୍ରେରଣାର ଉତ୍ସ। ଅଗଣିତ ନବପ୍ରତିଭାଙ୍କ ମାର୍ଗ-ପ୍ରଦର୍ଶିକା। କାଳ କାଳ ନିଷ୍ପେଷିତା, ନିର୍ଯାତିତା ନିର୍ବାକ୍‌ ନାରୀଙ୍କ ସୃଜନ ସତ୍ତାର ସଞ୍ଜୀବନୀ ମନ୍ତ୍ର। ଛାତ୍ରଛାତ୍ରୀ ସମାଜକୁ କଳା ସାହିତ୍ୟ ନାଟ୍ୟ ସଂସ୍କୃତି ଐତିହ୍ୟ ପ୍ରତି ଆକର୍ଷିତ ଓ ପ୍ରଣୋଦିତ କରିବାରେ, ଓଡ଼ିଆ ଯୁବଲେଖକ ସମ୍ମିଳନୀ ସଙ୍ଗଠନ ବିବିଧ କାର୍ଯ୍ୟାନୁଷ୍ଠାନ, ସର୍ବୋପରି ଓଡ଼ିଶାର ଲେଖିକାମାନଙ୍କୁ ସଂଘବଦ୍ଧ କରିବା ଦିଗରେ ଲେଖିକା ସଂସଦ ପ୍ରତିଷ୍ଠା ପ୍ରସାର ମାଧ୍ୟମରେ, ଓଡ଼ିଆ ଭାଷା ଓ ସାହିତ୍ୟରେ ନୂଆ ସ୍ବପ୍ନ ସଞ୍ଚାରିତ କରିବାରେ ନିଃସନ୍ଦେହରେ ତାଙ୍କର ଅବଦାନ ଅନନ୍ୟ ଓ ବିରଳ। ପଚାଶ ଦଶକରୁ ଆଜିର କୋଡ଼ିଏ ଦଶକ ସୁଦୀର୍ଘ ସତୁରି ବର୍ଷରୁ ଊର୍ଦ୍ଧ୍ବକାଳର ନିରବଚ୍ଛିନ୍ନ ତ୍ୟାଗପୂତ ସାହିତ୍ୟ ସାଧନା।

ଏସବୁ ମଧ୍ୟରେ ବୀଣାପାଣି ମହାନ୍ତିଙ୍କ ଅନ୍ତରର ବାଣୀ ‘‘ପ୍ରେମ ବିନା ପୃଥିବୀ କାହିଁ? ଯଦି ଏ ଜଗତର ମଣିଷକୁ କେହି ବଞ୍ଚେଇ ରଖିଥାଏ, ତେବେ ତା’ ହେଉଚି ପ୍ରେମ।’’ ବାସ୍ତବିକ୍‌ ବଞ୍ଚିବା ବଞ୍ଚାଇବା ମଧ୍ୟରେ କେବଳ ମାତ୍ର ସେତୁ ଭଲପାଇବା। ଏହି ଭଲପାଇବାର ବ୍ୟାଖ୍ୟା ବିଶ୍ଳେଷଣ, କାରଣ ଅକାରଣ ମଣିଷର ଜୀବନ, ଭାବ ଅଭାବ ବିନ୍ୟାସ, ନିଶ୍ଚିତି, ଅନିଶ୍ଚିତି, ଆତ୍ମବିଶ୍ବାସ, ଅସହାୟବୋଧ, ଉତ୍ତରଣ ଅବତରଣ, ନ୍ୟାୟ ଅନ୍ୟାୟ, ପାପବୋଧ, ମୁକ୍ତିବୋଧ ଇତ୍ୟାଦି ଅଜସ୍ର ବିଷୟ ସମସ୍ୟା ଓ ସମାଧାନ ମଣ୍ଡିତ ସମନ୍ବିତ ତାଙ୍କର ସର୍ଜନା।

ଲାଗେ, କେଉଁକାଳୁ ଆଜି ପର୍ଯ୍ୟନ୍ତ ଲେଖା ହେଉଥିବା, ସ୍ବର ସଂଯୋଜିତ ହେଉଥିବା, ବୋଲାଯାଉଥିବା ଅଗଣିତ ଗୀତ ସଙ୍ଗୀତ ଯେପରି ପ୍ରତିଟି ପ୍ରତିଟିଠାରୁ ଭିନ୍ନ, ଯେପରି ରବୀନ୍ଦ୍ରନାଥଙ୍କ ରଚନା ଅଗଣନ, ଯେପରି ମଣିଷର ମଧ୍ୟବିତ୍ତର ସଂସାର ସମସ୍ୟା ଜୀବନ, ସେହିଭଳି ଅଗଣିତ ଅଭିନ୍ନ ଅଥଚ ଭିନ୍ନ ପ୍ରାୟ ପ୍ରତିଟି ପ୍ରତିଟିରୁ ବୀଣାପାଣି ମହାନ୍ତିଙ୍କ କାହାଣୀ ଭଣ୍ଡାର। ବୋଧହୁଏ ମଣିଷର ନିମ୍ନ, ଉଚ୍ଚ, ସର୍ବୋପରି ମଧ୍ୟବିତ୍ତ ମଣିଷର ସମାଜର ଏପରି ଦିଗ ଦୃଷ୍ଟିକୋଣ ବାକି ନାହିଁ ଯାହା ନେଇ ବୀଣାପାଣିଙ୍କ କାହାଣୀ ସଜ୍ଜିତ ହୋଇନାହିଁ ବା ମତ ମନ୍ତବ୍ୟ ଟିପ୍ପଣୀ ଗପଛଳରେ ପ୍ରକାଶ ପାଇନାହିଁ। ତେବେ ଗୋଟିଏ ଦିଗ ଉପରେ ବୋଧହୁଏ (ସେ ଇଚ୍ଛାକୃତ ବା ଅନିଚ୍ଛାକୃତ କାରଣରୁ ହେଉପଛେ, ହୁଏତ ଦୃଷ୍ଟି ପଥାରୂଢ଼) ଗୁରୁତ୍ବ ବିଶେଷ ଲକ୍ଷ୍ୟ କରାଯାଏ ନାହିଁ, ତାହା ହେଉଛି ଅଲୌକିକ ବା ଅାଧ୍ୟାତ୍ମିକ ଅତିମାନବୀୟ ଉତ୍ତରଣ ଅବତରଣ ବା ବିବିଧ ବିଭିନ୍ନ ବାଦ, ମତବାଦ ବା ଇଜିମ୍‌ର କୃତ୍ରିମ ବିଜ୍ଞାପିତ ପ୍ରୟୋଗ। ଠିକ୍ ସେହିପରି ଆମେ ହୁଏତ ଆମ ଜ୍ୟାମିତି ଆମ ନକ୍ସାରେ ତାଙ୍କର କେତେକ ଗପକୁ ନିଜର ସୁବିଧା ଅନୁଯାୟୀ ନାରୀବାଦୀ, ବାମାବାଦୀ, ଉଦାରବାଦୀ, ସାମ୍ୟବାଦୀ, ମାନବବାଦୀ ଇତ୍ୟାଦି ବିବିଧ ଭାଗ ବିଭାଗରେ ବିଭାଜିତ କରି ନିଜ ନିଜର ବଳିଷ୍ଠ ମତ ମନ୍ତବ୍ୟ ଯୁକ୍ତି ଉପସ୍ଥାପନ ବା ପ୍ରଦାନ କରିପାରୁ। କିନ୍ତୁ ଆଉ ଟିକିଏ ଗହୀରେଇ ନିରେଖିଲେ (ଯାହା ସିଏ ନି‌େଜ ବି କହିଛନ୍ତି) ବୋଧହୁଏ ଆଖିରେ ପଡ଼ିବ, ସେ ଏସବୁର ଊର୍ଦ୍ଧ୍ବରେ, ସର୍ଜନାର ଚିରସବୁଜ ଅଭୟାରଣ୍ୟରେ ମଣିଷର ବିବିଧ ରୂପରେଖର ଜୀବଜନ୍ତୁଙ୍କ ଅବାଧ ବିଚରଣ, ସଂଘାତ ସଂହାର ସଂଜାତର, ବିଭେଦର ଊର୍ଦ୍ଧ୍ବର ଜୀବନଯାପନ, ସାଧାରଣ ମଣିଷର ଭାବଭାବନାର ଅଗଣନ ଫୁଲ ଫଳ, ବୃକ୍ଷ ଲତାଙ୍କ ଅମ୍ଳାନ ଅବଦାନ, ଅନ୍ତହୀନ ଭୋଗ ଅନିଭୋଗ ସମ୍ଭୋଗ ଏବଂ ସେସବୁରୁ ଉଦ୍ଧରଣ ଉତ୍ତରଣର, ସେସବୁ ମଧ୍ୟରେ ଡହଳ ଆତୁର ଭାବରୁ ମୁକ୍ତିର ଆନ୍ତରିକ ଉଚ୍ଚାରଣ, ମଣିଷର, ମଣିଷତ୍ବର ଜୟଗାନ! ସ୍ତର ବର୍ଗ ସମାଜ ବୟସ ନିର୍ବିଶେଷରେ ପ୍ରତିଟି ପ୍ରାଣର ବଞ୍ଚିରହିବାର ଭଲପାଇବାର, ଉତ୍ତରିତ ହେବାର ଦୃଶ୍ୟ ଅଦୃଶ୍ୟ ବା ଅମୂର୍ତ୍ତ ବିମୂର୍ତ୍ତ ମୂର୍ତ୍ତ ସ୍ପନ୍ଦନ!

ଧୃଷ୍ଟତା ହେଲେ ବି କହିବାକୁ ମନ କହେ, ଯେଉଁମାନେ ବୀଣାପାଣି ମହାନ୍ତିଙ୍କ ସଂସ୍ପର୍ଶରେ ଆସିଥିବେ, ଲକ୍ଷ୍ୟ କରିବେ ପାଣି ପରି ସିଏ, ହାତ ମୁହଁ ମନ ପ୍ରକ୍ଷାଳନ କରିପାରିବେ, ପିଇପାରିବେ, ପାଣି ମଧ୍ୟକୁ ପଶିପାରିବେ, ପାଣି ପାଣି ଭାବୁ ଭାବୁ ଉବୁଟୁବୁ ବୁଡ଼ିଯାଉଥିବେ, ବୁଡୁ ବୁଡୁ ରାକ୍ଷାକର ରକ୍ଷାକର ଚିତ୍କାର କରୁ କରୁ ତାଙ୍କର ଅନାବିଳ କର ପ୍ରସାରିତ ହେଉଥିବ, ଏବଂ ଆପଣ ଊର୍ଦ୍ଧ୍ବ ଊର୍ଦ୍ଧ୍ବରୁ ତାଙ୍କର କାହାଣୀ ଭଳି ଅଖଳା ଆନନ୍ଦରେ ଢଳ ଢଳ ହେଉଥିବେ। ବୀଣାପାଣି ମହାନ୍ତି ବ୍ୟକ୍ତିସତ୍ତାରୁ ଉତ୍ତରିତ ବିରଳ ଅନୁଷ୍ଠାନ। ତାଙ୍କ କଥା କାହାଣୀ ବିରଳ ସାହିତ୍ୟ ଉଦ୍ୟାନ। ସେ କଥା କାହାଣୀ ପ୍ରତି ଉତ୍ସର୍ଗିତ, ସାହିତ୍ୟରେ ବିବାହିତା, ଚିର ଅବିବାହିତା। ତାଙ୍କରି ଭାଷାରେ ସେ ନିଜେ ହିଁ ଅମୁହାଁ ଦୁର୍ଗ। ଯା’ ମଧ୍ୟରେ ନିନାଦିତ ଅହର୍ନିଶ ଅତୀତ ବର୍ତ୍ତମାନ ଭବିଷ୍ୟତର ସାହିତ୍ୟ। ସେଥିପାଇଁ ହୁଏତ ସାନ ବଡ଼ ନିର୍ବିଶେଷ ସମସ୍ତେ ତାଙ୍କ ସ୍ନେହର କାଙ୍ଗାଳ ଆବାଳବୃଦ୍ଧବନିତା।
ତାଙ୍କରି କବିତାର ଭାଷାରେ ତାଙ୍କ ଉଦ୍ଦେଶ୍ୟରେ:

ବୀଣାପାଣି ମହାନ୍ତି
ଆବିର୍ଭାବ: ୧୧.୧୧.୧୯୩୬
ତିରୋଧାନ: ୨୪.୦୪.୨୦୨୨

‘‘ମୋ ଆଖିରେ ଚିରଦିନ ଥାଅ ବନ୍ଦନୀୟ
ଏ ମାଟିରେ ଆଶା ଆଉ ଭରସାର ନ ଜାଗୁ ସଂଶୟ...!’’
ଏବଂ ଶେଷରେ ତାଙ୍କରି ‘ପାଟଦେଈ’ର ଭାଷାରେ: ‘‘ଡର ନାଇଁରେ ଧନ! ମୁଁ ଅଛି ପରା...! ତୋ’ ମା’ ତ ଅଛି...!’’
ହଁ, ବୀଣାପାଣି ମହାନ୍ତି! ମୋର ମାଆ ମୋର ସ୍ତ୍ରୀଙ୍କ ବ୍ୟତୀତ ଯାହାଙ୍କ ସାନ୍ନିଧ୍ୟରେ ସବୁଠୁ ଅଧିକ କେବଳ ବିତାଇଛି, ସେ ବୀଣାପାଣି ମହାନ୍ତି!
ମାଆ ଓ ସ୍ତ୍ରୀଙ୍କ ସମେତ ଯାହାଙ୍କୁ କଣିକାଏ ବୁଝିଚି ବୋଲି ଦୃଢ଼ ଭାବେ ଉଚ୍ଚାରଣ କରିପାରିବି ନାହିଁ ସେ ବୀଣାପାଣି ମହାନ୍ତି। ହଁ ସେ ମୋର ବାପାଙ୍କ ପିଉସୀ ଝିଅ ଭଉଣୀ! ମୋ ପିଉସୀ! ବୀଣାପାଣି!
ସେ ମୋ ଭଳି ଅନେକଙ୍କ ଯଶୋଦା। ସେ ବୀଣାପାଣି!
ଅଗଣିତ ଲେଖକ ଲେଖିକାଙ୍କ ପଥପ୍ରଦର୍ଶିକା! ବରଦା!
ଗଭୀର ଶ୍ରଦ୍ଧାଞ୍ଜଳି!
ଭୂମିଷ୍ଠ ପ୍ରଣାମ!
ମୋ: ୮୭୬୩୧୦୪୨୬୬

ପାଟରାଣୀ ବୀଣାପାଣି ପଣ୍ଡା

ରାଜାଙ୍କର ଥିଲେ ଅନେଶତ ରାଣୀ କାହାକୁ ହବନି ଖୁଣି,
ହେଲେ ପାଟରାଣୀ ଏକା ପାଟଦେଈ, ସବୁ ରାଣୀଙ୍କର ରାଣୀ।
ତା’ର ଠାଣିମାଣି, ଚମକ, ଚଳଣି ଷୋଳଅଣା ଓଡ଼ିଆଣୀ,
ଚାହାଣି ଛଟାରେ କାହାଣୀ କହି ସେ ହୃଦୟକୁ ନିଏ କିଣି।

କସ୍ତୁରୀ ମୃଗ ଘୂରି ବୁଲୁଥାଏ ଗହନ ଅରଣ୍ୟ ପଥେ,
ସେକାଳୁ ଏକାଳ ସଞ୍ଜରୁ ସକାଳ ଝଡ଼ ଅନ୍ଧାର ରାତେ।
ନାଭିରେ ଆକାଶ, ନାଭିରେ ପ୍ରକାଶ, ନାଭିରେ ସୁବାସ ତା’ର,
ତଥାପି ବି ତାକୁ ନିରତେ ନଚାଏ, ଏକ ନିଭୃତ ହାହାକାର।

ସେଇ ହାହାକାର କେବେ ନିଆଁ ହୁଏ କେବେ ହୁଏ ମେଘମାୟା,
କାହାକୁ ଜଳାଏ କାହାକୁ ଭିଜାଏ କାହାକୁ ଦେଖାଏ ରାହା।
ପୁରୁଣା ବାଟରୁ ବାଟ ଭାଙ୍ଗିଆସି ନୂଆ ବାଟ ଖୋଜୁଥାଏ,
ଯିଏ ଯାହା କହୁ ଗାଳିଦେଲେ ଦେଉ ତା’ର କିବା ଆସେ ଯାଏ।

ଆଗରେ ପଛରେ କେହିନାହିଁ ତା’ର ସାଥୀ, ସହଚର, ସଖା,
ନିଜ ପାପୁଲିରେ ନିଜେ ସେ ଆଙ୍କିଛି ନିଜର ଭାଗ୍ୟରେଖା।
ମୋ: ୯୪୩୮୭୮୯୫୦୫