ପଠାଣି ସାମନ୍ତ ଜୟନ୍ତୀ, ବିଜ୍ଞାନ ଆକାଶର ବିସ୍ମୟ

ଗୋଟିଏ ବାଉଁଶ ନଳୀ, ଦୁଇଟି କାଠି

‌ତାଙ୍କ ବୟସରେ ଯେବେ ପିଲାଏ ଖେଳରେ ମଗ୍ନ ରହୁଥିଲେ, ସେ ସେତେବେଳେ ଗ୍ରହ ନକ୍ଷତ୍ରଙ୍କ ଗତିବିଧିକୁ ପ୍ରଶ୍ନୀଳ ଦୃଷ୍ଟିରେ ଚାହିଁ ରହୁଥିଲେ। ବାଉଁଶ ନଳୀ ଓ କାଠିରେ ଗ୍ରହ ନକ୍ଷତ୍ରଙ୍କ ଦୂରତା ମାପିବାର ସାହସ ଜୁଟାଇଥିଲେ। ଚାଳରେ ଛିଦ୍ର କରି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଛାଇକୁ ନୀରିକ୍ଷଣ କରୁଥିଲେ। ଯାହା ଅନ୍ୟମାନଙ୍କ ପାଇଁ ଦୁର୍ବୋଧ୍ୟ ଥିଲା, ତାହା ତାଙ୍କର ନିଶା ପାଲଟି ଯାଇଥିଲା। ଅଲୌକିକ ପ୍ରତିଭା ବ‌ଳରେ ଦିନେ ଜ୍ୟୋତିର୍ବିଜ୍ଞାନ ପାଣ୍ଡିତ୍ୟରେ ସମଗ୍ର ବିଶ୍ବବାସୀଙ୍କୁ ଚକିତ କରିଦେଇଥିବା ବ୍ୟକ୍ତି ଜଣକ ଥିଲେ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ହରିଚନ୍ଦନ ମହାପାତ୍ର। ଖଣ୍ଡପଡ଼ା ଗଡ଼ଜାତରେ ଜନ୍ମିତ ଏହି ମହାମନିଷୀ କେବଳ ରାଜ୍ୟ ନୁହେଁ, ବିଶ୍ବବାସୀଙ୍କୁ ଚମକାଇ ଦେଇଥିଲେ। ସଂପ୍ରତି ବିଜ୍ଞାନ ଆକାଶ ଚୁମିଛି। ମାତ୍ର ପଠାଣି ସାମନ୍ତ ଏବେ ବି ବିଜ୍ଞାନ ଆକାଶର ବିସ୍ମୟ ହୋଇ ରହିଛନ୍ତି। ସେହି ଯୋଗଜନ୍ମାଙ୍କ ଜୟନ୍ତୀ ଅବସରରେ ସ୍ବତନ୍ତ୍ର ଉପସ୍ଥାପନା।

ଗୋଟିଏ ବାଉଁଶ ନଳୀ, ଦୁଇଟି କାଠି

ପଠାଣି ସାମନ୍ତ ହେଉଛନ୍ତି ସ୍ବ-ଶିକ୍ଷିତ ଜ୍ୟୋତିର୍ବିଜ୍ଞାନୀ। ସେ ସମ୍ଭାନ୍ତ ପରିବାରରେ ଜନ୍ମ ହୋଇଥିବା‌ରୁ ସମ୍ଭ୍ରାନ୍ତ ପାଠାଗାରରୁ ୧୫ ବର୍ଷ ବସୟ ଯାଏ ବିଭିନ୍ନ ପୁସ୍ତକ ଆଣି ପଢ଼ୁଥିଲେ। ଏହାପରେ ବିଭିନ୍ନ କାଠ ଓ ବାଉଁଶ ଆଣି ନିଜ ପାଇଁ ଯନ୍ତ୍ରପାତି ତିଆରି କରୁଥିଲେ। ରାତି ରାତି ସେ ଅନିହ୍ରା ରହି ନିଜେ ତିଆରି କରିଥିବା ପାରମ୍ପରିକ ଯନ୍ତ୍ରପାତି ଦ୍ବାରା ଆକାଶରେ ଗ୍ରହ ନକ୍ଷତ୍ରଙ୍କ ଗତିବିଧି ଲକ୍ଷ୍ୟ କରୁଥିଲେ। ଗଣିତ ଓ ଜ୍ୟୋତିର୍ବିଜ୍ଞାନରେ ସିଦ୍ଧହସ୍ତ ସାମନ୍ତ ପରେ ପାରମ୍ପରିକ ଭାରତୀୟ ଜ୍ୟୋତିର୍ବିଜ୍ଞାନ ଉପରେ ଗବେଷଣା କରିଥିଲେ। ସେ ଗଣିତ ଓ ପାରମ୍ପରିକ ଜ୍ୟୋତିର୍ବିଜ୍ଞାନ ପଢ଼ିବା ପରେ ଭାରତୀୟ ଗଣିତଜ୍ଞ ଓ ଜ୍ୟୋତିର୍ବିଜ୍ଞାନୀ ଯଥା ଆର୍ଯ୍ୟଭଟ୍ଟ, ବରାହମିହିର ଓ ବ୍ରହ୍ମଗୁପ୍ତାଙ୍କ ଗଣନା ସହ ନିଜ ଗଣନାକୁ ମିଶାଇବାକୁ ଚେଷ୍ଟା କରୁଥିଲେ। ଗୋଟିଏ ବାଉଁଶ ନଳୀ ଓ ଦୁଇଟି ବାଡ଼ି ସାହାଯ୍ୟରେ ଆକାଶ‌ରେ ଗ୍ରହନକ୍ଷତ୍ରଙ୍କ ଗତିବିଧି ଉପରେ ଗବେଷଣା କରିଥିଲେ। ତାଙ୍କର ସମସ୍ତ ଗଣନା ଓ ଗବେଷଣା ‘ସିଦ୍ଧାନ୍ତ ଦର୍ପଣ’ରେ ଲିପିବଦ୍ଧ। ୧୪ ବର୍ଷରୁ ୩୪ ବର୍ଷ ପର୍ଯ୍ୟନ୍ତ ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ଆକାଶର ଜ୍ୟୋତିର୍ବିଦ୍ୟା ସମ୍ବନ୍ଧୀୟ ତଥ୍ୟ ସେ ସିଦ୍ଧାନ୍ତ ଦର୍ପଣରେ ଲିପିବଦ୍ଧ କରିଥିଲେ। ୧୮୯୦ ମସିହା ବେଳକୁ ପୃଥିବୀ ଓ ସୂର୍ଯ୍ୟ ମଧ୍ୟ‌ରେ ଦୂରତା ଗଣନା କରିପାରିଥିଲେ। ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଆଧୁନିକ ବିଜ୍ଞାନ ସୂର୍ଯ୍ୟ ଚାରିପାଖେ ପୃଥିବୀ ଘୂରିବା ଏବଂ ଏହି ଦୁଇ ମହାଜାଗତୀୟ ବସ୍ତୁ ମଧ୍ୟରେ ଦୂରତା ମାପି ସାରିଥିଲେ ବି ପଠାଣି ସାମନ୍ତ ପାରମ୍ପରିକ ଯନ୍ତ୍ରପାତି ଓ ଖାଲି ଆଖିରେ ଯେଉଁ ଗଣନା କରିଥିଲେ; ତାହା ଆଶ୍ଚର୍ଯ୍ୟଜନକ ଥିଲା। ତାଙ୍କ ଗଣନା ଅତ୍ୟନ୍ତ କଷ୍ଟକର ହୋଇଥିବାରୁ ‌ଏବେ ସମସ୍ତେ କମ୍ପ୍ୟୁଟରର ସରଳ ପ୍ରଣାଳୀକୁ ଆପଣେଇ ନେଉଛନ୍ତି। କିନ୍ତୁ ୨୦୦ ବର୍ଷ ତଳର ତାଙ୍କର ଗଣନା ଆଜିର ଅତ୍ୟାଧୁନିକ ଯୁଗରେ ମଧ୍ୟ ପ୍ରାସଙ୍ଗିକତା ବଜାୟ ରଖିଛି ଓ ଆଗକୁ ବି ରଖିବ।

ମହା‌ମହୋପାଧ୍ୟାୟ ଉପାଧି

ପଠାଣିଙ୍କ ଖ୍ୟାତି ସମଗ୍ର ଦେଶ ଓ ବିଦେଶକୁ ବ୍ୟାପିଯାଇଥିଲା। ତାଙ୍କ ଅବଦାନର ଫଳଶ୍ରୁତି ସ୍ବରୂପ ସମ୍ମାନ ପ୍ରଦାନ ପାଇଁ ୧୮୯୩ ମସିହା ଅଗଷ୍ଟ ୮ ତାରିଖରେ ପଠାଣିଙ୍କ ନିକଟକୁ ବଙ୍ଗ ସରକାର ଚିଠି ଲେଖିଲେ। କଲିକତା ଦରବାରରେ ଯୋଗଦେବାକୁ ଚିଠି‌ ‌ହୋଇଥିଲା। ମାତ୍ର ନିତ୍ୟକର୍ମରେ ବ୍ୟାଘାତ ଯୋଗୁଁ ସେ ସେଠାକୁ ଗଲେ ନାହିଁ। ତେଣୁ ବଡ଼ଲାଟଙ୍କ ମଞ୍ଜୁର କ୍ରମେ କଟକରେ ଏକ ଦରବାର କରିବାକୁ ସ୍ଥିର ହେଲା। ନିଷ୍ପତ୍ତି ମୁତାବକ କଟକରେ ଦରବାର ହୋଇ ସାମନ୍ତଙ୍କୁ ଦରବାର ହଲକୁ ଅଣାଯାଇଥିଲା। ସେଠାରେ ରାଜା, ମହାରାଜା, ରାଜପୁତ୍ର ଓ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ତାଙ୍କୁ ମହାମହୋପାଧ୍ୟାୟ ଉପାଧି ମିଳିଥିଲା। ତେବେ ଗ୍ରହନକ୍ଷତ୍ର କ୍ଷେତ୍ରରେ ନିଜର ଗବେଷଣା ପାଇଁ ରାଜାନୁଗ୍ରହ ଲାଭ କରୁନଥିଲେ। ପଠାଣି ସାମନ୍ତଙ୍କୁ ଏଥିନେଇ ରାଜା ଈର୍ଷା କରୁଥିବା ତାଙ୍କ ପଣନାତିମାନେ କହିଛନ୍ତି। ତାଙ୍କର ରାଜାଙ୍କ ସହିତ ଏଥିନେଇ ଅନେକ ସମୟରେ ତର୍କ ହେଉଥିଲା। ଜୀବନର ଶେଷ ପର୍ଯ୍ୟନ୍ତ ସେ ସ୍ବାଭିମାନୀ ଥିଲେ। ରାଜାଙ୍କ ଆଗରେ ମଥା ନୁଆଇଁ ନଥିଲେ।

ମହେନ୍ଦ୍ର ପର୍ବତର ଉଚ୍ଚତା ନିର୍ଣ୍ଣୟ
ପଠାଣି ଏକ ବିବାହ ଉତ୍ସବ‌େର ପାରିକୁଦ ଯାଇଥିବା ବ‌େଳେ ସେଠି ମଞ୍ଜୁଷାର ରାଜା ଜଗନ୍ନାଥ ରାଜମଣି ଦେଓଙ୍କ ସହିତ ତାଙ୍କର ସାକ୍ଷାତ ହେଲା। ସେତେବେ‌ଳକୁ ଗଣନା ପାଣ୍ଡିତ୍ୟକୁ ନେଇ ପଠାଣି ଖୁବ୍‌ ଚର୍ଚ୍ଚିତ। ରାଜା ଜଗନ୍ନାଥ ରାଜମଣି ମଞ୍ଜୁଷାରେ ଥିବା ମହେନ୍ଦ୍ର ପର୍ବତର ଉଚ୍ଚତା ନିର୍ଣ୍ଣୟ କରିବାକୁ ପଠାଣିଙ୍କୁ କହିଲେ। ସେ ନିଜର ବାଉଁଶ ନଳୀ ସାହାଯ୍ୟରେ ମହେନ୍ଦ୍ର ପର୍ବତର ଉଚ୍ଚତା ନିର୍ଣ୍ଣୟ କଲେ। ଉଚ୍ଚତା ନିର୍ଧାରଣ ପରେ ପୂର୍ବରୁ ନିର୍ଧାରିତ ଉଚ୍ଚତା ସହ ତାହା ମିଶିଯିବାରୁ ସମସ୍ତେ ଚକିତ ହୋଇଗଲେ। ଏଥିରେ ଅଭିଭୂତ ହୋଇ ତାଙ୍କୁ ଦୁଇଶହ ଟଙ୍କା ପୁରସ୍କାର ଦିଆଯାଇଥିଲା।

ପୁରୀରେ କଟିଥିଲା ଶେଷ ସମୟ

ପଠାଣିଙ୍କ ଶେଷ ଜୀବନ ଦୁଃଖରେ କଟିଥିଲା। ଅଭାବ ଅନଟ‌ନରେ ଗତି କରୁଥିଲେ। ବେଳେବେଳେ ଘରର ଗହଣ ବନ୍ଧା ପକାଇ ଗୁଜରାଣ ମେଣ୍ଟାଉଥିଲେ। ରାତିରେ ଅନିଦ୍ରା ରହି ଗ୍ରହନକ୍ଷତ୍ରଙ୍କ ଗତିବିଧି ଦେଖୁଥିଲେ। ତେଣୁ ସେ ରୋଗାକ୍ରାନ୍ତ ହୋଇ ପଡ଼ିଲେ। ସାମନ୍ତ ଚନ୍ଦ୍ରଶେଖରଙ୍କ ଇଚ୍ଛା ଥିଲା ସେ ପୁରୀରେ ଦେହତ୍ୟାଗ କରିବେ। ନିଜର ଆୟୁଗଣନା କରି ମୃତ୍ୟୁ ସମୟ ଜାଣିପାରିଥିଲେ। ପୁତ୍ର ଗଦାଧରଙ୍କ ସହିତ ସେ ଶବାରିରେ ପୁରୀ ଯାତ୍ରା କରିଥିଲେ। ଗରୁଡ଼ସ୍ତମ୍ଭ ନିକଟରେ ଜଗନ୍ନାଥଙ୍କୁ ଦର୍ଶନ ‌କଲେ। ବେଢ଼ା ଭିତରକୁ ଯାଇ ଜଗନ୍ନାଥଙ୍କ ସ୍ତୁତି ପାଠ କଲେ। ପୁରୀ ମାର୍କଣ୍ଡ ସାହି ପାରିକୁଦ ରାଜାଙ୍କ ଘରେ ସେ ରହିଲେ। ଦେହ ଖରାପ ହେଲା। ଜ୍ବର ଛାଡ଼ିଲା ନାହିଁ। ୧୯୦୪ ମସିହା ଜୁନ୍‌ ୧୧ ତାରିଖ ପୂର୍ବାହ୍‌ଣରେ ଜଗନ୍ନାଥଙ୍କ ନାମ ଉଚ୍ଚାରଣ କରୁକରୁ ତାଙ୍କ ପ୍ରାଣ ଚାଲିଗଲା।

ଆମେରିକା, ଇଂଲଣ୍ଡ ଜ୍ୟୋତିର୍ବିଦଙ୍କୁ ଚକିତ କରିଦେଇଥିଲେ
ପଠାଣି ଇଂଲଣ୍ଡରେ କେବେ ସୂର୍ଯ୍ୟଗ୍ରହଣ ହେବ ସେ ସମ୍ପର୍କରେ ଆଗୁଆ ସୂଚନା ଦେଇଥିଲେ। ମଞ୍ଜୁଷାର ରାଜା ଏକଥା ମାନ୍ଦ୍ରାଜର ଲାଟଙ୍କୁ ଜଣାଇଥିଲେ। ମାନ୍ଦ୍ରାଜର ତତ୍କାଳୀନ ଲାଟ୍‌ ଏ ସମ୍ପର୍କରେ ଇଂଲଣ୍ଡକୁ ଖବର ଦେଇଦେଲେ। ସେଠାକାର ଜ୍ୟୋତିର୍ବିଦମାନେ ଉତ୍କଣ୍ଠାର ସହିତ ସେ ସମୟକୁ ଅପେକ୍ଷା କରି ରହିଲେ। ପଠାଣିଙ୍କ ଗଣନା ମୁତାବକ ସେଇ ନିର୍ଦିଷ୍ଟ ସମୟରେ ସୂର୍ଯ୍ୟୋପରାଗ ହେଲା। ଠିକ୍‌ ସେମିତି ଆମେରିକାରେ ଚନ୍ଦ୍ରଗ୍ରହଣର ନିର୍ଦିଷ୍ଟ ସମୟ ବାବଦରେ ସେ ତତ୍କାଳୀନ ରେଭେନ୍‌ସା କଲେଜ୍‌ର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଯୋଗେଶଙ୍କୁ ପତ୍ର ଦ୍ବାରା ଜଣାଇଥିଲେ। ନିର୍ଧାରିତ ସମୟର ଦୁଇ ସେକେଣ୍ଡ ବିଳମ୍ବରେ ଚନ୍ଦ୍ରଗ୍ରହଣ ଦୃଶ୍ୟ ‌ହୋଇଥିଲା। ଏହା ଜ୍ୟୋତିର୍ବିଜ୍ଞାନୀଙ୍କୁ ଚକିତ କରିଦେଇଥିଲା।

ମ୍ୟୁଜିୟମରେ ଜୀବନୀ ବୃତ୍ତାନ୍ତ

ଖଣ୍ଡପଡ଼ା ଏନ୍ଏସିର ୧୩ ନମ୍ବର ୱାର୍ଡରେ ରହିଛି, ପଠାଣି ସାମନ୍ତ ମ୍ୟୁଜିୟମ। ଏଠାରେ ତାଙ୍କ ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ, ଅନ୍ୟାନ୍ୟ କଥା କଳାକୃତି ମାଧ୍ୟମରେ ବର୍ଣ୍ଣନା କରାଯାଇଛି। ୨୦୧୬ ମସିହାରେ ପର୍ଯ୍ୟଟନ,ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ଏହା ପ୍ରତିଷ୍ଠା କରାଯାଇଥିଲା। ଏଥିରେ ତାଙ୍କ ବିଜ୍ଞାନ ସମ୍ମତ ବିଭିନ୍ନ ସିଦ୍ଧାନ୍ତର ବର୍ଣ୍ଣନା ରହିଛି। ଏଥିସହିତ ସେ ବ୍ୟବହାର କରୁଥିବା ମାନଯନ୍ତ୍ର, ଖେଳୁଥିବା କାର୍ଡ ଆଦି ପ୍ରଦର୍ଶିତ ହେଉଛି।

 

ତାଙ୍କର ଜୟନ୍ତୀକୁ ନିର୍ଦିଷ୍ଟ ଦିବସ ଭାବେ ପାଳନ କରାଯାଉ
ପଠାଣି ସାମନ୍ତଙ୍କ ଜୟନ୍ତୀକୁ ସ୍କୁଲ, କଲେଜ, ବିଶ୍ବ ବିଦ୍ୟାଳୟରେ ନିର୍ଦିଷ୍ଟ ଦିବସ ଭାବେ ପାଳନ କରାଯାଉ ବୋଲି ଅଣନାତିମାନେ ଦାବି କରିଛନ୍ତି। ଉକ୍ତ ଦିବସରେ ସ୍କୁଲ କଲେଜରେ ତାଙ୍କ ସମ୍ପର୍କରେ ଆଲୋଚନା, ସଭାସମିତି କରାଯାଉ। ଏବେର ପିଢି ତାଙ୍କ ସହିତ ଆହୁରି ପରିଚିତ ହେବା ଦରକାର। ନିଜ ହାତ ତିଆରି ଯନ୍ତ୍ର ବଳରେ ଗ୍ରହନକ୍ଷତ୍ର ସମ୍ପର୍କରେ ଅନୁଧ୍ୟାନ କରିଥିବା ମହାପୁରୁଷଙ୍କ ସମ୍ମାନ ପ୍ରଦାନ ନିମନ୍ତେ ଏଭଳି ଦିବସ ସହାୟକ ହେବ ବୋଲି ଅଣନାତି ବିଶ୍ବନାଥ ସିଂହସାମନ୍ତ ଓ ବୈଦ୍ୟନାଥ ସିଂହସାମନ୍ତ ଦାବି କରିଛନ୍ତି।

ସ୍ମୃତିରେ ପଠାଣି ସାମନ୍ତଙ୍କ ଠାକୁର ଘର କାନ୍ଥ
ଖଣ୍ଡପଡ଼ାର ଦାଣ୍ଡସାହିରେ ଥିବା ପଠାଣି ସାମନ୍ତଙ୍କ ବାସଭବନ ଏବେ ବି ତାଙ୍କ ସ୍ମୃତ୍ତି ବହନ କରୁଛି। ଏଠାରେ ତାଙ୍କ ଦ୍ବାରା ବ୍ୟବହୃତ ଜିନିଷ ନଥିଲେ ହେଁ, ଠାକୁର ଘରର କାନ୍ଥ ତିଷ୍ଠି ରହିଛି। ଏହି କାନ୍ଥରେ ଥିବା ଠାକୁରଙ୍କ ଆସନକୁ ତାଙ୍କ ବଂଶଧର ସାଇତି ରଖିଛନ୍ତି। ପୁରୁଣା ଘର କେବେଠାରୁ ଭାଙ୍ଗିରୁଜି ଯାଇଛି। ତା’ ସ୍ଥାନରେ ଏବେ ନୂତନ କୋଠାଘର ରହିଛି। ଯାହା ତାଙ୍କର କୃତୀ ରହିଥିଲା, ସେ ସସବୁକୁ ବଂଶଧର ସଂଗ୍ରହାଳୟକୁ ପ୍ରଦାନ କରି ସାରିଛନ୍ତି। ରାତିସାର ଆକାଶକୁ ଅନୁଧ୍ୟାନ କରି ବିଭିନ୍ନ କଥା ଘରର ମାଟି କାନ୍ଥରେ ଲେଖୁଥିଲେ ପଠାଣି। ସକାଳୁ ନିଜର ପର୍ଯ୍ୟବେକ୍ଷଣକୁ ତାଳପତ୍ରରେ ଲେଖି ଦେଉଥିଲେ। ପର ଦିନ କାନ୍ଥକୁ ପୁଣି ଗୋବର ମାଟିରେ ଲିପି ଦେଉଥିଲେ।

ଖଣ୍ଡପଡ଼ା ସମେତ ୪ଟି ସ୍ଥାନରେ ରହିଛି ସୂର୍ଯ୍ୟଘଡ଼ି
ପଠାଣୀ ସାମନ୍ତଙ୍କ ଦ୍ବାରା ସୃଷ୍ଟି ହୋଇଥିବା ସୂର୍ଯ୍ୟଘଡ଼ି ଖଣ୍ଡପଡ଼ା ସମେତ ରାଜ୍ୟର ୪ଟି ସ୍ଥାନରେ ରହିଛି। ପୂର୍ବେ ଘଣ୍ଟା ନଥିବା ବେଳେ, ଏହି ସୂର୍ଯ୍ୟଘଡ଼ିକୁ ଅନୁଧ୍ୟାନ କରି ସମୟ ଆକଳନ କରାଯାଉଥିଲା। ଖଣ୍ଡପଡ଼ାର ତହସିଲ ଛକ ସମେତ ରେଭେନ୍ସା ବିଶ୍ବବିଦ୍ୟାଳୟ, ଗଞ୍ଜାମର ବଡ଼ଗଡ଼, କଟକର ବଡ଼ମ୍ବାରେ ଏଭଳି ସୂର୍ଯ୍ୟଘଡ଼ି ଲଗାଯାଇଛି।

ଗାଁ ରେ ରହୁଛନ୍ତି ପଠାଣିଙ୍କ ପଣନାତି
ପଠାଣି ସାମନ୍ତଙ୍କର ୫ ପୁଅ ଥିଲେ, ସେମାନଙ୍କ ମଧ୍ୟରୁ ବାସୁଦେବ, ରଘୁନାଥ ପ୍ରାୟ ୨୦ ବର୍ଷ ବୟସରେ ବସନ୍ତ ରୋଗରେ ମୃତ୍ୟୁବରଣ କରିଥିଲେ। ଅନ୍ୟ ତିନି ପୁଅ ପୀତବାସ, ଗଦାଧର, ଚକ୍ରଧର ରହିଥିଲେ। ପଠାଣି ସାମନ୍ତଙ୍କ ବଂଶଧର ମାନଙ୍କ ମଧ୍ୟରୁ ଅଣନାତି ବିଶ୍ବନାଥ ସିଂହସାମନ୍ତ ଓ ବୈଦ୍ୟନାଥ ସିଂହସାମନ୍ତ ବର୍ତମାନ ଗାଁ ଘରେ ରହୁଛନ୍ତି। ଏମାନେ ସାମନ୍ତଙ୍କର ଚତୁର୍ଥ ପିଢି। ସମସ୍ତେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି। ସୋମନଙ୍କ ମଧ୍ୟରୁ ବିଦେଶରେ ତାଙ୍କର ଅନେକ ବଂଶଧର ବୃତ୍ତି ନିର୍ବାହ କରୁଛନ୍ତି। ଅନେକ ଭୁବନେଶ୍ବରରେ ବାସ କରୁଛନ୍ତି। ଗାଁରେ ରହୁଥିବା ବିଶ୍ବନାଥ ସ୍କୁଲ ଏସ୍ଆଇ ଭାବେ ଅବସର ନେଇଥିବା ବେଳେ, ବୈଦ୍ୟନାଥ ଢେଙ୍କାନାଳ ସ୍ବଂୟଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ।

୨୦୦ ବର୍ଷ ହେଲା ସାମନ୍ତଙ୍କ ଗଣନାରେ ପାଞ୍ଜି ହେଉଛି
ଦୀର୍ଘ ୨୦୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାର ପାଞ୍ଜି ପ୍ରସ୍ତୁତିରେ ପାଠାଣି ସାମନ୍ତଙ୍କ ଗଣନା ହିଁ ବ୍ୟବହାର ହେଉଛି। ତାଙ୍କ ଗଣନା ଅତ୍ୟନ୍ତ ସଠିକ୍‌ ହୋଇଥିବାରୁ ଆଗକୁ ବି ଏହି ଗଣନାକୁ ନେଇ ପାଞ୍ଜି ପ୍ରସ୍ତୁତ ହେବ ବୋଲି ଜ୍ୟୋତିର୍ବିଜ୍ଞାନୀ ସୁଦର୍ଶନ ତ୍ରିପାଠୀ କହିଛନ୍ତି। ଓଡ଼ିଶା କୋହିନୂର ପାଞ୍ଜି, ଭାଗ୍ୟଜ୍ୟୋତି, ରାଧାରମଣ, ଧର୍ମଗ୍ରନ୍ଥ ଷ୍ଟୋରର ପାଞ୍ଜି ଆଦି ସାମନ୍ତଙ୍କ ଗଣନା‌କୁ କେନ୍ଦ୍ର କରି ପ୍ରସ୍ତୁତ କରାଯାଉଛି। ଏବେ ଅତ୍ୟାଧୁନିକ ଯୁଗରେ କମ୍ପ୍ୟୁଟରରେ ବିଭିନ୍ନ ସଫ୍ଟଓୟାର ଆସିଯାଇଥିବାରୁ ଏହା ସାହାଯ୍ୟରେ ଅନ୍ୟ କିଛି ପାଞ୍ଜି ପ୍ରସ୍ତୁତ ହେଉଛି।

୧୪ ବର୍ଷ ବୟସରେ ଗଣିତ ଜ୍ୟୋତିଷ ଚର୍ଚ୍ଚା
ପଠାଣି ପିଲାଦିନେ ଖେଳିବା ସମୟରେ ସୂର୍ଯ୍ୟକିରଣ ଦେଖି ଛାୟାର ମାପ ରଖୁଥିଲେ। ପିତାଙ୍କଠାରୁ ଜ୍ୟୋତିର୍ବିଜ୍ଞାନ ଶିକ୍ଷା କଲେ। ନକ୍ଷତ୍ରମାନଙ୍କ ସ୍ଥାନ ପରିବର୍ତନ ବିଷୟରେ ଜାଣିବାର କୌତୁହଳ ଯୋଗୁଁ ସେ ଜାତିକାଳଙ୍କାର, ଜ୍ୟୋତିଷ ଚନ୍ଦ୍ରୋଦୟ, ବୃହଜ୍ଜାତକ, ସିଦ୍ଧାର୍ଥ ଚିନ୍ତାମଣି ଭଳି ଗ୍ରନ୍ଥ ଅଧ୍ୟୟନ କଲେ। ମାତ୍ର ୧୪ ବର୍ଷ ବୟସରେ ଗଣିତ ଜ୍ୟୋତିଷ ଚର୍ଚ୍ଚା ଆରମ୍ଭ କଲେ। ଦିନରେ ବହି ପଢ଼ୁଥିଲେ ଏବଂ ରାତିରେ ସେସବୁକୁ ନୀରିକ୍ଷଣ କରୁଥିଲେ। ଘର ଚାଳରେ କ’ଣ କରି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ କିରଣକୁ ନେଇ ପରୀକ୍ଷା ନୀରିକ୍ଷା କରୁଥିଲେ। ତାଳପତ୍ର, ବାଉଁଶନଳୀ, ବାଉଁଶକାଠିରେ ସେ ଗ୍ରହନକ୍ଷତ୍ରଙ୍କୁ ଦେଖୁଥିଲେ। ଗୋଳଯନ୍ତ୍ର ସାହାଯ୍ୟରେ ଆକାଶକୁ ଚାହୁଁଥିଲେ। ଉଲ୍ଲମୀ ଯନ୍ତ୍ର ସହାୟତାରେ ସମୟ ଜାଣୁଥିଲେ। ସୂର୍ଯ୍ୟଙ୍କ ଛାଇ ଅନୁସାରେ ସେ ସୂର୍ଯ୍ୟଘଡ଼ି ତିଆରି କରି ସମୟ ଜାଣୁଥିଲେ।

ସମ୍ବନ୍ଧିତ ଖବର