ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଆମ ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି ଶବ ପୋତିବାକୁ ମିଳେନାହିଁ ଟିକେ ଜାଗା। ଏପରିକି ଶବକୁ ଅନ୍ତିମ ସଂସ୍କାର କରିବା ପାଇଁ ଏଠାରେ ଶ୍ମଶାନଟିଏ ମଧ୍ୟ ନାହିଁ। ଫଳରେ ଏଠାରେ ଲୋକଙ୍କ ମୃତ୍ୟୁ ପରେ ଘରେ ପୋତିବାକୁ ପଡ଼ିଥାଏ ଶବ। ଏପରି ଏକ ଅଭିଶପ୍ତ ଗାଁ ହେଉଛି ବିହାରର ମଧେପୁରା ଜିଲ୍ଲାରେ ଥିବା କେବଟଗାମା ଗାଁ।
ଏହି ଗାଁରେ ଗରିବ ଏବଂ ମଳିମୁଣ୍ଡିଆଙ୍କ ଉପରେ ସମୟ ଏପରି ଦାଉ ସାଜୁଛୁ କି, ଏଠାକାର ଗରିବ ଲୋକମାଙ୍କ ଘରେ ଯଦି କୌଣସି ବ୍ୟକ୍ତି ମୃତ୍ୟୁବରଣ କରେ ତେବେ ମୃତ ଶରୀରକୁ ପୋତିବା ପାଇଁ ଟିକେ ଯାଗା ମିଳେ ନାହିଁ। ଘର ଭିତରେ ଶବକୁ ପୋତିବା ପାଇଁ ଲୋକେ ବାଧ୍ୟ ହୋଇଥାନ୍ତି।
ସୂଚନା ଅନୁଯାୟୀ, ବିହାରର ମଧେପୁରା ଜିଲ୍ଲାର କେବଟଗାମା ଗାଁରେ ମୃତ ଶରୀରର ଅନ୍ତିମ ସଂସ୍କାର କରିବା ପାଇଁ ଗୋଟିଏ ବି ଶ୍ମଶାନ ନାହିଁ। ପ୍ରକୃତ କଥା ହେଉଛି ଏହି ଗାଁରେ ଗରିବି ଏପରି ଦାଉ ସାଜିଛି କି, ଏଠାକାର ଲୋକ ଅନ୍ତିମ ସଂସ୍କାରରେ ହେଉଥିବା ଖର୍ଚ୍ଚକୁ ଚାହିଁଲେ ବି ତୁଲାଇ ପାରିନଥାନ୍ତି। ଏହି ପରମ୍ପରା କେବଳ ଏବେ ଚାଲି ନାହିଁ ଏହି ପରମ୍ପରା ପୂର୍ବପୁରୁଷରୁ ଆରମ୍ଭ ହୋଇ ଆସିଛି। ପୂର୍ବରୁ ଘରେ କିଏ ମୃତ୍ୟୁବରଣ କରୁଥିଲେ ଶବକୁ ଦାହ ନକରି ନଦୀ ପାଣିରେ ଭସାଇ ଦେଉଥିଲେ। କିନ୍ତୁ ସମୟ ବିତିବା ସହ ନଦୀରେ ଶବ ଭସାଇବା ଉପରେ ରୋକ ଲଗାଇ ଦିଆଗଲା। ପରେ ଲୋକମାନେ ଶବକୁ ନଦୀରେ ନଭସାଇ ନଦୀକୂଳମାନଙ୍କରେ ଥିବା ଜମିରେ ଶବ ପୋତିବାକୁ ଲାଗିଲେ। କିନ୍ତୁ ସେଠାରେ ବି ଜମି ମାଲିକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଲା ଏବଂ ପରେ ନଦୀ କୂଳରେ ଶବ ପୋତିବା ଉପରେ ମଧ୍ୟ ରୋକ ଲଗାଇ ଦିଆଗଲା। ଯାହା ଫଳରେ ଏବେ ଲୋକମାନେ ମରଶରୀରକୁ ନିଜ ଘରେ ପୋତିବାକୁ ବାଧ୍ୟ ହେଉଛନ୍ତି।
ତେବେ ଲୋକଙ୍କ କହିବା ଅନୁସାରେ, ଶବକୁ ଅନ୍ତିମ ସଂସ୍କାର କରିବା ପାଇଁ ଲାଗୁଥିବା କାଠ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଏଠାକାର ଗରିବ ଲୋକଙ୍କ ପାଖରେ ଟଙ୍କାଟିଏ ବି ନାହିଁ। ଦୁଇ ଓଳି ପେଟ ପୁରା ଖାଇବା ପାଇଁ ବହୁ କଷ୍ଟରେ ବି ଦୁଇ ପଇସା ରୋଜଗାର କରିହେଉନାହିଁ ଏଥି ମଧ୍ୟରେ ଯଦି କୌଣସି ସଦସ୍ୟ ଘରେ ମୃତ୍ୟୁବରଣ କରୁଛି ତାକୁ ଘରେ ପୋତିବା ଛଡା ଆଉ କିଛି ଉପାୟ ନଥାଏ। କେବଳ ଏହି କାରଣ ନୁହେଁ ବଡ ବଡ ଲୋକିଆଙ୍କ ଦବଦବା କାରଣରୁ ମଧ୍ୟ ଶବକୁ ଘରେ ପୋତିବାକୁ ବାଧ୍ୟ ହେଉଛନ୍ତି ଏଠାକାର ଗରିବ ମୂଲିଆ ଲୋକମାନେ।