ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ : ‘ଜୀବନ ପାଲଟିଛି ଯନ୍ତ୍ରଣା, କେବେ ମିଳିବ ନ୍ୟାୟ?

ଦୀର୍ଘ ଅଢ଼େଇ ବର୍ଷରୁ ଅଧିକ ସମୟ ହେଲା ନର୍କ ଯନ୍ତ୍ରଣା ପାଲଟିଛି ଜୀବନ। ନ୍ୟାୟକୁ ଅପେକ୍ଷା କରି କରି ଜୀବନ ବିତାଇବାକୁ ପଡ଼ୁଛି। ଯେଉଁଠି ଆଇନ ଅସହାୟ ଭଳି ମନେ ହେଉଛି ସେଠି ନିଜ ଭାଗ୍ୟକୁ ଦୋଷ ଦେବା ଛଡ଼ା ଆଉ କିଛି ବାଟ ନାହିଁ। ବାପା ମା’ଙ୍କ ଆଗରେ ପୁଅର ଜୀବନ ଚାଲିଗଲା। ତା’ ପୁଣି ବିବାହର ମାତ୍ର ୫ ଦିନ ପରେ। ଭାବିଥିଲୁ ନ୍ୟାୟ ଟିକେ ଶୀଘ୍ର ମିଳିବ ବୋଲି। କିନ୍ତୁ ୩୨ ମାସ ବିତିଲାଣି। ତାରିଖ ପରେ ତାରିଖ ଗଡ଼ୁଛି କିନ୍ତୁ ବିଚାର ଆରମ୍ଭ ହୋଇପାରିଲା ନାହିଁ। ଆମେ ସମାଜରେ ଥିବା ଭଳି ମନେ ହେଉ ନାହିଁ।
ରବୀନ୍ଦ୍ର ସାହୁ, ସୌମ୍ୟରଞ୍ଜନଙ୍କ ବାପା

କେତେ ଦିନ ଆଉ ଅପେକ୍ଷା କରିବାକୁ ପଡ଼ିବ?
ଦିନ ପରେ ଦିନ, ମାସ ପରେ ମାସ ଓ ବର୍ଷ ପରେ ବର୍ଷ ଗଡ଼ି ଚାଲୁଛି। ଆଉ ଦିନ କେଇଟା ପରେ ତିନି ବର୍ଷ ପୂରିଯିବ। ବିବାହର ମାତ୍ର ୫ଦିନ ପରେ ସ୍ବାମୀ ଚାଲିଯିବା କଷ୍ଟକୁ ଆଉ କେତେ ଦିନ ସହିବି। ସେବେଠୁ ତ ମୋର ସବୁ ସ୍ବପ୍ନ ଭାଙ୍ଗି ଚୂରମାର ହୋଇଯାଇଛି। ଭାବିଥିଲି ତୁରନ୍ତ ବିଚାର ହୋଇ ଅଭିଯୁକ୍ତକୁ ଫାଶୀ ହେବ। କିନ୍ତୁ ଏ ପର୍ଯ୍ୟନ୍ତ ବିଚାର ହୋଇପାରିଲା ନାହିଁ। ନ୍ୟାୟ ପାଇବାକୁ ଆଉ କେତେଦିନ ଲାଗିବ? ବୋଲି ବ୍ୟବସ୍ଥାକୁ ପ୍ରଶ୍ନ କରୁଛି।
ରିମା ସାହୁ, ସୌମ୍ୟରଞ୍ଜନଙ୍କ ପତ୍ନୀ

ଶୀଘ୍ର ବିଚାର ହେଲେ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ମିଳିପାରିବ
ଏଭଳି ଘଟଣା କେବଳ ରାଜ୍ୟରେ କାହିଁକି ସାରା ଦେଶ ଆଲୋଡ଼ନ ସୃଷ୍ଟି କରିଥିଲା। ପୂରା ଅଜଣା, ଅନ୍ଧାର ଭିତରେ ଥିବା ମାମଲାରେ ଅଭିଯୁକ୍ତକୁ ଧରିବା ଚାଲେଞ୍ଜିଂ ଥିଲା। ଅକ୍ଳାନ୍ତ ପରିଶ୍ରମ ପରେ ପୁଞ୍ଜିଲାଲକୁ ଗିରଫ କରା ଯାଇଥିଲା। ତା’ ବିରୋଧରେ ବହୁ ବଳିଷ୍ଠ ପ୍ରମାଣ ମଧ୍ୟ ସଂଗ୍ରହ କରାଗଲା। ତଦନ୍ତକାରୀ ଟିମ୍ ଦିନରାତି ଏକ କରି ଦେଇଥିଲେ। ଫରେନସିକ୍ ଜରିଆରେ ବହୁ ପ୍ରମାଣ ମଧ୍ୟ ସଂଗ୍ରହ କରାଯାଇଛ। ଯାହା ଜଣେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ଯଥେଷ୍ଟ ହେବ। ମୁଁ ଏବେ ପୁଲିସର କୌଣସି ପଦ ପଦବିରେ ନାହିଁ କିନ୍ତୁ ମାମଲା ବିଚାର ବିଳମ୍ବ ହେଉଥିବାରୁ ମୋତେ ବହୁତ ଖରାପ ଲାଗୁଛି। ବିଳମ୍ବ ହେଲେ ମାମଲାକୁ କ୍ଷତି ପହଞ୍ଚିବାର ସମ୍ଭାବନା ରହିଛି। ତୁରନ୍ତ ବିଚାର ପ୍ରକ୍ରିୟା ହୋଇପାରିଲେ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ମିଳିପାରିବ।
ଅରୁଣ ବୋଥ୍ରା,ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି

ପୁଞ୍ଜିଲାଲର କରା ଯାଇଥିଲା ସତ ପରୀକ୍ଷା, ଦିଲ୍ଲୀ ସିବିଆଇ ମୁଖ୍ୟାଳୟରୁ ଆସିଥିଲେ ବିଶେଷଜ୍ଞ
ଏହି ମାମଲା କେବଳ ମୋ ପାଇଁ ନୁହେଁ, କ୍ରାଇମବ୍ରାଞ୍ଚ ତଥା ରାଜ୍ୟ ଇତିହାସରେ ଥିଲା ନୂଆ। ଏହା ଠାରୁ ବହୁ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। କିନ୍ତୁ ପାର୍ସଲ ବୋମା ତିଆରି କରି କାହାକୁ ମାରିବା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା। କ୍ରାଇମବ୍ରାଞ୍ଚ ହାତକୁ ତଦନ୍ତ ଆସିବା ପରେ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ତନାଘନା। ବେନାମୀ ଚିଠିକୁ ଆଧାର କରି ପୁଞ୍ଜିଲାଲକୁ ଧରାଯିବା ପରେ ସେ ସବୁ କାରନାମା ମାନି ଯାଇଥିଲା। କିନ୍ତୁ ତା’ର ସ୍ବୀକାରୋକ୍ତି ସତ କି ନାହିଁ ଜାଣିବା ଲାଗି ସତ ଧରା ପରୀକ୍ଷା(ଲେୟାର୍ଡ ଭଏସ ଆନାଲିସିସ) କରାଯାଇଥିଲା। ସତ ଧରା ପରୀକ୍ଷା ପାଇଁ ଦିଲ୍ଲୀ ସିବିଆଇ ମୁଖ୍ୟାଳୟ ଫୋରେନସିକ ଲାବରେଟୋରିର ଦୁଇ ଜଣ ବିଶେଷଜ୍ଞ ଡ. ଏ କେ ସିଂହ ଏବଂ ଡ. ଆଶା ଆସିଥିଲେ। ମିଛ ଧରା ପରୀକ୍ଷା(ଲାଇ ଡିଟେକ୍ସନ ଟେଷ୍ଟ) ଭଳି ମେସିନ୍ ସାହାଯ୍ୟରେ ଏହି ସତ ଧରା ପରୀକ୍ଷା କରା ଯାଇଥିଲା।
ଅନିଲ ଦାସ, ମାମଲାର ପ୍ରଥମ ତଦନ୍ତକାରୀ ଅଧିକାରୀ

ବିଚାର ବିଳମ୍ବ ହେଲେ ମାମଲା ଦୁର୍ବଳ ହେବ
ସମ୍ବେଦନଶୀଳ ମାମଲାର ବିଚାର ପ୍ରକ୍ରିୟା ବିଳମ୍ବ ହେଲେ ଦୁର୍ବଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯେଉଁ ସାକ୍ଷୀମାନେ ବୟାନ ଦେଇଥିଲେ ବିଚାର ବିଳମ୍ବ ହେଲେ ସେମାନେ ଠିକ୍ ଭାବେ ବୟାନ ଦେଇପାରିବେ କି ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସାକ୍ଷ୍ୟ ପ୍ରମାଣ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ରହିଛି। ମୁଦାଲାମାନେ ଖସିଯିବାର ସମ୍ଭାବନା ରହିଛି। ଜଷ୍ଟିସ୍ ଡିଲେଡ୍ ଇଜ୍ ଜଷ୍ଟିସ୍ ଡିନାଏଡ୍(ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ) ବୋଲି ମଧ୍ୟ କଥା ରହିଛି। ଯଦି ତ୍ବରିତ ବିଚାର ହୋଇପାରିଲେ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରିବ।
ଧରଣୀଧର ନାୟକ, ବରିଷ୍ଠ ଆଇନଜୀବୀ

ସମ୍ବନ୍ଧିତ ଖବର