୨୦୧୮ ଫେବ୍ରୁଆରୀ ୨୩। ବଲାଙ୍ଗିର ପାଟଣାଗଡ଼ ସମେତ ମାତ୍ର କେଇ ଘଣ୍ଟା ଭିତରେ ସାରା ରାଜ୍ୟରେ ଖେଳିଗଲା ଚାଞ୍ଚଲ୍ୟ। ବିବାହ ଗିଫ୍ଟ ପାର୍ସଲ ଖୋଲିବା ବେଳେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ପାଟଣାଗଡ଼ର ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେ ମା’ ଜେମାମଣି ସାହୁଙ୍କର ଘଟଣାସ୍ଥ​ଳରେ ମୃତ୍ୟୁ ଘଟିଥିଲା। ସୌମ୍ୟଶେଖରଙ୍କ ପତ୍ନୀ ରିମା ସାହୁ ଗୁରୁତର ଆହତ ହୋଇ ଦୀର୍ଘଦିନ ଧରି ଏସସିବି ମେଡିକାଲରେ ଚିକିତ୍ସିତ ହୋଇଥିଲେ। ପାଦରୁ ଅଳତା ଲିଭି ନ ଥିଲା, କିନ୍ତୁ ରିମାଙ୍କ ମଥାରୁ ପୋଛି ହୋଇ ଯାଇଥିଲା ସିନ୍ଦୂର। ବିବାହର ମାତ୍ର ୫ ଦିନ ପରେ ଏହି ହୃଦୟ ବିଦାରକ ଘଟଣା କେବଳ ପାଟଣାଗଡ଼ କାହିଁକି ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଥିଲା। ସାରା ଦେଶରେ ହୁଏତ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଥିଲା।କିଏ, କାହିଁକି ଏଭଳି ଘଟଣା ଘଟାଇଲା ତାହା ଜାଣିବା ପୁଲିସ ପାଇଁ ମଧ୍ୟ କଷ୍ଟକର ହୋଇ ପଡ଼ିଥିଲା। ପୂରା ଅଜଣା ଥିବା ଏହି ମାମଲାରେ ଦୀର୍ଘ ଦୁଇ ମାସ ଧରି ଘଣ୍ଟାଚକଟା ପରେ ଶେଷରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ପୁଞ୍ଜିଲାଲ ବିରୋଧରେ ପୁଳା ପୁଳା ଅକାଟ୍ୟ ପ୍ରମାଣ ମଧ୍ୟ ଯୋଗାଡ଼ କରି ଚାର୍ଜସିଟ ଦେଇଥିଲା ତଦନ୍ତକାରୀ ଟିମ୍। ପୁଞ୍ଜିଲାଲ ଜାମିନ୍ ପାଇଁ ବଲାଙ୍ଗିର ଜିଲ୍ଲା ଦୌରାଜଜ୍ କୋର୍ଟରୁ ଆରମ୍ଭ କରି ହାଇକୋର୍ଟ, ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ବଳିଷ୍ଠ ପ୍ରମାଣ ପାଇଁ ସବୁଠି ଜାମିନ ଖାରଜ ହୋଇଯାଇଛି। କିନ୍ତୁ ପରିତାପର ବିଷୟ ବିଚାର ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ।

Advertisment

ଘଟଣାବଳୀ
୧୮-୨-୨୦୧୮: ସୌମ୍ୟରଞ୍ଜନ ଓ ରିମାଙ୍କ ବିବାହ
୨୦-୨-୨୦୧୮: ରିସେପସନ୍(ବିବାହ ଭୋଜି)
୨୩-୨-୨୦୧୮: ପାର୍ସଲ ବୋମା ବିସ୍ଫୋରଣ
୨୫-୩-୨୦୧୮: କ୍ରାଇମବ୍ରାଞ୍ଚ ହାତକୁ ଗଲା ମାମଲାର ତଦନ୍ତଭାର
୨-୪-୨୦୧୮: କ୍ରାଇମବ୍ରାଞ୍ଚ ଆଇଜି ଭାବେ ଦାୟିତ୍ବ ନେଲେ ଅରୁଣ ବୋଥ୍ରା
୪-୪-୨୦୧୮: ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଲା ବେନାମୀ ଚିଠି
୫-୪-୨୦୧୮: କ୍ରାଇମବ୍ରାଞ୍ଚ ହାତକୁ ଗଲା ବେନାମୀ ଚିଠି
୨୪-୪-୨୦୧୮: ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ କୋର୍ଟଚାଲାଣ
୩୦-୧-୨୦୧୯: ମାମଲାର ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ

କୋର୍ଟରେ ଫସିଛି ମାମଲା
ଏହି ବହୁ ଚର୍ଚ୍ଚିତ ଲୋମଟାଙ୍କୁରା ମାମଲାକୁ ୩୨ ମାସ ବିତିଗଲାଣି। ଚାର୍ଜସିଟ୍ ଦାଖଲକୁ ୯ ମାସ ହୋଇଗଲାଣି। ମାମଲାର ବିଚାର ହେବାକୁ ଥିବା ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ତାରିଖ ପରେ ତାରିଖ ଗଡ଼ି ଚାଲୁଛି। କିନ୍ତୁ ଏଯାଏ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ବିରୋଧରେ ଚାର୍ଜଫ୍ରେମ୍ ହୋଇପାରିଲା ନାହିଁ। ଚାର୍ଜଫ୍ରେମ ନ ହେଲା ଯାଏ ବିଚାର ମଧ୍ୟ ଆରମ୍ଭ ହୋଇପାରିବ ନାହିଁ। ପୁଅକୁ ହରାଇଥିବା ବାପା ମା, ବିବାହର ୫ ଦିନ ପରେ ସ୍ବାମୀଙ୍କୁ ହରାଇଥିବା ପତ୍ନୀ ନ୍ୟାୟ ପାଇବା ପାଇଁ ଦିନ ପରେ ଦିନ ଗଣି ଚାଲିଛନ୍ତି। ମିଳିଥିବା ସୂଚନା ଅନୁସାରେ, ୨୨ଟି ତାରିଖ ଯାଇ ସାରିଲାଣି। ଗତ ୯ ତାରିଖରେ ମଧ୍ୟ ଏକ ତାରିଖ ଥିଲା। କିନ୍ତୁ ପୁଞ୍ଜିଲାଲର ଓକିଲ ନ ଆସିବାରୁ ପୁଣି ଚାର୍ଜଫ୍ରେମର ତାରିଖକୁ ଘୁଞ୍ଚାଇ ନଭେମ୍ବର ୫ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି। ଏ ପର୍ଯ୍ୟନ୍ତ ମାମଲାର ଚାର୍ଜଫ୍ରେମ ହୋଇ ପାରି ନ ଥିବାରୁ ପୀଡ଼ିତ ପରିବାର ମାନସିକ ଯନ୍ତ୍ରଣାରେ ଦିନ କାଟୁଛନ୍ତି। ନ୍ୟାୟ ମିଳିବ କି ନାହିଁ ତାକୁ ନେଇ ମଧ୍ୟ ଆଶଙ୍କ ପ୍ରକାଶ କଲେଣି। ଗୋଟିଏ ପଟେ ସରକାର ଅପରାଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ତ୍ବରିତ ବିଚାର ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି। କିନ୍ତୁ ଏହି ମାମଲାରେ କାହିଁକି ଅଭିଯୁକ୍ତ ବିରୋଧରେ ଚାର୍ଜଫ୍ରେମ୍ ହୋଇପାରୁ ନାହିଁ? କେଉଁଠି ରହୁଛି ଅସୁବିଧା? ଯଦି ଏଭଳି ସମ୍ବେଦନଶୀଳ ମାମଲାରେ ଦିନ ଗଡ଼ିବ ତା’ହେଲେ ସାଧାରଣ ଲୋକଙ୍କୁ ତ୍ବରିତ ନ୍ୟାୟ କେମିତି ମିଳିବ? ଯାହା ଏବେ ସାଧାରଣରେ ପ୍ରଶ୍ନ ମଧ୍ୟ ଉଠିଲାଣି। ଭାତ ହାଣ୍ଡିରୁ ଇଏ ଗୋଟିଏ ମାମଲା ମାତ୍ର। ଏମିତି ହଜାର ହଜାର ସଂଖ୍ୟାରେ ମାମଲା କୋର୍ଟରେ ଗଡ଼ୁଛି। ଅଭିଯୁକ୍ତ ପରବର୍ତ୍ତୀ ସମୟରେ ଖଲାସ ମଧ୍ୟ ହୋଇ ଯାଉଛନ୍ତି। ମିଳିଥିବା ସୂଚନା ଅନୁସାରେ, ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ କୋର୍ଟରେ ୧୫ ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି। ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ, ନୟାଗଡ଼ ଚାନ୍ଦପୁର ଗଣହତ୍ୟା, ରାଜଧାନୀର ମହିଳା ଶିଳ୍ପପତି ବଚ୍ଚନସୁଧା ହତ୍ୟାକାଣ୍ଡ ଭଳି ଅନେକ ସମ୍ବେଦନଶୀଳ ମାମଲା ଏବେ ବି ବିଚାରାଧୀନ ରହିଛି।