ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ‘ଦିନେ ନୁହେଁ, ସବୁଦିନ ମାରିବା ଲକ୍ଷ୍ୟ ଥିଲା’

ପାଟଣାଗଡ଼ ଜ୍ୟୋତି ବିକାଶ କଲେଜ ଅଧ୍ୟକ୍ଷ ପଦକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ପୁଞ୍ଜିଲାଲକୁ କଲେଜ ଅଧ୍ୟକ୍ଷ ପଦରୁ ହଟାଇ ଦିଆ ଯାଇଥିଲା। ସେହି ସ୍ଥାନରେ ସୌମ୍ୟଶେଖରଙ୍କ ମା’ ତଥା ଇତିହାସ ବିଭାଗ ଅଧ୍ୟାପିକା ସଞ୍ଜୁକ୍ତା ସାହୁଙ୍କ ଅଧ୍ୟକ୍ଷା ପଦରେ ନିଯୁକ୍ତି କରା ଯାଇଥିଲା। ପୁଞ୍ଜିଲାଲ ନିଜକୁ ଅପମାନିତ ମନେ କରିଥିଲା। ପୂରା ପରିବାରକୁ ସଫା କରିଦେବା ପାଇଁ ଯୋଜନା କରିଥିଲା ପୁଞ୍ଜିଲାଲ। କିନ୍ତୁ ସଞ୍ଜୁକ୍ତାଙ୍କୁ ମାରିବାକୁ ଯୋଜନା ରଖି ନ ଥିଲା। କାରଣ ସେ ଚାହୁଁଥିଲା ପୂରା ପରିବାର ସଫା ହୋଇଗଲେ ସବୁ ଦିନ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ବିତାଇବେ ସଞ୍ଜୁକ୍ତା। ଯେଉଁଥିରେ ସଫଳ ମଧ୍ୟ ହୋଇଥିଲା ପୁଞ୍ଜିଲାଲ। ଘଟଣାର ପ୍ରାୟ ୧୦ ମାସ ଆଗରୁ ବ୍ଲୁ ପ୍ରିଣ୍ଟ ତିଆରି କରିଥିଲା। ବାରମ୍ବାର ୟୁ-ଟ୍ୟୁବ ଦେଖି ପାର୍ସଲ ବୋମା ତିଆରି କରିବାର କୌଶଳ ଶିଖିଥିଲା। ଘଟଣାର ୪ ମାସ ପୂର୍ବରୁ ୨୦୧୭ ଦୀପାବଳିରେ ବାଣ କିଣି ଆଣିଥିଲା। ସେଥିରୁ ବାରୁଦ ବାହାର କରି ପ୍ରଥମେ ଛୋଟ ଛୋଟ ପାର୍ସଲ ବୋମା ତିଆରି କରି ପରୀକ୍ଷା କରିଥିଲା। ଏହା ଫୁଟିବା ପରେ ଅଧିକ ବାରୁଦରେ ବଡ଼ ବୋମା ତିଆରି କରିଥିଲା। ଏଥିରେ ଲିଚୁ ଲାଇଟର ଫ୍ୟୁଜ୍, ସ୍ପ୍ରିଙ୍ଗ୍, କାଚ, କଣ୍ଟା, ଲୁହାଖଣ୍ଡ ଆଦି ବ୍ୟବହାର କରିଥିଲା ପୁଞ୍ଜିଲାଲ।

Sambad English

ତିଆରି ହୋଇଥିଲା ଫିଲ୍ମ ପାଟଣାଗଡ଼
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର କାହାଣୀ ଏମିତି ଥିଲା ଯେ ଶେଷରେ ଫିଲ୍ମ ନିର୍ମାଣ ହୋଇଥିଲା। କ୍ରାଇମ, କନସ୍ପିରେସି, ଆକ୍ସନ, ଥ୍ରିଲର, ଷ୍ଟୋରି ଏ ସବୁକୁ ନେଇ ପ୍ରଯୋଜକ ଶ୍ରୀଧର ମାର୍ଥା ଫିଲ୍ମ ତିଆରି କରିଥିଲେ। ମୁଖ୍ୟ ତଥା କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକାରେ ଅତୁଲ କୁଲକର୍ଣ୍ଣି, ଅନୁ ଚୌଧୁରୀ, ତେଲୁଗୁ ଅଭିନେତା ତନିକେଲା ଭରାନି, ମନୋଜ ମିଶ୍ର, ତେଲୁଗୁ ଅଭିନେତା ସିଜୁ ଓ ସଞ୍ଜୁ ପ୍ରମୁଖ ଅଭିନୟ କରିଥିଲେ। ଫିଲ୍ମର ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଆଇନଗତ କାରଣରୁ ରିଲିଜ୍ ହୋଇପାରି ନାହିଁ। ଏହି ଫିଲ୍ମକୁ ନେଇ ଉଭୟ ସୌମ୍ୟରଞ୍ଜନଙ୍କ ପରିବାର ଏବଂ ପୁଞ୍ଜିଲାଲଙ୍କ ପତ୍ନୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ବୋଲି କହିଛନ୍ତି ନିର୍ମାତା ଶ୍ରୀଧର ମାର୍ଥା। ଏହି ଫିଲ୍ମ ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାରେ ତିଆରି ହୋଇଛି। ଶ୍ରୀ ମାର୍ଥାଙ୍କ କହିବା ଅନୁସାରେ ଏହି ଫିଲ୍ମ ତିଆରି କରିବାକୁ ପ୍ରାୟ ୧୫ ମାସ ସମୟ ଲାଗିଥିଲା। ଏହା ଏକ ହାଇ ବଜେଟର ଫିଲ୍ମ। ଏହି ଫିଲ୍ମ ଯେବେ ବି ରିଲିଜ୍ ହେବ ଓଲିଉଡ୍ ଇଣ୍ଡଷ୍ଟ୍ରିର ଧାରା ବଦଳାଇ ଦେବ।

ଫେରାର ଉଦ୍ୟମ କରିଥିଲା ପୁଞ୍ଜିଲାଲ
ପାଟଣାଗଡ଼ ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଥିବା ବେଳେ କିଛି କଏଦୀଙ୍କ ସହ ମିଶି ଫେରାର ହେବାକୁ ଉଦ୍ୟମ କରିଥିଲା ପୁଞ୍ଜିଲାଲ। ଵାର୍ଡର ଓ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହ ଲହୁଲୁହାଣ କରିଥିବା ଅଭିଯୋଗ ହୋଇଥିଲା। ୨୦୧୯ ଜାନୁଆରୀ ୨୪ ତାରିଖରେ ଏହି ଘଟଣା ଘଟିଥିଲା। ୭ ଜଣ କଏଦୀଙ୍କ ସହ ପୁଞ୍ଜିଲାଲ ଏହି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଏ ନେଇ ପାଟଣାଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଫେବ୍ରୁଆରୀ ୮ ତାରିଖରେ ପୁଞ୍ଜିଲାଲକୁ ପାଟଣାଗଡ଼ ସବଜେଲରୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରା ଯାଇଥିଲା।

ସମ୍ବନ୍ଧିତ ଖବର