ଆମ ଦେଶରେ ସ୍ବାଧୀନତା ସଂଗ୍ରାମଠାରୁ ଆଉ ସମ୍ଭବତଃ ଅଧିକ ଅବିସ୍ମରଣୀୟ ଘଟଣା କିଛି ଥାଇ ନ ପାରେ। ଲକ୍ଷ ଲକ୍ଷ ଦେଶବାସୀ ଅତ୍ୟାଚାରୀ ବ୍ରିଟିସ୍‌ର ଲାଠିମାଡ଼ରେ ଲହୁଲୁହାଣ ହେବା, ଗୁଳିମାଡ଼ ଓ ଫାଶୀଦଣ୍ଡରେ ମୃତ୍ୟୁବରଣ କରିବା ଏବଂ ଦୀର୍ଘଦିନ ଧରି କାରାବରଣ କରିବା ଥିଲା ଏହାର ଗୋଟିଏ ଗୋଟିଏ ଲୋମହର୍ଷକ ଚିତ୍ର। ତେବେ ସଂଗ୍ରାମୀଙ୍କ ଦେଶପ୍ରେମ ଓ ବଳିଦାନର କଥା ସିନେମାରେ ଦୃଶ୍ୟାୟିତ କରି ଦେଶବାସୀଙ୍କୁ ଉଦ୍‌ବୁଦ୍ଧ କରିବା ପାଇଁ ସ୍ବାଧୀନତା ପ୍ରାପ୍ତିରୁ ଆଜିଯାଏ ପ୍ରୟାସ କରାଯାଉଛି। ସ୍ବାଧୀନତାର ୭୭ ତମ ପୂର୍ତ୍ତି ପାଳନ କରୁଥିବା ବେଳେ ଏଇ ସ୍ବତନ୍ତ୍ର ପ୍ରତିବେଦନ।

Advertisment

୧୯୪୨ର ଅଗଷ୍ଟ କ୍ରାନ୍ତିରେ ବ୍ରିଟିସ ବିରୁଦ୍ଧରେ ଭାରତୀୟମାନେ କରିଥିବା ଦେଶବ୍ୟାପୀ ଭାରତ ଛାଡ଼ ଆନ୍ଦୋଳନ ଆଜି ମଧ୍ୟ ଅବିସ୍ମରଣୀୟ। ଏପାଖେ ଭାରତୀୟ ଜାତୀୟ କଂ‌େ‌ଗ୍ରସ କମିଟି ଗାନ୍ଧିଜୀଙ୍କ ନେତୃତ୍ବରେ ‘କର ଅବା ମର’ ଡାକରା ଦେଇଥିବାବେଳେ ସେପାଖେ ବ୍ରିଟସ୍‌ର ଲାଠିମାଡ଼, ଗୁଳିଚାଳନା ଏବଂ ଗିରଫଦାରି ଚାଲିଥିଲା। ଏଥିରେ ଅନ୍ୟୂନ ୬୦ ହଜାର ଭାରତୀୟ କାରାବରଣ ଓ ୩୦ ଲକ୍ଷ ଭାରତୀୟଙ୍କ ମୃତ୍ୟୁ ହେଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧରେ ବ୍ରିଟିସ୍‌ ଦୁର୍ବଳ ହେବା ସାଙ୍ଗକୁ ଭାରତୀୟଙ୍କ ପାଇଁ ସ୍ବାଧୀନତାର ବାଟ ଫିଟିଯାଇଥିଲା।

ମଦର ଇଣ୍ଡିଆ
ନର୍ଗିସ୍, ସୁନୀଲ ଦତ୍ତ, ରାଜେନ୍ଦ୍ର କୁମାର, ରାଜ କୁମାର, କହ୍ନେୟା ଲାଲ୍ ପ୍ରମୁଖ କଳାକାର ଏଥିରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। କୁହାଯାଏ ୧୯୪୦ରେ ନିର୍ମିତ ‘ଐରତ୍‌’ ଫିଲ୍ମର ଏହା ହେଉଛି ରିମେକ୍। ୧୯୫୭ରେ ମୁକ୍ତିଲାଭ କରିଥିବା ଏଇ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମେହବୁବ୍‌ ଖାନ୍। ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ରାଧା କିପରି ନିଜ ପିଲାମାନଙ୍କ ଜୀବନଧାରଣ ପାଇଁ ସଂଘର୍ଷ କରୁଛି ଏବଂ ଏଥିରେ ସୁଧକୁ ଋଣ ଦେଉଥିବା ଜମିଦାର ତାଙ୍କୁ କେମିତି ଅତ୍ୟାଚାରିତ କରୁଛନ୍ତି ତାହା ଏହି ଫିଲ୍ମରେ ପ୍ରତିଫଳିତ ହୋଇଛି।

ଗାନ୍ଧୀ
ସ୍ବାଧୀନତା ଆନ୍ଦୋଳନର କର୍ଣ୍ଣଧାର ମହାତ୍ମା ଗାନ୍ଧୀଙ୍କୁ କେବଳ ଆମ ଦେଶରେ ନୁହେଁ, ସାରା ବିଶ୍ବରେ ପ୍ରଶଂସା କରାଯାଉଥିଲା। ତାଙ୍କ ନେତୃତ୍ବରେ ଅହିଂସା ଅନ୍ଦୋଳନ ଥିଲା ଚର୍ଚ୍ଚାର ବିଷୟ। ଗାନ୍ଧୀଜୀଙ୍କର ଏହି ସଂଗ୍ରାମ ଆଧାରରେ ନିର୍ମିତ ହୋଇଥିଲା ଚଳଚ୍ଚିତ୍ର ‘ଗାନ୍ଧୀ’। ୧୯୮୨ରେ ଏଇ ଚଳଚ୍ଚିତ୍ରକୁ ଜଣେ ହଲିଉଡ୍ ପ୍ର‌େଯାଜକ ନିର୍ମାଣ କରିଥିଲେ। ଏଥିରେ ମଧ୍ୟ ବହୁ ହଲିଉଡ୍ କଳାକାର ଅଭିନୟ କରିଥିଲେ।

ସର୍ଦ୍ଦାର ଉଦ୍ଦାମ୍‌
ସଂଗ୍ରାମୀ ସର୍ଦ୍ଦାର ଉଦ୍ଦାମ୍‌ଙ୍କ ଜୀବନୀକୁ ନେଇ ଜଣେ ବ୍ରିଟିସ୍ ପ୍ରଯୋଜକ ଏକ ସିନେମା ନିର୍ମାଣ କରିଥିଲେ। ଜାଲିୱାନାବାଲାବାଗ୍ ଗଣମୃତ୍ୟୁ ଉପରେ ଏହାର କାହାଣୀ ଆଧାରିତ ଥିଲା। ବ୍ରିଟିସ୍ ଶାସକଙ୍କ ଦ୍ବାରା ଭାରତର ସ୍ବାଧୀନତା ସଂଗ୍ରାମରେ ଏହା ଥିଲା ସବୁଠୁ ଅଧିକ ଲୋମହର୍ଷକ ଗୁଳିକାଣ୍ଡ , ଯାହାକି ଏହି ଫିଲ୍ମରେ ପ୍ରତିଫଳିତ ହୋଇଥିଲା।

publive-image

ନେତାଜୀ ସୁଭାଷ ଚନ୍ଦ୍ର ବୋଷ
ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଯିଏ ‘ଆଜାଦ୍ ହିନ୍ଦ୍ ଫୌଜ’ ଗଠନ କରି ଦେଶ ପାଇଁ ପ୍ରଥମ ଆନ୍ଦୋଳନ କରିଥିଲେ, ସେ ହେଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଯଦିଓ ସର୍ବଭାରତୀୟ ସ୍ତରରେ ତାଙ୍କ ସହ ବହୁ ସଂଗ୍ରାମୀ ନ ଥିଲେ, ମାତ୍ର କେତେଜଣ ଦେଶଭକ୍ତଙ୍କୁ ନେଇ ସେ ବ୍ରିଟିସ୍ ବିରୁଦ୍ଧରେ ପ୍ରଚଣ୍ଡ ଲଢ଼େଇ କରିଥିଲେ। ତାଙ୍କ ଜୀବନ କାହାଣୀକୁ ନେଇ ଶ୍ୟାମ୍ ବେନେଗାଲ ୨୦୦୫ରେ ନିର୍ମାଣ କରିଥିଲେ ଚଳଚ୍ଚିତ୍ର ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ’।

ପାର୍ଟିସନ୍ ୧୯୪୭
ହଗ୍ ବୋନେଭାଇଲ୍, ଗିଲିଆନ୍ ଆଣ୍ଡରସନ୍, ମନୀଷ ଦୟାଲ ହୁମା କ୍ୟୁରେସି, ମାଇକେଲ୍ ଗାମ୍ବନ ପ୍ରମୁଖ କଳାକାରଙ୍କୁ ନେଇ ନିର୍ମିତ ହୋଇଥିଲା ଚଳଚ୍ଚିତ୍ର ‘ପାର୍ଟିସନ୍‌ ୧୯୪୭’। ଗୁରିନ୍ଦର ଚଢ଼ାଙ୍କ ନିର୍ଦ୍ଦେଶିତ ଏଇ ସିନେମାଟି ଭାରତ-ପାକିସ୍ତାନ ବିଭାଜନର କରୁଣ କାହାଣୀ ଉପରେ ପର୍ଯ୍ୟବସିତ, ଯାହାକି ୨୦୧୭ ମସିହାରେ ରିଲିଜ୍ ହୋଇଥିଲା।

ଦ ଲିଜେଣ୍ଡ ଅଫ୍ ଭଗତ ସିଂହ
ଦେଶ ସଂଗ୍ରାମରେ ସାମିଲ ହେଇଥିବା ଅନେକଙ୍କ ମଧ୍ୟରେ ସହିଦ ଭଗତ ସିଂହ ଥିଲେ ବିରଳ। ବ୍ରିଟିସ୍‌ ଶାସକଙ୍କୁ ମୁକାବିଲା କରିବା ପାଇଁ ସେ ଯେଉଁ ଅଦମ୍ୟ ସାହସ ଓ ନିର୍ଭୀକତା ପ୍ରଦର୍ଶନ କରିଥିଲେ, ଅନ୍ୟମାନଙ୍କଠାରେ ତାହା ଦେଖିବାକୁ ମିଳିନଥିଲା। ଏଥିପାଇଁ ସେ ଫାଶୀଦଣ୍ଡ ବରଣ କରିଥି‌ଲେ, ମାତ୍ର ବ୍ରିଟିଶ ନିକଟରେ ମୁଣ୍ଡ ନୁଆଁଇ ନ ଥିଲେ। ତାଙ୍କ ଉପରେ ନିର୍ମିତ ହୋଇଥିବା ଫିଲ୍ମର ମୁଖ୍ୟ ଚରିତ୍ରରେ ଥିଲେ ଅଜୟ ଦେବଗନ। ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ଏଇ ଫିଲ୍ମ ୨୦୦୨ରେ ମୁକ୍ତିଲାଭ କରିଥିଲା।

ମଙ୍ଗଲ୍ ପାଣ୍ଡେ: ଦ ରାଇଜିଙ୍ଗ୍
ଅମୀର ଖାନ୍, ଟବି ଷ୍ଟିଫେନ୍ସ, ରାଣୀ ମୁଖାର୍ଜୀ, ଅମୀଷା ପଟେଲ, କିରନ୍ ଖେର, ହବିବ ତନ୍‌ବୀର, ମୁକେଶ ତିୱାରୀଙ୍କ ପରି ଅନୂନ ୪୦ ଜଣ ବଲିଉଡ୍ ଓ ହଲିଉଡ୍‌ର ନାମୀଦାମୀ କଳାକାର ଏଥିରେ ଅଭିନୟ କରିଥିଲେ। ୨୦୦୫ରେ ରିଲିଜ୍ କରିଥିବା ଏଇ ଚଳଚ୍ଚିତ୍ର ‘ଭଗତ୍‌ ସିଂହ’ ପରି ମଧ୍ୟ ଦର୍ଶକଙ୍କୁ ପ୍ରଭାବିତ କରିଥିଲା।

ଲଗାନ୍
ସ୍ବାଧୀନତା ପୂର୍ବରୁ ବ୍ରିଟିସ୍ ଶାସକ ଭାରତର ଗୋଟିଏ ଗୋଟିଏ ଅଞ୍ଚଳକୁ ଦଖଲ କରିବାର ଯୋଜନା କରୁଥିଲେ, ଆଉ ଅନେକ ଅଞ୍ଚଳ ମଧ୍ୟ ଦଖଲ କରିଥିଲେ। ସେଇ ସମୟରେ ଯେଉଁ ଦେଶବାସୀ ପେଟ ପାଇଁ ଖାଦ୍ୟ ମୁଠେ ଯୋଗାଡ଼ କରିବାକୁ ପରିଶ୍ରମ ଓ ସଂଘର୍ଷ କରୁଥିଲେ, ସେମାନଙ୍କୁ ବ୍ରିଟିସ୍ ଶାସକମାନେ ଶୋଷଣ କରୁଥିଲେ। ଏହାକୁ ନେଇ ବିଭିନ୍ନ ଅଞ୍ଚଳରେ ଦେଶବାସୀ ମେଳି ହେଲେ ଏବଂ ସେମାନଙ୍କୁ ତୀବ୍ର ବିରୋଧ କଲେ। ଏହିସବୁ ଘଟଣାର ପୃଷ୍ଠଭୂମିରେ ନିର୍ମିତ ଫିଲ୍ମର ମୁଖ୍ୟ ଭୂମିକାରେ ଥିଲେ ଅମୀର ଖାନ୍। ୨୦୦୧ରେ ଏହା ମୁକ୍ତିଲାଭ କରିଥିଲା।

ଆରଆରଆର
୨୦୨୨ରେ ରିଲିଜ୍ କରିଥିବା ସିନେମା ‘ଆରଆରଆର’ର ପ୍ରମୁଖ ଭୂମିକାରେ ଥିଲେ ଜୁନିଅର ଏନ୍‌.ଟି ରାମାରାଓ, ରାମ ଚରଣ, ଅଜୟ ଦେବଗନ୍, ଆଲିଆ ଭଟ୍ଟ, ଶ୍ରୀୟା ଶରଣ। ଏସ୍.ଏସ୍. ରାଜାମୌଲୀଙ୍କ ନିର୍ଦ୍ଦେଶିତ ଏଇ ଫିଲ୍ମଟି ‌ବକ୍ସ ଅଫିସ୍ ହଲ୍‌ଚଲ୍‌ କରିଥିଲା। ଦୁଇ ଜଣ ଅସାଧାରଣ ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନୀ ଓ ବଳିଦାନକୁ ନେଇ ଏହାର କାହାଣୀ ଥିଲା ପର୍ଯ୍ୟବସିତ। ଜଣେ ଆଲୁରି ସୀତାରାମ ରାଜୁ ଓ ଅନ୍ୟ ଜଣେ କୋମାରାମ ଭୀମ।

ରଙ୍ଗ୍ ଦେ ବସନ୍ତୀ
୨୦୦୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରଙ୍ଗ୍ ଦେ ବସନ୍ତୀ’ ସିନେମାଟି ଯୁବ ଦର୍ଶକଙ୍କୁ ଏକାଧିକ ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ବହୁ ରୋଚକ ତଥ୍ୟ ଦେଇଥିଲା। ସେମାନଙ୍କ ସଂଘର୍ଷ ଓ ବଳିଦାନର କାହାଣୀ ଦେଖି ସେମାନେ ପ୍ରଭାବିତ ହେଇଥିଲେ। ରାକେଶ ଓମ୍‌ପ୍ରକାଶ ମେହରାଙ୍କ ନିର୍ଦ୍ଦେଶିତ ଏଇ ଫିଲ୍ମର ପ୍ରମୁଖ ଭୂମିକାରେ ଥିଲେ ଅମୀର ଖାନ୍, ସୋହା ଅଲ୍ଲୀ, ଶର୍ମଣ ଯୋଶୀ, ମହାଦେବନ୍‌ ଓ କୁନାଲ୍‌ କପୁର।

ମଣିକର୍ଣ୍ଣିକା
କିଛିବର୍ଷ ହେବ ସିନେମା ଓ ରାଜନୀତିକୁ ନେଇ ବେଶ୍ ଚର୍ଚ୍ଚାରେ ଥିବା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନିର୍ମିତ ‘ମଣିକର୍ଣ୍ଣିକା’ ମହାନ୍‌ ସଂଗ୍ରାମୀ ଝାନ୍‌ସିରାଣୀ ଲକ୍ଷ୍ମୀବାଈଙ୍କ ଜୀବନୀ ଉପରେ ଆଧାରିତ। ଏଥିରେ ମୁଖ୍ୟ ଭୂମିକାରେ ଥିଲେ ନିଜେ କଙ୍ଗନା। ତାଙ୍କ ବ୍ୟତୀତ ସୁରେଶ ଓବ୍‌ରୟ, ଅଙ୍କିତା ଲା‌ଖୋଣ୍ଡେ, ଯୀଶୁ ସେନ୍‌ଗୁପ୍ତ, ଡ୍ୟାନି ଡାଞ୍ଜୋପା ଓ ଅତୁଲ୍‌ କୁଲ୍‌କର୍ଣ୍ଣିଙ୍କୁ ଏଥିରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲା।
ଏସବୁ ବ୍ୟତୀତ ବର୍ଡ଼ର, ଚକ୍ ଦେ ଇଣ୍ଡିଆ, ୧୯୭୧, ଚିତ୍ତାଗଙ୍ଗ୍, ୧୯୪୨-ଏ ଲଭ୍ ଷ୍ଟୋରି, ସ୍ବଦେଶ, ଲକ୍ଷ୍ୟ, ପ୍ରହାର, କ୍ରାନ୍ତିବୀର, ଦିୱାର: ଲେଟ୍‌ସ ବିଙ୍ଗ୍‌ ଆଉଟ୍ ବ୍ୟାକ୍, ହକିକତ୍, ପୂରବ୍‌ ଔର ପଶ୍ଚିମ୍‌, ନୟା ଦୌର, ହିନ୍ଦୁସ୍ତାନୀ, ସାତ ହିନ୍ଦୁସ୍ତାନୀ, ଏ ୱେଡ୍‌ନେସ୍‌ ଡେ, ଭାଗ୍ ମିଲ୍‌ଖା ଭାଗ୍, ଦଙ୍ଗଲ୍, ପୁକାର, ରୋଜା, ଦ ଗାଜି ଆଟାକ୍ ପରି ଆଉ କିଛି ଦେଶପ୍ରେମର ସିନେମା ମଧ୍ୟ ତିଆରି ହେଇଛି।

୧୯୭୧ରେ ହେଇଥିବା ଭାରତ-ପାକିସ୍ତାନ ଯୁଦ୍ଧ କାହାଣୀକୁ ନେଇ ସେତେବେଳେ ତିଆରି ହେଇଥିଲା ଫିଲ୍ମ ‘ଗଦ୍ଦର: ଏକ୍ ପ୍ରେମ୍ କଥା’। ଏଥର ସ୍ବାଧୀନତା ଦିବସ ଅବସରରେ ପୁଣି ଦର୍ଶକ ଦେଖିବେ ଏହାର ସିକୁଏଲ୍‌ ‘ଗଦ୍ଦର-୨’। ଜି ଷ୍ଟୁଡିଓଜ୍ ପ୍ରଯୋଜିତ ଓ ଅନୀଲ ଶର୍ମାଙ୍କ ନିର୍ଦ୍ଦେଶିତ ଏଇ ମୁଭିରେ ସନ୍ନି ଦେଓଲ, ଅମୀଷା ପଟେଲ ଓ ଉତ୍କର୍ଷ ଶର୍ମାଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ଏହା ହିନ୍ଦୀ, ପଞ୍ଜାବୀ, କନ୍ନଡ଼, ତେଲୁଗୁ, ତାମିଲ ଓ ମାଲୟାଲମ୍‌ ଭାଷାରେ ସାରା ବିଶ୍ବରେ ରିଲିଜ୍ କରିବ।

ଏକା ସମୟରେ ପ୍ରେକ୍ଷାଳୟକୁ ଆସିଛି ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ, ୟାମୀ ଗୌତମ୍‌, ପବନ ମାଲ୍‌ହୋତ୍ରା, ଗୋବିନ୍ଦ ନାମ୍‌ଦେବ, ଅରୁଣ ଗୋଭିଲ, ବିଜେନ୍ଦ୍ର କାଲା ପ୍ରମୁଖଙ୍କ ଅଭିନୀତ ଚଳଚ୍ଚିତ୍ର ‘ଓଏମ୍‌ଜି-୨’। ଅମିତ ରାୟଙ୍କ ନିର୍ଦ୍ଦେଶିତ ଏଇ ସିନେମାଟି ଚଳିତ ମାସ ୧୧ ତାରିଖରେ ମୁକ୍ତିଲାଭ କରିଛି। ଏହା ଏକ ସାଟାୟାରକାଲ ଡ୍ରାମା ହେଲେ ବି ଏଥିରେ ସ୍ପିରିଚୁଆଲ ସିକୁଏନ୍ସ ରହିଛି।

ଓଡ଼ିଆ ଚଳଚ୍ଚିତ୍ରରେ ଦେଶପ୍ରେମ

publive-image

ଚଳଚ୍ଚିତ୍ର ‘ବଳିଦାନ’ରେ ଥିବା ଥିବା ଦେଶପ୍ରେମର ଗୀତ ‘ବହିଯାଏରେ ଗଙ୍ଗା ଉଡ଼େ ତ୍ରିରଙ୍ଗା’ ଗୀତଟି ଦର୍ଶକଙ୍କୁ ବେଶ୍ ଦେଶପ୍ରେମର ଉଚ୍ଛ୍ବାସ ଦେଇଥିଲା।
ଏହାର ବହୁଦିନର ବ୍ୟବଧାନରେ ନିର୍ମିତ ହେଇଥିଲା ‘କଳିଙ୍ଗପୁତ୍ର’ ଓ ‘ସତ୍ୟମେବ ଜୟତେ’। ଏ ଦୁଇଟି ଚଳଚ୍ଚିତ୍ରରେ ଯଦିଓ ଓଡ଼ିଶାର ଜମିଦାରି ପ୍ରଥା ଏବଂ ସେମାନଙ୍କର ବ୍ରିଟିସ୍ ଶାସକଙ୍କ ଅନୁରୂପ ଅତ୍ୟାଚାର ପ୍ରତିଫଳିତ ହେଇଥିଲା, ହେଲେ ସ୍ବାଧୀନତା ସଂଗ୍ରାମୀଙ୍କ କଥା ସେତେ ନ ଥିଲା।

ଆଉ ଏକ ଚଳଚ୍ଚିତ୍ର ଆସିଥିଲା ଦର୍ଶକଙ୍କ ନଜରକୁ, ତାହାର ଶୀର୍ଷକ ଥିଲା ‘ରଘୁ ଦିବାକର’। କୋଲକାତାରେ ରହୁଥିବା ଓଡ଼ିଆଙ୍କୁ ମେଳି କରି ସଂଗ୍ରାମୀ ରଘୁ ଦିବାକର କେମିତି ବ୍ରିଟିସ୍ ବିରୁଦ୍ଧରେ ଆନ୍ଦୋଳନ କରିଥିଲେ, ତାହା ଦୃଶ୍ୟାୟିତ ହେଇଥିଲା। ଆଗକୁ ମୁକ୍ତିଲାଭ ଅପେକ୍ଷାରେ ରହିଛି ଚଳଚ୍ଚିତ୍ର ‘ଜୟୀ ରାଜଗୁରୁ’। ଇଂରେଜମାନଙ୍କ ବିରୋଧରେ ବୀର ପାଇକମାନଙ୍କ ବଳିଦାନର ଛାତିଥରା କାହାଣୀ, ଦେଶ ଜନତାଙ୍କୁ ଦେଶପ୍ରେମରେ ଉଦ୍‌ବୁଦ୍ଧ କରିଥିଲା, ଯୋଦ୍ଧା ଜୟୀ ରାଜଗୁରୁ ଜାଳିଥିଲେ ପାଇକ ସଂଗ୍ରାମର ଅାଦ୍ୟ ଅଗ୍ନିସ୍ଫୁଲିଙ୍ଗ। ଜୟଭାରତ ଏଣ୍ଟରଟେନ୍‌ମେଣ୍ଟ ତରଫରୁ ଦୀର୍ଘ ୫ବର୍ଷର ଅକ୍ଳାନ୍ତ ପରିଶ୍ରମରେ ଚଳଚ୍ଚିତ୍ର ‘ଜୟୀ ରାଜଗୁରୁ’ ନିର୍ମାଣ ହୋଇଛି। ଯଦିଓ ‘ବନ୍ଦେ ଉତ୍କଳ ଜନନୀ’ ନାମକ ଏକ ଓଡ଼ିଆ ଚଳଚ୍ଚିତ୍ର ତିଆରି ହେଇଥିଲା, ଏଥିରେ ଦେଶପ୍ରେମର କାହାଣୀ ପ୍ରାୟ ନ ଥିଲା।