ଇକୋ ଟୁରିଜିମ୍‌ ମାନ୍ୟତା ଅପେକ୍ଷାରେ ‘ପିକକ୍‌ ଭ୍ୟାଲି’

ଖଣ୍ଡଗିରି : ଓଡ଼ିଶାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି ଯାହା ଏ ପର୍ଯ୍ୟନ୍ତ ସରକାରୀ ମାନ୍ୟତାର ଅପେକ୍ଷା ରଖିଛି। ‌ସେଥିମଧ୍ୟରୁ ରାଜଧାନୀ ନିକଟରେ ଥିବା ପିକକ୍‌ ଭ୍ୟାଲି ଅନ୍ୟତମ। ଭୁବନେଶ୍ବରଠାରୁ ୩୦ କିଲୋମିଟର ଏବଂ କଟକଠାରୁ ୧୫ କିଲୋମିଟର ଦୂରରେ ରହିଛି ପିକକ୍‌ ଭ୍ୟାଲି। ସକାଳ ଓ ସନ୍ଧ୍ୟା ହେଲେ ଏଠି ଶହ ଶହ ସଂଖ୍ୟାରେ ମୟୂରଙ୍କୁ ଏକତ୍ର ଦେଖିବାକୁ ମିଳେ। ଏହି ସୁନ୍ଦର ଦୃଶ୍ୟକୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପରିବେଶପ୍ରେମୀମାନେ ସେଠାରେ ଭିଡ଼ ଜମାନ୍ତି। ସୌନ୍ଦର୍ଯ୍ୟ ଦୃଷ୍ଟିରୁ ମଧ୍ୟ ସ୍ଥାନଟିର ସ୍ବତନ୍ତ୍ରତା ରହିଛି। ଏହାକୁ ଇକୋ ଟୁରିଜିମ୍‌ର ମାନ୍ୟତା ଦେବାକୁ ବିଶ୍ବ ପର୍ଯ୍ୟଟନ ଦିବସରେ ମତପ୍ରକାଶ ପାଇଛି। ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଏ ବାବଦରେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।

କଟକ ଜିଲ୍ଲା ନରାଜ ରୋଡ୍‌ ଯିବା ରାସ୍ତାରେ ପଡ଼େ ତଳଗର। ଏଇଠି ରହିଛି ପିକ୍‌କ ଭ୍ୟାଲି। ଏବେ ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ର ପାଲଟିଛି ଏହ‌ି ସ୍ଥାନ। ପିକକ୍‌ ଭ୍ୟାଲିକୁ ନେଇ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ଅନେକ ୟୁଟୁବ୍ ଭିଡିଓ। ବହୁ ୟୁଟ୍ୟୁବର୍‌ ଏହି ସ୍ଥାନକୁ ଯାଇ ଭିଡିଓ ଉତ୍ତୋଳନ କରି ନିଜ ନିଜ ଚ୍ୟାନେଲ୍‌ରେ ଅପଲୋଡ୍‌ କରୁଥିବା ଦେଖାଯାଇଛି। ଏହାକୁ ଦେଖି ପର୍ଯ୍ୟଟକମାନେ ମଧ୍ୟ ଆକର୍ଷିତ ହେଉଛନ୍ତି। ସମ୍ପ୍ରତି ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ବିକଶିତ ହେଉଛି ଇକୋ ଟୁରିଜମ୍ ପ୍ରକଳ୍ପ। କିନ୍ତୁ ଏହି ଅଞ୍ଚଳ ଏବେ ବି ପ୍ରଶାସନର ଦୃଷ୍ଟି ଆଡ଼ୁଆଳରେ ରହିଯାଇଛି। ପିକକ୍‌ ଭ୍ୟାଲିକୁ ଇକୋ ଟୁରିଜିମ୍‌ର ମାନ୍ୟତା ଦିଆଗଲେ ଆମର ଜାତୀୟ ପକ୍ଷୀ ମୟୂରର ସୁରକ୍ଷା ସହ ଏହାର ବଂଶ ବୃଦ୍ଧିରେ ସହାୟକ ହୋଇ ପାରିବ। ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବ। ରାଜ୍ୟର ରାଜସ୍ବ ବୃଦ୍ଧି ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିକାଶରେ ମଧ୍ୟ ସହାୟକ ହୋଇାପରିବ। ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ‌ଲୋକମାନେ ଉପକୃତ ମଧ୍ୟ ହୋଇ ପାରିବେ। ଶ୍ରୀ ସାହୁ ଏ ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଙ୍ଗଲ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ପତ୍ର ମାଧ୍ୟମରେ ପିକକ ଭ୍ୟାଲିକୁ ଇକୋ-ଟୁରିଜିମ୍‌ର ମାନ୍ୟତା ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର