ଓସ୍ତ ଗଛ ବା ଅଶ୍ୱତ୍ଥ ବୃକ୍ଷ ହିନ୍ଦୁମାନଙ୍କର ଏକ ପୂଜ୍ୟ ବୃକ୍ଷ । ଏହାକୁ ବିଶ୍ୱ ବୃକ୍ଷ, ଚୈତ୍ୟ ବୃକ୍ଷ ଓ ବାସୁଦେବ ବୋଲି ମଧ୍ୟ ନାମିତ କରାଯାଇଛି । ହିନ୍ଦୁ ଧର୍ମ ଦର୍ଶନ ଅନୁଯାୟୀ ଏହାର ପ୍ରତିଟି ପତ୍ରରେ ଦେବତା ନିବାସ କରନ୍ତି । ବିଶେଷତଃ ଭଗବାନ ବିଷ୍ଣୁ ଅଶ୍ୱତ୍ଥ ବୃକ୍ଷରେ ରହନ୍ତି ବୋଲି ବିଶ୍ୱାସ ରହିଛି । ଅର୍ଥବ ବେଦ ଓ ଉପନିଷଦରେ ଏହି ବୃକ୍ଷ ତଳେ ଦେବତାମାନଙ୍କର ସ୍ୱର୍ଗ ରହିଛି ବୋଲି ଉଲ୍ଲଖିତ ଅଛି ।
ଅଶ୍ୱତ୍ଥ ବୃକ୍ଷର ସ୍ୱତନ୍ତ୍ର ପୂଜନ ବିଧି ମଧ୍ୟ ରହିଛି । ଏହି ବୃକ୍ଷ ପୂଜନର କେତେକ ନିର୍ଦ୍ଦିଷ୍ଟ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି । ଏତଦ୍ବ୍ୟତୀତ କିଛି ନିୟମ ବି ଅଛି । ଉକ୍ତ ନିୟମ ମାନି ଅଶ୍ୱତ୍ଥ ବୃକ୍ଷର ପୂଜନ କରିଲେ, ଆପଣ ଧନୀ ହେବେ ନତୁବା ଦରିଦ୍ର ହେବାର ବି ଆଶଙ୍କା ରହିଛି । ତେବେ ଆସନ୍ତୁ ଜାଣିବା ଅଶ୍ୱତ୍ଥ ବୃକ୍ଷର ପୂଜନ ସଂପର୍କୀତ କେତେକ ନିୟମ ଏହାର ଧାର୍ମିକ ତଥା ବୈଜ୍ଞାନିକ କାରଣ ।
ପୂଜାରୁ ଲାଭ: ଅଶ୍ୱତ୍ଥ ବୃକ୍ଷରେ ଜଳ ପ୍ରଦାନ କରିଲେ, ପୂଜା କରିଲେ ଓ ପରିକ୍ରମା କଲେ ସମସ୍ତ ମନୋକାମନା ପୂରଣ ହୋଇଥାଏ । ଶତ୍ରୁ ମଧ୍ୟ ନାଶ ହୋଇ ଥାଆନ୍ତି । ଏହା ଦ୍ୱାରା ସୁଖ ସଂପତ୍ତି, ଧନ-ଧାନ୍ୟ, ଐଶ୍ୱର୍ଯ୍ୟ, ସନ୍ତାନ ସୁଖ ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଅଶ୍ୱତ୍ଥ ବୃକ୍ଷ ତଳେ ଅମାବାସ୍ୟା ଓ ଶନିବାର ଚାଳିସା ପାଠ କଲେ ସମସ୍ତ କଷ୍ଟ ଲାଘବ ହୋଇଥାଏ । ପ୍ରତିଦିନ ଅଶ୍ୱତ୍ଥ ବୃକ୍ଷ ତଳେ ସୋରିଷ ତେଲର ଦୀପ ଜଳାନ୍ତୁ । ଯଦି ତାହା ସମ୍ଭବ ନ ହୁଏ ତା’ ହେଲେ ଅତି କମରେ ଶନିବାର ରାତିରେ ନିଶ୍ଚିତ ଜଳାଇବା ଉଚିତ୍ । ତେବେ ମନେ ରଖନ୍ତୁ ସପ୍ତାହର ସାତ ଦିନଭିତରୁ କେବଳ ଗୋଟିଏ ଦିନ ଅଶ୍ୱତ୍ଥ ବୃକ୍ଷରେ ଜଳ ପ୍ରଦାନ କରିବା ନିଷେଧ ।
ଧାର୍ମିକ କାରଣ: ଶ୍ରୀମଦ ଭଗବତ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଅଶ୍ୱତ୍ଥ ବୃକ୍ଷର ମୂଳରେ ବ୍ରହ୍ମା, ମଧ୍ୟ ଭାଗରେ ବିଷ୍ଣୁ ଓ ଅଗ୍ର ଭାଗରେ ଭଗବାନ ଶିବଙ୍କ ସାକ୍ଷାତ ରୂପ ବିରାଜିତ । ସ୍କନ୍ଦ ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁ ଏହାର ମୂଳରେ, ଶରୀରରେ କେଶବ, ଶାଖାରେ ନାରାୟଣ, ପତ୍ରରେ ଶ୍ରୀହରି ଓ ଫଳରେ ସମସ୍ତ ଦେବାଦେବୀ ରହନ୍ତି । ଏହି କାରଣରୁ ଅଶ୍ୱତ୍ଥଙ୍କୁ ଦେବତା ସମାନ ମନେ କରି ପୂଜନ କରା ଯାଇଥାଏ ।
ବୈଜ୍ଞାନିକ କାରଣ: ଅଧିକାଂଶ ବୃକ୍ଷ ଦିନରେ ଅମ୍ଳଜାନ ଛାଡନ୍ତି ଓ ଅଙ୍ଗାରକାମ୍ଳ ଗ୍ରହଣ କରନ୍ତି । ରାତିରେ ଅଙ୍ଗାରକାମ୍ଲ ଛାଡନ୍ତି ଓ ଅମ୍ଳଜାନ ଗ୍ରହଣ କରନ୍ତି । ବୈଜ୍ଞାନିକମାନଙ୍କ ମତ ଅନୁଯାୟୀ ଅଶ୍ୱତ୍ଥ ହେଉଛି ଏକ ମାତ୍ର ବୃକ୍ଷ ଯାହା କେବେ ବି ଅଙ୍ଗରକାମ୍ଲ ତ୍ୟାଗ କରେ ନାହିଁ । ସେ ସବୁବେଳେ ଅମ୍ଳଜାନ ଛାଡିଥାଏ । ଏହା ପାଖକୁ ଗଲେ ରୋଗ ହୁଏ ନାହିଁ, ବରଂ ଶରୀର ସୁସ୍ଥ ରହେ ବୋଲି କୁହାଯାଏ ।